ଦିବ୍ୟାଙ୍ଗ ପିଲାକୁ ବିମାନ ଯାତ୍ରା ନେଇ ଅନୁମତି ଦେଲାନି ଇଣ୍ଡିଗୋ; ୫ଲକ୍ଷ ଟଙ୍କା ଜରିମାନା ଲାଗୁ କଲା ଡିଜିସିଏ

ନୂଆଦିଲ୍ଲୀ: ଦିବ୍ୟାଙ୍ଗ ପିଲାକୁ ବିମାନରେ ଯାତ୍ରା କରିବାକୁ ଅନୁମତି ନଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ଏଥିଲାଗି ଇଣ୍ଡିଗୋ ବିମାନ ଉପରେ ୫ଲକ୍ଷ ଟଙ୍କାର ଜରିମାନା ଲାଗୁ କରିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଆଇ) । ତଦନ୍ତ ସମୟରେ ବିମାନ କର୍ତ୍ତୃପକ୍ଷଙ୍କ ତ୍ରୁଟିଥିବା ନେଇ ଜଣାପଡ଼ିବା ପରେ ଜରିମାନା କରିଛି ଡିଜିସିଏ ।

ସ୍ୱତନ୍ତ୍ର ପିଲାଙ୍କ କ୍ଷେତ୍ରରେ ବିମାନ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ସୁବିଧା ଯୋଗେଇ ଦେବା କଥା। ହେଲେ ଏକ୍ଷେତ୍ରରେ ଇଣ୍ଡିଗୋ ବିମାନର କର୍ମଚାରୀମାନେ ସେହି ପିଲା ପ୍ରତି ଅବହଳା ପ୍ରଦର୍ଶନ କରିବା ସହ ଦୁର୍ବ୍ୟବହାର ମଧ୍ୟ କରିଛନ୍ତି । ଏଭଳି ସ୍ୱତନ୍ତ୍ର ଶ୍ରେଣୀ ଯାତ୍ରୀଙ୍କ ପାଇଁ ବିମାନ କର୍ତ୍ତୃପକ୍ଷ ଅଧିକ ସମ୍ବେଦନଶୀଳ ହେବା ଉଚିତ । ସୂଚନା ଅନୁଯାୟୀ  ସ୍ୱାଭାବିକ ଆଚରଣ ଦେଖାଉ ନ ଥିବା ହେତୁ ପିଲାଟିକୁ ଇଣ୍ଡିଗୋ ଏୟାର୍‌ଲାଇନ୍‌ସ୍‌ର ଜଣେ ପ୍ରତିନିଧି ଆରୋହଣ କରାଇ ଦେଇ ନ ଥିଲେ। ଉକ୍ତ ପରିବାର ଏବଂ ଅନ୍ୟ ଯାତ୍ରୀମାନେ ଆପତ୍ତି କରିବାରୁ ପ୍ରତିନିଧିଜଣକ ପାଟିତୁଣ୍ଡ କରିଥିଲେ । ସେଠାରେ ଉପସ୍ଥିତ ଥିବା ଜଣେ ଯାତ୍ରୀ ଏହାକୁ ସୁଟ କରି  ଟ୍ୱିଟ୍‌ କରିଥିଲେ। ସହଯାତ୍ରୀମାନଙ୍କ କହିବା ଅନୁସାରେ, ଉକ୍ତ ବିମାନରେ ଡାକ୍ତରମାନ‌େ ବି ଯାଉଥିଲେ। ଅସୁବିଧା ହେଲେ ସାହାଯ୍ୟ କରିବେ ବ‌ୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବିମାନଟି ଭିନ୍ନକ୍ଷମ ପିଲା ଓ ତା’ର ଅଭିଭାବକଙ୍କୁ ରାଞ୍ଚି ବିମାନବନ୍ଦରରୁ ନ ନେଇ ହାଇଦ୍ରାବାଦ ଅଭିମୁଖେ ଚାଲିଯାଇଥିଲା।

ମାମଲାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ମଧ୍ୟ ଗୁରୁତର ସହ ନେଇଥିଲା । ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ଇଣ୍ଡିଗୋ ବିମାନ କର୍ତ୍ତୃପକ୍ଷଙ୍କୁ  ଡିଜିସିଏ ପକ୍ଷରୁ ଜାରି ନୋଟିସ ଜବାବରେ କୁହାଯାଇଥିଲା ଯେ, ପିଲାଟିର ଅସ୍ୱାଭାବିକ ଆଚରଣ ପାଇଁ ଅନ୍ୟ ଯାତ୍ରୀଙ୍କ ପ୍ରତି ବିପଦ ଥିବା ଆଶଙ୍କା କରି ପିଲାଟିକୁ ଯାତ୍ରା ପାଇଁ ବାରଣ କରାଯାଇଥିବା ସଫେଇ ଦିଆଯାଇଥିଲା ।