ଝିଅ କଳା ହେଲା ବୋଲି ସ୍ତ୍ରୀ କୁ ମାରିଦେଲା ସ୍ୱାମୀ

ଉମରକୋଟ: ଝିଅ କଳା ବୋଲି ମାଆକୁ ମାରିଦଲେ । ଏମିତି ଏକ ଜଘନ୍ୟ ଘଟଣା ଦେଖିବାକୁ ମିଳିଛି ଉମରକୋଟ ଅଞ୍ଚଳରେ । ମୃତକଙ୍କ ସମ୍ପର୍କୀୟ କହୁଛନ୍ତି ଜନ୍ମିତ ଝିଅଟି କଳା ବର୍ଣ୍ଣର ହୋଇଥିବାରୁ ଶାଶୁ ଘର ପକ୍ଷରୁ ନିର୍ଯାତନା ଦିଆଯାଉଥିଲା  । ଏନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ହୋଇଛି  । କିନ୍ତୁ ଶେଷରେ ମୃତକଙ୍କ ସ୍ୱାମୀ ଏଭଳି ନାରକୀୟ କାଣ୍ଡ ଘଟାଇଛନ୍ତି  । ସେପଟେ କୁନି  ଝିଅ କହୁଛି ମାଆର ମର୍ଡର ମିଷ୍ଟ୍ରି । ହତ୍ୟା ଅଭିଯୋଗ ଆନ୍ଧ୍ର ପ୍ରଦେଶ କାକିନାଡ଼ାର । ହେଲେ ସେମାନଙ୍କ ଘର ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ।

ମାଆର ହତ୍ୟାକୁ ଆଖି ଆଗରେ ଦେଖିଛି ଅଢ଼େଇ ବର୍ଷର ଝିଅ । ମାଆର ହତ୍ୟାକାରୀ ବାପା ବୋଲି କହିବା ସହ ତଣ୍ଟିଚିପି ହତ୍ୟା କରାଯାଇଥିବା ପୋଲିସକୁ କହୁଛି ଝିଅ । ୫ ବର୍ଷ ପୂର୍ବରୁ ନବରଙ୍ଗପୁର ଜିଲ୍ଲା ଉମରକୋଟ କାରାଗାଁର ଲିପିକା ମଣ୍ଡଳ ସିଲାଟ ଗାଁର ମାଣିକ ଘୋଷଙ୍କୁ ବିବାହ କରିଥିଲେ । ମାଣିକ କାକିନାଡ଼ାରେ ଚାକିରି କରନ୍ତି । ଲିପିକା ଝିଅ ଜନ୍ମ ଦେବାରୁ ସ୍ବାମୀ ଓ ପରିବାର ପକ୍ଷରୁ ଆରମ୍ଭ ହୋଇଥିଲା ନିର୍ଯାତନା । ବହୁବାର ବୁଝାସୁଝା ହୋଇଥିଲା । ଗାଁରେ ମିଟିଂ ବି ହୋଇଥିଲା । ହେଲେ ନିର୍ଯାତନା କମିନଥିଲା । ବାଧ୍ୟହୋଇ ଗତ ମେ ମାସରେ ଲିପିକା ଉମରକୋଟ ଥାନାରେ ଏତଲା ଦେଇଥିଲେ ।

ପରେ ଜୁନ ମାସରେ ସ୍ବାମୀ ମାଣିକ, ସ୍ତ୍ରୀ ଲିପିକା ଓ ଝିଅ ମାହିଙ୍କୁ ନେଇ କାକିନାଡ଼ା ଯାଇଥିଲେ। ଗତ ସୋମବାର ସକାଳେ ଲିପିକାଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା । କାକିନାଡ଼ା ପୋଲିସ ମାଣିକ ଓ ଲିପିକା ରହୁଥିବା ଘରେ ପହଞ୍ଚି ନିଜ ଆଡୁ ଏକ ମକଦ୍ଦମା ରୁଜୁ କରି ମାଣିକକୁ ଗିରଫ କରିବା ସହ ମୃତଦେହ ଉଦ୍ଧାର କରିଥିଲା । ହେଲେ ମାଆର ତଣ୍ଟିଚିପି ବାପା ହତ୍ୟା କରିଥିବା ଅଢ଼େଇ ବର୍ଷର ଝିଅ ପୋଲିସକୁ କହୁଛି । ଲିପିକାଙ୍କ ବାପା ତପନ ମଣ୍ଡଳ କାକିନାଡ଼ାରେ ପହଞ୍ଚିବା ପରେ ମୃତଦେହ ତାଙ୍କୁ ହସ୍ତାନ୍ତର କରାଯାଇଛି । ଗତକାଲି ରାତିରେ ନାତୁଣୀକୁ ଓ ଝିଅର ମୃତଦେହକୁ ଆମ୍ବୁଲାନ୍ସ ଆଣି କାରାଗାଁ ପହଞ୍ଚିଥିଲେ ତପନ ମଣ୍ଡଳ । ଲିପିକାଙ୍କ ଭଉଣୀ ହତ୍ୟା ଅଭିଯୁକ୍ତ ମାଣିକକୁ ଫାଶୀ ଦେବାକୁ ଦାବି କରିଥିବା ବେଳେ ଛୋଟଝିଅର ଭବିଷ୍ୟତ ନେଇ ଚିନ୍ତାରେ ପଡ଼ିଛନ୍ତି ଅଜାଆଈ ।