ପାଟନା କଲେଜରେ ଛାତ୍ରଙ୍କ ବିରୋଧର ଶିକାର ହେଲେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା

ପଟନା: ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଛାତ୍ରମାନଙ୍କ ବିରୋଧର ଶିକାର ହୋଇଛନ୍ତି । ପାଟନା କଲେଜରେ ଛାତ୍ର ସଂଗଠନ ଏଆଇଏସଏ ଜେପି ନଡ୍ଡାଙ୍କ ବିରୋଧରେ ନାରାବାଜୀ କରିଛି । ଏଥିସହିତ ତାଙ୍କ କାରକୁ ଘେରିଯାଇଥିଥିଲେ । ଏହି ସମୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଶନିବାର ଜେପି ନଡ୍ଡା କଲେଜରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ ।

ସେ କ୍ୟାମ୍ପସରେ ପହଞ୍ଚିବା କ୍ଷଣି ଛାତ୍ରମାନେ ତାଙ୍କ ବିରୋଧରେ ନାରାବାଜୀ ଆରମ୍ଭ କରିଦେଇଥିଲେ । ସ୍ଥିତି ବିଗିଡିବାରୁ ଜେପି ନଡ୍ଡା ଫେରିଯାଇ ନିଜ କାରରେ ବସିଥିଲେ । ଏହା ପରେ ମଧ୍ୟ ଛାତ୍ରମାନେ ତାଙ୍କ ଗାଡ଼ିକୁ ଘେରି ବିରୋଧ ପ୍ରଦର୍ଶନ କରିଥିଲେ । କିଛି ସୁରକ୍ଷା କର୍ମୀମାନେ ମଧ୍ୟ ଉତ୍ୟକ୍ତ ଛାତ୍ରଙ୍କୁ ବୁଝାସୁଝା କରୁଥିବାର ଦେଖାଯାଇଛି । କଲେଜରେ ଅନେକ ସମସ୍ୟା ଥିବା ନେଇ ସେମାନେ ବିରୋଧ ପ୍ରଦର୍ଶନ କରିଥିବା କୁହାଯାଉଛି । ତେବେ ଜେପି ନଡ୍ଡା ମଧ୍ୟ ପାଟନା କଲେଜରେ ପାଠ ପଢିସାରିଛନ୍ତି ।

ବିହାରରେ ଏନଡିଏ ମେଣ୍ଚ ସରକାର ଥିଲା ବେଳେ ବିରୋଧ ପ୍ରଦର୍ଶନ ଘଟଣା ଅନେକ କିଛି ଇସାରା କରୁଛି । ରାଜ୍ୟ ସରକାର ଓ ପୋଲିସକୁ ଏହି ବିରୋଧ ପ୍ରଦର୍ଶନ ଏବଂ ନାରାବାଜୀ ସମ୍ପର୍କରେ କିପରି ପୂର୍ବରୁ କୌଣସି ସୂଚନା ନଥିଲା ତାକୁ ନେଇ ପ୍ରଶ୍ନ ଉଠିଛି  । ସୂଚନା ଥାଉକି ଗତ କିଛିଦିନ ହେବ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜନତା ଦଳ ୟୁନାଇଟେଡ (ଜେଡିୟୁ) ଏବଂ ବିଜେପି ମଧ୍ୟରେ ମତଭେଦ ଦେଖା ଦେଇଛି । ବିଜେପି ଠାରୁ ନୀତିଶ ଦୂରତା ଅବଲମ୍ବନ କରୁଥିବାର ଦେଖାଯାଇଛି  । ଆଜିର କାର୍ଯ୍ୟକ୍ରମରେ ମଧ୍ୟ ମୁଖ୍ୟମନ୍ତ୍ରୀ ନୀତିଶ ଜେପି ନଡ୍ଡାଙ୍କ ସହ ସାମିଲ ହୋଇନଥିଲେ ।