୭୩୧ ସମିତିରେ ସମବାୟ ନିର୍ବାଚନ, ୨୪୪ ସମ୍ବେଦନଶୀଳ ବୁଥ୍ ଚିହ୍ନଟ

ଭୁବନେଶ୍ୱର: ରବିବାର ପ୍ରଥମ ପର୍ଯ୍ୟାୟ ପ୍ରାଥମିକ ସମବାୟ ସମିତି ନିର୍ବାଚନ । 3 ହଜାର 252 ପ୍ରାଥମିକ ସମବାୟ ସମିତିରୁ 2 ହଜାର 521ଟି ସମିତିରେ ବିନା ପ୍ରତିଦ୍ବନ୍ଦ୍ବିତାରେ ସଦସ୍ୟ, ସଦସ୍ୟା ନିର୍ବାଚିତ ହୋଇଛନ୍ତି । ବାକି 731 ପ୍ରାଥମିକ ସମବାୟ ସମିତିରେ ଆସନ୍ତାକାଲି ନିର୍ବାଚନ ହେବ । 731ଟି ସମିତିରୁ 244ଟି ସମ୍ବେଦନଶୀଳ ଚିହ୍ନଟ କରାଯାଇଛି । ଏହି ବୁଥଗୁଡ଼ିକରେ ମାଜିଷ୍ଟ୍ରେଟ, ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ ସହ ଅନ୍ୟାନ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ସମ୍ବେଦନଶୀଳ ବୁଥଗୁଡିକରେ ସିସିଟିଭି ଲଗାଯାଇଛି । ଜିଲ୍ଲାପାଳ ଏବଂ ଏସପି ଆଇନଶୃଙ୍ଖଳା ପରିସ୍ଥିତି ତଦାରଖ କରିବେ । ନିର୍ବାଚନ ଶାନ୍ତି ଶୃଙ୍ଖଳାରେ କରିବାକୁ ପଦକ୍ଷେପ ନିଆଯାଇଛି । ନିର୍ବାଚନ ପରିଚାଳନା ପାଇଁ 19 ଜଣ ଉପନିବନ୍ଧକ, 58 ଜଣ ସହକାରୀ ନିବନ୍ଧକ ନିୟୋଜିତ ହୋଇଛନ୍ତି । ଭୋଟ ଗ୍ରହଣ ସକାଳ 7ଟାରୁ ଆରମ୍ଭ ହୋଇ ଅପରାହ୍ନ 4ଟା ଯାଏ ଚାଲିବ । ଆସନ୍ତାକାଲି ମୋଟ 4 ଲକ୍ଷ 53 ହଜାର 610 ଭୋଟର ମତଦାନ କରିବେ । ଭୋଟ ଗ୍ରହଣ ପରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ । ସେହିପରି ଆସନ୍ତା 26 ତାରିଖରେ ପ୍ରଥମ ପର୍ଯ୍ୟାୟର ଦ୍ବିତୀୟ ଦିନର ଭୋଟ ଗ୍ରହଣ ହେବ ।