ତାଇୱାନ ପ୍ରସଙ୍ଗରେ ହସ୍ତକ୍ଷେପ ନକରିବାକୁ ବାଇଡେନଙ୍କୁ ଜିନପିଙ୍ଗଙ୍କ ଚେତାବନୀ

1 min read

ନନ୍ଦିଘୋଷ ବ୍ୟୁରୋ: ତାଇଓ୍ବାନ ପ୍ରସଙ୍ଗରେ ହସ୍ତକ୍ଷେପ ନ କରିବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଚୀନ ପ୍ରତିପକ୍ଷ ସି ଜିନପିଙ୍ଗଙ୍କ ଚେତାବନୀ । ବାଇଡେନଙ୍କ ସହ ତାଇଓ୍ବାନ ପ୍ରସଙ୍ଗରେ ଆଲୋଚନା ବେଳେ ଜିନପିଙ୍ଗ କହିଛନ୍ତି- ତାଇଓ୍ବାନ ଚୀନର ଅଂଶବିଶେଷ । ଏହାକୁ ନେଇ କୌଣସି ବାହ୍ୟ ରାଷ୍ଟ୍ର ହସ୍ତକ୍ଷେପ କରିବା ଅନୁଚିତ । କିଛି ଦିନ ମଧ୍ୟରେ ଆମେରିକା ସ୍ପିକର ନାନସି ପେଲୋସି ତାଇଓ୍ବାନ ଗସ୍ତ କରିବା ପୂର୍ବରୁ ଏହି ଚେତାବନୀ ଦେଇଛନ୍ତି ଜିନପିଙ୍ଗ ।

ସେପଟେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ନେଇ ଅଗ୍ରଗତି ସମ୍ଭବ ହୋଇପାରିନାହିଁ । ତେବେ ଦୁଇ ଦେଶର ନେତୃତ୍ବସ୍ତରରେ ପୁନଃଆଲୋଚନା ଲାଗି ଖୁବ୍ ଶୀଘ୍ର କ୍ଷେତ୍ର ପ୍ରସ୍ତୁତ କରାଯାଉଛି ବୋଲି କହିଛି ଆମେରିକା । ପେଲୋସିଙ୍କ ସମ୍ଭାବ୍ୟ ଗସ୍ତକୁ ବିରୋଧ କରିଛି ଚୀଚନ । ତାଇଓ୍ବାନ ସହ ଆମେରିକାର ବୈଦୈଶିକ ସମ୍ପର୍କକୁ ବିରୋଧ କରିଛି ଚୀନ । ଚୀନ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି- ସୀମାଗତ ସଂହତି ଓ ଜାତୀୟ ସାର୍ବଭୌମତ୍ବକୁ ଚୀନ ଗୁରୁତ୍ବ ଦିଏ ଏବଂ ଦେଶର ୧୪୦ କୋଟି ଲୋକ ଏହା ଚାହିଁଥାନ୍ତି । ଯେଉଁମାନେ ନିଆଁ ସହ ଖେଳିବେ ସେମାନେ ସେହି ନିଆଁରେ ଧ୍ବଂସ ପାଇଯିବେ ।

ବିଗତ ୧୯୪୯ରେ ଏକ ଗୃହଯୁଦ୍ଧରେ ଚୀନ ଓ ତାଇଓ୍ବାନ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ । ତେବେ ତାଇଓ୍ବାନକୁ ଚୀନ ନିଜର ବୋଲି ଦାବି କରୁଥିବାବେଳେ ତାଇଓ୍ବାନ ନିଜକୁ ଏକ ସାର୍ବଭୌମ ରାଷ୍ଟ୍ର ବୋଲି ଘୋଷଣା କରିଆସୁଛି । ସେପଟେ ତାଇଓ୍ବାନ ସହ ଆମେରିକାର ସମ୍ପର୍କକୁ ଚୀନ ବିରୋଧ କରୁଛି । ତେଣେ ଚୀନ ଓ ଆମେରିକା ମଧ୍ୟରେ ବିବାଦ ବଢୁଥିବାବେଳେ ତାଇଓ୍ବାନରେ ସମରାଭ୍ୟାସ ତ୍ବରାନ୍ବିତ ହୋଇଛି । ପିଙ୍ଗତୁଙ୍ଗ ଅଞ୍ଚଳରେ ତାଇଓ୍ବାନ ପ୍ରତିରକ୍ଷା ବାହିନୀର ଲାଇଭ-ଫାୟାର ଡ୍ରିଲ ଜାରି ରହିଛି ।