spot_img
Home Blog Page 4235

ଅମରାବତୀ ଔଷଧ ବିକ୍ରେତା ହତ୍ୟା ମାମଲା, ଆତଙ୍କବାଦୀ ଘଟଣା ଭାବେ ଏତଲା ଦାୟର କଲା NIA

ଅମରାବତୀ: ମହାରାଷ୍ଟ୍ର ଅମରାବତୀର ଔଷଧ ବିକ୍ରେତା ଉମେଶ ପ୍ରହ୍ଲାଦରାଓ କୋହ୍ଲେଙ୍କୁ ହତ୍ୟାକୁ ଆତଙ୍କବାଦୀ ଘଟଣା ଭାବେ ଏତଲା ଦାୟର କରିଛି NIA । ଭାରତର ଏକ ବର୍ଗର ଲୋକଙ୍କୁ ଆତଙ୍କିତ କରିବା ଉଦ୍ଦେଶ୍ୟରେ ଏହି ହତ୍ୟା କରାଯାଇଛି ବୋଲି ଏନଆଇଏ ଦର୍ଶାଇଛି । ଉମେଶ କୋହ୍ଲେଙ୍କ ହତ୍ୟା କୌଣସି ବିଦେଶୀ ଷଡଯନ୍ତ୍ରର ଅଂଶ କି ନାହିଁ, ସେ ନେଇ ମଧ୍ୟ ତଦନ୍ତ କରିବ ଏନଆଇଏ ।

ନୂପୁର ଶର୍ମାଙ୍କୁ ସମର୍ଥନ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିବାରୁ ଉମେଶଙ୍କୁ ଗତମାସ ୨୧ ତାରିଖରେ ଗଳାକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି । ଗତକାଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ଘଟଣାର ତଦନ୍ତ ପାଇଁ ଏନଆଇଏକୁ ନିର୍ଦ୍ଦେଶ ଦେଇଥିଲା । ଏନଆଇଏର ତିନିଜଣିଆ ଟିମ୍ ଅମରାବତୀ ଯାଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି । ଉଦୟପୁରରେ ଦରଜୀ କହ୍ନେୟାଲାଲଙ୍କୁ ହତ୍ୟା କରିବାର ୭ ଦିନ ପୂର୍ବରୁ ଅମରାବତୀରେ ଉମେଶଙ୍କୁ ହତ୍ୟା କରାଯାଇଥିଲା ।

ପାରିବାରିକ ବିବାଦରୁ ସ୍ତ୍ରୀକୁ ପନିକିରେ ହାଣିଲା ସ୍ୱାମୀ

କାମାକ୍ଷାନଗର: ପାରିବାରିକ ବିବାଦରୁ ସ୍ତ୍ରୀକୁ ପନିକିରେ ହାଣିଲା ସ୍ବାମୀ । କାମାକ୍ଷାନଗର ଥାନା ପଥରଖୁମ୍ବ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ସ୍ତ୍ରୀକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଢେଙ୍କାନାଳ ପଥରଖୁମ୍ବ ଗାଁର ପ୍ରମୋଦ ରାଉତରାୟ ରାଜମିସ୍ତ୍ରୀ ଭାବେ ଢେଙ୍କାନାଳରେ କାମ କରୁଥିଲେ । ଗତକାଲି କାମରୁ ଫେରି ପ୍ରମୋଦ ଘରକୁ ଆସିଥିବା ବେଳେ କୌଣସି କାରଣକୁ ନେଇ ସ୍ତ୍ରୀଙ୍କ ସହ ବଚସା ହୋଇଥିଲା l ଏଥିରେ ଉତକ୍ଷିପ୍ତ ହୋଇ ପ୍ରମୋଦ ନିକଟରେ ଥିବା ଏକ ପନିକିରେ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ ।

ପନିକି ଚୋଟରେ ସ୍ତ୍ରୀ ମଲାଋଣିଙ୍କ ଗୋଡ଼ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ କିଛି ସ୍ଥାନୀୟ ଲୋକ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଛନ୍ତି । କାମାକ୍ଷାନଗର ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ, ଅଭିଯୁକ୍ତ ସ୍ବାମୀ ଫେରାର ହୋଇଯାଇଛି ।

ଫସିଲେ କପିଲ ଶର୍ମା, ଶୋ’ର ପ୍ରଯୋଜକ ଆଣିଲେ ବଡ଼ ଅଭିଯୋଗ ।

ନୂଆଦିଲ୍ଲୀ: କପିଲ ଶର୍ମା ଶୋ’ ଦେଖିବାକୁ କାହାକୁ ବା ପସନ୍ଦ ନୁହେଁ  । ବଲିଉଡ୍ ଇଣ୍ଡଷ୍ଟ୍ରିର ଜଣେ ଜଶାଶୁଣା ହାସ୍ୟ ଅଭିନେତା ମାନଙ୍କ ମଧ୍ୟରୁ ଜଣେ ହେଲେ କପିଲ ଶର୍ମା । କପିଲଙ୍କ କମେଡି ଶୋ’ ବର୍ଷ ବର୍ଷ ଧରି ଲୋକ ମାନଙ୍କୁ ହସାଇ ଆସିଛି ।  ଏବେ କିଛି ଦିନ ହେବ ସେ ନିଜ ଟିମ୍ ସହ କାନାଡ଼ାରେ ଅଛନ୍ତି । ସେଠାରେ ଭିନ୍ନ ଭିନ୍ନ ସ୍ଥାନରେ ଲାଇଭ ଶୋ କରୁଛନ୍ତି । ବର୍ତ୍ତମାନ ଶୁଣିବାକୁ ମିଳିଛି ଯେ  କପିଲ ଏବେ ଏକ ବଡ଼ ସମସ୍ୟାରେ ଫସି ଯାଇଛନ୍ତି ।

କୁହାଯାଉଛି ଯେ, ହାସ୍ୟ ଅଭିନେତା କପିଲଙ୍କ ନାଁରେ ମାମଲା ରୁଜୁ କରାଯାଇଛି  । ଆମେରିକାର ଜଣେ ଜଣାଶୁଣା ପ୍ରଯୋଜକ ଅମିତ ଜେଟଲୀ  କପିଲଙ୍କ ନାଁରେ ଚୁକ୍ତି ଭଙ୍ଗ ଅଭିଯୋଗରେ ମାମଲା ଦାୟର କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ,  ୨୦୧୫ ମସିହାରେ କପିଲ ଆମେରିକାର ୬ଟି ଜାଗାରେ ତାଙ୍କ ଶୋ’ ଦେଖାଇବାକୁ କଣ୍ଟ୍ରାକ୍ଟ ସାଇନ କରିଥିଲେ, ହେଲ ସେ ୬ଟି ସ୍ଥାନ ବଦଳରେ ୫ଟି ସ୍ଥାନରେ ଶୋ’ ଦେଖାଇଥିଲେ । କିନ୍ତୁ ଜେଟଲିଙ୍କ କହିବା ଅନୁଯାୟୀ କପିଲ ତାଙ୍କୁ କଥା ଦେଇଥିଲେ ଯେ ସେ ଯେଉଁ ଗୋଟିଏ ଶୋ କରିପାରି ନାହାନ୍ତି, ତାହାର କ୍ଷତି ପୂରଣ  ସେ କରିବେ ବୋଲି କହିଥିଲେ । ହେଲେ ପରେ ସେ ଏହା ବଦଳରେ କୌଣସି ଶୋ’ ପ୍ରଦର୍ଶନ କରି ନାହାନ୍ତିଁ ଏବଂ କୋର୍ଟଙ୍କ ଆଗରେ ଅନେକଥର ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ମଧ୍ୟ କରିନାହାନ୍ତି ବୋଲି ଅମିତ ଅଭିଯୋଗ କରିଛନ୍ତି ।

ଏହା ପରେ ସେ ସୂଚନା ଦେଇଛନ୍ତି ଯେ, ଏହି ମାମଲାକୁ ନ୍ୟୁୟର୍କ କୋର୍ଟରେ ବିଚାରଧୀନ ଅଛି ।  କପିଲ ଶର୍ମାଙ୍କ ବିରୋଧରେ ନିଶ୍ଚିତ ଭାବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବେଲି ମଧ୍ୟ କହିଛନ୍ତି । ବର୍ତ୍ତମାନ କପିଲ ଶୋ’ ପାଇଁ କାନାଡ଼ା ଯାଇଛନ୍ତି । କୃଷ୍ଣା ଅଭିଷେକ, ରାଜୀବ ଠାକୁର, କିକୁ ଶାରଦା, ସୁମୋନା ଚକ୍ରବର୍ତ୍ତୀ ଏବଂ ଚନ୍ଦନ ପ୍ରଭାକରଙ୍କ ସହ ସେ କାନାଡ଼ାରେ ଲାଇଭ ଶୋ’ କରୁଛନ୍ତି ।

ବିଜେପି ପ୍ରାର୍ଥୀ ରାହୁଲ ନାର୍ଭେକର ମହାରାଷ୍ଟ୍ର ବାଚସ୍ପତି ନିର୍ବାଚିତ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାର ନୂଆ ବାଚସ୍ପତି ହୋଇଛନ୍ତି ରାହୁଲ ନାର୍ଭେକର । MVA ପ୍ରାର୍ଥୀ ରାଜନ ସାଲଭିଙ୍କୁ ପରାସ୍ତ କରି ନୂଆ ବାଚସ୍ପତି ହୋଇଛନ୍ତି ରାହୁଲ । ବାଚସ୍ପତି ଥିବା ନାନା ପାଟୋଲ କଂଗ୍ରେସର ରାଜ୍ୟ ସଭାପତି ହେବା ପରଠାରୁ ବାଚସ୍ପତି ପଦବି ଖାଲିଥିଲା । ଉପବାଚସ୍ପତି ନରହରି ଜିରଓ୍ବାଲ କାମଚଳା ବାଚସ୍ପତି ଭାବେ କାର୍ଯ୍ୟ କରୁଥିଲେ । ବାଚସ୍ପତି ପଦ ପାଇଁ ଶିବସେନା ବିଧାୟକ ରାଜନ ସାଲଭି ନାମାଙ୍କନ ଭରିଥିବାବେଳେ ବିଜେପି ପକ୍ଷରୁ ନାମାଙ୍କନ ଭରିଥିଲେ ରାହୁଲ ନାର୍ଭେକର । ନିଜ ପ୍ରାର୍ଥୀଙ୍କୁ ଭୋଟ ଦେବା ଲାଗି ଦଳୀୟ ବିଧାୟକଙ୍କ ଉଦ୍ଦେଶ୍ୟରେ ହୁଇପ ଜାରି କରିଥିଲେ ଶିବସେନା ନେତା ଉଦ୍ଧବ ଠାକରେ ।

ସେପଟେ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ବିଦ୍ରୋହୀ ବିଧାୟକ ଓ ଏପରିକି ଆଦିତ୍ୟ ଠାକରେଙ୍କୁ ହୁଇପ ଜାରି କରିଥିଲେ ଏକନାଥ । ଆଇନ ବିଶାରଦଙ୍କ ମତରେ ୧୬ ବିଦ୍ରୋହୀ ବିଧାୟକଙ୍କ ସଦସ୍ୟତା ରଦ୍ଦ ଲାଗି ଯେଉଁ ପ୍ରକ୍ରିୟା ଜାରି ରହିଛି ତାହାକୁ ରଦ୍ଦ କରିପାରନ୍ତି ନୂଆ ବାଚସ୍ପତି । ଗତ ମାସରେ ଏହି ଅଯୋଗ୍ୟ ନୋଟିସ ଜାରି କରିଥିଲେ ଉପବାଚସ୍ପତି । ଆସନ୍ତାକାଲି ଗୃହରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଲାଗି ସମସ୍ତ କ୍ଷେତ୍ର ପ୍ରସ୍ତୁତ ହୋଇଥିବାବେଳେ ବିଜୟ ଲାଗି ଆଶା ବାନ୍ଧିଛନ୍ତି ଏକନାଥ ସିନ୍ଦେ ।

 

 

ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଲା ବସ୍, ୨୦ରୁ ଅଧିକ ଯାତ୍ରୀ ଆହତ

ଖୋର୍ଦ୍ଧା: ଖୋର୍ଦ୍ଧା ବାଘମାରି ସିମୋର ରାସ୍ତାରେ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିପଡ଼ିଲା ବାଙ୍କୀରୁ ଭୁବନେଶ୍ୱର ଆସୁଥିବା ଘରୋଇ ବସ୍ । ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ଅଛନ୍ତି । ଘଟଣାସ୍ଥଳରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ସୂଚନା ଅନୁସାରେ, ବାଙ୍କିରୁ ଭୁବନେଶ୍ୱର ଆସୁଥିବା ଲିଙ୍ଗରାଜ ନାମକ ଘରୋଇ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣା ବସରେ ଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକ ଏବଂ ଆମ୍ବୁଲାନ୍ସ ସମସ୍ତ ଆହତ ଯାତ୍ରୀଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଛନ୍ତି । ସମସ୍ତ ଯାତ୍ରୀ ବାଙ୍କୀ, ପୋଦଦିହାରୁ ଆସୁଥିଲେ । ୫ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ପଠାଯାଇଛି ।

ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ପାଇଁ ପହଞ୍ଚିଲେ ASIର ବୈଷୟିକ ଟିମ୍

ପୁରୀ: ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ପାଇଁ ପହଞ୍ଚିଲେ ASIର ବୈଷୟିକ ଟିମ୍ । ଆଇଆଇଟି ଚେନ୍ନାଇର ପ୍ରଫେସର ଅରୁଣ ମେନନ, ଦିଲ୍ଲୀର କଞ୍ଜରଭେସନ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଭିମା, ଏଏସଆଇ ଓଡ଼ିଶା ମୁଖ୍ୟ ଅରୁଣ ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ସାମିଲ ଅଛନ୍ତି । କେମିକାଲ ଇଞ୍ଜିନିୟର ରଞ୍ଜନା ପୁଷ୍କର, ରାଜ୍ୟ ପୂର୍ତ୍ତ ବିଭାଗ ଅଧିକାରୀ ମଧ୍ୟ ଟିମରେ ସାମିଲ ଅଛନ୍ତି । ଗର୍ଭଗୃହ ଭିତରେ ଥିବା ଅବସ୍ଥା ତଥା କଳାହାଟ ଦ୍ୱାରରେ ରୂପା ଛାଉଣୀ ଲଗାଯିବା ସମ୍ପର୍କରେ ଅନୁଧ୍ୟାନ କରିବ ଟିମ୍ । ରଥଯାତ୍ରା ସମୟରେ ପ୍ରତିବର୍ଷ ବୈଷୟିକ ଟିମ୍ ଦ୍ୱାରା ଗର୍ଭଗୃହ ଯାଞ୍ଚ ଓ ଆବଶ୍ୟକୀୟ ମରାମତି କରାଯାଇଥାଏ ।

ପୁଣି ଉପରମୁହାଁ କରୋନା ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୪୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କରୋନା । ଦିନକୁ ଦିନ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୦୨ କେସ୍ ରିପୋର୍ଟ ହୋଇଥିବା ବେଳେ ୧୪୪ ଲୋକାଲ କେସ୍ ଚିହ୍ନଟ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୯ କେସ୍ ରିପୋର୍ଟ ହୋଇଛି । ଖୋର୍ଦ୍ଧା ପରେ ଦ୍ୱିତୀୟରେ ରହିଛି କଟକ । କଟକରୁ ଦିନକରେ ୫୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ ପୁଲରୁ ୪୧, ସୁନ୍ଦରଗଡ଼ରେ ୧୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ଦେଶରେ ଗତ ୨୪ ଘଣ୍ଟାରେ ୧୬ହଜାର ୧୦୩ କେସ୍ ଚିହ୍ନଟ ହୋଇଥିବା ବେଳେ ୩୧ ଜଣଙ୍କର ମୃତ୍ୟୁ  ହୋଇଛି । ଏହି ସଂଖ୍ୟାକୁ ମିଶାଇ ଦେଶରେ ଦୈନିକ ପଜିଟିଭିଟି ହାର ୪.୨୭ରେ ହୋଇଛି ।

ରାଜ୍ୟରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲାରୁ ୭ଜଣ, ଭଦ୍ରକ ଜିଲ୍ଲାରୁ ୪ଜଣ, କଟକ ଜିଲ୍ଲାରୁ ୫୧ଜଣ, ଢେଙ୍କାନାଳ ଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ଜଣେ, ଜଗତସିଂହପୁର ଜିଲ୍ଲାରୁ ୭ଜଣ, ଯାଜପୁର ଜିଲ୍ଲାରୁ ୪ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨ଜଣ, କଳାହାଣ୍ଡି ଜିଲ୍ଲାରୁ ଜଣେ, କେନ୍ଦୁଝର ଜିଲ୍ଲାରୁ ଜଣେ, ଖୋର୍ଦ୍ଧା ଜିଲ୍ଲାରୁ ୧୮୯ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨ଜଣ, ନୟାଗଡ଼ ଜିଲ୍ଲାରୁ ଜଣେ, ନୂଆପଡ଼ା ଜିଲ୍ଲାରୁ ୭ଜଣ, ପୁରୀ ଜିଲ୍ଲାରୁ ୪ଜଣ, ରାୟଗଡ଼ା ଜିଲ୍ଲାରୁ ୫ଜଣ, ସମ୍ବଲପୁର ଜିଲ୍ଲାରୁ ୫ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୩ଜଣ, ଷ୍ଟେଟ ପୁଲ୍‌ରୁ ୪୧ଜଣ ରହିଛନ୍ତି ।

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା, ଶୋକାକୁଳ ପରିବେଶରେ ହେଲା ଶେଷକୃତ୍ୟ

ଭୁବନେଶ୍ୱର: ଯେଉଁ ହାତରେ ନିଜ ଝିଅକୁ ପାଳି ପୋଷି ବଡ଼ କରିଥିଲେ, ସେହି ହାତରେ ତାକୁ ଶ୍ମଶାନରେ ପୋଡ଼ି ଦେଇ ଆସିଲେ । ବିଜେବି କଲେଜର କାରୁବାକି ହଷ୍ଟେଲ ୨୦୧ ନମ୍ବର ରୁମରୁ ଯୁକ୍ତ ୩ ପ୍ରଥମ ବର୍ଷର ଇତିହାସ ବିଭାଗର ଛାତ୍ରୀ ରୁଚିକା ମହାନ୍ତିଙ୍କ ଶେଷକୃତ୍ୟ ତାଙ୍କ ଗାଁ କଟକ ଜିଲ୍ଲା କଖଡିରେ ସଂପନ୍ନ ହୋଇଛି । ସେ ଛୋଟ ବେଳୁ ଜଣେ ମେଧାବି ଛାତ୍ରୀ ଥିଲେ । ତାଙ୍କର କ୍ୟାରିୟରକୁ ନେଇ ପରିବାର ଲୋକେ ଅନେକ ସ୍ବପ୍ନ ଦେଖଥିଲେ । ତାଙ୍କ ମୃତ୍ୟୁଦେହ ଗାଁରେ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା ।

ସୂଚନା ଅନୁସାରେ ଗତକାଲି ବିଜେବି କଲେଜ ହଷ୍ଟେଲରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ତେବେ ତାଙ୍କର ସୁଇସାଇଡ୍ ନୋଟ୍ ସାମ୍ନାକୁ ଆସିବା ପରେ ପରିବାର ଲୋକଙ୍କ ମଧ୍ୟରେ ମୃତ୍ୟୁର କାରଣକୁ ନେଇ ସନ୍ଦେହ ବଢ଼ିଛି । ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଅଭିଯୋଗ ମାମଲାରେ ଚାଞ୍ଚଲ୍ୟକର ଖୁଲାସା । ୩ ସିନିୟରଙ୍କ ମାନସିକ ନିର୍ଯାତନା ସହିନପାରି ଜୀବନ ହାରୁଥିବା ନିଜ ସୁଇସାଇଡ୍ ନୋଟରେ ଲେଖିଛନ୍ତି ଛାତ୍ରୀ । ସେଥିରେ ସେ ଲେଖିଛନ୍ତି ଯେ, ସମସ୍ତେ ଜାଣନ୍ତି ଆମ କଲେଜରେ ରାଗିଂ ହୁଏନି  କିନ୍ତୁ ସିନିୟର ମୋତେ ହଷ୍ଟେଲରେ ବଞ୍ଚେଇ ଦେଲେନି । ତେବେ ନୋଟରେ ୩ ସିନିୟରଙ୍କ ନାଁ ଲେଖି ନାହାନ୍ତି ରୁଚିକା । ଯେଉଁଥିପାଇଁ ପରିବାର ଲୋକଙ୍କ ମଧ୍ୟରେ ଅଧିକା ସନ୍ଦେହ ସୃଷ୍ଟି ହୋଇଛି । ପରିବାର ପକ୍ଷରୁ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ, ରାତିରେ ହୋଟେଲରେ ପଶି ପିଟିଲେ

ଭଦ୍ରକ: ଭଦ୍ରକରେ ଦୁଇ ଗୋଷ୍ଠୀ କିନ୍ନର ମୁହାଁମୁହିଁ । ରାତି ଅଧରେ ହୋଟେଲରେ ପଶି ପିଟିଲେ । ଆକ୍ରମଣରେ ଦୁଇ ଗୋଷ୍ଠୀର ୫ ଜଣ ଗୁରୁତର ହୋଇଛନ୍ତି । ଘଟଣାକୁ ନେଇ ପୋଲିସକୁ ନାକେଦମ ହେବାକୁ ପଡ଼ିଛି । ସୂଚନା ଅନୁସାରେ, କୌଣସି କାରଣକୁ ନେଇ ଗୋଟିଏ ଗୋଷ୍ଠୀର କିନ୍ନରମାନେ ଅନ୍ୟ କେତେକ କିନ୍ନରଙ୍କୁ ଆକ୍ରମଣ କରିଥିଲେ । ଏହାପରେ ଅପହରଣ ନେଇ ଭଦ୍ରକ ଟାଉନ୍ ଥାନାରେ ଗୋଟିଏ ଗୋଷ୍ଠୀ ଏତଲା ଦେବା ପରେ ପୋଲିସ ୪ ଜଣ କିନ୍ନରଙ୍କୁ ଥାନାରେ ଅଟକ ରଖିଥିଲା । ଯାହାକୁ ଅପର ଗୋଷ୍ଠୀର କିନ୍ନରମାନେ ବିରୋଧ କରିଥିଲେ ।

ତେବେ ଏହି ମାମଲାର ସମାଧାନ ପାଇଁ ଟାଉନ ଥାନାରେ ଗୋଟିଏ ପକ୍ଷ ରାଜି ହୋଇଥିବା ବେଳେ, ଆଉ ଏକ ଗୋଷ୍ଠୀ ହୋଟେଲକୁ ଯାଇ ଅନ୍ୟମାନଙ୍କୁ ଆକ୍ରମଣ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଆକ୍ରମଣରେ ଉଭୟ ଗୋଷ୍ଠୀର ୫ ଜଣ ଗୁରୁତର ଭାବେ ଆହତ ହୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଭଦ୍ରକ ପୋଲିସ ହୋଟେଲରେ ପହଞ୍ଚି କିନ୍ନରଙ୍କୁ ଘଉଡ଼ାଇବା ପାଇଁ ଫ୍ଲାଗମାର୍ଚ୍ଚ କରିଛି ।

ଆସନ୍ତାକାଲି ସୃଷ୍ଟି ହେବ ଲଘୁଚାପ, ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ତୁହାକୁ ତୁହା ବର୍ଷାରେ ଭିଜିବ ଓଡ଼ିଶା । ଆସନ୍ତାକାଲି ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ଏହାର ପ୍ରଭାବରେ ସାରା ରାଜ୍ୟରେ ହେବ ପ୍ରବଳ ବର୍ଷା । ବାଂଲାଦେଶ ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୩ରୁ ୪ଦିନ ମଧ୍ୟରେ ଆଭ୍ୟନ୍ତରଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ୧୧ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ୱାର୍ଣ୍ଣିଂ । ବାଲେଶ୍ବର, ଭଦ୍ରକ, ଗଜପତି ସହ ଉପକୂଳ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ସେହିପରି ଯାଜପୁର, ଢେଙ୍କାନାଳ, କଟକ, ସମ୍ବଲପୁର, ଅନୁଗୁଳ ଓ କୋରାପୁଟ ଜିଲ୍ଲାରେ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।