spot_img
Home Blog Page 4084

ଟ୍ୟାକ୍ସ ଚୋରି ମାମଲାରେ ଅନିଲ ଅମ୍ବାନୀଙ୍କୁ ଆୟକର ବିଭାଗର ନୋଟିସ୍

ମୁମ୍ବାଇ: ଟ୍ୟାକ୍ସ ଚୋରି ମାମଲାରେ ଅନିଲ ଅମ୍ବାନୀଙ୍କୁ ଆୟକର ବିଭାଗର ନୋଟିସ୍ । ବ୍ଲାକ ମନି ଆକ୍ଟରେ ରିଲାଏନ୍ସ ଗ୍ରୁପର ପୂର୍ବତନ ଚେୟାରମ୍ୟାନ ଅନିଲ ଅମ୍ବାନୀଙ୍କୁ ନୋଟିସ କରିଛି ଆୟକର ବିଭାଗ । ସ୍ୱିସ ବ୍ୟାଙ୍କରେ ୮୧୪ କୋଟି ଟଙ୍କା ଜମା ରଖିଥିବା ଜଣାପଡ଼ିବା ପରେ ଅନିଲ ଅମ୍ବାନୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ୪୨୦ କୋଟି ଟ୍ୟାକ୍ସ ଚୋରି ଅଭିଯୋଗରେ ଅନିଲଙ୍କୁ ଜରିମାନା ସହ ୧୦ ବର୍ଷ ଜେଲ ଦଣ୍ଡ ହୋଇପାରେ । ଟ୍ୟାକ୍ସ ଫାଙ୍କିବା ପାଇଁ ସେ ଜାଣିଶୁଣି ବିଦେଶରେ ଥିବା ଅର୍ଥ ସମ୍ପର୍କରେ ଲୁଚାଇଥିଲେ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି ।

ହଷ୍ଟେଲରେ ସୁଜି ଖାଇ ୪୦ ଛାତ୍ରୀ ଅସୁସ୍ଥ, ଡାକ୍ତରଖାନାରେ ଚାଲିଛି ଚିକିତ୍ସା

କେନ୍ଦୁଝର: ହଷ୍ଟେଲରେ ସୁଜି ଖାଇ ୪୦ ଛାତ୍ରୀ ଅସୁସ୍ଥ । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ରାଇସୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସର ୪୦ ଛାତ୍ରୀ ଅସୁସ୍ଥ ହେବାରୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ସନ୍ଧ୍ୟାରେ କିଛି ଛାତ୍ରୀଙ୍କର ମୁଣ୍ଡ ବୁଲାଇବା ସହିତ ଝାଡା ବାନ୍ତି ହୋଇଥିଲା । ଛାତ୍ରୀଙ୍କ କହିବା ଆନୁସାରେ, ସନ୍ଧ୍ୟାରେ ସେମାନେ ସୁଜି ଖାଇଥିଲେ । ଏହା ପରେ ସେମାନେ ଅସୁସ୍ଥ ଅନୁଭବ କରିଥିଲେ । ହଷ୍ଟେଲରେ ୧୦୦ ଛାତ୍ରୀ ରହୁଥିବା ବେଳେ ୪୦ ଛାତ୍ରୀ ଅସୁସ୍ଥ ହୋଇଛନ୍ତି  । ତେବେ ଖାଦ୍ୟ କିମ୍ବା ପାଣି ଯୋଗୁଁ ଏପରି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ ଛାତ୍ରୀମାନଙ୍କର ଚିକିତ୍ସା ଚାଲିଛି ଓ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।

ବଢ଼ିଲା ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ, ଆଉ ୬ ମାସ କାର୍ଯ୍ୟକାଳ ବୃଦ୍ଧି ପାଇଁ କେନ୍ଦ୍ରର ଅନୁମୋଦନ

ଭୁବନେଶ୍ୱର: ବଢ଼ିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । ଆଉ ୬ ମାସ କାର୍ଯ୍ୟକାଳ ବୃଦ୍ଧି ପାଇଁ କେନ୍ଦ୍ରର ଅନୁମୋଦନ । ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବକୁ କେନ୍ଦ୍ରରୁ ଅନୁମୋଦନ ମିଳିଛି । ଯାହା ଫଳରେ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୧ରୁ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ୨୮ ଫେବ୍ରୁଆରୀ ୨୦୨୩ ପର୍ଯ୍ୟନ୍ତ ନିଜ ପଦରେ ରହିବେ ସୁରେଶ । ପୂର୍ବରୁ ମଧ୍ୟ ସୁରେଶ ମହାପାତ୍ରଙ୍କର ୬ ମାସ କାର୍ଯ୍ୟକାଳ ବଢ଼ିଥିଲା । ୨୦୨୨ ଫେବ୍ରୁଆରୀରେ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା । କିନ୍ତୁ ପ୍ରଥମ ଦଫାରେ ୬ ମାସ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା ।

୭ ଦିନ ଭିତରେ ବନ୍ୟା କ୍ଷୟକ୍ଷତିର ରିପୋର୍ଟ ଦେବାକୁ ରାଜସ୍ବ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ୭ ଦିନ ଭିତରେ ବନ୍ୟା କ୍ଷୟକ୍ଷତିର ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ବନ୍ୟା ପ୍ରଭାବିତ ଜିଲ୍ଲାମାନଙ୍କରେ କେତେ ଚାଷ ଜମି ନଷ୍ଟ ହୋଇଛି, ଘର କେତେ ଭାଙ୍ଗିଛି ତାହାର ରିପୋର୍ଟ ତୁରନ୍ତ ଦେବାକୁ ନିର୍ଦ୍ଦେଶ ଦେଇଛି ରାଜସ୍ୱ ବିଭାଗ । ପ୍ରଭାବିତ ଅଞ୍ଚଳରେ ବିଭିନ୍ନ ବିଭାଗ କ୍ଷୟକ୍ଷତିର ପ୍ରାଥମିକ ଆକଳନ ଆରମ୍ଭ କରିଛନ୍ତି । ରିଲିଫ କୋର୍ଡ ଅନୁସାରେ ରିପୋର୍ଟ ଆସିବାର ୧୫ ଦିନ ଭିତରେ ଘର ଭଙ୍ଗା ଓ ଫସଲ କ୍ଷତି ସହାୟତା ରାଶି ଯୋଗାଇ ଦିଆଯିବ ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଣି ଛାଡ଼ିବାର ୭ ଦିନ ଭିତରେ କ୍ଷୟକ୍ଷତି ଆକଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହି ନିର୍ଦ୍ଦେଶ ଅନୁସାରେ ଆକଳନ ଆରମ୍ଭ କରାଯାଇଥିବା ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି । ବନ୍ୟାରେ ୧୦ଟି ଜିଲ୍ଲା ପ୍ରଭାବିତ ହୋଇଥିବା ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ।

ଫି’ ପାଇଁ ପିଲା ବନ୍ଦୀ ପ୍ରସଙ୍ଗ, ଘରୋଇ ସ୍କୁଲରେ ଖୋର୍ଦ୍ଧା ଓ ଭୁବନେଶ୍ୱର ବିଇଓଙ୍କ ତଦନ୍ତ

ଭୁବନେଶ୍ୱର: ଭୁବନେଶ୍ୱରର ଘରୋଇ ସ୍କୁଲରେ ସ୍କୁଲ ଫି’ ନଦେବାରୁ ପିଲା ବନ୍ଦୀ ଘଟଣା । ସ୍କୁଲରେ ତଦନ୍ତ କରିଛନ୍ତି ଖୋର୍ଦ୍ଧା ଓ ଭୁବନେଶ୍ୱର ବିଇଓ । ଏହି ଘଟଣାରେ ଏକାମ୍ର ବିଧାୟକ ଅଶୋକ ପଣ୍ଡା କହିଛନ୍ତି ଯେ, ଏହା ଶିକ୍ଷାର ବିରୁଦ୍ଧାଚରଣ । ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ । ଏହାସହ ସେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସହ କଥା ହୋଇଛନ୍ତି । ବିଭାଗୀୟ ଶାସନ ସଚିବଙ୍କ ଜରିଆରେ ସମ୍ପୃକ୍ତ ସ୍କୁଲକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ପିଲାଙ୍କୁ ମାନସିକ ନିର୍ଯାତନା ଦେଉଥିବା ସ୍କୁଲର ସ୍ୱୀକୃତି ପ୍ରତ୍ୟାହାର କାହିଁକି କରାନଯିବ ବୋଲି ପ୍ରଶ୍ନ କରିଛନ୍ତି ଅଶୋକ ପଣ୍ଡା ।

ସେପଟେ ଏହା ଶିଶୁ ଅଧିକାର ଓ RTE ଆଇନ ଉଲ୍ଲଙ୍ଘନ ବୋଲି କହିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ । ଘରୋଇ ସ୍କୁଲ ପିଲାଙ୍କର ଅଧିକ ଯତ୍ନ ନେବା କଥା । ଏନେଇ DEO, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ସ୍କୁଲର ସ୍ୱୀକୃତି ପ୍ରତ୍ୟାହାର ପାଇଁ ସୁପାରିଶ କରିବେ । ସ୍କୁଲର CBSE ସ୍ୱୀକୃତି ସମେତ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରି ତଦନ୍ତ କରାଯିବ ବୋଲି ସନ୍ଧ୍ୟାବତୀ କହିଛନ୍ତି । ଗତ ସୋମବାର ଦିନ ସ୍କୁଲ ଫି’ ନଦେବାରୁ ୫ ଘଣ୍ଟା ଧରି ସ୍କୁଲର ଲାଇବ୍ରେରୀ ରୁମରେ ଛାତ୍ରଛାତ୍ରୀଙ୍କୁ ଅଟକ ରଖିଥିଲେ ସ୍କୁଲ କର୍ତ୍ତୃପକ୍ଷ ।

ତୃପ୍ତିଙ୍କ ବିରୋଧରେ ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ମାନହାନୀ ମକଦ୍ଦମା କରିବେ ପ୍ରକୃତି

ଭୁବନେଶ୍ୱର: ପୁଣି ଲେଉଟିଲା ବାବୁସାନ-ତୃପ୍ତି ଓ ପ୍ରକୃତି ବିବାଦ ମାମଲା । ଭୁବନେଶ୍ୱର କୋର୍ଟଙ୍କ ଦ୍ୱାରସ୍ଥ ହେଲେ ପ୍ରକୃତି ମିଶ୍ର । ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ବିରୋଧରେ କରିବେ ମାନହାନୀ ମକଦ୍ଦମା । ଯେଉଁଭଳି ଭାବେ ବାବୁସାନଙ୍କ ପତ୍ନୀ ତୃପ୍ତି ବିଚ୍ ରାସ୍ତାରେ ପ୍ରକୃତିଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିଥିଲେ, ତାକୁ ନେଇ ବେଶ କ୍ଷୁବ୍ଧ ହୋଇଛନ୍ତି ପ୍ରକୃତି । ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ଆଜି ଭୁବନେଶ୍ବର କୋର୍ଟରେ ମାନହାନୀ ମକଦ୍ଦମା କରିବାକୁ ପହଞ୍ଚିଛନ୍ତି ପ୍ରକୃତି । ୫ କୋଟି  ୧୦ ଲକ୍ଷ ଟଙ୍କାର ମାନହାନୀ ମକଦ୍ଦମା କରିବେ ବୋଲି ସୂଚନା ମିଳିଛି ।

 

ଫ୍ଲୋର୍ ଟେଷ୍ଟ ପୂର୍ବରୁ ବିହାରରେ ସିବିଆଇ ରେଡ୍, ରାଡ଼ାରରେ RJD ନେତା

ପାଟଣା: ବିହାରରେ ଚାଲିଛି ହାଇଭୋଲଟେଜ ପଲିଟିକାଲ ଡ୍ରାମା। ମହାମେଣ୍ଟ ସରକାର ଗଠନର ଦୁଇ ସପ୍ତାହ ନପୁରୁଣୁ ଆଜି ବିଧାନସଭାରେ ଫ୍ଲୋର ଟେଷ୍ଟ ଅନୁଷ୍ଠିତ ହେବ। ଏପଟେ ଫ୍ଲୋର ଟେଷ୍ଟ ପୂର୍ବରୁ ଆରଜେଡି ନେତାଙ୍କ ଘରେ ରେଡ୍ କରିଛି ସିବିଆଇ। ନିଯୁକ୍ତି ନାଁରେ ଦୁର୍ନୀତି ଅଭଯୋଗରେ ଆରଜେଡି ଏମଏଲସି ସୁନିଲ ସିଂଙ୍କ ଘରେ ରେଡ୍ କରିଛି କେନ୍ଦ୍ରୀୟ ଏଜେନ୍ସି ।

ଆରଜେଡି ଏମଏଲସି ସୁନିଲ ସିଂଙ୍କ ବ୍ୟତୀତ ପୂର୍ବତନ ଆରଜେଡି ଏମଏଲସି ସୁବୋଧ ରଏ, ରାଜ୍ୟସଭା ସାଂସଦ ଅଶଫାକ୍ କରିମ୍ ଓ ଫୈୟାଜ୍ ଅହମଦଙ୍କ ଘରେ ସିବିଆଇ ଚଢାଉ କରିଛି ।  ତେବେ ଉଦ୍ଦେଶ୍ୟମୂଳକ ଭାବେ ଏହି ରେଡ୍‌ କରାଯାଇଥିବା ଆରଜେଡି ନେତା ସୁନିଲ କହିଛନ୍ତି ।

ଏପଟେ ଆରଜେଡି ସାଂସଦ ମନୋଜ ଝା ମଧ୍ୟ କହିଛନ୍ତି ଯେ, ବୁଧବାର ଦିନ ବିହାର ବିଧାନସଭାରେ ଫ୍ଲୋର ଟେଷ୍ଟ ଅନୁଷ୍ଠିତ ହେବ । ଆଉ ଏଭଳି ସମୟରେ ବିଜେପି ଡ଼ରାଇବା ପାଇଁ ସିବିଆଇ ରେଡ୍ କରାଉଛି । ଆପଣ ଏହାକୁ ଇଡ଼ି, ସିବିଆଇ ରେଡ୍ ନୁହଁ ବରଂ ବିଜେପିର ରେଡ୍ କହିପାରିବେ । ଏହି ସଙ୍ଗଠନ ବିଜେପି ପାଇଁ କାମ କରୁଛି ।

ସିବିଆଇର ଏଭଳି ରେଡକୁ ନେଇ ବର୍ଷିଛନ୍ତି ଆରଜେଡି ଏମଏଲସି ସୁନିଲ ସିଂଙ୍କ ସମର୍ଥକ ମାନେ ।

 

ବାଲେଶ୍ୱର ଖଇରା ବ୍ଲକ ବାରିଙ୍ଗିଆ ଗାଁରେ ଚାଞ୍ଚଲ୍ୟ, ପ୍ରେତାତ୍ମା କହୁଛି ମୃତ୍ୟୁର ରହସ୍ୟ

ବାଲେଶ୍ୱର: ମୁଁ ପ୍ରେତାତ୍ମା କହୁଛି…। ପ୍ରେତାତ୍ମା କହୁଛି ହତ୍ୟା ରହସ୍ୟ । ଆଜିର ବିଜ୍ଞାନ ଯୁଗରେ ବି ବଞ୍ଚିଛି ଭୌତିକ କାଣ୍ଡ । ସ୍ପିରିଟ୍ କହୁଛି କେମିତି ହୋଇଥିଲା ନୃଶଂସ ହତ୍ୟା । ଏ ଦୃଶ୍ୟ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବାରିଙ୍ଗିଆ ଗାଁରେ । ଗତ ଜୁଲାଇ ୨୪ ତାରିଖରେ ଜଣେ ନାବାଳିକାଙ୍କୁ ପୋଡି ମାରି ଦେଇଥିଲା ସଇତାନ ସମ୍ପର୍କୀୟ ଦାଦା । ହତ୍ୟାକାରୀ ଦୟାନିଧି ଜେନାକୁ ପୋଲିସ କୋର୍ଟ ଚାଲାଣ କରିସାରିଛି । ଦୟାନିଧିର ସ୍ତ୍ରୀକୁ ଗିରଫ କରି ସୁଧାର ଗୃହରେ ରଖାଯାଇଛି । ହେଲେ ମାସେ ପରେ ପୁଣି ଗାଁରେ ମୃତ ନାବାଳିକାକୁ ନେଇ ହଇଚଇ । ପଡ଼ୋଶୀ ଘର ଝିଅ ଦେହରେ ଲାଗିଛି ମୃତ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମା । କଣ୍ଠଫଠେଇ କାନ୍ଦି କାନ୍ଦି ଝିଅଟି କହୁଛି, ସେଦିନର ସେ ଲୋମହର୍ଷକ ଘଟଣା । କେମିତି ସ୍ବାମୀ ସ୍ତ୍ରୀ କରିଥିଲେ ନୃଶଂସ ହତ୍ୟା ।

ସ୍ତ୍ରୀ ଘରକୁ ଡ଼ାକି ଗୋଡ଼ହାତ ବାନ୍ଧି ମୁହଁରେ ଗାମୁଛା ବାନ୍ଧି ଦେଇଥିଲା । ତାପରେ ତଣ୍ଟି ଚିପିଦେବା ପରେ ଆଉ କିଛି ଜାଣିନଥିବା କହିଛି ପ୍ରେତାତ୍ମା । ଆଉ କୋହଭରା କଣ୍ଠରେ ମା’କୁ ଦେଖା କରିବାକୁ ଆସିଥିବା କହୁଛି । କାନ୍ଦି କାନ୍ଦି ମା’କୁ ଦେଖିବାକୁ ଅଳି କରୁଛି । ସେଦିନ କେହି ତାକୁ ବଞ୍ଚେଇ ପାରିଲନି ବୋଲି କହି ଜୋରରେ କାନ୍ଦୁଛି । ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାକୁ ନେଇ ଗାଁରେ ଚାଞ୍ଚଲ୍ୟ ଖେଳିଯାଇଛି । ଦୀର୍ଘ ଦେଢ଼ ଘଣ୍ଟା ଧରି ସ୍ପିରିଟ୍ ସମ୍ପୃକ୍ତ ଝିଅ ଦେହରେ ସବାର ହେବାରୁ କଲେଜ ଛାତ୍ରୀ ଅସୁସ୍ଥ ଥିବା ସୂଚନା ମିଳିଛି ।

କମୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର, ଏବେ ବି ଅନେକ ଗାଁ ଜଳବନ୍ଦୀ

ବାଲେଶ୍ୱର: ଛାଡ଼ୁଛି ବନ୍ୟା ବଢୁଛି ଦୁର୍ଦ୍ଦଶା । ସୁବର୍ଣ୍ଣରେଖା ନଦୀର ଜଳସ୍ତର କ୍ରମାଗତ ଭାବରେ କମିବାରେ ଲାଗିଛି । କିନ୍ତୁ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବଢିଛି । ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ବସ୍ତା, ଭୋଗରାଇ ଓ ଜଳେଶ୍ୱର ବ୍ଲକର ବିଭିନ୍ନ ଅଞ୍ଚଳରେ ଏବେବି ଜମି ରହିଛି ପାଣି । ଏବେବି ଜଳବନ୍ଦୀ ରହିଛି ଅନେକ ଗାଁ । ନଷ୍ଟ ହୋଇଯାଇଛି ହଜାର ହଜାର ହେକ୍ଟର ଜମିର ଫସଲ । ବାଲିଆପାଳ ଅଞ୍ଚଳରେ ସ୍ଥିତି ଏକଦମ ସଂଗୀନ ହୋଇପଡ଼ିଛି । ବନ୍ୟା ପାଣିରେ ଗାଁରେ ମାଡ଼ିଯାଇଛି ପଟୁ ମାଟି । ଘରେ ପଶିଛି କାଦୁଅ । ଭସାଇନେଇଛି ଆସବାବପତ୍ର ଭାଙ୍ଗିଯାଇଛି ଘର ।

ତେବେ ଏହାରି ମଧ୍ୟରେ ପାଣି ଅଳ୍ପ ଛାଡ଼ିବା ପରେ ଆଶ୍ରୟସ୍ଥଳୀରୁ ଘର ମୁହାଁ ହୋଇଛନ୍ତି ଲୋକ । କିଏ ଡଙ୍ଗା ଭିତରୁ ଘରକୁ ଫେରୁଛି ଆଉ କିଏ ବନ୍ଧ ଉପରୁ । ଘରକୁ ଯାଇ ବଢିପାଣିରେ ଭିଜିଥିବା ସମ୍ପତ୍ତିକୁ ସଜାଡ଼ିବାରେ ଲାଗିଛନ୍ତି ବନ୍ୟା ବିପନ୍ନ । ଅନ୍ୟପକ୍ଷରେ ଲୋକମାନଙ୍କ ପାଖରେ ପହଞ୍ଚି ସମସ୍ତ ସହାୟତା ଯୋଗାଇ ଦେଉଛି ପ୍ରଶାସନ । ବିପନ୍ନଙ୍କୁ ରନ୍ଧାଖାଦ୍ୟ ସହିତ ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଉଛି ।

ଛତ୍ରପୁର ଥାନା ସମ୍ମୁଖରେ ଅଭାବନୀୟ ଘଟଣା, ପାରିବାରିକ କଳହକୁ ନେଇ ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ସମ୍ମୁଖରେ ପାରିବାରିକ କଳହକୁ ନେଇ ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ମହିଳା ଜଣଙ୍କ ହେଲେ ଛତ୍ରପୁର ମହାବୀରନଗରର ଏମ. ମୁନା ପାତ୍ରଙ୍କ ସ୍ତ୍ରୀ ଏମ. ଝିଲି ପାତ୍ର । ଝିଲିକୁ ଗୁରୁତର ଅବସ୍ଥାରେ ଛତ୍ରପୁର ଥାନା ପୋଲିସ ଉଦ୍ଧାର କରି ପ୍ରଥମେ ଛତ୍ରପୁର ମେଡିକାଲକୁ ସ୍ଥାନାନ୍ତର କରିଥିଲା । ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

ଆତ୍ମହତ୍ୟା ଉଦ୍ୟମ କରିଥିବା ଝିଲି ପ୍ରେମ ବିବାହ କରିଥିବା ବେଳେ ଶ୍ୱଶୁର ଘର ଲୋକ ଯୌତୁକ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି । ଏନେଇ ଛତ୍ରପୁର ଥାନାରେ ଝିଲିଙ୍କ ପରିବାର ପକ୍ଷରୁ ୨ ତାରିଖରେ ଅଭିଯୋଗ ହୋଇଥିଲା । ବାରମ୍ବାର ଅଭିଯୋଗ ପରେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଥାନା ପରିସରରେ ଏକ ସମାଧାନ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ବିଫଳ ହେବା ପରେ ମହିଳା ଜଣକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି ।