ରାଜ୍ଯଗୋଷ୍ଠୀ କ୍ରୀଡା: ଇତିହାସ ରଚିଲେ ମୀରାବାଇ ଚାନୁ, ଭାରତକୁ ଦେଲେ ପ୍ରଥମ ସ୍ୱର୍ଣ୍ଣ ପଦକ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାର ଦ୍ୱିତୀୟ ଦିନରେ ଭାରତକୁ ତୃତୀୟ ସଫଳତା ମିଳିଛି । ଭାରତକୁ ପ୍ରଥମ ସ୍ୱର୍ଣ୍ଣ ମିଳିଛି । ଦ୍ୱିତୀୟ ଦିନରେ ଭାରତ୍ତୋଳନରେ ଭାରତକୁ ତିନୋଟି ପଦକ ମିଳିଛି । ପ୍ରଥମେ ସଙ୍କେତ ମହାଦେବ ରୌପ୍ୟ ପଦକ,  ଗୁରୁରାଜା ପୂଜାରି କାଂସ୍ୟ ପଦକ ଜିତିବା ପରେ ଏବେ ଷ୍ଟାର ୱେଟଲିଫ୍ଟର ମୀରାବାଇ ଚାନୁ ସ୍ୱର୍ଣ୍ଣ ଜିତିଛନ୍ତି । ଭାରତର ମେଡାଲ ଟାଲି ଏବେ ୩କୁ ବୃଦ୍ଧି ପାଇଛି । ମୀରାବାଇ ଚାନୁ ୪୯ କେଜି ମହିଳା ବର୍ଗରେ ଏହି ପଦକ ଜିତିଛନ୍ତି ।

ଅଲିମ୍ପିକରେ ରୌପ୍ୟ ପଦକ ଜିତିଥିବା ମୀରା ଏବେ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛନ୍ତି । ମୀରାବାଇ ଚାନୁ କ୍ଲୀନ ଆଣ୍ଡ ଜର୍କର ନିଜ ପ୍ରଥମ  ପ୍ରୟାସରେ ୧୦୯ କିଗ୍ରା ଓଜନ ଉଠାଇଥିଲେ । ସ୍ନାଚର ନିଜର ତୃତୀୟ ପ୍ରୟାସରେ ୯୦ କିଗ୍ରା ଓଜନ ଉଠାଇ ପାରିନଥିଲେ । ୮୮ କିଗ୍ରା ସର୍ବାଧିକ ଓଜନ ଉଠାଇଥିଲେ । ଏହା ପ୍ରତିଯୋଗିତାରେ ଶ୍ରେଷ୍ଠ ଭାବେ ଗଣାଯାଇଥିଲା । ତେଣୁ ସେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ବିଜୟୀ ହୋଇଛନ୍ତି । ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ସହ ଭାରତ ମେଡାଲ ଟାଲିର ୭ମ ସ୍ଥାନରେ ରହିଛି । ସେହିପରି ଅଷ୍ଟ୍ରେଲିଆ ୨୦ ପଦକ ସହ ପ୍ରଥମ ସ୍ଥାନରେ ରହିଛି ।