ରାୟଗଡ଼ା: ରାୟଗଡ଼ାରେ ବଡ଼ ଧରଣର ଲୁଟ୍ । ଘର ମାଲିକଙ୍କ ହାତ ଗୋଡ଼ ବାନ୍ଧି ଲୁଟ୍ । ସାଇପ୍ରିୟା ନଗରର ଏମ.ଭେଙ୍କେଟ ରାବନାଙ୍କ ଘରୁ ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଲୁଟ ହୋଇଛି । ପ୍ରାୟ ୧୦ରୁ ଅଧିକ ଡ଼କାୟତ ଘରର ଝରକା ଭାଙ୍ଗି ୨୫ ଭରି ସୁନା ଅଳଙ୍କାର, ୨ କେଜି ରୂପା, ୩୦ ହଜାର ଟଙ୍କା ଓ ୪ଟି ମୋବାଇଲ ଲୁଟି ନେଇଛନ୍ତି । ୮ ଜଣ ଡକାୟତ ଘରେ ପଶି ଥିବାବେଳେ ୨ ଜଣ ଘର ବାହାରେ ଜଗିଥିଲେ । ଡକାୟତମାନେ ଘରର ଝରକା ଭାଙ୍ଗି ଘରେ ପଶି ପରିବାର ସଦସ୍ୟଙ୍କ ଗୋଡ଼ ଓ ହାତ ବାନ୍ଧି ଲୁଟ୍ କରିଥିଲେ । ପାଟି କରିଲେ ଜୀବନରୁ ମାରି ଦେବାକୁ ଧମକ ଦେବା ସହ ଘରେ ଥିବା ସମସ୍ତ ଅଳଙ୍କାର ଓ ଟଙ୍କା ଲୁଟ୍ କରିଥିଲେ ଡକାୟତ । ଏହି ଘଟଣା ପରେ ରାୟଗଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବାଲେଶ୍ୱର ଜିଲ୍ଲା ସୋରରେ ଚାଞ୍ଚଲ୍ୟ, ବିଲ ମଝିରୁ ମିଳିଲା ଅବସରପ୍ରାପ୍ତ ଶିକ୍ଷକଙ୍କ କ୍ଷତାକ୍ତ ମୃତଦେହ
ବାଲେଶ୍ୱର: ଲୁଟ୍ ଉଦ୍ଦେଶ୍ୟରେ ମର୍ଡର । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ବାଲିଖଣ୍ଡ ଗାଁରେ ନିର୍ମମ ହତ୍ୟାକାଣ୍ଡ । ବିଲ ମଝିରୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ରକ୍ତାକ୍ତ ମୃତଦେହ ଠାବ ହୋଇଛି । ବାଲିଖଣ୍ଡ ଗାଁର ଆନନ୍ଦ ଚନ୍ଦ୍ର ପତ୍ରି ପ୍ରାଣକୃଷ୍ଣ ସଂସ୍କୃତ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଥିଲେ । ଗତକାଲି ବିଳମ୍ବିତ ରାତିରେ ଲୁଟ୍ ଉଦ୍ଦେଶ୍ୟରେ କେହି ଦୁର୍ବୃତ୍ତ ଘରେ ପଶି ଆନନ୍ଦ ପତ୍ରି ଏବଂ ତାଙ୍କ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଘରର ମୂଲ୍ୟବାନ ଜିନିଷ ନେଇଯାଉଥିବା ବେଳେ ଆନନ୍ଦ ପ୍ରତିବାଦ କରିଥିବାରୁ ତାଙ୍କ ସହ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାଫଳରେ ଘରଠାରୁ ୫ ଶହ ମିଟର ଏକ ବିଲରୁ କ୍ଷତାକ୍ତ ଅବସ୍ଥାରେ ଆନନ୍ଦଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ଅନ୍ୟପଟେ ଆନନ୍ଦଙ୍କର ଘରର ସମସ୍ତ କାଗଜ ପତ୍ର, ମୋବାଇଲ, ପ୍ୟାଣ୍ଟ ସାର୍ଟ ବିଭିନ୍ନ ସ୍ଥାନରେ ପଡ଼ିଥିବା ଦେଖିବାକୁ ମିଳିଛି । ଉଭୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଦୁର୍ବୃତ୍ତ ଅତି ନୃଶଂସ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ସିମୁଳିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପୁରୀରେ ୫-ଟି ସଚିବ, ପରିବାର ସହ ଆସି ଶ୍ରୀଜିଉଙ୍କୁ କଲେ ଦର୍ଶନ
ପୁରୀ: ପୁରୀରେ ୫-ଟି ସଚିବ ଭି.କେ ପାଣ୍ଡିଆନ । ପରିବାର ସହିତ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ୫-ଟି ସଚିବ । ଶ୍ରୀମନ୍ଦିର ଭିତରେ ବେଢ଼େ ପରିକ୍ରମା କରି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି ୫-ଟି ସଚିବ । ଭି.କେ ପାଣ୍ଡିଆନଙ୍କ ସହିତ ତାଙ୍କ ପତ୍ନୀ ତଥା ମିଶନ ଶକ୍ତିର ସଚିବ ସୁଜାତା କାର୍ତ୍ତିକେୟନ ମଧ୍ୟ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ।
ଭିଜିଲାନ୍ସ ଜାଲରେ ଆଉ ଜଣେ ଅଧିକାରୀ, ଏକକାଳୀନ ୫ଟି ସ୍ଥାନରେ ରେଡ୍
ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ଆରଏମସି ଇନସ୍ପେକ୍ଟର । ସୁନ୍ଦରଗଡ଼ ସର୍ଗିପାଲି ରେଗୁଲେଟେଡ ମାର୍କେଟ କମିଟି ବା ଆରଏମସି ଇନସ୍ପେକ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍ । ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନମାଳି ନାୟକଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ସୁନ୍ଦରଗଡ଼ ଟାଉନ କେନ୍ଦୁଆପଡ଼ା ତଳଶଙ୍କରା ମୌଜାରେ ଥିବା ୨ଟି ୩ ମହଲା କୋଠାରେ ରେଡ୍ ହୋଇଛି । ଡେଙ୍ଗିଭାଡ଼ିରେ ଥିବା ୨ ମହଲା କୋଠା, କିଞ୍ଜିରିକେଲା ଥାନା କୁକୁଡ଼ିଡ଼ିହିରେ ଥିବା ପୈତୃକ ଘରେ ମଧ୍ୟ ଚଢ଼ାଉ ଚାଲିଛି । ସରେଇକେଲାରେ ଥିବା ସମ୍ପର୍କୀୟଙ୍କ ଘର ଓ ଅଫିସ ଚାମ୍ବରରେ ମଧ୍ୟ ଯାଞ୍ଚ ଚଳାଇଛି ଭିଜିଲାନ୍ସ । ସୁନ୍ଦରଗଡ ଭିଜିଲାନ୍ସ ସ୍ପେଶାଲ କୋର୍ଟଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ ଜାରି ରହିଛି । ଭିଜିଲାନ୍ସର ଏହି ଚଢ଼ାଉରେ ୫ ଜଣ ଡିଏସପି, ୭ ଜଣ ଇନସ୍ପେକ୍ଟର, ୪ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।
ଆଜି ବି ପୁଣି ବଢ଼ିଲା ତୈଳ ଦର, ୧୨ ଦିନରେ ବଢ଼ିଲାଣି ୭ ଟଙ୍କାରୁ ଅଧିକ
ନୂଆଦିଲ୍ଲୀ: ତେଲ ଦରରେ ଲାଗୁନି ଲଗାମ । ୧୦ ଦିନ ହେଲାଣି ବଢ଼ି ଚାଲିଛି ଉଭୟ ପେଟ୍ରୋଲ ଓ ଡିଜେଲ ଦର । ଆଜି ପୁଣି ବୃଦ୍ଧି ପାଇଛି ତେଲ ଦର । ରାଜଧାନୀ ଦିଲ୍ଲୀରେ ୮୦ ପଇସା ଲେଖାଏଁ ବଢ଼ିଛି ତେଲ ଦର । ନୂଆ ଦର ଲାଗୁ ପରେ ଦିଲ୍ଲୀରେ ପେଟ୍ରୋଲ ୧୦୨ ଟଙ୍କା ୬୧ ପଇସାରେ ହୋଇଥିବା ବେଳେ, ଡିଜେଲ ଦର ୯୩ ଟଙ୍କା ୮୭ ପଇସାରେ ପହଞ୍ଚିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ୧୧୭ ଟଙ୍କା ୫୭ ପଇସାରେ ପହଞ୍ଚିଥିବାବେଳେ, ଡିଜେଲ ଦର ୧୦୧ ଟଙ୍କା ୭୯ ପଇସା ଛୁଇଁଛି । ଅନ୍ୟପଟେ ଚେନ୍ନାଇରେ ପେଟ୍ରୋଲ ଓ ଡିଜେଲ ଦର ୧୦୮ ଟଙ୍କା ୨୧ ପଇସାରେ ପହଞ୍ଚିଛି । କୋଲକାତାରେ ପେଟ୍ରୋଲ ଲିଟର ୮୪ ପଇସା ବୃଦ୍ଧି ପାଇ ୧୧୨ ଟଙ୍କା ୧୯ ପଇସାରେ ପହଞ୍ଚିଥିବା ବେଳେ, ଡିଜେଲ ୮୦ ପଇସା ବୃଦ୍ଧି ପାଇ ଲିଟର ପିଛା ଦର ୯୭ ଟଙ୍କା ୦୨ ପଇସା ଛୁଇଁଛି ।
Fuel prices continue to rise, 10th hike in 12 days
Read @ANI Story | https://t.co/Apxsznjerm#FuelPriceHike #PetrolPrice #DieselPrice #FuelPrices pic.twitter.com/bo8qa6nyiu
— ANI Digital (@ani_digital) April 2, 2022
ଯଦି ଭୁବନେଶ୍ୱର କଥା କହିବା ତାହାଲେ ଆଜି ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ଦର ୮୫ ପଇସା ଲେଖାଏଁ ବୃଦ୍ଧି ପାଇଛି । ନୂଆ ଦର ପରେ ରାଜଧାନୀରେ ପେଟ୍ରୋଲ ଦର ୧୦୯ ଟଙ୍କା ୬୮ ପଇସା ହୋଇଥିବାବେଳେ, ଡିଜେଲ ୯୯ ଟଙ୍କା ୩୮ ପଇସାରେ ପହଞ୍ଚିଛି ।
ରାଜ୍ୟରେ ଲଗାତାର ବଢ଼ିଚାଲିଛି ତାପମାତ୍ରା, ଲଗାତାର ୪୦ ଡିଗ୍ରୀ ଉପରେ ୮ସହର
ଭୁବନେଶ୍ୱର: ଖସିବାର ନାଁ ଧରୁନି ପାରଦ । ଲଗାତାର ବଢ଼ି ଚାଲିଛି ତାପମାତ୍ରା । ରାଜ୍ୟର ୮ ସହରରେ ୪୦ ଡିଗ୍ରୀ ଉପରେ ରହୁଛି ପାରଦ । ଏହା ସହିତ ଅନେକ ସହରର ତାପମାତ୍ରୀ ୪୦ ଡିଗ୍ରୀ ପାଖାପାଖି ରହୁଛି । ଅସହ୍ୟ ତାତିରେ ଆଉଟୁ ପାଉଟୁ ହେଉଛି ପଶ୍ଚିମ ଓଡ଼ିଶା । କ୍ରମାଗତ ଭାବେ ଟିଟିଲାଗଡ଼ରେ ପାଲଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ଏଭଳି ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ରାଜ୍ୟରେ ତାପମାତ୍ରାରେ ଆଗକୁ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ । ଆଜି ଗ୍ରୀଷ୍ମ ପ୍ରବାହ ପାଇଁ ୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ କଳାହାଣ୍ଡିରେ ଅଧିକ ଖରା ହେବ । ତେବେ ୨ ଦିନ ପରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।
ଋଷ-ୟୁକ୍ରେନ ଯୁଦ୍ଧ, ପ୍ରଥମ ଥର ପାଇଁ ଋଷ ଉପରେ ଆକ୍ରମଣ କଲା ୟୁକ୍ରେନ
କିଭ୍: ୟୁକ୍ରେନରେ ଋଷ୍ ସେନା ଯୁଦ୍ଧ ଆରମ୍ଭ କରିବା ପରଠାରୁ ପ୍ରଥମ ଥର ପାଇଁ ୟୁକ୍ରେନ ଋଷ୍ ଭିତରେ ପଶି ଆକ୍ରମଣ କରିଛି । ଋଷୀୟ ସୀମା ପାର କରି ୟୁକ୍ରେନ ଯୁଦ୍ଧ ବିମାନ ଏକ ତୈଳ ଡିପୋରେ ବିସ୍ଫୋରଣ କରିଛି । ଏହି ଆକ୍ରମଣ ପୂର୍ବ ୟୁକ୍ରେନ ସୀମାକୁ ଲାଗିଥିବା ବେଲଗୋରଡ ସହରରେ ହୋଇଥିବା ଋଷୀୟ ଅଧିକାରୀ କହିଛନ୍ତି । ୟୁକ୍ରେନ ବାୟୁସେନା ହେଲିକପ୍ଟର ପାଇଲଟଙ୍କ ଏଭଳି ଆକ୍ରମଣର ଅନେକ ଅଭିଜ୍ଞତା ରହିଛି । ଅତୀତରେ ସେମାନେ ଡୋନବାସରେ ଏହିପରି ଅନେକ ଆକ୍ରମଣ କରିଥିବାର ନଜର ରହିଛି । ଏଣୁ ଏହି କାଣ୍ଡ ମଧ୍ୟ ୟୁକ୍ରେନ ବାୟୁସେନା ପାଇଲଟ କରିଥାଇପାରନ୍ତି ବୋଲି ଋଷୀୟ ଅଧିକାରୀମାନେ କହିଛନ୍ତି ।
ଋଷୀୟ ବାୟୁ ରକ୍ଷା ପ୍ରଣାଳୀ ଓ ରାଡାରକୁ ଚକମା ଦେବାରେ ୟୁକ୍ରେନ ହେଲିକପ୍ଟର ପାଇଲଟ ବେଶ୍ ଦକ୍ଷ । ରାଡାର ଓ ପ୍ରତିରକ୍ଷା ପ୍ରଣାଳୀରୁ ବର୍ତ୍ତିବା ଲାଗି କମ୍ ଉଚ୍ଚତାରେ ଦ୍ରୁତବେଗରେ ଉଡାଣ କରି ଆକ୍ରମଣକୁ ସଫଳ କରିଥାନ୍ତି । ଡୋନାବାସ ଅଞ୍ଚଳରେ ସେମାନେ ଏପରି ଅନେକ ଟାର୍ଗେଟ୍ କରିଥିବା ବେଳେ ଶୁକ୍ରବାର ବେଲଗୋରଡରେ ତୈଳ ଡିପୋ ଧ୍ୱଂସ କରିଥିବା ସନ୍ଦେହ କରାଯାଉଛି ।
କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା, ଆଜି ସରୁଛି ୪ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି
କଟକ: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲା । ଆଜି ସରୁଛି ୪ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି । ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ ସହିତ ଝୁନା, ନିରଞ୍ଜନ ଓ ରଞ୍ଜନ ରିମାଣ୍ଡର ଆଜି ପଞ୍ଚମ ତଥା ଅନ୍ତିମ ଦିନ । ଏହି ୫ ଦିନ ମଧ୍ୟରେ ଅନେକ ରହସ୍ୟ ଉପରୁ ପରଦା ହଟିଛି । ୩ ଅଭିଯୁକ୍ତଙ୍କୁ ଦିନ ତମାମ ମାରଥାନ ଜେରା ଓ କ୍ରସ୍ ଇଣ୍ଟେରୋଗେସନ୍ କରିଛି କ୍ରାଇମବ୍ରାଞ୍ଚ । ଚଣ୍ଡିଖୋଲରେ ପ୍ରମାଣ ନଷ୍ଟର ସତ ଓଗାରିଛି ରଞ୍ଜନ । ନିରଞ୍ଜନକୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟିମ୍ ମାରାଥନ୍ ଜେରା କରିଛି ।
ସେପଟେ ଚାନ୍ଦବାଲିରୁ ଅପହରଣ, ଦୟାଲ ଆଶ୍ରମରେ ନିର୍ଯାତନା ପରେ ହତ୍ୟା, ରଣପୁର ବଧିପାଟଣାରେ ପ୍ରମାଣ୍ଡ ନଷ୍ଟର ଡେମୋ ଦେଖାଇଛି ମାଷ୍ଟରମାଇଣ୍ଡ । କ୍ରାଇମସିନ୍ ରିକ୍ରିଏସନ୍ ବେଳେ ଅପରାଧର ଆକ୍ସନ୍ ରିପ୍ଲେ ଦେଖାଇଛି ଶର୍ମିଷ୍ଠା । ତେବେ ଏବେବି ଅନେକ ରହସ୍ୟ ଉପରୁ ପରଦା ହଟିନି । କାହିଁକି ମାନସଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ? ହତ୍ୟା ପଛରେ କେବଳ ମେମୋରୀ ଚିପ୍ ନା ଅନ୍ୟ କିଛି କାରଣ ? ଯଦି ମେମୋରୀ ଚିପ୍ ପାଇଁ ହତ୍ୟା, ତେବେ ସେହି ମେମୋରୀ ଚିପରେ କ’ଣ ଅଛି? ଏମିତି କେଉଁ ଭିଡିଓ ମେମୋରୀ ଚିପ୍ ରହିଛି, ଯାହା ପାଇଁ ହତ୍ୟା ପରି ଜଘନ୍ୟ କାଣ୍ଡ ଘଟାଇଲା ଶର୍ମିଷ୍ଠା? ବ୍ଲାକମେଲିଂ କରୁଥିଲେ କି ମାନସ? ଯଦି ଶର୍ମିଷ୍ଠା ଚିପ୍ ପାଇ ନାହାନ୍ତି, ତା ହେଲେ ଚିପ ଏବେ କାହା ପାଖରେ ? ଏପରି ଅନେକ ପ୍ରଶ୍ନର ଉତ୍ତର ଏବେ ଅନ୍ଧାରରେ । ଯାହାକୁ ପାଇବାକୁ ଅଭିଯୁକ୍ତଙ୍କୁ ପୁଣିଥରେ ରିମାଣ୍ଡରେ ଆଣିପାରେ କ୍ରାଇମବ୍ରାଞ୍ଚ ।
ରାଜ୍ୟରେ ଆଜିଠୁ ସକାଳୁ ଖୋଲିଲା ସ୍କୁଲ, ଖରା ପାଇଁ ଆରମ୍ଭ ହେଲା ମର୍ଣ୍ଣିଂ କ୍ଲାସ୍
ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହେଲା ସକାଳୁଆ ପାଠପଢ଼ା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁ ସକାଳୁ ସ୍କୁଲରେ ପାଠପଢ଼ା ଆରମ୍ଭ ହୋଇଛି । ସାଢ଼େ ୬ଟାରୁ ଖୋଲିଛି କ୍ଲାସ ରୁମ୍ । ପାଠ ପଢୁଛନ୍ତି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା । ଗଣଶିକ୍ଷା ବିଭାଗର ସୂଚୀ ଅନୁସାରେ ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠପଢ଼ା ହେବ । ସେହିପରି ସକାଳ ୭ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ପାଠ ପଢାଯିବ ।
ରାଜ୍ୟରେ ଦିନକୁ ଦିନ ତାତି ବଢିବାରେ ଲାଗିଛି । ୮ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଏହା ସହିତ ଅନେକ ସହରର ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ରହିଛି । ଏଣୁ ପିଲାଙ୍କୁ ଖରା ଦାଉରୁ ରକ୍ଷା କରିବାକୁ ସକାଳୁଆ ସ୍କୁଲ ଖୋଲାଯାଇଛି । ସମସ୍ତ ଶିକ୍ଷାନୁଷ୍ଠାନ କରୋନା କଟକଣା ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟାଳୟ ଗୁଡ଼ିକରେ ପର୍ଯ୍ୟାପ୍ତ ପିଇବା ପାଣି ମହଜୁଦ ରଖିବାକୁ ପ୍ରଧାନ ଶିକ୍ଷକଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ପିଲାମାନେ ଖରା ସମୟରେ ଛତା ବ୍ୟବହାର କରିବାକୁ ପରାମର୍ଶ ଦେଇଛି ଗଣଶିକ୍ଷା ବିଭାଗ ।
ଗ୍ୟାଲେରୀରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ଐତିହ୍ୟ ପ୍ରଦର୍ଶିତ
ଭୁବନେଶ୍ୱର: ଶ୍ରୀଜଗନ୍ନାଥ ସଂସ୍କୃତି ଗ୍ୟାଲେରୀ ଉଦଘାଟିତ । ଭୁବନେଶ୍ୱର ଗଣ୍ଡମୁଣ୍ଡା ସ୍ଥିତ କଳାଭୂମି- ଓଡିଶା ହସ୍ତଶିଳ୍ପ ସଂଗ୍ରହାଳୟ ପରିସରରେ ଥିବା ଏହି ବହୁ ପ୍ରତୀକ୍ଷିତ ସଂସ୍କୃତି କଳାକୃତି ଗ୍ୟାଲେରୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଗ୍ୟାଲେରିରେ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡିତ ଓଡିଶାର ବିଭିନ୍ନ ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶିତ ହୋଇଛି । ଅନେକ ପଟ୍ଟଚିତ୍ର, କତା, ପିପିଲି ଚାନ୍ଦୁଆ, ଟେରାକୋଟା, ସୋଲାପୀଠ, ପିତ୍ତଳ ସାମଗ୍ରୀ, ବିଭିନ୍ନ ପ୍ରକାରର ଧାତୁରେ ନର୍ମିତ ହସ୍ତଶିଳ୍ପର ଅନନ୍ୟ କାରୁକାର୍ଯ୍ୟ ଏଠାରେ ସ୍ଥାନ ପାଇଛି ।
ନୂତନ ଗ୍ୟାଲେରୀରେ ପ୍ରଭୁ ଜଗନ୍ନାଥଙ୍କର ଛଅଗୋଟି ପ୍ରଧାନ ବେଶ ପ୍ରଦର୍ଶିତ ହୋଇଛି । ଏହି ଗ୍ୟାଲେରୀରେ ଜଗନ୍ନାଥଙ୍କର ଦୁର୍ଲଭ ରଘୁନାଥ ବେଶ ସ୍ଥାନିତ ହୋଇଛି । ଏହାଛଡା ଦୁଇଟି ପୁରାତନ ନୃତ୍ୟଶୈଳୀ ଓ ନୈପୁଣ୍ୟ ‘ମାହାରୀ’ ଓ ‘ଗୋଟିପୁଅ’ ମଧ୍ୟ ସ୍ଥାନିତ ହୋଇଛି । ଉତ୍ସବରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ ପଦ୍ମିନୀ ଦିଆନ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର୍. ବାଲ୍କି୍ରଷ୍ଣନ୍, 5-T ସଚିବ ଭି.କେ. ପାଣ୍ଡିଆନ୍, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଶାସନ ସଚିବ ଶୁଭା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

