ଚିନ୍ତା ବଢ଼ାଉଛି ମଙ୍କିପକ୍ସ: ୨୪ ଘଣ୍ଟାରେ ସ୍ପେନରେ ୨ ସଂକ୍ରମିତଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ଚିନ୍ତା ବଢ଼ାଇଲା ମଙ୍କିପକ୍ସ । ଆଫ୍ରିକା ବାହାରେ ୟୁରୋପରେ ପ୍ରଥମ ଥର ଲାଗି ଘଟିଛି ମଙ୍କିପକ୍ସଜନିତ ମୃତ୍ୟୁ । ୨୪ ଘଣ୍ଟାରେ ସ୍ପେନରେ ୨ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ତେଣେ ବ୍ରାଜିଲରେ ଜଣେ ୪୧ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ସ୍ପେନରେ ବର୍ତ୍ତମାନ ୩ ହଜାର ୭୫୦ ସଂକ୍ରମିତ ଥିବାବେଳେ ୧୨୦ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୃତ ଦୁଇ ଜଣ ଯାକ ଯୁବକ ବୋଲି ସୂଚନା ମିଳିଛି ।

ସେପଟେ ବିଶ୍ବରେ କାୟା ମେଲାଉଛି ମଙ୍କିପକ୍ସ । ବଢୁଛି ବିଭିନ୍ନ ସଂକ୍ରମିତ ଦେଶଙ୍କ ସଂଖ୍ୟା । ଆମେରିକା ନ୍ୟୁୟର୍କରେ ମଙ୍କିପକ୍ସକୁ ଜରୁରୀକାଳୀନ ବିପର୍ଯ୍ୟୟ ଘୋଷଣା କରାଯାଇଛି । ଆମେରିକା ରୋଗ ନିୟନ୍ତ୍ରଣ ଓ ନିରାକରଣ ବା ସିଡିସିର ତଥ୍ୟ ଅନୁସାରେ ଦେଶରେ ମୋଟ ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା ହୋଇଛି ୩ ହଜାର ୫୮୭ । ଗତ ଶନିବାର ମଙ୍କିପକ୍ସକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବିଶ୍ବ ସ୍ବାସ୍ଥ୍ୟ ଏମର୍ଜେନସି ଘୋଷଣା କରିଥିଲା ।

ଆମେରିକା, କାନାଡା ଆଦି ଦେଶର ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏହାକୁ ନେଇ ଚିନ୍ତା ପ୍ରକାଶ କରାଯାଇଛି । ବର୍ତ୍ତମାନ ସୁଦ୍ଧା ବିଶ୍ବରେ ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା ୨୧ ହଜାର ୧୪୮ ହୋଇଛି । ତେଣେ ଭାରତର ପ୍ରଥମ ସଂକ୍ରମିତ ବ୍ୟକ୍ତି ହୋଇଛନ୍ତି ସମ୍ପୂର୍ଣ୍ଣ ସୁସ୍ଥ । କେରଳ କୋଲମର ଏହି ବ୍ୟକ୍ତି ସରକାରୀ ମେ଼ଡିକାଲ କଲେଜରୁ ଡିସଚାର୍ଜ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ । ସେ ୟୁଏଇରୁ ଆସି ସଂକ୍ରମିତ ହୋଇଥିଲେ ।