କାବୁଲ ସ୍ଥିତ ପରବାନ ଗୁରୁଦ୍ୱାରା ଉପରେ ଇସଲାମିକ୍ ଷ୍ଟେଟର ଆକ୍ରମଣ, ଜଣେ ନିହତ

କାବୁଲ: ଆଫଗାନିସ୍ତାନ ରାଜଧାନୀ କାବୁଲସ୍ଥିତ ପରବାନ ଗୁରୁଦ୍ୱାରା ସାହିବ ଉପରେ ଶନିବାର ହୋଇଛି ଆତଙ୍କବାଦୀ ଆକ୍ରମଣ । ଏହି ଆକ୍ରମଣରେ ଜଣେ ଗାର୍ଡଙ୍କର ମୃତ୍ୟୁ ହୋଇଛି । ଆକ୍ରମଣ ପଛରେ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ଥିବା କୁହାଯାଉଛି । ସକାଳ ୬ ଟାରେ ଆକ୍ରମଣ ହୋଇଥିଲା । ଆକ୍ରମଣ ପରେ ଗୁରୁଦ୍ୱାରା ମଧ୍ୟରେ କିଛି ଭକ୍ତ ଫସିଥିବା ଅନୁମାନ କରାଯାଉଛି ।

ଏହି ଆକ୍ରମଣ ପଛରେ ଇସଲାମିକ ଷ୍ଟେଟ୍ ଥିବା କୁହାଯାଉଛି । ଭାରତ ସରକାର ସ୍ଥିତି ଉପରେ ନଜର ରଖିଛନ୍ତି । ଗୁରୁଦ୍ୱାରା ଉପରେ ଆକ୍ରମଣକୁ ନେଇ ବୈଦେଶିକ ବିଭାଗ ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ, ‘ପବିତ୍ର ପରବାନ ଗୁରୁଦ୍ୱାରା ଉପରେ ହୋଇଥିବା ଆକ୍ରମଣକୁ ନେଇ ଆମେ ଚିନ୍ତିତ ଅଛୁ । ଆମେ ସ୍ଥିତି ଉପରେ ନଜର ରଖିଛୁ । ଘଟଣା ସମ୍ପର୍କରେ ବିସ୍ତୃତ ବିବରଣୀକୁ ଅପେକ୍ଷା କରିଛୁ ।

ଆକ୍ରମଣ କେମିତି ହୋଇଥିଲା ?

ମିଳୁଥିବା ସୂଚନା ଅନୁସାରେ ସକାଳର ୬ଟା ବେଳେ ପ୍ରଥମେ ବିସ୍ଫୋରଣ କରି ଆତଙ୍କବାଦୀ ଗୁରୁଦ୍ୱାରା ମଧ୍ୟକୁ ପ୍ରବେଶ କରିଥିଲେ । ଏହି ସୟରେ ୨୦ରୁ ୨୫ ଜଣ ହିନ୍ଦୁ ଓ ଶିଖ ପ୍ରାର୍ଥନା ପାଇଁ ଗୁରୁଦ୍ୱାରା ମଧ୍ୟରେ ଥିଲେ । ଯେଉଁମାନଙ୍କ ମଧ୍ୟରୁ ୧୦ରୁ ୧୫ ଜଣ ପଳାୟନ କରିବାରେ ସଫଳ ହୋଇଥିଲେ । ବାକି ଗୁରୁଦ୍ୱାରା ମଧ୍ୟରେ ଫସି ରହିଛନ୍ତି । ସୂଚନା ଅନୁସାରେ ଆକ୍ରମଣକାରୀ ଓ ତାଲିବାନ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି । ଗୁରୁଦ୍ୱାରାକୁ ସମସ୍ତ ପ୍ରବେଶପଥ ବନ୍ଦ ରଖାଯାଇଛି । ଆକ୍ରମଣରେ ତିନି ଜଣ ତାଲିବାନ ସୁରକ୍ଷାକର୍ମୀ ଆହତ ହୋଇଥିବା ମଧ୍ୟ କୁହାଯାଉଛି ।

ବୈଦେଶିକ ମନ୍ତ୍ରୀଙ୍କ ନିନ୍ଦା

ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଗୁରୁଦ୍ୱାରା ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି । ଟ୍ୱିଟ୍ କରି ଜୟଶଙ୍କର କହିଛନ୍ତି ଯେ, ‘ଗୁରୁଦ୍ୱାରା ଉପରେ ଏଭଳି ଭୀରୁତାପୂର୍ଣ୍ଣ ଆକ୍ରମଣକୁ କଠୋର ଶବ୍ଦରେ ନିନ୍ଦା କରାଯିବା ଆବଶ୍ୟ । ଆକ୍ରମଣ ଖବର ମିଳିବା ପରେ ଘଟଣା ଉପରେ ଭାରତ ନଜର ରଖିଛି । ଆମର ପ୍ରଥମ ଓ ମହତ୍ୱପୂର୍ଣ୍ଣ ଚିନ୍ତା ହେଉଛି ସଂଖ୍ୟାଲଘୁ ସମ୍ପ୍ରଦାୟର କଲ୍ୟାଣ’।