କୌଣସି ମୁହୂର୍ତ୍ତରେ ତାଇଓ୍ୱାନ ଉପରେ ଆକ୍ରମଣ କରିପାରେ ଚୀନ

1 min read

ନୂଆଦିଲ୍ଲୀ: କୌଣସି ମୁହୂର୍ତ୍ତରେ ତାଇଓ୍ୱାନ ଉପରେ ଆକ୍ରମଣ କରିପାରେ ଚୀନ । ସବୁଠାରୁ ଶକ୍ତିଶାଳୀ ଓ ଅତ୍ୟାଧୁନିକ ଯୁଦ୍ଧ ଜାହାଜ ଫୁଜିୟାନକୁ ମୁତୟନ କରିଛି ଚୀନର ପିପୁଲସ ଲିବରେସନ ଆର୍ମି ବା ପିଏଲଏ । ଯୁଦ୍ଧ ବିମାନ ପରିବହନ କରିପାରୁଥିବା ଏହି ଜାହାଜ ଆମେରିକାକୁ ଟକ୍କର ଦେବା ଲାଗି ସମ୍ପୂର୍ଣ୍ଣ ସକ୍ଷମ । ଏହା ପୂର୍ବରୁ ଲିଆନିଙ୍ଗି, ସାନ୍ଦୋଙ୍ଗ ଯୁଦ୍ଧ ଜାହାଜ ବି ମୁତୟନ କରିସାରିଛି ଚୀନ । ଲିଆନିଙ୍ଗି ଜାହାଜକୁ ଚୀନ ୟୁକ୍ରେନଠାରୁ କ୍ରୟ କରି ଏହାର ଆଧୁନିକୀକରଣ କରିଥିଲା । ତାଇଓ୍ୱାନ ସୀମାର ସବୁଠାରୁ ନିକଟରେ ଫୁଜିୟାନକୁ ମୁତୟନ କରାଯାଇଛି । ଶତ୍ରୁପକ୍ଷର ସମସ୍ତ ବିମାନ, କ୍ଷେପଣାସ୍ତ୍ର ଓ ଯୁଦ୍ଧାସ୍ତ୍ରକୁ ଧ୍ୱଂସ କରିବାରେ ଫୁଜିୟାନ ସକ୍ଷମ ହେବ । ସମୁଦ୍ରରେ ଚୀନ ନିଜର ତାକତ ଦେଖାଇବା କ୍ଷେତ୍ରରେ ଫୁଜିୟାନ ପ୍ରମୁଖ ଭୂମିକା ନେବ ।

ତାଇଓ୍ୱାନକୁ ନିଜ ଦେଶର ଏକ ଅଙ୍ଗ ବୋଲି ଦାବି କରି ଆସୁଥିବା ଚୀନକୁ ଆମେରିକା ବିରୋଧ କରିଆସୁଛି । ସମ୍ଭାବ୍ୟ ଯୁଦ୍ଧ କ୍ଷେତ୍ରରେ ତାଇଓ୍ୱାନ ସପକ୍ଷରେ ଆମେରିକା ବାହାରିବା ସମ୍ଭାବନା ରହିଛି । ଯଦି ତାଇଓ୍ୱାନ ବିରୋଧରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଯୁଦ୍ଧ ଘୋଷଣା କରନ୍ତି, ତେବେ ତାଇଓ୍ୱାନ ଯେପରି ବନ୍ଧୁରାଷ୍ଟ୍ରଠାରୁ ଅସ୍ତ୍ର ପାଇବ ନାହିଁ ସେଥିପ୍ରତି ଗୁରୁଦାୟିତ୍ୱ ବହନ କରିବ ଫୁଜିୟାନ । ଫୁଜିୟାନ ମୁତୟନ କରିବା ଯୋଗୁ କେବଳ ଚୀନ-ତାଇଓ୍ୱାନ ସୀମା ନୁହେଁ, ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଓ ଦକ୍ଷିଣ ଚୀନ ଅଞ୍ଚଳରେ ଚୀନର ପ୍ରଭାବ ବୃଦ୍ଧି ପାଇବ ।