spot_img
Home Blog Page 4364

ସୈନ୍ୟ ଦୃଢ଼ ହେଲେ ଶେୟାର ମାର୍କେଟର ପତନକୁ ମଧ୍ୟ ଦେଶ ସମ୍ଭାଳିନେବ, ସେନାଙ୍କ ଉପରେ ନିବେଶ ବୋଝ ନୁହେଁ: ନରବଣେ

0

ନୂଆଦିଲ୍ଲୀ: ସେନାମୁଖ୍ୟ  ଜେନେରାଲ ଏମଏମ ନରବଣେ ସୈନ୍ୟବାହିନୀ ଉପରେ ହେଉଥିବା ଖର୍ଚ୍ଚକୁ ନିବେଶ ବୋଲି କହିଛନ୍ତି ।  ତାଙ୍କ କହିବା ହେଉଛି ସୈନ୍ୟଙ୍କ ଉପରେ ନିବେଶ ଏଭଳି ଏକ ଖର୍ଚ୍ଚ ଯାହା ରିଟର୍ଣ୍ଣ ମିଳିଥାଏ । ଏହାକୁ ଅର୍ଥବ୍ୟବସ୍ଥା ଉପରେ ବୋଝ ବୋଲି ଭାବିବା ଅନୁଚିତ୍‌ ।  ଯଦି ଗୋଟିଏ ଦେଶର ସୈନ୍ୟବାହିନୀ  ମଜବୁତ ଅଛି ତେବେ ଦେଶର ବଜାରରେ ପତନ ଘଟିଲେ ମଧ୍ୟ ଦେଶ ତାହା ସମ୍ଭାଳିନେବ ।

ରାଷ୍ଟ୍ରୀୟ ପ୍ରତିରକ୍ଷା ବିଦ୍ୟାଳୟରେ ବୁଧବାର ପୁସ୍ତକ‘ Fifty Years Of 1971 War: Accounts From Veterans’ର ଉନ୍ମୋଚନ କରିବା ପରେ ଉପସ୍ଥିତ ଜନତାଙ୍କୁ ସମ୍ବୋଦ୍ଧନ କରି ନରବଣେ ଏହି କଥା କହିଛନ୍ତି ।

ଏହା ସହିତ ନରବଣେ, କହିଛନ୍ତିଯେ,  ସଙ୍କଟ ସମୟରେ ଅର୍ଥବ୍ୟବସ୍ଥା ଉପରେ କେତେ ପ୍ରଭାବ ପଡ଼େ ଏହା ସମସ୍ତେ ଦେଖିଛନ୍ତି । କୌଣସି ସ୍ଥାନରେ ଯୁଦ୍ଧ ହେଉ ବା କେଉଁଠାରେ ଅସ୍ଥିରତା ସୃଷ୍ଟି ହେଉ, ପ୍ରଭାବ ସିଧାସଳଖ ଷ୍ଟକ୍‌ ମାର୍କେଟ୍‌ ଉପରେ ପଡ଼ିଥାଏ । ଏହିଭଳି ଝଟକାକୁ ଦେଶ ସେତିକିବେଳେ ସମ୍ଭାଳି ପାରିବ ଯେତେବେଳେ ଗୋଟିଏ ଦେଶର ସୈନ୍ୟବାହିନୀ ସୁଦୃଢ଼ ଥିବ ।

 

 

କିଛି ସମୟ ମଧ୍ୟରେ ପୃଥିବୀ ସହିତ ମାଡ଼ ହେବ ସୌରଝଡ଼

ଓ୍ୱାଶିଂଟନ୍‌: ଆଜି ପୃଥିବୀ ସହ ମହାବିନାଶକ ସୌରଝଡ଼ ଧକ୍କା ହେବାର ସମ୍ଭାବନା ରହିଛି । ଏହି ସୌରଝଡ଼  ଯଦି ପୃଥିବୀ ପାଇଁ ମହାବିନାଶକ ସାଜେ ତେବେ ଏକ ବଡ଼ ଧରଣର ପ୍ରଭାବ ପଡ଼ିବ ବୋଲି ଆଶଙ୍କା କରୁଛନ୍ତି ବୈଜ୍ଞାନିକ । ନାସାର ସୂଚନା ଅନୁସାରେ, କୋରୋନଲ ମାସ୍‌ ଇଜେକ୍ସନ୍‌ ପାଇଁ ଏହି ସୌରଝଡ଼ ସୃଷ୍ଟି ହୋଇଛି ।

ୟୁଏସ ସ୍ପେସ୍‌ ଓ୍ୱେଦର ସେଣ୍ଟର ଅନୁସାରେ ଏହା ହେଉଛିG-2 ଶ୍ରେଣୀର । ଯାହା ଖୁବ୍‌ ବିପଦଜ୍ଜନକ । ସବୁଠାରୁ ଶକ୍ତିଶାଳୀ ସୌରଝଡ଼କୁ G-5 ଏବଂ ସବୁଠାରୁ କମ୍‌ ଶକ୍ତିଶାଳୀ ସୌରଝଡ଼କୁ G-1 ଶ୍ରେଣୀରେ ରଖାଯାଏ । ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ଇନ୍‌ ସ୍ପେସ୍‌ ସାଇନ୍ସେଜ୍‌ ଇଣ୍ଡିଆର ଟ୍ୱିଟ୍‌ ଅନୁସାରେ, ୧୪ ଅପ୍ରେଲ ୨୦୨୨ ବା ଗୁରୁବାର ସେକେଣ୍ଡ ପ୍ରତି  ୪୨୯ରୁ ୫୭୫ କିଲୋମିଟର ବେଗରେ ପୃଥିବୀ ସହ ଏହି ସୌରଝଡ଼ ମାଡ଼ ହୋଇପାରେ ।

 

ସୋଲାର ଆକ୍ଟିଭିଟିର ୪ଟି ମୁଖ୍ୟ ଉପାଦାନ ମଧ୍ୟରେ ସୋଲାର ଫ୍ଲେୟର୍ସ, କୋରୋନଲ ମାସ୍‌ ଇଜେକ୍ସନ, ହାଇ ସ୍ପିଡ ସୋଲାର ଓ୍ୱିଣ୍ଡ୍‌ ଏବଂ ସୋଲାର ଏନର୍ଜି ପାର୍ଟିକଲ୍ସ ସାମିଲ ରହିଛି । ଏହି କାରଣରୁ ପୃଥିବୀକୁ ସୌରଝଡ଼ ଆସିଥାଏ ।

ଗୋଟିଏ ମଧ୍ୟ ରିପୋର୍ଟ ପଜିଟିଭ୍‌ ଆସିଲେ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ

0

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣିଥରେ ବଢ଼ିବାରେ ଲାଗିଛି କରୋନା ମାମଲା । କିଛି ଛାତ୍ର ସ୍କୁଲରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।  ଏହି ମଧ୍ୟରେ ନୂଆ ଗାଇଡଲାଇନ ଆଣିଛନ୍ତି ଦିଲ୍ଲୀ ସରକାର ।  ଗାଇଡଲାଇନ ଅନୁସାରେ ଯଦି ସ୍କୁଲରେ ଜଣେ ମଧ୍ୟ ପିଲା ପଜିଟିଭ୍ ଚିହ୍ନଟ ହୁଅନ୍ତି ତେବେ ତୁରନ୍ତୁ ସ୍କୁଲକୁ ବନ୍ଦ କରିଦିଆଯିବ ।

ଜାରି ହୋଇଥିବା ଗାଇଡଲାଇନ ଅନୁସାରେ, ଯଦି ଗୋଟିଏ ମଧ୍ୟ ପଜିଟିଭ୍‌ ରିପୋର୍ଟ ଆସୁଛି ତେବେ, ତୁରନ୍ତ DOEକୁ ଏହାର ସୂଚନା ଦିଆଯିବ । ବିଦ୍ୟାଳୟରେ ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ନିୟମିତ ରୂପରେ ହାତ ଧୋଇବା ଆଦି ବାଧ୍ୟତାମୂଳକ ।

ତେବେ କେବଳ ଏହି ନିୟମକୁ କଡ଼ାକଡ଼ା କରାଯାଇଛି ଏବଂ କୋଭିଡର ସମସ୍ତ ଗାଇଡଲାଇନ ମାନିବାକୁ ପ୍ରତ୍ୟେକ ସ୍କୁଲକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର । ତେବେ ମାମଲା ବଢ଼ିବା ପୂର୍ବରୁ ଏହାର ପ୍ରତିରୋଧ କରିବାକୁ ଦିଲ୍ଲୀ ସରକାରଙ୍କର ଏହା ଏକ ବଡ଼ ପଦକ୍ଷେପ ।

ସୂଚନାଯୋଗ୍ୟ ଥମି ଯାଇଥିବା କରୋନାର ଲହର ପୁଣିଥରେ ମୁଣ୍ଡ ଟେକିଛି । ଏଥିରୁ ବଞ୍ଚିବା ପାଇଁ ହେଲେ ସରକାରଙ୍କ ନିୟମ ଗାଇଡଲାଇନ ମାନିବା ସହିତ ନିଜେ ସତର୍କ ରହିବା ନିହାତି ଜରୁରୀ ।

ଦିଲ୍ଲୀ ମେଟ୍ରୋ ଷ୍ଟେସନ କୋଠାରୁ ଡେଇଁଲେ ଯୁବତୀ, CISF ଯବାନ କମ୍ବଳରେ କଲେ କ୍ୟାଚ୍

ନୂଆଦିଲ୍ଲୀ: ଦିଲ୍ଲୀର ଅକ୍ଷୟଧାମ ମେଟ୍ରୋ ଷ୍ଟେସନ ଛାତରୁ ଡେଇଁ  ଜଣେ ୨୫ ବର୍ଷୀୟ ଯୁବତୀ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ । କିନ୍ତୁ ସୌଭାଗ୍ୟବଶତଃ ତାଙ୍କ ଜୀବନ ବଞ୍ଚିଗଲା । ଯାହାର ସୂଚନା CISF ଭିଡ଼ିଓ ମାଧ୍ୟମରେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ।  ଏହି ଭିଡ଼ିଓ ଗୁରୁବାର ସକାଳ ପ୍ରାୟ ୭ଟା ୧୫ ମିନିଟ ସମୟର । ଯୁବତୀଙ୍କୁ ଲାଲ ବାହାଦୂର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଯୁବତୀ ଜଣକ ହଠାତ୍‌ ମେଟ୍ରୋ ଷ୍ଟେସନ କାନ୍ଥରେ ଚଢ଼ିଗଲେ । ଏହାର ତୁରନ୍ତ ପରେ CISF ଯବାନ ତାଙ୍କୁ ଓହ୍ଲାଇବା ପାଇଁ କହିଲେ, ଏମିତି କି ଖୁବ୍‌ ବୁଝାଇଲେ ଓହ୍ଲାଇ ଆସିବାକୁ । କିନ୍ତୁ ଯୁବତୀ ଜଣକ ଛାତରୁ ତଳକୁ ଓହ୍ଲାଇବାକୁ ନାରାଜ । ତାଙ୍କର ଗୋଟିଏ ଜିଦି ସେ ଆତ୍ମହତ୍ୟା କରିବେ । ଅନ୍ୟପଟେ ଯୂବତୀ କଥା ନମାନିବାରୁ, CISF ଯବାନ୍‌ ତଳେ କମ୍ବଳ ଏବଂ ଚାଦର ନେଇ ପହଞ୍ଚିଗଲେ । ଯୁବତୀ ତଳକୁ ଡେଇଁବା ମାତ୍ରେ ତାଙ୍କୁ ଧରିନେଲେ । ଯୁବତୀଙ୍କ ଶରୀରର କିଛି ଅଂଶକୁ ଆଘାତ ପହଞ୍ଚିଛି ।

ସୋସିଅଲ ମିଡିଆରେ ୟୁଜର୍ସ CISF ଯବାନଙ୍କୁ ଖୁବ୍‌ ପ୍ରଶଂସା କରୁଛନ୍ତି । ସୂଚନାଯୋଗ୍ୟ  ୧୨ ହଜାରରୁ ଅଧିକ CISF ଯବାନ୍‌ ଦିଲ୍ଲୀ ମେଟ୍ରୋର ସୁରକ୍ଷାରେ ନିୟୋଜିତ ।  ଏହା ୧୫ ବର୍ଷ ଧରି ଚାଲି ଆସୁଛି ।

ଗାଡ଼ି ଧୀରେ ଚଳାଇବାକୁ ଇସାରା ଦେଲେ ଯୁବକ , ଚାପୁଡ଼ା ପରେ ଚାପୁଡ଼ା ମାରିଲେ ତହସିଲଦାର

ବ୍ରହ୍ମପୁର: ପୁଣି ଗଞ୍ଜାମ ତହସିଲଦାରଙ୍କ ଦବଙ୍ଗଗିରି । ଫିଲ୍ଡ ଭିଜିଟରେ ଯାଇ ଲୋକଙ୍କୁ ମାରିଛନ୍ତି ମାଡ଼ । ସାମାନ୍ୟ କଥାରୁ ଲୋକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସ୍କୁଲ ଟାଇମରେ ଧୀରେ ଗାଡ଼ି ଚଳାଇବାକୁ ଇସାରା କରିବାରୁ ଜଣେ ଯୁବକଙ୍କୁ ମାଡ଼ ମାରିଛନ୍ତି ଗଞ୍ଜାମ ତହସିଲଦାର ବାବୁ ଅରୁଣ ନାୟକ । ଅରୁଣଙ୍କ ଏପରି ଦାଦାଗିରି ଆଦୌ ନୂଆ ନୁହେଁ । ଏହାପୂର୍ବରୁ ମଧ୍ୟ ବାବୁ ଅରୁଣ ବାରମ୍ବାର ଲୋକଙ୍କୁ ଦାଦାଗିରି କରି ସାବାଡ଼ କରିବାକୁ ଅପଚେଷ୍ଟା କରିଛନ୍ତି । ତାଙ୍କ ବିରୋଧରେ ଆକ୍ସନ ମଧ୍ୟ ନିଆଯାଇଥିଲେ ମଧ୍ୟ ବାବୁଙ୍କର କିନ୍ତୁ ତାଲିବାନୀ ମାନସିକତାରେ ପରିବର୍ତ୍ତନ ଆସୁନି ।

ନାଲିବତି ଗାଡ଼ି ଚଢୁଛନ୍ତି ବୋଲି ଲୋକଙ୍କୁ ନାଲିଆଖି । ମାଜିଷ୍ଟ୍ରେଟ ବୋଲି ମଳିମୁଣ୍ଡିଆଙ୍କ ଉପରେ ଦାଦାଗିରି । ପ୍ରଶାସନିକ ଅଫିସର ବୋଲି ମାନୁନାହାଁନ୍ତି ଇନ୍ଦ୍ରଚନ୍ଦ୍ର । ତହସିଲଦାରଙ୍କ ଶହେ ଶହେରେ ଦାଦାଗିରି । ପାୱାର ବଳରେ ଗଞ୍ଜାମ ଅଞ୍ଚଳବାସୀଙ୍କ ପାଇଁ ପାଲଟିଛନ୍ତି ଟେରର ପ୍ରଶାସକ ।  ବାବୁଙ୍କ ନାଁ ଅରୁଣ ନାୟକ । ଗଞ୍ଜାମ ତହସିଲଦାର । ହେଲେ କାମ କିନ୍ତୁ ତାଲିବାନୀ । ବ୍ରିଟିଶ ରୁଲରଙ୍କ ଭଳି ରୁଲବାଡ଼ି ଧରି ଲୋକଙ୍କ ଉପରେ ହାକିମାତି ଦେଖାଇବା ତାଙ୍କ ସଉକ । ଆଗରୁ ବି ରେକର୍ଡ ଅଛି । ଆଉ ନିଜ ରେକର୍ଡ କେମିତି ମଳିନ ନପଡ଼ିବ ସେଥିପାଇଁ ବି ଅହରହ ଚେଷ୍ଟା ଚଳାଇଛନ୍ତି । ନାଲିବତି ଧରି ଫିଲ୍ଡକୁ ବାହାରିଲେ ଆରମ୍ଭ ହୋଇଯାଏ ବ୍ରିଟିଶ ମାନସିକତା । ରାସ୍ତା ଉପରେ କରନ୍ତି ମନମାନି । ଆରମ୍ଭ ହୋଇଯାଏ ଗୁଣ୍ଡାରାଜ ।

ତହସିଲଦାର ବାବୁ ଅରୁଣ ନାୟକ ରମ୍ଭା ଥାନା ଅନ୍ତର୍ଗତ ଶିପକୁଦା ଗାଁକୁ ଯାଇଥିଲେ । ଖୁବ ସ୍ପିଡରେ ଗଡୁଥିଲା ଗାଡ଼ି । ସକାଳ ସମୟ ହୋଇଥିବାରୁ ପିଲାମାନେ ସ୍କୁଲରୁ ଫେରୁଥିଲେ । କେହିଜଣେ ବାବୁଙ୍କୁ ଗାଡ଼ି ଧୀରେ ଚଲାଇବାକୁ ହାତରେ ଇସାରା ଦେଲେ । ବାସ ସେଇଠୁ ବିଗିଡ଼ିଗଲେ ବାବୁଙ୍କ ମୁଡ୍‌ । ଗାଡ଼ି ବ୍ୟାକ କରି କାହିଁକି ଇସାରା କଲୁ ବୋଲି କହି ଯୁବକଙ୍କ ଗାଲକୁ ମାରିଲେ ଦୁଇ ଚଟକଣା । ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା । ତହସିଲଦାରଙ୍କ ସହିତ ପାଟିତୁଣ୍ଡ ଓ ହାତା ହାତି ପର୍ଯ୍ୟନ୍ତ କଥା ଯାଇଥିଲା । ହେଲେ ବି ତହସିଲଦାର ବୋଲି ରୁବାବ କିନ୍ତୁ କମିନଥିଲା ବାବୁଙ୍କର । ଶେଷରେ ରମ୍ଭା ଥାନା ପୋଲିସ ଆସିବା ପରେ ଶାନ୍ତ ହୋଇଥିଲା ଘଟଣା ।

ସେବା କରିବାକୁ ଶପଥ ନେଇଥିବା ଏହି ଅଧିକାରୀ ଜଣଙ୍କ ଏହି ଏରିଆରେ ସପ୍ତାହକୁ ଏପରି ତିନିରୁ ଚାରିଟି ଘଟଣା ଘଟାଇ ଆତଙ୍କ ଖେଳାଇ ଚାଲିଛନ୍ତି । ତାଙ୍କୁ ଦେଖିଲେ ଲୋକ ଥରହର । ତେବେ ଜାଣନ୍ତୁ ତହସିଲଦାର ବାବୁଙ୍କ ଦାଦାଗିରିର ରେକର୍ଡ

ଘଟଣା ନମ୍ବର-୧- ପୁରୁଷୋତ୍ତମପୁର ତହସିଲଦାର ଦାୟିତ୍ୱରେ ଥିବାବେଳେ ପରିବା ବ୍ୟବସାୟୀଙ୍କୁ ମାଡ଼ ମାରି ଲହୁଲୁହାଣ । ଆକ୍ସନରେ ଗଞ୍ଜାମ ତହସିଲକୁ କରାଯାଇଥିଲା ବଦଳି ।

ଘଟଣା ନମ୍ବର-୨- ରମ୍ଭା ନିକଟରେ ଥିବା ଏକ ପେଟ୍ରୋଲ ପମ୍ପର କର୍ମଚାରୀଙ୍କୁ ସର୍ବସମ୍ମୁଖରେ କରାଇଥିଲେ ଉଠବସ ।
ଘଟଣା ନମ୍ବର- ୩- ଚାରିମାସ ତଳେ ପାଲୁରଗଡର ହରିଜନ ସାହିର ଶଙ୍କର ଦାସଙ୍କ ମୁଣ୍ଡ ଫଟାଇ ଲହୁଲୁହାଣ ଅଭିଯୋଗ । ମାଡ ଯୋଗୁଁ ଆଜି ବି ଅର୍କମଣ୍ୟ ।
ଘଟଣା ନମ୍ବର-୪- ନିର୍ବାଚନ ସମୟରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥାଇ ପୋଲିସ ଉପସ୍ଥିତିରେ ହାତରେ ପ୍ଲାଷ୍ଟିକ ପାଇପ ଧରି ଗ୍ରାମବାସୀଙ୍କୁ ନିର୍ଘାତ ମାଡ଼ । ତହସିଲଦାରଙ୍କ ଏପରି ଗୁଣ୍ଡାଗିରି ଆଚରଣରେ ଅତିଷ୍ଠ ଅଞ୍ଚଳବାସୀ । ଅସହ୍ୟ ହେଲାଣି ଦବଙ୍ଗଗିରି । ଉଠିଲାଣି ପ୍ରତିବାଦର ସ୍ୱର । ତୁରନ୍ତ ବଦଳି ଦାବି ତେଜିଲାଣି ।

ବାବୁ ଅରୁଣ ନାୟକଙ୍କ କାରନାମାର ଏମିତି କେତେ କାହାଣୀ । ନିରୀହ ଲୋକଙ୍କୁ ଡରାଇ ଧମକାଇ ପେନାଲଟି ବି ନେଉଥିବା ଅଭିଯୋଗ ହୋଇଛି । ହେଲେ ବଡ଼ ବାବୁଙ୍କ ବିରୋଧରେ କେଉଁଠି ଗୁହାରୀ କରିବେ ଲୋକେ ? ଓଏଏସ ଅଧିକାରୀ ବୋଲି କଣ ସାତ ଖୁନ ମାଫ୍‌ ? ଜିଲ୍ଲାପାଳ କ’ଣ ତହସିଲଦାରଙ୍କ କାଣ୍ଡକାରଖାନା ବିଷୟରେ ଅବଗତ ନାହାଁନ୍ତି ? ପୋଲିସ ଉପସ୍ଥିତିରେ ରୁଲବାଡ଼ି ଧରି ଲୋକଙ୍କୁ ମାଡ ମାରିବା କେତେଦୂର ଯୁକ୍ତିଯୁକ୍ତ ? ତହସିଲଦାରଙ୍କ ସିରିଜ ଦାଦାଗିରିରେ କଣ ବ୍ରେକ ଲାଗିବନି ? ଏନେଇ ତହସିଲଦାରଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ସେ କ୍ୟାମେରା ଆଗରେ କିଛି କହିବା ପାଇଁ ମନା କରିଦେଇଥିଲେ ।

ଏଥିସହିତ ପଢ଼ନ୍ତୁ: ରାଇଡର୍ ଗ୍ୟାଙ୍ଗ: ପ୍ରାତଃ ଭ୍ରମଣକାରୀଙ୍କୁ ଟାର୍ଗେଟ କରୁଥିଲେ,ଏବେ ପୋଲିସ ଟାର୍ଗେଟରେ

ରାଇଡର୍ ଗ୍ୟାଙ୍ଗ: ପ୍ରାତଃ ଭ୍ରମଣକାରୀଙ୍କୁ ଟାର୍ଗେଟ କରୁଥିଲେ,ଏବେ ପୋଲିସ ଟାର୍ଗେଟରେ

ଭୁବନେଶ୍ୱର: ଅଳ୍ପ ବୟସରେ ଭେଟେରାନ୍ କ୍ରିମିନାଲ୍ । ପାହାନ୍ତି ପ୍ରହରରେ ହେଉ ଅବା ଅନ୍ଧାର ରାତିରେ, ହାବୁଡ଼େ ପଡ଼ିଲେ ରାଉଣ୍ଡ ଅପ୍ କରୁଥିଲେ ରାଇଡର ଗ୍ୟାଙ୍ଗ୍ । ହଣାମରା କରି ଲୁଟୁଥିଲେ । ଆଜି ଏହି ରାଇଡର ଗ୍ୟାଙ୍ଗର ରିଙ୍ଗମାଷ୍ଟର ରାଜେଶ ମହାପାତ୍ର ଘରେ ରେଡ୍ କରିଛି ପୋଲିସ୍ । ମାରଣାସ୍ତ୍ର ମଧ୍ୟ ଜବତ କରିଛି ହେଲେ ଗ୍ୟାଙ୍ଗର ସବୁ ସଦସ୍ୟ ଫେରାର୍ ମାରିଛନ୍ତି ।

ଗୁରୁବାର । ଅପରାହ୍ଣ ଗୋଟାଏ । ହଠାତ୍ ୧୦ଟି ପୋଲିସ ଭ୍ୟାନ ଲାଗିଲା ୬ ନମ୍ବର ପିଚୁ ପଡ଼ିଆ ବସ୍ତି ଆଗରେ । ସ୍ଥାନୀୟ ଲୋକ କିଛି ବୁଝିବା ପୂର୍ବରୁ ମାଳ ମାଳ ପୋଲିସ୍ ଧାଇଁଲେ ବସ୍ତି ଭିତରକୁ । ତାଲାବନ୍ଦ ଏକ ଘରେ ପଶିବାକୁ ପୋଲିସ ଉଦ୍ୟମ କଲା । ତାଲା ନଖୋଲିବାରୁ ପଛପଟ ରାସ୍ତା ଦେଇ ରୁମ ଭିତରକୁ ଗଲା ପୋଲିସ । ଘରର କୋଣ ଅନୁକୋଣରେ ଚାଲିଲା ସର୍ଚ୍ଚ ଅପରେସନ୍ । ଆସିଲା ମେଟାଲ ଡିକ୍ଟେଟର । ଲାଗିଲା ଘର ଭିତରେ ବୋମା ଅଛି । ହେଲେ ପରେ ଜଣାପଡ଼ିଲା ଘର ଭିତରେ ମାରଣାସ୍ତ୍ର ସହ ବନ୍ଧୁକ ଅଛି । ଏ ଘର ହେଉଛି ମାତ୍ର ୨୦ବର୍ଷ ବୟସରେ ଭେଟେରାନ୍ କ୍ରିମିନାଲ ସାଜିଥିବା ରାଜେଶ ମହାପାତ୍ର ।

ଚଢ଼ାଉ ବେଳେ ମେଟାଲ ଡିକ୍ଟେଟର ସାହାଯ୍ୟରେ ପୋଲିସ୍ ଖୋଳି ବାହାର କରିଛି ଭୂଜାଲି ଓ ଖେଳନା ବନ୍ଧୁକ । ତା’ ସହ ମିଳିଲା ଖେଳନା ଗୁଳି। ଅନ୍ଧାର ହେଲେ ବନ୍ଧୁକ ଦେଖାଇ ରାଜେଶ ଓ ତା’ ସାଙ୍ଗ ଲୋକଙ୍କୁ ଭୟଭୀତ କରି ଲୁଟୁଥିଲେ । ଯେଉଁ ଲୋକ ବନ୍ଧୁକକୁ ଡରୁ ନଥିଲେ, ରାଜେଶର ସହେଯାଗୀ ଖେଳନା ଗୁଳି ଚଳାଇ ଲୋକଙ୍କୁ ଆତଙ୍କିତ କରୁଥିଲା ।

କେତେବେଳେ ବଡ଼ି ଭୋରୁ ମାଆ ଓ ଛୁଆଙ୍କୁ ହାଣି ଲୁଟ ତ ପୁଣି କେବେ ଡକାୟତି । ବାଇକରେ ଆସୁଥିଲେ, ହାଣୁଥିଲେ ଓ ଲୁଟୁଥିଲେ । ଟାର୍ଗେଟରେ ଥିଲେ ମର୍ଣ୍ଣିଂ ଓ୍ୱାର୍କରେ ବାହାରୁଥିବା ଲୋକ । ବିଳମ୍ବିତ ରାତିରେ ଫେରୁଥିବା ବ୍ୟବସାୟୀଙ୍କୁ ପିଛା କରୁଥିଲେ ରାଇଡର୍ ଗ୍ୟାଙ୍ଗ । ପୋଲିସ୍ ରାଜେଶର ଘରୁ ମାରଣାସ୍ତ୍ର ଜବତ କରିଛି । ହେଲେ ପାତାଳି ହୋଇଛନ୍ତି ରାଉଡର ଗ୍ୟାଙ୍କର ଟିମ୍ ସଦସ୍ୟ ।

ଏଥିସହିତ ପଢ଼ନ୍ତୁ: କର୍ଫ୍ୟୁ ଲଗାଇଛି ଖରା: ସୁବର୍ଣ୍ଣପୁର ସହର ଖାଁ ଖାଁ

 

ଆଲିଆଙ୍କର ହେଲେ ରଣବୀର, ଟ୍ରେଣ୍ଡ୍ କରୁଛି Mr & Mrs Kapoor

ମୁମ୍ବାଇ: ଏପ୍ରିଲ ୧୪ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ । ଏଥିସହିତ ସାତ ଜନ୍ମର ସାଥି ହୋଇଯାଇଛନ୍ତି ଏହି ବଲିଉଡ୍ ଷ୍ଟାର୍ । ଦୁହିଁଙ୍କ ବିବାହରେ ଖୁବ୍ ଖୁସି ହୋଇଛନ୍ତି ଫ୍ୟାନ୍ସ । ଆଉ ଏବେ ଦୁହିଁଙ୍କୁ ବିବାହର ଖୁବ୍ ଶୁଭେଚ୍ଛା ଦେବାରେ ଲାଗିଛନ୍ତି ଫ୍ୟାନ୍ସ । ଖାଲି ଏତିକି ନୁହେଁ ସୋସିଆଲ୍ ମିଡିଆରେ ମଧ୍ୟ ଶୁଭେଚ୍ଛା ବର୍ଷା ହେଉଛି ।

କେହି କେହି ସେମାନଙ୍କର ନକଲି ଫଟୋସପ୍ ଫଟୋ ସେୟାର କରି ସେମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି ଏବଂ ଆଉ କିଛି ଏହି ଦମ୍ପତିଙ୍କ ନୂଆ ଜୀବନ  ପାଇଁ ପ୍ରାର୍ଥନା କରିଛନ୍ତି । ଏଥିସହିତ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରିବାରେ ଲାଗିଛି Mr & Mrs Kapoor ।

ରିପୋର୍ଟ ଅନୁଯାୟୀ, ଆଲିଆ ଓ ରଣବୀରଙ୍କ ବିବାହ ୪ଜଣ  ପଣ୍ଡିତ କରିଛନ୍ତି । ସାତ୍ ଫେରା ସମୟରେ ଗୋଟିଏ ପଟେ ଗାୟତ୍ରୀ ମନ୍ତ୍ର ଓ ଅନ୍ୟ ପଟେ ନାଚ ଗୀତରେ ମାହୋଲ୍ ଜମୁଥିଲା । ଦୁହିଁଙ୍କ ବିବାହରେ କପୁର ଓ ଭଟ୍ଟ ପରିବାର ଖୁବ୍ ଘନିଷ୍ଠ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ। ବିବାହ ପୂର୍ବରୁ ଅର୍ଥାତ୍ ଏପ୍ରିଲ୍ ୧୩ ତାରିଖରେ ମେହେନ୍ଦି ସେରେମୋନି ହୋଇଥିଲା ।

ଆଉ ଏହି ମେହେନ୍ଦୀ ସେରେମୋନିରେ ରଣବୀରଙ୍କ ମା’ ନିତୁ କପୁର, ରିମା ଜୖେନ, ଭଉଣୀ ରିଦ୍ଧିମା ଏବଂ ଆଲିଆଙ୍କ ପିତା ମହେଶ ଭଟ୍ଟ, ଭଉଣୀ ପୂଜା, ଶାହିନ୍ ଏବଂ ଭାଇ ରାହୁଲ ସାମିଲ ଥିଲେ। ଏମାନଙ୍କ ବ୍ୟତୀତ କରୀନା କପୁର ଖାନ, କରିସ୍ମା କପୁର, ଅରମାନ ଜୖେନ, କରଣ ଜୋହର, ଅନୁଷ୍କା ରଂଜନ, ଶ୍ୱେତା ବଚ୍ଚନ, ନିଖିଲ ନନ୍ଦା ଏବଂ ଅୟାନ ମୁଖାର୍ଜୀଙ୍କ ସମେତ କିଛି ସେଲିବ୍ରେଟି ବି ସାମିଲ ଥିଲେ ।

ତିନି ଲକ୍ଷ କୋଟିରୁ ଅଧିକ ଦେଇ ଟ୍ୱିଟର କିଣିବାକୁ ଅଫର ଦେଲେ ଏଲନ୍ ମସ୍କ୍

 ଓ୍ୱାଶିଂଟନ୍‌: ଟେସ୍ଲା ଫାଉଣ୍ଡର ଏଲନ ମସ୍କ ପ୍ରାୟ ୩.୨ ଲକ୍ଷ କୋଟି ଡଲାରରେ ଟ୍ୱିଟରକୁ କିଣିବାକୁ ଅଫର ଦେଇଛନ୍ତି ।  ଏଥିପାଇଁ ମସ୍କ ୫୪.୨୦ ଡଲାର ପ୍ରତି ଶେୟାର ହିସାବରେ କ୍ୟାଶ୍‌ ପେମେଣ୍ଟ ଦେବାକୁ ମଧ୍ୟ ପ୍ରସ୍ତୁତ । ମସ୍କ ଟ୍ୱିଟରର ଶେୟାର କିଣିବାର ପ୍ରାରମ୍ଭିକ ସମୟରେ ଏହି ଦର ୫୪ ପ୍ରତିଶତ ପ୍ରିମିୟମରେ ଥିଲା ।  ମସ୍କ  ୟୁଏସ ସିକ୍ୟୋରିଟିଜ ଆଣ୍ଡ୍‌ ଏକ୍ସଚେଞ୍ଚ୍‌ କମିଶନ ସହିତ ଫାଇଲିଙ୍ଗରେ ଏହି ପ୍ରସ୍ତାବର ସୂଚନା ଦେଇଥିଲେ ।

ଏଲନ ମସ୍କ କହିଛନ୍ତିଯେ, ‘‘ମୁଁ ଟ୍ୱିଟରରେ ନିବେଶ କରିବାର କାରଣ ହେଉଛି, ମୁଁ ଜାଣିଛି ଏବଂ ମୋର ବିଶ୍ୱାସଯେ ଏଥିରେ ସାରା ଦୁନିଆର ମୁକ୍ତ ବକ୍ତବ୍ୟ ପ୍ଲାଟଫର୍ମ ହେବାର କ୍ଷମତା ରହିଛି । ମୁଁ ଭାବେ ଯେ, ମୁକ୍ତ ବକ୍ତବ୍ୟ ଏକ ଗତିଶୀଳ ଗଣତନ୍ତ୍ର ପାଇଁ ସାମାଜିକ ଅନିର୍ବାଜ୍ୟତା । କିନ୍ତୁ ଏବେ ନିବେଶ କରିବା ପରେ ମୁଁ ଅନୁଭବ କଲିଯେ, ବର୍ତ୍ତମାନ କମ୍ପାନୀ ଏହାକୁ ପୂରଣ କରିବ ନାହିଁ ।  ଟ୍ୱିଟରକୁ ଏକ ଘରୋଇ କମ୍ପାନୀରେ ବଦଳାଇବାର ଆବଶ୍ୟକତା ରହିଛି ।’’

ଏହି ଖବର ସାମ୍ନାକୁ ଆସିବା  ପରେ ଟ୍ୱିଟରର ଶେୟାର ପ୍ରି ମାର୍କେଟ୍‌ ଟ୍ରେଣ୍ଡିଂରେ ପ୍ରାୟ ୧୮ ପ୍ରତିଶତ ବୃଦ୍ଧିରେ ବାଣିଜ୍ୟ କରୁଛି । ବୁଧବାର କମ୍ପାନୀର ଶେୟାର ୩.୧୦ ପ୍ରତିଶତରୁ ବଢ଼ି ୪୫.୮୫ ଡଲାରରେ ବନ୍ଦ ହୋଇଥିଲା ।  ଗୁରୁବାର ଏଲନ ମସ୍କଙ୍କ ନିକଟରେ ଟ୍ୱିଟରର ୯.୨ ପ୍ରତିଶତ ଭାଗିଦାରୀ ରହିଛି । ତେବେ ଏହି କଥା ସାମ୍ନାକୁ ଆସିବା ପରେ ମସ୍କଙ୍କ ବୋର୍ଡ଼ରେ ସାମିଲ ହେବାକୁ ନେଇ ଚର୍ଚ୍ଚା ହେଉଥିଲା ।

ଝଗଡା କରି ଚମ୍ପଟ୍ ମାରୁଥିଲେ, ୬ ଜଣଙ୍କ ଉପରେ ଚଢାଇ ଦେଲେ କାର୍

ଲକ୍ଷ୍ନୗେ: ଲକ୍ଷ୍ନୗେରେ ହିଟ୍ ଏବଂ ରନର ଏକ ବଡ ମାମଲା ସାମ୍ନାକୁ ଆସିଛି। ଗୋସାଇଗଞ୍ଜରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ୬ ଜଣଙ୍କ ଉପରେ ଚଢିଯାଇଛି । ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ହୋଇପଡିଛି । ବୁଧବାର ବିଳମ୍ବିତ ରାତିରେ ଏକ ମ୍ୟାରେଜ୍ ହଲ୍ ସମ୍ମୁଖରେ ଏହି ଘଟଣା ଘଟିଛି। ଦୁର୍ଘଟଣାର ପୂରା ଘଟଣା ସିସିଟିଭିରେ କଏଦ ହୋଇଛି।

ପୋଲିସର ସୂଚନାନୁସାରେ, ବିବାହ ହଲରେ ଦୁଇ ଜଣଙ୍କ ମଧ୍ୟରେ ଝଗଡା ହୋଇଥିଲା। ଯେଉଁଥିରେ ଉତକ୍ଷିପ୍ତ ହୋଇ ସେ ଗାଡି ଚଢାଇ ଦେଇଥିଲା । ତେବେ ଏହି ଘଟଣାରେ ପରିବାର ସଦସ୍ୟଙ୍କ ଅଭିଯୋଗ କ୍ରମେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ତେବେ ଅଭିଯୁକ୍ତ ଜଣକ ଏଯାବତ୍ ଧରାପଡିନାହିଁ ।

ମୃତକଙ୍କ ଭାଇ ତଥା ଗୋସାଇଗଞ୍ଜ ଥାନା ଅଞ୍ଚଳର କବୀରପୁର ନିବାସୀ ହୗେସଲା ସିଂ ଏସମ୍ପର୍କରେ ପୋଲିସକୁ ସୂଚନା ଦେଇଛନ୍ତି। ତାଙ୍କ ଅଭିଯୋଗ ଉପରେ ପୋଲିସ ଅଭିଯୁକ୍ତ ଆଶିଷ ଯାଦବଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି। ତେବେ ବୁଧବାର ଦିନ ମହେନ୍ଦ୍ର ସିଂ ଯାଦବଙ୍କ ତିଲକ ସମାରୋହ ଥିଲା। ଯେଉଁଥିରେ ଆଶିଷ ଯାଦବଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସେଠାରେ କିଛି ଲୋକଙ୍କ ମଧ୍ୟରେ ଝଗଡା ହୋଇଥିଲା।

ଯାହାର ୧୦ ମିନିଟ୍ ପରେ ଅଭିଯୁକ୍ତ ଆଶିଷ ଯାଦବ ୱାଗନର୍ କାର (UP32 LD3238)କୁ ନେଇ ଫେରିଥିଲା । ଅଭିଯୁକ୍ତ ଜଣକ ଦ୍ରୁତ ଗତିରେ ଗାଡି ଚଳାଇବା ସହ ବିବାହ ହଲ୍ ବାହାରେ ଠିଆ ହୋଇଥିବା ଲୋକଙ୍କ ଉପରେ କାର୍ ଚଢାଇ ଦେଇଥିଲେ। ଯେଉଁ ଘଟଣାରେ ସୁରଜ ଯାଦବଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ଆହତ ହୋଇଥିବା ଅନ୍ୟ ବ୍ୟକ୍ତିଙ୍କୁ ସ୍ଥାନୀୟ ସରସ୍ୱତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଲକ୍ଷ୍ନୗେର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ତେବେ ଏନେଇ ଗୋସାଇଗଞ୍ଜ ଇନସପେକ୍ଟର ଶୖେଳେନ୍ଦ୍ର ଗିରି କହିଚନ୍ତି ଯେ, କୁଲ୍‌ଲୀ ଖେଡା ଗାଁର ବାସିନ୍ଦା ଆଶିଷ ଯାଦବଙ୍କ ବିରୋଧରେ ମାମଲା ରୁକୁ କରାଯାଇଛି ।