ଡେବିଟ୍ ଓ କ୍ରେଡିଟ୍ କାର୍ଡର ନୂଆ ନିୟମ, ଜାଣନ୍ତୁ..

1 min read

ନନ୍ଦିଘୋଷ ବ୍ୟୁରୋ: କାର୍ଡ ନେଣଦେଣକୁ ସୁରକ୍ଷିତ କରିବା ଦିଗରେ ରିଜର୍ଭ ବ୍ୟାଙ୍କ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି । କେନ୍ଦ୍ରୀୟ ବ୍ୟାଙ୍କ ଜୁଲାଇ ପହିଲାରୁ ‘ଟୋକନ’ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି । ଚଳିତ ମାସ ଶେଷ ସୁଦ୍ଧା ଏଭଳି ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ପ୍ରସ୍ତୁତି ସାରିବାକୁ କେନ୍ଦ୍ରୀୟ ବ୍ୟାଙ୍କ ଅଂଶୀଦାରଙ୍କୁ ନିର୍ଦ୍ଦେଶ ଦେଇଛି । ବିଶେଷ କରି ଅନ୍‌ଲାଇନ, ପଏଣ୍ଟ-ଅଫ୍‌-ସେଲ୍‌ ଏବଂ ଆପ୍‌ ଗୁଡିକରେ କ୍ରେଡିଟ ଏବଂ ଡେବିଟ୍‌ କାର୍ଡ ବ୍ୟବହାର ପରିବର୍ତ୍ତେ ଏଭଳି ଏକ ସ୍ବତନ୍ତ୍ର ଟୋକନ ବ୍ୟବହାର ହେବ ।

ରିଜର୍ଭ ବ୍ୟାଙ୍କ କହିଛି ଯେ, କାର୍ଡଗୁଡିକର ପ୍ରକୃତ ତଥ୍ୟ ବ୍ୟବହାର ପରିବର୍ତ୍ତେ ପେମେଣ୍ଟ ବ୍ୟବସ୍ଥାର ଅଂଶୀଦାରମାନେ ଏକ ବିକଳ୍ପ କୋଡ୍‌ ବା ଟୋକନ ବ୍ୟବହାର କରିବେ । ଏହାକୁ ବିଶେଷ ଭାବେ ‘ଟୋକନାଇଜେସନ’ କୁହାଯାଉଛି । ଗ୍ରାହକଙ୍କୁ ଏ ସମ୍ପର୍କରେ ସଚେତନ କରାଇବା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଏଥିରେ କୁହାଯାଇଛି ଯେ, ୱେବସାଇଟ ଏବଂ ଆପ୍‌ଗୁଡିକରେ ପେମେଣ୍ଟ ବେଳେ ଗ୍ରାହକଙ୍କ କାର୍ଡ ସମ୍ପର୍କିତ ବିଭିନ୍ନ ତଥ୍ୟ ସେଭ୍‌ କରିବା ପାଇଁ ଏକ ବିକଳ୍ପ ଦେଇଥାନ୍ତି । ଏହା ଦ୍ୱାରା ପେମେଣ୍ଟ ସହଜ ଏବଂ ତ୍ୱରିତ ହୋଇଥାଏ ।

ମାତ୍ର ଜୁଲାଇ ପହିଲାରୁ ମର୍ଚ୍ଚାଣ୍ଟ ଗ୍ରାହକଙ୍କ କାର୍ଡ ସହ ଜଡିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯଥା- କାର୍ଡ ନମ୍ବର, ସିଭିଭି ଏବଂ କାର୍ଡ ବ୍ୟବହାର ସୀମା ନିଜ ପାଖରେ ସେଭ୍‌ କରି ରଖିପାରିବେ ନାହିଁ । କାର୍ଡର ନିରାପତ୍ତା ଲାଗି ଏଭଳି ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଗ୍ରାହକଙ୍କ ପୂର୍ବର ରହିଥିବା ସମସ୍ତ ତଥ୍ୟକୁ ସେମାନେ କ୍ଲିୟର କରି ଟୋକନ କାର୍ଡକୁ ବ୍ୟବହାର କରିବାକୁ ହେବ । କେନ୍ଦ୍ରୀୟ ବ୍ୟାଙ୍କର ଏଭଳି ସେବା ଗ୍ରହଣ କରିବାକୁ କୌଣସି ଦେୟ ଦେବାକୁ ପଡ଼ିବନି । ଏଭଳି ବ୍ୟବସ୍ଥାରେ କାର୍ଡର ତଥ୍ୟ ମର୍ଚ୍ଚାଣ୍ଟଙ୍କ ପାଖରେ ରହୁ ନ ଥିବାରୁ ଏହାକୁ ଅଧିକ ସୁରକ୍ଷିତ ବ୍ୟବସ୍ଥା ବୋଲି ବିବେଚିତ କରାଯାଉଛି ।

ଏହା ହେଲେ ଗ୍ରାହକଙ୍କୁ ବାରମ୍ବାର ସେମାନଙ୍କ କାର୍ଡର ସମ୍ପୂର୍ଣ୍ଣ ତଥ୍ୟ ଦେବା ପରିବର୍ତ୍ତେ କେବଳ ଏକ କୋଡ୍‌କୁ ହିଁ ଦେବାକୁ ପଡିବ । ଏଭଳି ଟୋକନ ବ୍ୟବସ୍ଥା ଗ୍ରହଣ କରିବାକୁ ହେଲେ ପେମେଣ୍ଟ ସମୟରେ ନୂଆ ବ୍ୟବସ୍ଥା ଅନୁସାରେ କାର୍ଡକୁ ସୁରକ୍ଷିତ କରିବା ବିକଳ୍ପକୁ ଚୟନ କରିବାକୁ ପଡିବ । ମୋବାଇଲକୁ ଆସିଥିବା ଓଟିପିକୁ ବ୍ୟବହାର କରି କାର୍ଡକୁ ସୁରକ୍ଷିତ କରାଯାଇପାରିବ ।