୧୭ ବର୍ଷିୟ ନାବାଳକଙ୍କୁ ବାହାହେଲେ ୩୨ ବର୍ଷିୟା ମହିଳା

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ସିଙ୍ଗରୌଲିରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ଜଣେ ୧୭ ବର୍ଷିୟ ନାବାଳକଙ୍କୁ ବାହା ହୋଇଛନ୍ତି ୩୨ ବର୍ଷିୟା ମହିଳା ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ମହିଳା ଜଣଙ୍କ ହେଉଛନ୍ତି ସ୍ବାମୀ ପରିତ୍ୟକ୍ତା । ଆଉ ଏହା ତାଙ୍କର ତୃତୀୟ ବିବାହ । ସେ ଗାଁର ପଞ୍ଚାୟତ ସଦସ୍ୟଙ୍କ ସହମତିରେ ବାହା ହୋଇଛନ୍ତି । କିନ୍ତୁ ନାବାଳକଙ୍କ ବାପା ଏହି ଘଟଣାକୁ ମାନିବାକୁ ନାରାଜ । ସେ ନିଜ ପୁଅକୁ ନ୍ୟାୟ ଦେବାକୁ ପହଞ୍ଚିଛନ୍ତି ଥାନାରେ । ଥାନାରେ ପହଞ୍ଚିଥିଲେ ବି ଥାନାଧିକାରୀ ଆଖିଦୃଶିଆ ପଦକ୍ଷେପ ନେଉ ନ ଥିବା ସେ ଅଭିଯୋଗ କରିଛନ୍ତି ।

ଖୁଟାରର ବାସିନ୍ଦା କମଲେଶ ଶାହାଙ୍କ ପୁଅ ଦ୍ବାଦଶ ଶ୍ରେଣୀର ଛାତ୍ର । ଛାତ୍ରଙ୍କୁ ୩୨ ବର୍ଷିୟା ମହିଳା ଜଣଙ୍କ ବାହା ହୋଇଛନ୍ତି । ତାହା ପୁଣି ନାବାଳକଙ୍କ ସହମତି ବିନା । ଗାଁର ସରପଞ୍ଚଙ୍କ ସହମତିରେ ଏହି ବାହାଘର ହୋଇଥିବା କୁହାଯାଉଛି । ନାବାଳକଙ୍କ ବାପା ପୋଲିସ ଠାରୁ ଆରମ୍ଭ କରି ସବୁଠି ଅଭିଯୋଗ କରି ସାରିଲେଣି । ଶେଷରେ ସେ ଯାଇ ପହଞ୍ଚିଛନ୍ତି ସିଙ୍ଗରୌଲି ଜିଲ୍ଲାପାଳ ରଞ୍ଜନ ମୀନାଙ୍କ ପାଖରେ । ଜିଲ୍ଲାପାଳ ଏକ ଟିମ୍ କଠନ କରି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ, ମହିଳା ଜଣଙ୍କ ୭ ବର୍ଷ ପୂର୍ବରୁ ବାହା ହୋଇଥିଲେ । ବାହାଘରର ବର୍ଷେ ପରେ ସେ ତାଙ୍କ ସ୍ବାମୀଙ୍କୁ ଛାଡି ଅନ୍ୟତ୍ର ବିବାହ କରିଥିଲେ । ସେଠି ବି ତାଙ୍କ ବୈବାହିକ ଜୀବନ ଅଧିକ ଦିନ ଯାଏ ତିଷ୍ଠି ପାରି ନ ଥିଲା । ଏବେ ସେ ନାବାଳକଙ୍କୁ ବାହା ହୋଇଛନ୍ତି ଏବଂ ତାଙ୍କୁ ନ ଛାଡ଼ିବାକୁ ଜିଦ୍ ଧରି ବସିଛନ୍ତି ।