ସୁଧୁରିଲେନି ମାଲିକ, ହୋଟେଲ ଆଗରେ ଅଳିଆ ଫୋପାଡ଼ିଲା BMC

ଭୁବନେଶ୍ୱର: ବାରମ୍ବାର ସଚେତନ, ପରାମର୍ଶ ଓ ତାଗିଦ କରିବା ପରେ ବି ସୁଧୁରିଲେନି ହୋଟେଲ ମାଲିକ । କଠୋର ହେଲା ଭୁବନେଶ୍ବର ମହାନଗର ନିଗମ । ରାସ୍ତାରେ ହୋଟେଲ ପକ୍ଷରୁ ଗଦା କରାଯାଇଥିବା ଅଳିଆ ଉଠାଇ ହୋଟେଲ ମୁଖ୍ୟ ଫାଟକ ପାଖରେ ପକାଇଲା ବିଏମସି । ନିୟମ ଅବମାନନା କରିବା ଭୁବନେଶ୍ବରର ଏକ ହୋଟେଲକୁ ମହଙ୍ଗା ପଡ଼ିଛି ।

ଷ୍ଟେସନ ଅଞ୍ଚଳରେ ଥିବା ଏକ ହୋଟେଲରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ଓଦା ଓ ଶୁଖିଲାରେ ପୃଥକ ନକରି ହୋଟେଲ ମାଲିକ ଖୋଲାରେ ଗଦା କରୁଥିଲେ । ରାସ୍ତାକଡ଼ରେ ଅଳିଆ ପଡ଼ିବା ଫଳରେ ଯାତ୍ରୀଙ୍କ ସମେତ ସ୍ଥାନୀୟ ଲୋକ ସମସ୍ୟାରେ ପଡୁଥିଲେ । ଏନେଇ ବିଏମସି ପକ୍ଷରୁ ବର୍ଜ୍ୟବସ୍ତୁକୁ ରାସ୍ତାରୁ ହଟାଇବାକୁ କୁହାଯାଇଥିଲା । କିନ୍ତୁ ନିର୍ଦ୍ଦେଶକୁ ଅବମାନନା କରିବା ସହ ଅଯଥା ଯୁକ୍ତିତର୍କ କରିଥିଲେ ହୋଟେଲ ମାଲିକ ।

ଫଳରେ ବିଏମସି ପକ୍ଷରୁ ଜେସିବି ଜରିଆରେ ରାସ୍ତାକଡ଼ରେ ଗଦା ପଡ଼ିଥିବା ଅଳିଆକୁ ଉଠାଇ ସମ୍ପୃକ୍ତ ହୋଟେଲର ମୁଖ୍ୟ ଫାଟକ ସମ୍ମୁଖରେ ପକାଇ ଦିଆଯାଇଛି । ବିଏମସିର ଏଭଳି ପଦକ୍ଷେପକୁ ଲୋକମାନେ ସ୍ୱାଗତ କରିଛନ୍ତି । ପୂର୍ବରୁ ମଧ୍ୟ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ଆପାର୍ଟମେଣ୍ଟ ବିରୋଧରେ ଅନୁରୂପ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆଜିର ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।