ସକ୍ରିୟ ହେଉଛି ମୌସୁମୀ, ୨ ଦିନ ଭିତରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ଛୁଇଁବା ଆକଳନ

ଭୁବନେଶ୍ୱର: ଓଡ଼ିଶାରେ ସକ୍ରିୟ ହେଉଛି ମୌସୁମୀ । ପ୍ରଥମେ ଦକ୍ଷିଣ ଓଡ଼ିଶା ଛୁଇଁବା ପରେ ଏବେ ଉପକୂଳମୁହାଁ ହୋଇଛି ମୌସୁମୀ । ଆସନ୍ତା ୨ ଦିନ ମଧ୍ୟରେ ଉପକୂଳ ସମେତ ଆଭ୍ୟନ୍ତରଣୀ ଓଡ଼ିଶାକୁ ମୌସୁମୀ ଛୁଇଁବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ । ଯାଜପୁର, କେନ୍ଦୁଝର, ଢେଙ୍କାନାଳ, କଟକ ଏବଂ ନୟାଗଡ଼କୁ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତାକାଲି ୧୭ ଜିଲ୍ଲା, ୨୦ ତାରିଖରେ ୨୨ ଜିଲ୍ଲା, ୨୧ ତାରିଖରେ ୧୮ ଏବଂ ୨୨ ତାରିଖରେ ୧୯ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ଅନ୍ୟପଟେ ଆସନ୍ତା ୨୪ ତାରିଖ ବେଳକୁ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ସମେତ ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗରେ ବର୍ଷାର ପରିମାଣ ବଢ଼ିବ।