ହାୱଡାରେ ଏକ କାରରୁ ବିପୁଳ ମାତ୍ରାରେ ଟଙ୍କା ଜବତ, ଗଣିବା ପାଇଁ ମଗାଗଲା ମେସିନ

କୋଲକାତା: ପଶ୍ଚିମବଙ୍ଗର ହାୱଡା ସ୍ଥିତ ରାଣୀହାଟି ଛକରେ ଏକ କାରରୁ ପୁଳା ପୁଳା ଟଙ୍କା ଜବତ । ପୋଲିସ ଏକ କାରକୁ ଅଟକାଇ କାରରେ ଥିବା ପଛ ପଟ ସିଟକୁ ଖୋଲିଥିଲେ । ସେଥିରୁ ବ୍ୟାପକ ପରିମାଣରେ ଟଙ୍କା ଜବତ ହୋଇଛି । କାରରେ ଝାଡ଼ଖଣ୍ଡର ତିନି ଜଣ ବିଧାୟକ ବସିଥିଲେ । କାରରେ କଂଗ୍ରେସ ବିଧାୟକ ଇର୍ଫାନ ଅନସାରୀଙ୍କ ନା ଲେଖା ହୋଇଛି । ଏହି ଟଙ୍କା ନେଇ ସେମାନେ ମେଦିନୀପୁର ଯାଉଥିଲେ ।

ଟଙ୍କା କାହାର ବୋଲି କହିନାହାଁନ୍ତି ବିଧାୟକ । ଟଙ୍କା ଗଣିବା ପାଇଁ ବ୍ୟାଙ୍କରୁ ଟଙ୍କା ଗଣିବା ମେସିନ ମଗାଯାଇଛି । ତିନି ବିଧାୟକଙ୍କୁ ପୋଲିସ ଅଟକ ରଖିଛି । ଏସପି ସ୍ୱାତୀ ଭଙ୍ଗାଲିଆ କହିଛନ୍ତି, ଶନିବାର ରାତିରେ ବିଧାୟକଙ୍କ ଗାଡିକୁ ପାଞ୍ଚଲା ଥାନା ଅନ୍ତର୍ଗତ ରାଣୀହାଟି ଛକ ପାଖରେ ଅଟକାଯାଇଥିଲା । ଗାଡିର ତଦନ୍ତ ସମୟରେ ବିପୁଳ ମାତ୍ରାରେ ଟଙ୍କା ମିଳିଥିଲା ।

ତେବେ ଏହି ଗାଡ଼ିରେ ଝାଡଖଣ୍ଡ କଂଗ୍ରେସର ତିନି ବିଧାୟକ ଇରଫାନ ଅଂସାରୀ, ରାଜେଶ କଚ୍ଛପ ଏବଂ ନମନ ଭିକ୍ସଲ କୋଙ୍ଗାଡିଙ୍କ ସହିତ ଅନ୍ୟ ଦୁଇ ଜଣ ବସିଥିଲେ । ତେବେ ଗାଡିରେ କେତେ ପରିମାଣର ଟଙ୍କା ରହିଛି ତାହା ଗଣିବା ବର୍ତ୍ତମାନ ପୋଲିସ ପକ୍ଷରେ ସମ୍ଭବ ହୋଇନାହିଁ । ସେଥିପାଇଁ ବ୍ୟାଙ୍କ ଅଧିକାରୀଙ୍କୁ ସୂଚନା ଦିଆଯାଇଛି । ବ୍ୟାଙ୍କ କର୍ମଚାରୀ ମେସିନ ସହାୟତାରେ ଟଙ୍କା ଗଣିବା ପରେ କେତେ ଟଙ୍କା ଅଛି ତାହା ସ୍ପଷ୍ଟ ଜଣାପଡିବ ।