spot_img
Home Blog Page 4363

୧୦ରେ ରାଜ୍ୟସଭା ନିର୍ବାଚନ; ରାଜ୍ୟରେ ପ୍ରାର୍ଥୀ ଦେଇନପାରନ୍ତି ବିରୋଧୀ

ଭୁବନେଶ୍ୱର: ଆସନ୍ତା ୧୦ତାରିଖରେ ରାଜ୍ୟସଭା ନିର୍ବାଚନ । ଦେଶର ୧୫ଟି ରାଜ୍ୟର ୫୭ଟି ଆସନରେ ହେବ ନିର୍ବାଚନ । ଏଥିପାଇଁ ଆଜି ବାଜିବ ବିଧିବଦ୍ଧ ବିଗୁଲ । ପ୍ରକାଶ ପାଇବ ବିଜ୍ଞପ୍ତି । ଏହା ସହିତ ଆରମ୍ଭ ହେବ ନାମାଙ୍କନ ଦାଖଲ । ଆଜିଠୁ ୩୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ । ଜୁନ୍ ପହିଲାରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ଜୁନ୍ ୩ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଜୁନ ୧୦ରେ ସକାଳ ୯ଟାରୁ ୪ଟା ପର୍ଯ୍ୟନ୍ତ ହେବ ଭୋଟିଂ । ଜୁନ ୧୩ ତାରିଖ ସୁଦ୍ଧା ସରିବ ନିର୍ବାଚନ ପ୍ରକ୍ରିୟା ।

ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଓ ଗୋଟିଏ ଆସନ ଲାଗି ଉପନିର୍ବାଚନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ଉପନିର୍ବାଚନ ପାଇଁ ମେ ୨୬ ତାରିଖରୁ ପ୍ରାର୍ଥିପତ୍ର ଦାଖଲ ହୋଇ ଜୁନ ୨ ପର୍ଯ୍ୟନ୍ତ ଚାଲିବ । ଜୁନ ୧୩ରେ ହେବ ଉପନିର୍ବାଚନ । ପ୍ରସନ୍ନ ଆଚାର୍ଯ୍ୟ, ଏନ୍‌. ଭାସ୍କର ରାଓ ଏବଂ ସସ୍ମିତ ପାତ୍ରଙ୍କର ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଛି । ୩ଟି ଆସନରେ ନିର୍ବାଚନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ସୁବାସ ସିଂ ରାଜ୍ୟସଭାରୁ ଇସ୍ତଫା ଦେଇଥିବାରୁ ଗୋଟିଏ ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ସଂଖ୍ୟା ଦୃଷ୍ଟିରୁ ଓଡ଼ିଶାର ୪ଟି ଯାକ ଆସନ ବିଜେଡି ଖାତାକୁ ଯିବା ନିଶ୍ଚିତ । ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଦେବେ ନାହିଁ ବୋଲି ପୂର୍ବରୁ ଇସାରା ଦେଇ ସାରିଛନ୍ତି । ତେବେ ୪ଟି ଆସନରେ କିଏ ବିଜେଡି ପ୍ରାର୍ଥୀ ହେବେ, ଠିକ୍‌ ସମୟରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ ବୋଲି ବିଜେଡି କହିଛି ।

ଏଥିସହିତ ପଢ଼ନ୍ତୁ: ଶଙ୍କରାଚାର୍ଯ୍ୟଙ୍କ ବଡ଼ ବୟାନ: ବିଶେଷଜ୍ଞଙ୍କ ଦ୍ୱାରା ଚାଲିଛି ପରିକ୍ରମା ପ୍ରକଳ୍ପ

ଅଯଥା ଖର୍ଚ୍ଚ କରୁଥିଲେ ସାବଧାନ, ନଚେତ୍…

ମେଷ ରାଶି : ମନୋକାଂକ୍ଷା ପୂର୍ଣ୍ଣ ହେବ । କୌଣସି ସ୍ଥାନକୁ ଯାତ୍ରା କରୁଥିଲେ ଯାତ୍ରା ଲାଭଦାୟକ ହେବ । କୌଣସି ଉଚ୍ଚ ଅଧିକାରୀଙ୍କ ସହ ବାଦ ବିବାଦରେ ଦେଖାଦେଇପାରେ । ପରେ ଏହାକୁ ନେଇ ଆଇନଗତ ସମସ୍ୟା ଉପୁଜିପାରେ । ନୂଆ ଯୋଜନା କରୁଥିଲେ ଲାଭ ମିଳିବ । ହଠାତ୍ ଅତିଥିଙ୍କ ଆଗମନ ହୋଇପାରେ ।

ବୃଷ ରାଶି : ସମ୍ପତ୍ତି ସମ୍ୱନ୍ଧୀୟ ବିବାଦ ଦେଖାଦେଇପାରେ । କାର୍ଯ୍ୟକ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ । ଘର ନିକଟସ୍ଥ କୌଣସି ସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ରହିଛି ।

ମିଥୁନ ରାଶି : ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିପାରନ୍ତି । ଋଣ କରିଥିବା ଟଙ୍କା ସୁଝିବେ । ଭୌତିକ ସୁଖ ପାଇଁ ବ୍ୟୟ କରିପାରନ୍ତି । ଅଯଥା ଖର୍ଚ୍ଚରୁ ବଞ୍ଚନ୍ତୁ । ଟଙ୍କା ସଞ୍ଚୟ କରିପାରନ୍ତି ।

କର୍କଟ ରାଶି : ଆଜି ଆପଣଙ୍କ ପାଇଁ ଭୌତିକ ସମୃଦ୍ଧିର ସମ୍ଭାବନା ରହିଛି । ପରିବାରବର୍ଗ ଏବଂ ସହକର୍ମୀଙ୍କ ସହ ସମ୍ପର୍କ ନିବିଡ଼ ହେବ । ସନ୍ଧ୍ୟା କିମ୍ୱା ରାତି ସମୟରେ ଆଧ୍ୟାତ୍ମିକ ଓ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ଠିକ୍ ସ୍ଥାନରେ ବ୍ୟୟ କରିବେ । ଯଶ ଓ କୀର୍ତ୍ତି ବଢ଼ିବ । ଭାଗ୍ୟ ସହାୟ ହେବ ।

ସିଂହ ରାଶି : ପୁରୁଣା ବନ୍ଧୁଙ୍କ ସହଯୋଗରେ କାର୍ଯ୍ୟକ୍ଷେତ୍ରରେ ଅନୁକୂଳ ବାତାବରଣ ରହିବ । ଧୈର୍ଯ୍ୟର ସହ ନେଇଥିବା ନିଷ୍ପତ୍ତି ଫଳପ୍ରଦ ରହିବ । ଆତ୍ମବିଶ୍ୱାସରେ ବୃଦ୍ଧି ହେବ । ସନ୍ଧ୍ୟା କିମ୍ୱା ରାତି ସମୟରେ ରାଜନୈତିକ ସମାରୋହରେ ସମୟ ଅତିବାହିତ କରିବେ ।

କନ୍ୟା ରାଶି : ଆଜିର ଦିନଟି ଶତ୍ରୁଙ୍କ ପାଇଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିବ । ଖର୍ଚ୍ଚ କମ୍ ହେବାରୁ ଅର୍ଥ ବ୍ୟବସ୍ଥା ସୁଦୃଢ଼ ହେବ । ଯାନବାହନର ସୁଖ ପ୍ରାପ୍ତି ହେବ । ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଶେଷ ହେବାରୁ ଶତ୍ରୁ ଈର୍ଷା କରିପାରନ୍ତି ।

ତୁଳା ରାଶି : ଧନ ପ୍ରାପ୍ତି ହୋଇପାରେ । ଚାକିରି କରିଥିବା ବ୍ୟକ୍ତିଙ୍କର ପଦୋନ୍ନତି ହେବ । ପରୀକ୍ଷା ଏବଂ ରାଜନୈତିକ ପ୍ରତିଯୋଗିତାରେ ବିଜୟ ହାସଲ କରିବେ । ସନ୍ଧ୍ୟା କିମ୍ୱା ରାତ୍ରି ସମୟରେ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି ।

ବିଛା ରାଶି : ଆଜିର ଦିନଟି ଅପଣଙ୍କ ପାଇଁ ଶୁଭ । କୌଣସି ଉଚ୍ଚପଦସ୍ଥ ଅଧିକାରୀ କିମ୍ବା ନେତାଙ୍କ ସହ ଦେଖାସାକ୍ଷାତ ହୋଇପାରେ । ଉତ୍ତମ ବ୍ୟଞ୍ଜନ ମିଳିବ । ଭୋଜନରେ ଵିଶେଷ ଧ୍ୟାନ ଦିଅନ୍ତୁ, ନଚେତ୍ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡ଼ିପାରେ । ସନ୍ଧ୍ୟା ସମୟରେ କୌଣସି ନିକଟସ୍ଥ କିମ୍ବା ଦୂର ଯାତ୍ରା କରିପାରନ୍ତି । ଭାଗ୍ୟ ସହାୟ ହେବ ।

ଧନୁ ରାଶି : ପୂଜାପାଠ ଏବଂ ସତସଙ୍ଗରେ ରୁଚି ବଢ଼ିବ । ନୂଆ ବ୍ୟବସାୟ ପାଇଁ ଯୋଜନା କରିପାରନ୍ତି । ଧନ ଲାଭ ହେବ । ଭାଇ ଭଉଣୀଙ୍କ ସୁଖ ପ୍ରାପ୍ତି ହେବ । ଆତ୍ମବିଶ୍ବାସରେ ବୃଦ୍ଧି ହେବ ।

ମକର ରାଶି : ସାବଧାନର ସହ କାର୍ଯ୍ୟ କରନ୍ତୁ । ଚତୁରତାର ସହ ଶତ୍ରୁଙ୍କୁ ପରାସ୍ତ କରିବେ । ଦେଣନେଣରେ ସାବଧାନ ରୁହନ୍ତୁ । ଧନାହାନି ହେବାର ଆଶଙ୍କା ରହିଛି ।

କୁମ୍ଭ ରାଶି : ଅଟକିରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ଶତ୍ରୁପକ୍ଷ ଲଜ୍ଜିତ ହେବେ । ସନ୍ଧ୍ୟା ସମୟରେ କୌଣସି ଧାର୍ମିକସ୍ଥଳକୁ ଯିବାର ସୁଯୋଗ ମିଳିଲେ ହାତ ଛଡ଼ା କରନ୍ତୁ ନାହିଁ ।

ମୀନ ରାଶି : ଶୁଭ ଖବର ମିଳିପାରେ । ଧାର୍ମିକ କାର୍ଯ୍ୟରେ ଅଧିକ ରୁଚି ରଖିବେ । ବ୍ୟବସାୟ ଦୃଷ୍ଟିରୁ ଆଜିର ଦିନଟି ଅନୁକୂଳ ।

ବିବାହର ୯ ଦିନ ପରେ ଜୀବନ ହାରିଲେ ଯୁବକ

ମାଲକାନଗିରି: ବିବାହର 9 ଦିନ ପରେ ଜୀବନ ହାରିଲେ ଯୁବକ । ସ୍ତ୍ରୀକୁ ତାଙ୍କ ପରିବାର ଲୋକେ ନ ଛାଡିବାରୁ କୀଟନାଷକ ପିଇ ଆତ୍ମହତ୍ୟା କଲେ ଯୁବକ । ଏମିତି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଏମଭି 9 ଗ୍ରାମରେ । ଗାଁର ସଞ୍ଜିତ ହାଲଦାର 14 ତାରିଖ ଦିନ ବୋଇଲାପାରି ଗ୍ରାମର ଗାୟତ୍ରୀ ପଡିଆମୀଙ୍କୁ ଭଲପାଇ ବିବାହ କରିଥିଲେ । 16 ତାରିଖ ଦିନ ଗାୟତ୍ରୀଙ୍କୁ ତାଙ୍କ ପରିବାର ଲୋକେ ଘରକୁ ନେଇଯାଇଥିଲେ । ସଞ୍ଜିତ ସ୍ତ୍ରୀକୁ ଆଣିବାକୁ ଯାଇଥିଲେ ସୁଦ୍ଧା ଗାୟତ୍ରୀଙ୍କୁ ଛାଡି ନଥିଲେ ତାଙ୍କ ପରିବାର ଲୋକେ । ଘଟଣାକୁ ନେଇ 20 ତାରିଖ ଦିନ ଗ୍ରାମରେ ଏକ ବୈଠକ ମଧ୍ୟ ବସିଥିଲା ।

କିନ୍ତୁ ବୈଠକରେ କୌଣସି ସୁଫଳ ମିଳିନଥିଲା । ଘଟଣା ପରେ ମାନସିକ ଭାରସାମ୍ୟ ହରାଇ ସଞ୍ଜୀବ ନିଜ ଚାଷ ଜମିରେ କୀଟନାଶକ ପିଇ ଦେଇଥିଲେ । ତାଙ୍କୁ ପ୍ରଥମେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା, ହେଲେ ଆଜି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅଭିଯୋଗ ପରେ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ପୋଲିସ୍ ।

ଶଙ୍କରାଚାର୍ଯ୍ୟଙ୍କ ବଡ଼ ବୟାନ: ବିଶେଷଜ୍ଞଙ୍କ ଦ୍ୱାରା ଚାଲିଛି ପରିକ୍ରମା ପ୍ରକଳ୍ପ

ପୁରୀ: ବିକାଶରେ ଲଗାଅନି ବ୍ରେକ୍। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ବଡ଼ ବୟାନ । ବିଶେଷଜ୍ଞଙ୍କ ଦ୍ବାରା ଚାଲିଛି ପରିକ୍ରମା ପ୍ରକଳ୍ପ କାମ। ତେଣୁ ବିକାଶ କାମ ଜାରି ରହିବା ଆବଶ୍ୟକ। ବିକାଶ କାର୍ଯ୍ୟରେ କେହି ବାଧା ସୃଷ୍ଟି କରିବା ଉଚିତ୍ ନୁହେଁ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ପରିକ୍ରମା ପ୍ରକଳ୍ପ ନେଇ ଆଲୋଚନା କରିଛନ୍ତି।

ପ୍ରକଳ୍ପ ସମ୍ପର୍କରେ ଗଜପତି ଓ ପରିଚାଳନା କମିଟି ସଦସ୍ୟ ତାଙ୍କୁ ବିସ୍ତୃତ ଭାବେ ବୁଝାଇଛନ୍ତି। ଏହାପରେ ବିକାଶ କାମରେ ବାଧା ନଦେବାକୁ କହିଛନ୍ତି ଜଗତଗୁରୁ। ଏଏସଆଇର କୌଣସି ଅଧିକାରୀ ତାଙ୍କ ସହ ପ୍ରକଳ୍ପ ନେଇ ଆଲୋଚନା କରିନଥିବା ଶଙ୍କରାଚାର୍ଯ୍ୟ କହିଛନ୍ତି।

ବିଧାନସଭାରେ ବିଭିନ୍ନ କମିଟିର ସମୀକ୍ଷା ବୈଠକ

 ଭୁବନେଶ୍ୱର: ବରିଷ୍ଠ ବିଧାୟକ ପ୍ରତାପ କେଶରୀ ଦେବଙ୍କ ଅଧ୍ୟକ୍ଷତାରେ ବିଧାନସଭା ଆକଳନ କମିଟିର ତୃତୀୟ ବୈଠକ ସୋମବାର ପୂର୍ବାହ୍ନରେ ବିଧାନସଭାର ୫୪ ନଂ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ବିଗତ ଦୁଇବର୍ଷ ମଧ୍ୟରେ ପୂର୍ତ୍ତ ଓ ଜଳସଂପଦ ବିଭାଗ ଦ୍ୱାରା ନିର୍ମିତ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହିତ ଆଗାମୀ ଦିନରେ ନିର୍ମାଣ ହେବାକୁ ଥିବା ପ୍ରକଳ୍ପଗୁଡ଼ିକର ଅନୁଧ୍ୟାନ କରାଯାଇଛି ବୋଲି ଅଧ୍ୟକ୍ଷ ପ୍ରତାପ ଦେବ ପ୍ରକାଶ କରିଛନ୍ତି । ପର୍ଯ୍ୟାପ୍ତ ପରିମାଣରେ ଜଳସଂରକ୍ଷଣ କରାଯାଇପାରୁ ନଥିବାରୁ ଅନେକ ଜଳର ଉପଯୁକ୍ତ ବ୍ୟବହାର ହୋଇପାରୁନାହିଁ । ତେଣୁ ଆଧୁନିକ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଜଳସଂରକ୍ଷଣ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

ଜଳସଂରକ୍ଷଣ ଓ ସେତୁ ନିର୍ମାଣ ସଂପର୍କିତ ବିଭିନ୍ନ ନିୟମରେ ସମୟାନୁଯାୟୀ ପରିବର୍ତ୍ତନ ଆସିବା ଦରକାର ବୋଲି ସେ କହିଛନ୍ତି । ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାଣାଧୀନ ବିଭିନ୍ନ ରାସ୍ତା, ସେତୁ, ବିଜୁ ଏକ୍ସପ୍ରେସ୍‌ ୱେ ଏବଂ ରାଜ୍ୟ ରାଜପଥ ସଂପ୍ରସାରଣ, ବିଭିନ୍ନ ବୃହତ୍‌ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ, ମେଗା ଲିଫଫ ପଏଣ୍ଟ ଉପରେ ବିସ୍ତିର୍ଣ୍ଣ ଆଲୋଚନା ହୋଇଥିଲା । ଗ୍ରୀଷ୍ମ ଦିନରେ ଚାଷ କାର୍ଯ୍ୟ କରିବା ପାଇଁ ଜଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୧୦୦ଟି ସେତୁ ସହ ବ୍ୟାରେଜ ନିର୍ମାଣର ପ୍ରସ୍ତାବ ଆଗତ ହୋଇଛି । ଏହାର କାର୍ଯ୍ୟ କେତେଦୂର ଅଗ୍ରସର ହେଲାଣି, ସେ ବିଷୟରେ ଅଧ୍ୟକ୍ଷ ଦେବ ତଥ୍ୟ ସଂଗ୍ରହ କରିଥିଲେ । ଅନେକ ସ୍ଥାନରେ ସୌରଜଳ ପ୍ରକଳ୍ପଗୁଡ଼ିକ ଏକ/ଦୁଇ ବର୍ଷ ମଧ୍ୟରେ ଅକାମୀ ହୋଇଯାଉଥିବାର ନଜିର ସାମ୍‌ନାକୁ ଆସୁଛି ।

ତେଣୁ ଏହି ପ୍ରକଳ୍ପଗୁଡ଼ିକୁ ଅଧିକ ପ୍ରୋତ୍ସାହିତ ନକରିବାକୁ ସଦସ୍ୟମାନେ ମତ ଦେଇଛନ୍ତି । ରାଜ୍ୟର ଆକାମୀ ମେଗା ଲିଫଫ ପଏଣ୍ଟଗୁଡ଼ିକୁ ତୁରନ୍ତ ମରାମତି କରିବା ପାଇଁ କମିଟି ନିର୍ଦ୍ଦେଶ ଦେଇଛି । ସେହିପରି ଅପରାହ୍ନରେ ବରିଷ୍ଠ ବିଧାୟକ ଭୂପିନ୍ଦର ସିଂହଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଶିକ୍ଷାର ସାମଗ୍ରିକ ବିକାଶ ଉପରେ ରାଜ୍ୟ ସରକାର ସବୁବେଳେ ପ୍ରାଧାନ୍ୟ ଦେଇ ଆସିଛନ୍ତି । ଶିକ୍ଷା ବ୍ୟବସ୍ଥାକୁ ଅଧିକ କି୍ରୟାଶୀଳ କରିବା ପାଇଁ ୭୦୦୦ ଶିକ୍ଷକଙ୍କ ଆବଶ୍ୟକ ଥିଲା । ଆସନ୍ତା ଜୁନ ମାସ ମଧ୍ୟରେ ସେମାନଙ୍କୁ ନିଯୁକ୍ତି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଅଧ୍ୟକ୍ଷ ଶ୍ରୀ ସିଂହ ପ୍ରକାଶ କରିଛନ୍ତି । ଏହା ସହିତ ୨୪ଟି ମାଧ୍ୟମିକ ବିଦ୍ୟାଳୟକୁ ସ୍ୱୀକୃତି ପ୍ରଦାନ କରିଥିବାବେଳେ ୬୩୯ ଜଣ ବେସରକାରୀ ମହାବିଦ୍ୟାଳୟର ଅଧ୍ୟାପକଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି । ଜୁନ ମାସରେ ୨୬୮ ଜଣ ରାଜନୀତି ବିଜ୍ଞାନ ଓ ଇଂରାଜୀ ଅଧ୍ୟାପକଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ କମିଟି ସଂପୃକ୍ତ ବିଭାଗ ଏବଂ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି ।

 

ତାଇୱାନ ଉପରେ ଆକ୍ରମଣ ହେଲେ ମୁହଁତୋଡ଼ ଜବାବ : ବାଇଡେନ୍

ନୂଆଦିଲ୍ଲୀ: ତାଇଓ୍ୱାନ ପ୍ରସଙ୍ଗରେ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଆମେରିକା ଓ ଚୀନ । ତାଇଓ୍ୱାନକୁ ଅଧିକାର କରିବାକୁ ଚୀନ ଉଦ୍ୟମ କଲେ ଆମେରିକା ତାହାର ପ୍ରତିରୋଧ କରିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚେତାଇ ଦେଇଛନ୍ତି । ଯାହାର ତୀବ୍ର ବିରୋଧ କରିଛି ଚୀନ । ଚୀନକୁ ହେୟଜ୍ଞାନ କରିବାର ଭୁଲ  କରାଯିବା ଉଚିତ ନୁହେଁ ବୋଲି ଚୀନ କହିଛି ।

ବାଇଡେନର ବୟାନର ଜବାବ ଦେଇ ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରୀ ୟାଙ୍ଗ ଇ କହିଛନ୍ତି ଯେ, ଚୀନ ନିଜର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ନେଇ କୌଣସି ସାଲିସ କରିବ ନାହିଁ । ଚୀନ ଲୋକଙ୍କ ପ୍ରତିବଦ୍ଧତାକୁ ନେଇ କୌଣସି ଦେଶ ହେୟଜ୍ଞାନ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।

ଏହା ପୂର୍ବରୁ ବାଇଡେନ କହିଥିଲେ ଯେ ଚୀନ ଯଦି ତାଇଓ୍ୱାନକୁ ଅଧିକାର କରିବାକୁ ଉଦ୍ୟମ କରେ ତେବେ ଆମେରିକାର ସେନା ତାଇଓ୍ୱାନ ସେନାକୁ ସହାୟତା କରିବ ।

ସୂଚନାଯୋଗ୍ୟ ଯେ, ଜଣେ ଚୀନ ମିଲିଟାରୀ ଅଫିସରଙ୍କ ଏକ ଲିକ୍ ଅଡିଓ ଲିକ୍‌ ହୋଇଛି । ଅଡିଓରେ ଚୀନର ଟପ୍ ମିଲିଟାରୀ ଅଫିସରଙ୍କୁ ତାଇବାନ ବିପକ୍ଷ ଯୁଦ୍ଧ ନେଇ ରଣନୀତି ସମ୍ପର୍କରେ କହୁଥିବା ଶୁଣିବାକୁ ମିଳିଛି ।

ରିପୋର୍ଟ ଅନୁଯାୟୀ ଅଡିଓ କ୍ଳିପଟି ୫୭ ମିନଟର  । ଏଥିରେ ଚୀନର ଟପ୍ ଓ୍ୱାର ଜେନେରାଲ ତାଇୱାନରେ କିଭଳି ଯୁଦ୍ଧ ଆରମ୍ଭ କରାଯିବ ଏବଂ ଆଗକୁ ବଢ଼ାଯିବ ସେ ନେଇ ଆଲୋଚନା ହୋଇଛି । ଅଡିଓରୁ ଜଣାପଡ଼ୁଛି ଯେ, ଚୀନର ପିପଲ୍ସ ଲିବରେସନ୍ ଆର୍ମି ସ୍ଥଳପଥର ଆକ୍ରମଣ ନେଇ ଯୋଜନା କରୁଛି । ସାଇବର ଆକ୍ରମଣ ଏବଂ ଅନ୍ତରୀକ୍ଷରେ ଥିବା ହତିଆରର ବ୍ୟବହାର ନେଇ ମଧ୍ୟ ରଣନୀତିର ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ସାରା ବିଶ୍ୱର ବିଭିନ୍ନ ସଂସ୍ଥାରେ ଚୀନ ନିଜ ନାଗରିକଙ୍କୁ ଭର୍ତ୍ତି କରିଥିବା ବେଳେ ସେମାନଙ୍କୁ ସକ୍ରିୟ କରିବା ନେଇ ମଧ୍ୟ ଯୋଜନା ହେଉଛି ।

ସାମାଜିକ କର୍ମୀ ଜେନିଫର ଝୋଗଂ ଟ୍ୱିଟ୍‌ କରି ଦାବି କରିଛନ୍ତି ଯେ, ପ୍ରଥମଥର ପାଇଁ ଚୀନରେ ଜେନେରାଲସ୍ତରରେ ଟପ୍ ସିକ୍ରେଟ ମିଟିଂକୁ ରେକର୍ଡିଂ କରି ଲିକ୍ କରାଯାଇଛି । ଏଥିଲାଗି ଜଣେ ଲେଫ୍ଟନାଣ୍ଟ ଜେନେରାଲ ଏବଂ ତିନ ମେଜର ଜେନରାଲଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି । ବହୁ ଅନ୍ୟ ଅଧିକାରୀଙ୍କୁ ଜେଲ୍ ପଠାଇ ଦିଆଯାଇଛି । ତେବେ ଏଭଳି ଅଡିଓ ଲିକ୍‌ କରିବା, ଚୀନରେ କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟି ସିପିସିରେ ବିଦ୍ରୋହର ସବୁଠାରୁ ବଡ଼ ପ୍ରମାଣ ବୋଲି କୁହାଯାଉଛି ।

ଦାବି କରାଯାଉଛି ଯେ, ଏହି ବୈଠକ ୧୪ ମଇରେ ହୋଇଥିଲା । ଏହାର ଅଡିଓ ପ୍ରଥମ ଥର ପାଇଁ ଲ୍ୟୁଡ୍ ମିଡିଆ ଲିକ୍ କରିଥିଲା । ଲ୍ୟୁଡ୍ ମିଡିଆର କହିବା ହେଲା ଯେ,ଏହି ଅଡିଓ ସିପିସିର ଏକ ବଡ଼ ଅଧିକାରୀ ଲିକ୍ କରିଛନ୍ତି । ଯିଏ ତାଇୱାନକୁ ନେଇ ଜିନ୍ ପିଙ୍ଗ୍‌ଙ୍କ ଉଦ୍ଦେଶ୍ୟକୁ ଉଜାଗର କରିବାକୁ ଚାହୁଁଛନ୍ତି । ଅଡିଓରେ ହୋଇଥିବା କଥାବାର୍ତ୍ତାରୁ ଅନୁମାନ କରାଯାଉଛି ଯେ, ଏହି ବୈଠକରେ ରାଜନୈତିକ ନେତୃତ୍ୱ ବ୍ୟତୀତ, ପାର୍ଟି ସେକ୍ରେଟାରୀ, ଡେପୁଟୀ ସେକ୍ରେଟାରୀ, ଗଭର୍ଣ୍ଣର ଏବଂ ଭାଇସ୍ ଗଭର୍ଣ୍ଣର ମଧ୍ୟ ଉପସ୍ଥିତ ଥିଲେ ।

ଏହି ଅଡିଓ ଏଭଳି ସମୟରେ ଆସିଛି ଯେତେବେଳେ ତାଇୱାନରେ ଚୀନ ସେନାର ଅନୁପ୍ରବେଶକାରୀଙ୍କ ସଂଖ୍ୟା ଖୁବ ବଢ଼ିଯାଇଛି । ଏକ ରିପୋର୍ଟ ଅନୁସାରେ ମଇ ମାସରେ  ତାଇଓ୍ୱାନ ଏୟାରସ୍ପେଶରେ ଚୀନ ୬୮ ମିଲିଟାରୀ ଏୟାରକ୍ରାଫ୍ଟ ପଠାଇସାରିଛି । ଏମାନଙ୍କ ମଧ୍ୟରେ ୩୦ ଫାଇଟର ଜେଟ୍, ୧୯ ପ୍ଳେନ୍, ୯ହେଲିକପ୍ଟର ସାମିଲ ।  ଯାହା ତାଇୱାନ ବିପକ୍ଷରେ ଚୀନ ଯୁଦ୍ଧ ରଣନୀତି ପ୍ରସ୍ତୁତ କରୁଥିବା ସନ୍ଦେହକୁ ସୁଦୃଢ଼ କରୁଛି ।  ତାଇୱାନ ଚୀନର ଦକ୍ଷିଣ ପୂର୍ବ ତଟଠାରୁ ପାଖାପାଖି ୧୦୦ ମାଇଲ ଦୂରରେ ଅବସ୍ଥିତ । ସେ ନିଜକୁ ଏକ ସ୍ୱାଧୀନ ଦେଶ ଭାବେ ବିବେଚିତ କରେ । ଯେତେବେଳେ କି ଚୀନ ଏହାକୁ ନିଜ ପ୍ରଦେଶ ଭାବେ ବିବେଚିତ କରେ । ଏବଂ ଏହାକୁ ପୁଣି ଚୀନରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛି ।

୨୦କୋଟି କୋଭିଡ ଟିକାର ଡୋଜ୍ ନଷ୍ଟ କରିବାକୁ ବିଚାର କରୁଛି ସେରମ୍ ଇନ୍‌ଷ୍ଟିଚ୍ୟୁଟ୍

ନୂଆଦିଲ୍ଲୀ: କୋଭିଡ ଟିକା ନଷ୍ଟ କରିପାରେ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ । ଦେଶର ଏହି ସବୁଠାରୁ ବଡ଼ ଟିକା ନିର୍ମାଣକାରୀ କମ୍ପାନୀ ଏବେ ପ୍ରାୟ ୨୦କୋଟି କୋଭିଡ ଡୋଜ୍ ନଷ୍ଟ କରିବା ନେଇ ବିଚାର କରୁଛି । କାରଣ ଦେଶରେ ଟିକାର ଚାହିଦା କମିଥିବା ବେଳେ ପ୍ରଚୁର ମାତ୍ରାରେ କରୋନା ଟିକା ମହଜୁଦ ରହିଛି  । ଅଗଷ୍ଟ-ସେପ୍ଟମ୍ୱର ମାସ ବେଳକୁ ଏହି ସବୁ ଟିକାର ଏକ୍ସପାଏରୀ ସରୁଥିବା ବେଳେ ଏହାକୁ ନଷ୍ଟ କରିବାକୁ ପଡ଼ିପାରେ ।

ମାତ୍ର ବର୍ଷକ ତଳେ ଭାରତରେ କୋଭିଡ୍ ଟିକାର ଗୁରୁତର ଅଭାବ ଦେଖାଦେଇଥିଲା । ଗୋଟିଏ ଡୋଜ୍ ଟିକା ନେବାକୁ ଲୋକମାନଙ୍କୁ ଅନେକ ଦିନ ଧରି ଅପେକ୍ଷା କରିବାକୁ ପଡ଼ୁଥିଲା । କିନ୍ତୁ ଏବେ ପରିସ୍ଥିତି ବଦଳି ଯାଇଛି । ଦେଶରେ ଏବେ ପ୍ରଚୁର ଟିକା ମହଜୁଦ ହୋଇ ରହିଛି, କିନ୍ତୁ ଚାହିଦା କମିଯାଇଛି ।

ଦେଶର ସବୁଠ ବଡ଼ ଟିକା କମ୍ପାନି ସେରମ ଇନଷ୍ଟିଚ୍ୟୁଟର ମୁଖ୍ୟ ଅଦର ପୁନାଓ୍ୱାଲା କହିଛନ୍ତି ଯେ, ତାଙ୍କ କମ୍ପାନୀ ପ୍ରାୟ ୨୦ କୋଟି ଡୋଜ୍ କୋଭିଡ୍ ଟିକା ନଷ୍ଟ କରିବାକୁ ବିଚାର କରୁଛି । କାରଣ ଦେଶରେ କୋଭିଡ ଟିକାର ଚାହିଦା କମିଥିବାବେଳେ ପ୍ରଚୁର ପରିମାଣରେ ଟିକା ମହଜୁଦ ରହିଛି । ଏସବୁ ଟିକାକୁ ନଷ୍ଟ କରାଯିବ କାରଣ ସେଗୁଡ଼ିକର ଏକ୍ସପାରି ତାରିଖ ଆସନ୍ତା ଅଗଷ୍ଟ-ସେପ୍ଟେମ୍ବର ମାସ ରେ ପଡ଼ିବ ।

ଡାଭୋସଠାରେ ଅନୁଷ୍ଠିତ ହେଉଥିବା ଓ୍ୱାର୍ଲ୍ଡ ଇକୋନୋମିକ ଫୋରମ ଅବସରରେ ସେ କହିଛନ୍ତି, ବିଶ୍ୱରେ ପରବର୍ତ୍ତୀ ମହାମାରୀର ମୁକାବିଲା ପାଇଁ ଏକ ଅନ୍ତର୍ଜାତୀୟ ମହାମାରୀ ରାଜିନାମାର ଆବଶ୍ୟକତା ରହିଛି । ଏପରି ହେଲେ ଆମେ ସହଜରେ ମହାମାରୀର ମୁକାବିଲା କରିପାରିବା ।

ଏଥିସହିତ ପଢ଼ନ୍ତୁ: ଜ୍ଞାନବାପି ମାମଲାରେ ରାୟ ସଂରକ୍ଷିତ ରଖିଲେ ବାରାଣସୀ କୋର୍ଟ

ଜମି ଦେଉନି ପ୍ରଶାସନ, ପ୍ରତିବାଦରେ ଚମ୍ପୁଆ ବନ୍ଦ

କେନ୍ଦୁଝର: ଆଜିଠୁ ୩ଦିନ ପାଇଁ ଚମ୍ପୁଆ ବନ୍ଦ । ଦୋକାନ ବଜାର ସହିତ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ପ୍ରଶାସନ ଜମି ଯୋଗାଇ ନଦେବା ପ୍ରତିବାଦରେ ବନ୍ଦ ଡାକରା ଦେଇଛି ଚମ୍ପୁଆ ବିକାଶ ପରିଷଦ । ଫଳରେ ଆଜି ସକାଳୁ ଚମ୍ପୁଆ ସମେତ ଝାଡ଼ଖଣ୍ଡ ଓ ଓଡ଼ିଶା ସୀମାରେ ମଧ୍ୟ ଗାଡ଼ି ଚଳାଚଳ ବନ୍ଦ ରହିଛି । ଏହା ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ ରଖାଯାଇଛି ।

ଚମ୍ପୁଆରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, କୋର୍ଟ ଆଦି ବନ୍ଦ ରହିଛି । ଏହି ବନ୍ଦ ଆଗାମୀ ୩ ଦିନ ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ଦେଇଛି ଚମ୍ପୁଆ ବିକାଶ ପରିଷଦ । କେବଳ ଡାକ୍ତରଖାନା ଓ ଅନ୍ୟାନ୍ୟ ଜରୁରୀକାଳିନ ଯାତାୟତ ଓ ଅନୁଷ୍ଠାନ ଖୋଲାରହିଛି । ସେପଟେ ଜମି ଯୋଗାଇନଦେବା ପ୍ରସଙ୍ଗରେ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ  ।

ପିସିସି ସଭାପତି ହେବା ପରେ ଶରତଙ୍କ ପ୍ରତିକ୍ରିୟା, ସବୁଠି ସକ୍ରୀୟ ହେବେ କଂଗ୍ରେସ କର୍ମୀ

ଭୁବନେଶ୍ୱର: ନୂତନ ପିସିସି ସଭାପତି ଭାବେ ନାଁ ଘୋଷଣା ହେବା ପ୍ରତିକ୍ରିୟା ରଖିଛନ୍ତି ଶରତ ପଟ୍ଟନାୟକ  । କଂଗ୍ରେସର ନୂତନ ରୋଡ ମ୍ୟାପ ପ୍ରସ୍ତୁତ କରାଯିବ  ।  ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରାଯିବ । ଗାଁରୁ ଭୁବନେଶ୍ୱର ସମସ୍ତ କର୍ମୀଙ୍କୁ ସାଥିରେ ନେଇ କାର୍ଯ୍ୟ କରାଯିବ । ୨୦୨୪ରେ କଂଗ୍ରେସ ସଂଗଠନକୁ ଚଳଚଞ୍ଚଳ କରିବା ସହ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଅନୁସାରେ ନିର୍ବାଚନ ରଣନୀତି ପ୍ରସ୍ତୁତ କରିଯିବ ବୋଲି କହିଛନ୍ତି ଶରତ ପଟ୍ଟନାୟକ ।

ସୋମବାର ଏଆଇସିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି  ।  ନୂଚନ ଭାବେ ଓଡିଶା ପିସିସି ସଭାପତି ଭାବେ ଶରତ ପଟ୍ଟନାୟକଙ୍କୁ ଦାୟିତ୍ୱ ଦେଇଛି ଦଳ । ୧୮ ବର୍ଷ ପରେ ପୁଣି ହାଇକମାଣ୍ଡ ତାଙ୍କୁ ଓଡ଼ିଶା ପିସିସି ମଙ୍ଗୁଆଳ କରିଛନ୍ତି । ବିଧିବଦ୍ଧ ଭାବେ ଦ୍ୱିତୀୟ ଥର ପାଇଁ ଶରତ ପଟ୍ଟନାୟକଙ୍କୁ ପିସିସି ସଭାପତି ଭାବେ ନିଯୁକ୍ତି ଦେଇଛି ଏଆଇସିସି । ପୂର୍ବରୁ ୨୦୦୧ରୁ ୨୦୦୪ ପର୍ଯ୍ୟନ୍ତ ପିସିସି ସଭାପତି ଦାୟିତ୍ୱ  ତୁଲାଇ ସାରିଛନ୍ତି ଶରତ ପଟ୍ଟନାୟକ ।

ପୂର୍ବରୁ ଯୁବ କଂଗ୍ରେସର ସଭାପତି ହେବା ସହ ଜାତୀୟ ପ୍ରଚାର କମିଟିର ସଦସ୍ୟ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି ଶରତ । ଦୁଇଥର ସାଂସଦ ଭାବେ ନିର୍ବାଚିତ ମଧ୍ୟ ହୋଇଥିଲେ । 1991ରୁ 1996 ସେ ବଲାଙ୍ଗୀରରୁ ସାଂସଦ ଓ ୧୯୯୬ରୁ ୯୮ ପର୍ଯ୍ୟନ୍ତ ଦ୍ୱିତୀୟ ଥର ପାଇଁ ସାଂସଦ ନିର୍ବାଚିତ ହୋଇଥିଲେ । କଂଗ୍ରେସକୁ ସୁଦୃଢ କରିବା ସହ ଆଗାମୀ ଦିନରେ ରାଜ୍ୟରେ ଦଳ ବିଜେଡି ସହ ପ୍ରତିଦ୍ୱନ୍ଦିତା କରିବା ବୋଲି ନନ୍ଦିଘୋଷ ଟିଭିକୁ ପ୍ରତିକ୍ରିୟା ଦେଇଛନ୍ତି ଶରତ ପଟ୍ଟନାୟକ  ।

 

ଗୋବର୍ଦ୍ଧନ ପୀଠରେ ପରିଚାଳନା କମିଟି, ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଗଜପତି

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ଗୋବର୍ଦ୍ଧନ ପୀଠରେ ପହଁଚି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସାକ୍ଷାତ କରିଛନ୍ତି  । ପୁରୀ ଗୋବର୍ଦ୍ଧନ ପୀଠରେ ଶ୍ରୀମନ୍ଦିର ପରିଚାଳନା କମିଟି ପହଁଚି ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛି । ଗଜପତିଙ୍କ ସମେତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପି ଓ କମିଟିର ସେବାୟତ ପ୍ରତିନିଧି ଉପସ୍ଥିତ ଅଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସଂପର୍କରେ କମିଟି ପକ୍ଷରୁ ଶଙ୍କରାଚାର୍ଯ୍ୟଙ୍କୁ ଅବଗତ କରାଇବା ସହ ପରାମର୍ଶ ଗ୍ରହଣ କରାଯାଉଛି ।

ସେପଟେ ପରିକ୍ରମା ପ୍ରକଳ୍ପ  ଶୀଘ୍ର ଶେଷ କରିବାକୁ ଶ୍ରୀମନ୍ଦିର ସେବାୟତ ହାଇକୋର୍ଟ ଯାଇଛନ୍ତି । ଏନେଇ ରାଜ୍ୟ ସରକାର ଓ ଏଏସଆଇଙ୍କୁ ନିର୍ଦ୍ଦେଶ ଦେବା ପାଇଁ ହାଇକୋର୍ଟରେ ରିଟ୍ ପିଟିସନ୍ ଦାଏର କରିଛନ୍ତି ଶ୍ରୀମନ୍ଦିର ସେବାୟତ । ଯଥାଶୀଘ୍ର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମସ୍ତ ସୁବିଧା ଓ ଉପଯୋଗୀ କାର୍ଯ୍ୟ ସାରିବାକୁ ସେବାୟତ ଆବେଦନ କରିଛନ୍ତି । ବିଶେଷ କରି ସେବାୟତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଉଦ୍ଦିଷ୍ଟ ବିକାଶମୂଳକ କାମ ଶୀଘ୍ର ସାରିବାକୁ ଦାବି କରିଛନ୍ତି । କିଛି ମୁଷ୍ଟିମେୟ ବ୍ୟକ୍ତି ଓ ରାଜନୈତିକ ଦଳ ଏହି ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ସେମାନେ କହିଛନ୍ତି ।  ତେଣୁ ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରି ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେବାୟତ ନିବେଦନ କରିଛନ୍ତି।