ବଡ଼ମ୍ବାରେ ଗୁଳିବିଦ୍ଧ ହାତୀର ମୃତ୍ୟୁ ଘଟଣା: ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ତଦନ୍ତ କମିଟି

କଟକ: କଟକ ଜିଲ୍ଲା ବଡ଼ମ୍ବା ନରସିଂହପୁରରେ ଗୁଳିବିଦ୍ଧ ହାତୀର ମୃତ୍ୟୁ ଘଟଣା । ଆଠଗଡ଼ ଡିଏଫଓ, ଏସିଏଫ, ଢେଙ୍କାନାଳ ଏସିଏଫ ଓ ସାତକୋଶିଆ ଏସିଏଫଙ୍କୁ ନେଇ ଗଠିତ ୪ ଜଣିଆ କମିଟି ତଦନ୍ତ ଚଳାଇଛନ୍ତି । ଏବେ ସୁଦ୍ଧା ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଆଠଗଡ଼ ବନଖଣ୍ଡ ଅଧୀନରେ ଥିବା ଅନେକ ବନ କର୍ମଚାରୀ ସ୍କାନରରେ ଅଛନ୍ତି । ଦରକାର ହେଲେ ସେମାନଙ୍କୁ ବି ପଚରାଉଚରା କରାଯିବ । ୱାଇଲ୍ଡ ଲାଇଫ ପିସିସିଏଫ୍ ଶଶୀ ପଲ ଏହି ସୂଚନା ଦେଇଛନ୍ତି ।

ସେପଟେ ଆଠଗଡ଼ ବନ ବିଭାଗ ପକ୍ଷରୁ ୩ ଜଣଙ୍କୁ ଜେରା ବେଳେ ହାତୀ ଶିକାର ଘଟଣାରେ ସେମାନଙ୍କ ସମ୍ପୃକ୍ତି ଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ଦାନ୍ତ ପାଇଁ ହାତୀ ଶିକାର ହୋଇଥିବା ଜେରାରୁ ଜଣାପଡ଼ିଛି । ଏହି ୩ ଜଣ ପୂର୍ବରୁ ମଧ୍ୟ ହାତୀ ଶିକାର କରିଥିଲେ । ସେମାନଙ୍କ ନିକଟରୁ ଦେଶୀ ବନ୍ଧୁକ ଓ ଗୁଳି ଜବତ କରାଯାଇଥିବା ଆଠଗଡ଼ ଏସିଏଫ୍ ଘନଶ୍ୟାମ ମୁଦୁଲି କହିଛନ୍ତି । ହାତୀ ଶରୀରର ୫ଟି ସ୍ଥାନରେ ଗୁଳି ବାଜିଥିଲା । ଚିକିତ୍ସା କରି ହାତୀକୁ ବଞ୍ଚାଇବାକୁ ଚେଷ୍ଟା କରାଯାଇଥିଲା । କିନ୍ତୁ ପ୍ରାୟ ସପ୍ତାହେ ପରେ ଦନ୍ତାର ଜୀବନ ଚାଲିଯାଇଥିଲା । ସେପଟେ ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣାରେ ମଧ୍ୟ ୨ ଜଣିଆ କମିଟି ତଦନ୍ତ କରୁଛନ୍ତି ।