ନୂପୁରଙ୍କ ବୟାନ ପାଇଁ ଗୁରୁଦ୍ୱାରା ଉପରେ ଆକ୍ରମଣ, ଇସଲାମିକ୍ ଷ୍ଟେଟର ଦାବି

TOPSHOT - Afghan security forces arrive at the site of a car bomb attack in Kabul on May 31, 2017. At least 40 people were killed or wounded on May 31 as a massive blast ripped through Kabul's diplomatic quarter, shattering the morning rush hour and bringing carnage to the streets of the Afghan capital. / AFP PHOTO / SHAH MARAI

କାବୁଲ: ଆଫଗାନିସ୍ତାନ ରାଜଧାନୀ କାବୁଲର ଗୁରୁଦ୍ୱାରା ଉପରେ ହୋଇଥିବା ଆକ୍ରମଣ ପାଇଁ ଇସଲାମିକ୍ ଷ୍ଟେଟ୍ ନିଜକୁ ଦାୟୀ କରିଛି । ଆକ୍ରମଣ ପରେ ଇସଲାମିକ୍ ଷ୍ଟେଟ୍ ଇନ୍ ଖୁରସାନ ପକ୍ଷରୁ ସୋସିଆଲ ମିଡିଆରେ ଜାରି ବୟାନରେ ଏଥିପାଇଁ ନୂପୁର ଶର୍ମାଙ୍କ ବୟାନକୁ ଦାୟୀ କରାଯାଇଛି । ଇସଲାମିକ୍ ଷ୍ଟେଟ୍ କହିଛି ଯେ, ନୂପୁର ଶର୍ମା ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ଦେଇଥିବା ବୟାନର ପ୍ରତିଶୋଧରେ ଏହି ଆକ୍ରମଣ ହୋଇଛି ।

ଇସଲାମିକ୍ ଷ୍ଟେଟ୍ କ’ଣ ଦାବି କଲା ?

ଇସଲାମିକ ଷ୍ଟେଟ୍ କହିଛି ଯେ, ଭାରତରେ ବିଜେପି ନେତା ନବୀନ ଜିନ୍ଦଲ ଓ ନୂପୁର ଶର୍ମା ଦେଇଥିବା ବୟାନର ପ୍ରତିଶୋଧ ନେବାକୁ ଆମେ ଏହି ଆକ୍ରମଣ କରିଛୁ । ଏହି ଆକ୍ରମଣରେ ତାଲିବାନର ୩ ଜଣ ସୈନିକ ଆହତ ହୋଇଛନ୍ତି । ଆଫଗାନି ସାମ୍ବାଦିକ ବିଲାଲ ସରବରୀ କହିଛନ୍ତି ଯେ, ଆକ୍ରମଣକାରୀ ଗୁରୁଦ୍ୱାରା ଉପରେ ଦୁଇ ପଟୁ ଆକ୍ରମଣ କରିଥିଲେ । ଯାହାଫଳରେ ଗୁରୁଦ୍ୱାରାରେ ନିଆଁ ଲାଗିଯାଇଥିଲା । ଆକ୍ରମଣକାରୀ ସବୁ ପଟୁ ହ୍ୟାଣ୍ଡ୍ ଗ୍ରେନେଡ୍ ଫୋପାଡୁଥିଲେ ବୋଲି ସରବରୀ ଦାବି କରିଛନ୍ତି । ଆକ୍ରମଣରେ ନିହତ ଶିଖ ନାଗରିକଙ୍କ ନାମ ସବିନ୍ଦର ସିଂହ ବୋଲି ଜଣାପଡ଼ିଛି ।

କେମିତି ହୋଇଥିଲା ଆକ୍ରମଣ ?

ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଆକ୍ରମଣକାରୀ ଗୁରୁଦ୍ୱାରାର ଦୁଇ ଗେଟକୁ ଟାର୍ଗେଟ୍ କରିଥିଲେ । ଏହି ଦୁଇ ଗେଟ୍ ଦେଇ ସେମାନେ ଗୁରୁଦ୍ୱାରା ମଧ୍ୟକୁ ପ୍ରବେଶ କରିଥିଲେ । ପ୍ରଥମେ ସେମାନେ ଗୁରୁଦ୍ୱାରା ବାହାରେ ଥିବା ଗୋଟିଏ କାରକୁ ବିସ୍ଫୋରଣ ଦ୍ୱାରା ଉଡାଇ ଦେଇଥିଲେ । ଏହାପରେ ସେମାନେ ଗୁରୁଦ୍ୱାରା ମଧ୍ୟକୁ ପ୍ରବେଶ କରି ଆଖିବୁଜା ଗୁଳିମାଡ କରିଥିଲେ । ପ୍ରାୟ ୨୦ ମିନିଟ୍ ଧରି ଆକ୍ରମଣ ହୋଇଥିଲେ ।

ମାତ୍ର କେଇ ମାସ ମଧ୍ୟରେ ୫ମ ଆକ୍ରମଣ

ଗତ କେଇ ମାସ ମଧ୍ୟରେ ଶିଖ୍ ସମ୍ପ୍ରଦାୟ ଉପରେ ଏହା ପଂଚମ ଆକ୍ରମଣ । ଏହି ସବୁ ଆକ୍ରମଣ ମଧ୍ୟରୁ ଅଧିକାଂଶର ଉତ୍ତରଦାୟୀତ୍ୱ ଇସଲାମିକ୍ ଷ୍ଟେଟ୍ ନେଇଛି । ମାର୍ଚ୍ଚ ୨୦୨୦ରେ ଗୁରୁଦ୍ୱାରା ହର ରାଇ ସାହିବ ଉପରେ ହୋଇଥିବା ଆକ୍ରମଣରେ ୨୫ ଜଣ ପ୍ରାଣ ହରାଇଥିଲେ । ଅନ୍ୟପକ୍ଷରେ ୨୦୧୮ରେ ଜଲାଲାବାଦରେ ହୋଇଥିବା ଆକ୍ରମଣରେ ୧୯ ଜଣ ପ୍ରାଣ ହରାଇଥିଲେ ।

ତାଲିବାନ ରାଜରେ ମାତ୍ର ୧୪୦ ଶିଖ

ତାଲିବାନ ଶାସନକୁ ପୁଣିଥରେ ଫେରିବା ପରେ ଆଫଗାନୀ ହିନ୍ଦୁ ଓ ଶିଖ ଦେଶ ଛାଡିବା ଆରମ୍ଭ କରିଥିଲେ । ନିଜ ଶାସନର ବୈଧତା ଚାହୁଁଥିବା ତାଲିବାନ ଏବେ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବା କଥା କହୁଛି କିନ୍ତୁ ତାଲିବାନ ବିରୋଧରେ ମୋର୍ଚ୍ଚା ଖୋଲିଥିବା ଇସଲାମିକ୍ ଷ୍ଟେଟ୍ ଦେଶର ସଂଖ୍ୟାଲଘୁଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଛି । ଫଳରେ ଆଫଗାନିସ୍ତାନରୁ ସଂଖ୍ୟାଲଘୁ ହିନ୍ଦୁ ଓ ଶିଖ ପଳାୟନ କରୁଛନ୍ତି । ଏକ ହିସାବ ଅନୁସାରେ ଏବେ ଆଫଗାନିସ୍ତାନରେ ମାତ୍ର ୧୪୦ ଜଣ ଶିଖ ଅଛନ୍ତି । ଜଲାଲାବାଦ ଓ ରାଜଧାନୀ କାବୁଲରେ ଏହି ୧୪୦ ଜଣ ଶିଖ ରହୁଥିବା କୁହାଯାଉଛି ।