ବଳକା ପଞ୍ଚାୟତ ନିର୍ବାଚନରେ ବି ବିଜେଡିର ବାଜିମାତ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥଗିତ ଥିବା ପଞ୍ଚାୟତ ନିର୍ବାଚନରେ ବି ବାଜିମାତ୍ କରିଛି ବିଜେଡି । କେନ୍ଦୁଝର, କଟକ, ଅନୁଗୁଳ, ଯାଜପୁରରେ ହୋଇଥିବା ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ବିଜୟ ।

କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ୮ ନମ୍ବର ଜୋନ୍ ଜିଲ୍ଲା ପରିଷଦ ଆସନରେ ବିଜେଡ଼ିର ରଞ୍ଜିତ ନାଏକ ବିଜୟୀ ହୋଇଛନ୍ତି । ସେ ୧୩ ହଜାର ୧୧୮ ଖଣ୍ଡ ଭୋଟ୍ ବ୍ୟବଧାନରେ ନିଜର ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ବିଜେପିର ମହେଶ୍ବର ନାଏକଙ୍କୁ ପରାସ୍ତ କରିଛନ୍ତି । ରଞ୍ଜିତଙ୍କୁ ୨୩ ହଜାର ୯୬୯ ଖଣ୍ଡ ଭୋଟ୍ ମିଳିଥିବା ବେଳେ ମହେଶ୍ଵରଙ୍କୁ ୫ ହଜାର ୧୨୨ ଖଣ୍ଡ ଭୋଟ୍ ମିଳିଛି ।

ସେହିପରି କଟକ ସଦର ବ୍ଲକ ଜସପଡ଼ା ପଞ୍ଚାୟତ ନିର୍ବାଚନ ଫଳାଫଳ ଘୋଷଣା ହୋଇଛି । ବିଜୁ ଜନତା ଦଳର ସମର୍ଥିତ ପ୍ରାର୍ଥୀ ମିନତି ସେଠୀ ୯୮୯ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଅନୁଗୁଳ ସାନକେରଜାଙ୍ଗ ନିର୍ବାଚନରେ ବିଜେଡି ସମର୍ଥିତ ଯଶ୍ମିତା ପ୍ରଧାନ ପ୍ରତିପକ୍ଷ ପ୍ରତିଦ୍ବନ୍ଦୀ ରୀନା ପ୍ରଧାନଙ୍କଠାରୁ 999 ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି । ଏଠାରେ ଜଣେ ପ୍ରାର୍ଥୀଙ୍କର ମୃତ୍ୟୁ ଯୋଗୁଁ ହୋଇ ପାରି ନଥିଲା ନିର୍ବାଚନ । ଏହାବାଦ୍ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଧାନମଣ୍ଡଳ ପଞ୍ଚାୟତରେ ହୋଇଥିବା ସାନି ସରପଞ୍ଚ ନିର୍ବାଚନରେ ଭୋଟ ଗଣତି ଶେଷ ହୋଇଛି । ସରପଞ୍ଚ ଭାବେ ବିଜେଡି ସମର୍ଥିତ ପ୍ରାର୍ଥୀ ନବଦୀପ ନାୟକ ନିର୍ବାଚିତ ହୋଇଛନ୍ତି । ସରପଞ୍ଚ ପ୍ରାର୍ଥୀ ନବଦୀପ ନାୟକ ମୋଟ 2080 ଖଣ୍ଡ ଭୋଟ ପାଇଥିବା ବେଳେ, ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ 1605 ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି ।