AAP ସରକାରଙ୍କ ବଡ ପଦକ୍ଷେପ, ୪୨୪ ଭିଆଇପିଙ୍କ ସୁରକ୍ଷା ପ୍ରତ୍ୟାହାର

ଅମୃତସର: ପଞ୍ଜାବ ଆମ ଆଦମୀ ପାର୍ଟି ସରକାରଙ୍କ ବଡ ପଦକ୍ଷେପ । ୪୨୪ ଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିଛନ୍ତି ଭଗଓ୍ବନ୍ତ ସିଂହ ମାନ ସରକାର । ଏଥିମଧ୍ୟରେ ଅନେକ ଅବସରପ୍ରାପ୍ତ ଅଧିକାରୀ ଓ ପୂର୍ବତନ ବିଧାୟକ ଅଛନ୍ତି । ଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର ନେଇ ପଞ୍ଜାବ ସରକାର ଏକ ସମୀକ୍ଷା ବୈଠକ କରିଥିଲେ । ବୈଠକ ପରେ ୪୨୪ ଭିଆଇପିଙ୍କଠାରୁ ସୁରକ୍ଷା ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ହୋଇଥିଲା ।

ପଞ୍ଜାବ ପୋଲିସରେ ପୂର୍ବରୁ ହିଁ କର୍ମଚାରୀଙ୍କ ଅଭାବ ରହିଆସିଛି । ଆଇନ ଶୃଙ୍ଖଳା ବଜାୟ ରଖିବା କଷ୍ଟକର ହେଉଥିବାରୁ ଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାରର ପ୍ରମୁଖ କାରଣ ବୋଲି କୁହାଯାଉଛି । ପୂର୍ବରୁ ଏହି ବର୍ଷ ଏପ୍ରିଲରେ ପଞ୍ଜାବ ସରକାର ପୂର୍ବତନ ମନ୍ତ୍ରୀ, ବିଧାୟକ ଓ ଅନ୍ୟ ନେତାଙ୍କ ସହ ୧୮୪ ଜଣଙ୍କ ସୁରକ୍ଷା ପ୍ରତ୍ୟାହାର ପାଇଁ ଆଦେଶ ଦେଇଥିଲେ ।