ବିଡିଓଙ୍କ ସମ୍ପତ୍ତି ଦେଖି ଜଳକା ଭିଜିଲାନ୍ସ, ଅଶ୍ୱିନୀ ଦାସଙ୍କ ନାଁରେ ରହିଛି ୨୪ଟି ପ୍ଲଟ୍

ଜଳେଶ୍ୱର: ଜଳେଶ୍ୱର ବିଡିଓଙ୍କ ସମ୍ପତ୍ତି ଦେଖି ଜଳକା ଭିଜିଲାନ୍ସ । ବିଡିଓ ଅଶ୍ୱିନୀ ଦାସଙ୍କ ନାଁରେ ରହିଛି ୨୪ଟି ପ୍ଲଟ୍ । ଗୋଟିଏ ତିନି ମହଲା କୋଠାର ଦାମ ୧ କୋଟି ୨୨ ଲକ୍ଷ ଟଙ୍କା ଥିବା ବେଳେ, ଗୋଟିଏ ଦୁଇ ମହଲା କୋଠାର ଦାମ ରହିଛି ୧ କୋଟି ୧୦ ଲକ୍ଷ ଟଙ୍କା । ଗୋଟିଏ ବ୍ରିକ୍ସ‌୍ ଫ୍ୟାକ୍ଟ୍ରି ରହିଛି ଅଶ୍ୱିନୀଙ୍କ ନାଁରେ । ସେହିପରି ୪ଟି ଦାମୀ ଚାରିଚକିଆ, ୩ଟି ଦୁଇ ଚକିଆ ଯାନ ଠାବ କରିଛି ଭିଜିଲାନ୍ସ ।

ଏହା ସହ ୧.୭୦ ଲକ୍ଷ ନଗଦ ଟଙ୍କା ସହ ୩୩୦ ଗ୍ରାମ୍ ସୁନା, ୧ କେଜି ୧୦୦ ଗ୍ରାମ ରୁପା କଏନ ଠାବ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ୬ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ୫ ଡିଏସପିଙ୍କ ନେତୃତ୍ୱରେ ୯ ଇନସ୍ପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ଏହି ରେଡରେ ସାମିଲ ହୋଇଥିଲେ । ପୂର୍ବରୁ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ାରେ ବିଡ଼ିଓ ଭାବେ କାର୍ଯ୍ୟ କରୁଥିଲେ ଅଶ୍ୱିନୀ ।