spot_img
Home Blog Page 4362

ମାହାଙ୍ଗା ଗଣହତ୍ୟା ମାମଲା, ୫ ଜଣଙ୍କୁ ବୀଭତ୍ସ ହତ୍ୟାର ଡେମୋ ଦେଖାଇଲା ଅଭିଯୁକ୍ତ ଶିବ

ମାହାଙ୍ଗା: ମାହାଙ୍ଗା ଗଣହତ୍ୟା ମାମଲା । ମାହଙ୍ଗା କୁସୁପୁରର କ୍ରାଇମସ୍ପଟରେ ହେଲା କ୍ରାଇମସିନ୍ ରିକ୍ରିଏସନ । ୫ ଜଣଙ୍କୁ କେମିତି କରିଲା ହତ୍ୟା ତା’ର ଡେମୋ ଦେଖାଇଛି ଅଭିଯୁକ୍ତ ଶିବ । ହତ୍ୟାରେ ବ୍ୟବହୃତ ଶାବଳ ଓ ମାରଣାସ୍ତ୍ର ଜବତ ହୋଇଛି । କଳା ରାତିର ସତ କ’ଣ? ସବୁ କଥା ଟିକନିଖ୍ କ୍ରାଇମସ୍ପଟରେ କହିଛି ଅଭିଯୁକ୍ତ ଶିବ । କଡ଼ା ସୁରକ୍ଷା ବଳୟ ଭିତରେ ଅଭିଯୁକ୍ତକୁ ନେଇ ପୋଲିସ କ୍ରାଇମସିନ୍ ରିକ୍ରିଏଟ୍ କରିଛି । ୫ ଜଣଙ୍କ ହାତ, ଗୋଡ଼ର ପ୍ରମୁଖ ଶିରା କାଟି କରାଯାଇଥିଲା ହତ୍ୟା । ପ୍ରତ୍ୟେକ ମୃତ ଦେହରେ ଧାରୁଆ ଅସ୍ତ୍ରରେ ଏକାଧିକ ଥର ହାଣିଥିଲା ହତ୍ୟାକାରୀ । ବେକ ଓ ମୁଣ୍ଡରେ ଗଭୀର କ୍ଷତଚିହ୍ନ ରହିଛି । ମୃତଦେହକୁ ଘୋଷାଡି ଘୋଷାଡି ଗୋଟିଏ ଘରେ ପକାଯାଇ ବାହାରୁ ତାଲା ପକାଇ ଦେଇଥିଲା ଅଭିଯୁକ୍ତ ଶିବ । ଏପରିକି ଘରର ମୁଖ୍ୟ ଦ୍ୱାର ବାହାର ପଟୁ ତାଲା ପକାଇ ଦେଇଥିଲା ଶିବ ପ୍ରସାଦ ।

ଦିଲ୍ଲୀରେ ପୁଣି ଲାଗୁ ହୋଇପାରେ କରୋନା କଟକଣା

ନୂଆଦିଲ୍ଲୀ: ଦିଲ୍ଲୀକୁ ଫେରୁଛି କୋଭିଡ ବିପଦ । ପୁଣି ଲାଗୁ ହୋଇପାରେ କରୋନା କଟକଣା । କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାବେଳେ କଟକଣା ଲାଗୁ କରିବା ଲାଗି ଚିନ୍ତା କରୁଛନ୍ତି କର୍ତ୍ତୃପକ୍ଷ । ଏନେଇ ଆସନ୍ତା ଏପ୍ରିଲ ୨୦ରେ ବୈଠକ ଡ଼ିକିଛି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା ଡିଡିଏମଏ । ଏହି ବୈଠକରେ ମାସ୍କକୁ ବାଧ୍ୟତାମୂଳକ କରିବା, ସାମାଜିକ ଦୂରତା ଆଦି କଟକଣା ନେଇ ଆଲୋଚନା କରାଯାଇପାରେ । ଏହି ବୈଠକରେ ଲେଫଟନାଣ୍ଟ ଗଭର୍ଣ୍ଣର ଅନୀଲ ବାଇଜଲ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଉପସ୍ଥିତ ରହିବେ । ଗତ ସୋମବାର ୧୩୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଗୁରୁବାର ୩୨୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ଦିଲ୍ଲୀରେ ପଜିଟିଭିଟି ହାର ୨.୩୯ ପ୍ରତିଶତ ରହିଛି ।

ନବରଙ୍ଗପୁର ସ୍ୱାସ୍ଥ୍ୟରେ ଯୋଡିହେଲା ବିକାଶର ନୂଆ ଅଧ୍ୟାୟ, ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ବିକାଶରେ ଯୋଡିହେଲା ନୂଆ ଅଧ୍ୟାୟ । ଉପାନ୍ତରେ ମିଳିଲା ଉନ୍ନତମାନର ସ୍ୱାସ୍ଥ୍ୟସେବା । ନବରଙ୍ଗପୁରରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା । ଦୁର୍ଗମ ଅଞ୍ଚଳରେ ରୋଗୀ ପାଇବେ ଉନ୍ନତ ସେବା । ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ରାଜ୍ୟର ସୁପର ସ୍ପେଶାଲିଷ୍ଟ ଡାକ୍ତରମାନେ ନବରଙ୍ଗପୁରରେ ପହଞ୍ଚିଛନ୍ତି । ଆଜି ଓ ଆସନ୍ତାକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ଶିବିରରେ ମିଳିବ ଚିକିତ୍ସା ସୁବିଧା । ଗ୍ୟାଷ୍ଟ୍ରୋଲୋଜି, ୟୁରୋଲୋଜି, କାର୍ଡିଓଲୋଜି ଓ ଲାପରୋସ୍କୋପିକ ସର୍ଜରୀ ବିଭାଗର ସ୍ୱତନ୍ତ୍ର ଚିକିତ୍ସା ସେବା ମିଳିବ । ପ୍ରଥମ ପର୍ଯ୍ୟାୟରେ ହୃଦରୋଗ, କିଡନୀ ଓ ଗ୍ୟାଷ୍ଟ୍ରୋଲୋଜି ବିଶେଷଜ୍ଞ ରୋଗୀଙ୍କୁ ସେବା ପ୍ରଦାନ କରିବେ । ସମ୍ପୂର୍ଣ୍ଣ ମାଗଣାରେ ଏହି ସେବା ଯୋଗାଇ ଦିଆଯିବ । ପୂର୍ବରୁ କଳାହାଣ୍ଡି, ମାଲକାନଗିରି ଓ ନୂଆପଡ଼ାରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି ।

୨୪ ଘଣ୍ଟାରେ ୟୁକ୍ରେନର ୭ଟି ସାମରିକ ଘାଟି ଧ୍ୱଂସ, ବିଭିନ୍ନ ସ୍ଥାନରେ ୩୪ଟି ରକେଟ ମାଡ଼

କିଭ୍: ୫୧ ଦିନରେ ଋଷ-ୟୁକ୍ରେନ ଓ୍ୱାର । ଦିନକୁ ଦିନ ଜଟିଳ ସ୍ଥିତି ଆଡ଼କୁ ଗତି କରୁଛି ଯୁଦ୍ଧ । ଗତ ୨୪ ଘଣ୍ଟାରେ ୟୁକ୍ରେନର ୭ଟି ସାମରିକ ଘାଟି ଧ୍ୱଂସ କରାଯାଇଥିବା ନେଇ ଦାବି କରିଛି ଋଷ । ଖାରକିଭ୍ ସହର ଉପରେ ବି ଜାରି ରହିଛି ଆକ୍ରମଣ । ଗତ କିଛି ଘଣ୍ଟା ମଧ୍ୟରେ ସହରର ବିଭିନ୍ନ ସ୍ଥାନରେ ୩୪ଟି ରକେଟ ମାଡ଼ ହୋଇଛି । ଫେବ୍ରୁଆରୀ ୨୪ରୁ ଆଜି ପର୍ଯ୍ୟନ୍ତ ଋଷ ଆକ୍ରମଣରେ ଖାରକିଭରେ ୫୦୩ ନାଗରିକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ମେୟର । ବୁଚା ସହରରେ ପ୍ରକୃତ ମୃତକଙ୍କ ସଂଖ୍ୟା ତାହାର ତଦନ୍ତ କରୁଛନ୍ତି ଫ୍ରାନ୍ସର ୧୮ ଜଣିଆ ଫରେନସିକ ଟିମ୍ ।

ସେପଟେ ୟୁକ୍ରେନର ନେପଚୁନ୍ ମିଜାଇଲରେ ଧ୍ୱଂସ ହୋଇଥିବା ଋଷର ପ୍ରମୁଖ ଯୁଦ୍ଧ ଜାହାଜ ମୋସକଭା କୃଷ୍ଣସାଗରରେ ବୁଡ଼ିଯାଇଛି । ଜାହାଜରେ ଥିବା ଶତାଧିକ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିବା କହିଛି ଋଷ । ୧୮୬ ମିଟର ଲମ୍ବା ଓ ୫୦୦ ଲୋକଙ୍କୁ ଧରି ଘଣ୍ଟା ପ୍ରତି ୬୦ କିଲୋମିଟର ବେଗରେ ଯାଇପାରୁଥିବା ଯୁଦ୍ଧ ଜାହାଜ ନଷ୍ଟ ହେବା ପରେ ଋଷକୁ ପଶିଛି ଛନକା । ଗତ ମାସରେ ଋଷର ଏକ ବୃହତ ଯୁଦ୍ଧଜାହାଜ ଉର୍ସ୍କକୁ ମଧ୍ୟ ଧ୍ୱଂସ କରିଥିବା ନେଇ ଦାବି କରିଥିଲା ୟୁକ୍ରେନ । ତେଣେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି- ୟୁକ୍ରେନକୁ ସମର୍ଥନ କରିବା ପ୍ରକ୍ରିୟାରେ କିଭକୁ ଆମେରିକାର ଏକ ବରିଷ୍ଠ ପ୍ରତିନିଧିମଣ୍ଡଳୀ ପଠାଯିବ । ଏହି ପ୍ରତିନିଧିମଣ୍ଡଳୀରେ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ କିମ୍ବା ପ୍ରତିରକ୍ଷା ମନ୍ତ୍ରୀ ଲିଡ୍ ଅଷ୍ଟିନ ରହିପାରନ୍ତି ।

ଚିଲିକା ବୁଲିବେ ବାଚସ୍ପତି, ମନ୍ତ୍ରୀ ଓ ବିଧାୟକ, ମା କାଳିଜାଇଙ୍କ ଦର୍ଶନ ପରେ, ଦେଖିବେ ନୌସେନାର ସମରାଭ୍ୟାସ

ଭୁବନେଶ୍ୱର: ଚିଲିକା ବୁଲିବେ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି । କାଳିଜାଇ ମା’ଙ୍କ ଦର୍ଶନ ପରେ, ନୌସେନା ଦ୍ୱାରା ଚିଲିକାରେ ହେବାକୁ ଥିବା ସମରାଭ୍ୟାସ ଦେଖିବେ ସମସ୍ତ ବିଧାୟକ । ନୌସେନାର ସମରାଭାସ ଦେଖିବା ପରେ ସନ୍ଧ୍ୟାରେ ଭୁବନେଶ୍ବରକୁ ଫେରିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି। ବିଧାନସଭାରୁ ସ୍ୱତନ୍ତ୍ର ବସ୍‌ ଦ୍ୱାରା ଚିଲିକା ଗସ୍ତରେ ଯାଇଛନ୍ତି ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି । ବିଧାୟକ, ମନ୍ତ୍ରୀ ଓ ବାଚସ୍ପତିଙ୍କ ପାଇଁ OTDC ପକ୍ଷରୁ ୪ଟି ସ୍ୱତନ୍ତ୍ର ବସର ବ୍ୟବସ୍ଥା କରାଯାଇଛି । ଏହା ପୂର୍ବରୁ ୨୦୨୦ ମସିହାରେ ପାରାଦ୍ୱୀପ ବନ୍ଦରକୁ ଯାଇ ନୌସେନାର ଯୁଦ୍ଧ ଜାହାଜରେ ସମୁଦ୍ର ଭିତରକୁ ଯାଇ ସେଠାରେ ହେଉଥିବା ସମରାଭ୍ୟାସ ଦେଖିଥିଲେ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି ।

ମହଙ୍ଗା ପଡିଲା ୟୁକ୍ରେନ୍ ସହ ଯୁଦ୍ଧ, ବ୍ଲାକ ସି’ରେ ଋଷର ବିରାଟ ମିଜାଇଲ୍ କ୍ରୁଜ୍ ଧ୍ୱଂସ

କିଭ୍: ୟୁକ୍ରେନ ସହ ଯୁଦ୍ଧ ଋଷକୁ ମହଙ୍ଗା ପଡ଼ିଛି । ବ୍ଲାକ୍ ସି ମଧ୍ୟରେ ବଡ ଧରଣର ବିସ୍ଫୋରଣ ଯୋଗୁଁ ଋଷର ଏକ ବିଶାଳ ମିଜାଇଲ କ୍ରୁଜ୍ ଧ୍ୱଂସ ହୋଇଯାଇଛି । ଏଥିରେ ଥିବା ସମସ୍ତ ସେନା ଅଧିକାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଋଷ ପକ୍ଷରୁ ସୂଚନା ଦିଆଯାଇଛି । ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟର କହିବା ମୁତାବକ, ସମୁଦ୍ର ଭିତରେ ବିସ୍ଫୋରଣ ଯୋଗୁଁ ମିଜାଇଲ କ୍ରୁଜ୍ ମୋସକଭାର ବିପୁଳ କ୍ଷତି ହୋଇଛି । ପ୍ରଥମେ ଜାହାଜରେ ନିଆଁ ଲାଗିଯାଇଥିଲା । ଏହାପରେ ବିସ୍ଫୋରଣ ହୋଇଥିଲା । କିନ୍ତୁ ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ ।

ମିଜାଇଲ କ୍ରୁଜର ଜ୍ଞାନକୌଶଳ ଋଷ ପ୍ରଥମେ ୧୯୭୯ରେ ଲଞ୍ଚ କରିଥିଲା । ଏଥିରେ ୧୬ଟି ଆଣ୍ଟି ସିପ୍ ମିସାଇଲ ସହ ଏୟାର ଡିଫେନ୍ସ ମିସାଇଲ, ଟରପିଡୋଜ୍ ଓ ଅନ୍ୟ ମାରଣାସ୍ତ୍ର ସଂଲଗ୍ନ କରାଯାଇଥିଲା । ଋଷର ଏହି ଯୁଦ୍ଧ ପୋତ ବ୍ଲାକ୍ ସି ଫ୍ଲିଟରେ ସାମିଲ ହୋଇଥିଲା । ଗତ ଫେବୃଆରୀ ମାସରୁ ଏହି ଯୁଦ୍ଧପୋତକୁ ୟୁକ୍ରେନ ବିରୋଧରେ ମୁତୟନ କରିଥିଲା ଋଷ ।

ଦେଶର ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଛି ଓଡ଼ିଶା, ଆଗକୁ ୩ରୁ ୪ଡିଗ୍ରୀ ବଢିପାରେ ପାରଦ

ଭୁବନେଶ୍ୱର: ଜଳୁଛି ପଶ୍ଚିମ ଓଡ଼ିଶା । ଲଗାତାର ଦୁଇ ଦିନ ଓଡ଼ିଶାର ସହର ପାଲଟୁଛି ଦେଶର ସବୁଠୁ ଉତ୍ତପ୍ତ ସ୍ଥାନ । ଆଗକୁ ମଧ୍ୟ ଏପରି ସ୍ଥିତି ଜାରି ରହିବ ବୋଲି ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟରେ ସ୍ୱାଭାବିକ ତାପମାତ୍ରାଠାରୁ ୩ରୁ ୪ ଡିଗ୍ରୀ ସେଲସିୟସ ବଢିପାରେ ପାରଦ । ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ତାପମାତ୍ରା ବଢିବ । ଗତକାଲି ୪୪.୨ ଡିଗ୍ରୀ ସହିତ ସୋନପୁର ପାଲଟିଥିଲା ଦେଶର ସବୁଠାରୁ ତତଲା ସହର ।

ସେପଟେ ଉପକୂଳ ଜିଲ୍ଲାରେ ପଡ଼ିବ କାଳବୈଶାଖୀ ପ୍ରଭାବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ପାଇଁ ୧୭ଟି ଜିଲ୍ଲାକୁ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ନୟାଗଡ଼, ପୁରୀ, ଖୋର୍ଦ୍ଧା ଆଦି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ପଡ଼ିବ । ଏଥିପାଇଁ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନ ।

କର୍ଣ୍ଣାଟକରେ ଠିକାଦାର ସନ୍ତୋଷ ପାଟିଲ ଆତ୍ମହତ୍ୟା ମାମଲା, ଆଜି ଇସ୍ତଫା ଦେବେ ମନ୍ତ୍ରୀ କେ.ଏସ ଈଶ୍ୱରପ୍ପା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଠିକାଦାର ସନ୍ତୋଷ ପାଟିଲ ଆତ୍ମହତ୍ୟା ମାମଲା । ଆଜି ଇସ୍ତଫା ଦେବେ କର୍ଣ୍ଣାଟକର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ କେ.ଏସ ଈଶ୍ୱରପ୍ପା । ସଂଧ୍ୟାରେ ଈଶ୍ୱରପ୍ପା ମନ୍ତ୍ରୀପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି । ଠିକାଦାର ସନ୍ତୋଷ ପାଟିଲ ଆତ୍ମହତ୍ୟା ମାମଲାରେ ତାଙ୍କ ବିରୋଧରେ ଏତଲା ଦାୟର ହୋଇଥିଲା । ଏକ ଠିକା କାର୍ଯ୍ୟ ପାଇଁ ମନ୍ତ୍ରୀ ଈଶ୍ୱରପ୍ପା ତାଙ୍କଠାରୁ ୪୦ ପ୍ରତିଶତ କମିଶନ ଦାବି କରିଥିଲେ । ଏଥିସହ ମନ୍ତ୍ରୀ ତାଙ୍କୁ ମାନସିକ ନିର୍ଯାତନ ଦେଉଥିବା ନେଇ ଅଭିଯୋଗ କରିଥିଲେ । ତାଙ୍କ ମୃତ୍ୟୁ ପାଇଁ ମନ୍ତ୍ରୀ ଦାୟୀ ବୋଲି ସୁଇସାଇଡ ନୋଟରେ ଉଲ୍ଲେଖ କରିଥିଲେ ଠିକାଦାର ସନ୍ତୋଷ ପାଟିଲ । ଉଡୁପିର ଏକ ଲଜରୁ ଠିକାଦାରଙ୍କ ମୃତଦେହ ମିଳିଥିଲା । ଏହି ଘଟଣା ପରେ ଈଶ୍ୱରପ୍ପାଙ୍କ ଇସ୍ତଫା ଦାବି ଜୋରଦାର ହୋଇଥିଲା । ବିରୋଧୀ କଂଗ୍ରେସ ଈଶ୍ୱରପ୍ପାଙ୍କ ଇସ୍ତଫା ଦାବିରେ ରାଜ୍ୟ ଓ ଦିଲ୍ଲୀରେ ବିକ୍ଷୋଭ କରିଥିଲା ।

ଆଜି ସ୍ୱାଭିମାନ ଅଞ୍ଚଳ ଯିବେ ମୁଖ୍ୟ ଶାସନ ସଚିବ, ଚିତ୍ରକୋଣ୍ଡା ଓ ସ୍ୱାଭିମାନ ଅଞ୍ଚଳରେ କରିବେ ବିକାଶର ସମୀକ୍ଷା

କୋରାପୁଟ: ଆଜି ସ୍ୱାଭିମାନ ଅଞ୍ଚଳରେ ବିକାଶର ସମୀକ୍ଷା କରିବେ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର । ମୁଖ୍ୟ ଶାସନ ସଚିବଙ୍କ ୩ ଦିନିଆ ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତର ଆଜି ଦ୍ୱିତୀୟ ଦିନ । ଗତକାଲି ମାଲକାନିଗିରିରେ ସେ ଅନେକ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଥିଲେ । ଆଜି ଚିତ୍ରକୋଣ୍ଡା ଓ ସ୍ୱାଭିମାନ ଅଞ୍ଚଳ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପ୍ୟାକେଜ ପ୍ରଦାନ କରିଛନ୍ତି । ଏହା ଅଧିନରେ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟକାରିତା ଓ ଅଗ୍ରଗତି ନେଇ ସେ ସମୀକ୍ଷା କରିବେ । ଏହାପରେ କୋରାପୁଟ ଜିଲ୍ଲା ଗସ୍ତ କରିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଅପରାହ୍ନରେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥିତି ପରଖିବେ । ଏହା ସହିତ ଜଗନ୍ନାଥ ସାଗରର ପୁନଃରୁଦ୍ଧାର କାର୍ଯ୍ୟର ସମୀକ୍ଷା ଏବଂ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି କୋଟିଆ, ଦେଓମାଳି ପରିଦର୍ଶନ କରି ଉପାନ୍ତ ଅଞ୍ଚଳରେ ସରକାରୀ ଯୋଜନାର ଅନୁଧ୍ୟାନ କରିବେ ମୁଖ୍ୟ ଶାସନ ସଚିବ ।

କଳିଙ୍ଗ ହସ୍ପିଟାଲ ଛକରେ ଅଭାବନୀୟ ଘଟଣା, ରାସ୍ତାକଡ଼ ଗଛରେ ଝୁଲିଛି ବ୍ୟକ୍ତିଙ୍କ ମୃତଦେହ

ଭୁବନେଶ୍ୱର: କଳିଙ୍ଗ ହସ୍ପିଟାଲ ଛକରେ ଅଭାବନୀୟ ଘଟଣା । ରାସ୍ତାକଡ଼ ଗଛରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବେକରେ ଗାମୁଛା ସହ ଗଛକୁ ବନ୍ଧା ହୋଇଥିବା ବେଳେ ବ୍ୟକ୍ତିଜଣକ ବସିଥିବା ଦେଖିବାକୁ ମିଳିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଛେଦ ପାଇଁ ପଠାଇଛି । ତେବେ ଏହା ଆତ୍ମହତ୍ୟା କି ହତ୍ୟା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ ସୃଷ୍ଟି ହୋଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ତେବେ ତଦନ୍ତ ଓ ବ୍ୟବଛେଦ ରିପୋର୍ଟ ଆସିଲେ ଏହା ହତ୍ୟା କିମ୍ବା ଆତ୍ମହତ୍ୟା ତାହା ଉପରୁ ପରଦା ହଟିପାରିବ ।