କରୋନା ଭୟ ଯାଇନି, ସମସ୍ତେ ସତର୍କ ରହିବା: ନବୀନ

ଭୁବନେଶ୍ୱର: ଶୃଙ୍ଖଳିତ ରଥଯାତ୍ରା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଲାଗିପଡ଼ିଛି ପ୍ରଶାସନ । ଏଥିପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପ୍ରସ୍ତୁତି ପାଇଁ ସ୍ୱତନ୍ତ୍ର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ରଥଯାତ୍ରା ଯେପରି ଶାନ୍ତିଶୃଙ୍ଖଳା ସହିତ ସୁରୁଖୁରୁରେ ଅନୁଷ୍ଠିତ ହେବ, ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ।

ଦୁଇ ବର୍ଷ ପରେ ଭକ୍ତମାନଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ମୁଖ୍ୟମନ୍ତ୍ରୀ ଏଥିରେ ଖୁସି ପ୍ରକାଶ କରି କହିଛନ୍ତି ଯେ ଏବର୍ଷ ବହୁତ ଅଧିକ ଭକ୍ତ ଆସିବେ । ତେଣୁ ସବୁପ୍ରକାର ଆଗୁଆ ବନ୍ଦୋବସ୍ତ କରିବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସମସ୍ତେ ଯେପରି ଭଲ ଅନୁଭବ ନେଇ ଫେରିବେ, ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ସେ କହିଛନ୍ତି ।

କୋଭିଡ ସମୟରେ ରଥଯାତ୍ରା ପରିଚଳନାରେ ସେବାୟତ ବନ୍ଧୁମାନେ ଯେପରି ସହଯୋଗ କରିଥିଲେ, ନିଜେ ରଥକୁ ଟାଣି ଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇଥିଲେ, ସେଥିପାଇଁ ସେ ସେବାୟତମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ବୈଠକରେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇ ରଥଯାତ୍ରା ପ୍ରସ୍ତୁତି ସଂପର୍କରେ ବିଭିନ୍ନ ନିଷ୍ପତ୍ତି ଏବଂ ଏହାର ଅନୁପାଳନ ସଂପର୍କରେ ସୂଚନା ଦେଇଥିଲେ ।

ଉନ୍ନୟନ କମିଶନର ପି.କେ. ଜେନା ରଥାଯାତ୍ରା ପାଇଁ ନିଆଯାଇଥିବା ସମସ୍ତ ପ୍ରସ୍ତୁତି ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ପୋଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲ ଆଇନ ଶୃଙ୍ଖଳା ବ୍ୟବସ୍ଥା, ପରିଚାଳନା ଓ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଥିଲେ । ଏହି ବୈଠକରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ, ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ପୁରୀ ସାଂସଦ ଓ ବିଧାୟକ ପ୍ରମୁଖଙ୍କ ସହିତ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ ପୁରୀ ଜିଲ୍ଲାପାଳ, ସେବାୟତ ଓ ଛତିଶା ନିଯୋଗର ସଦସ୍ୟମାନେ ଯୋଗ ଦେଇଥିଲେ।