spot_img
Home Blog Page 4085

ଜୁବେରଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଇଲେ କୋର୍ଟ

ନୂଆଦିଲ୍ଲୀ: ଅଲ୍ଟ ନିଉଜର ସହ ସଂସ୍ଥାପକ ମହମ୍ମଦ ଜୁବେରଙ୍କୁ ଆଉ ଏକ ଝଟକା ଲାଗିଛି  । ଦିଲ୍ଲୀ ପଟିଆଲା ହାଉସ କୋର୍ଟର ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଜୁବେରଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି  । କୋର୍ଟ ମହମ୍ମଦ ଜୁବେରଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହେପାଜତକୁ ପଠାଇଛନ୍ତି  । ଦିଲ୍ଲୀ ପୋଲିସ  ହିଂସା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଜୁବେରଙ୍କ ବିଚାର ବିଭାଗୀୟ ହେପାଜତ ପାଇଁ ଆବେଦନ କରିଥିଲା ।

ଦିଲ୍ଲୀ ପୋଲିସ ଜୁବେର ଦ୍ୱାରା ଷଡଯନ୍ତ୍ର ଏବଂ ପ୍ରମାଣ ନଷ୍ଟ କରିବାର ଅଭିଯୋଗ କରିଥିଲା  । ପୋଲିସ କହିଥିଲା ଯେ, ଜୁବେରଙ୍କୁ ବିଦେଶରୁ ଫଣ୍ଡ ମିଳୁଥିଲା  । ଏଫଆଇଆରରେ ଦିଲ୍ଲୀ ପୋଲିସ ତିନି ନୂଆ ଧାରା-୨୦୧, ୧୨୦ବି ଏବଂ ଏଫସିଆରଏର ୩୫ ମାମଲା ଯୋଡିଛି।  ଜୁବେର ଟ୍ୱିଟ ଜରିଆରେ ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଆଘାତ କରିବା ଅଭିଯୋଗରେ ସୋମବାର ତାଙ୍କୁ ଗିରଫ କରାଯାଇଥିଲା ।

କ୍ରୀଡା ପ୍ରତିଭା ଅନ୍ୱେଷଣ ପ୍ରକ୍ରିୟା ଆରମ୍ଭ, ୯ତାରିଖ ପର୍ଯ୍ୟନ୍ତ ଚାଲିବ ଚୟନ ପ୍ରକ୍ରିୟା

ଭୁବନେଶ୍ୱର: କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆଜିଠୁ ସମଗ୍ର ରାଜ୍ୟରେ ଆରମ୍ଭ ହୋଇଯାଇଛି । ଜିଲ୍ଲା ଓ ରାଜ୍ୟସ୍ତରରେ ଥିବା ପ୍ରତିଭା ମାନଙ୍କୁ ଚୟନ କରାଯିବ । ରାଜ୍ୟର ୨୦ ଟି ସ୍ଥାନରେ ଅନୁଷ୍ଠିତ ଏହି ଚୟନ ପ୍ରକ୍ରିୟା ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଚୟନ ପ୍ରକ୍ରିୟାରେ ମୋଟ ୫୭୯୪ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ଆଥଲେଟିକ୍ସ, ଫୁଟବଲ, ଭଲିବଲ, ଖୋ-ଖୋ, ସନ୍ତରଣ, ଭାରୋତ୍ତଳନ ଏବଂ କବାଡି ଆଦି କ୍ରୀଡା ଶୃଙ୍ଖଳା ଲାଗି ଜିଲ୍ଲାସ୍ତରୀୟ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ  । ବାସ୍କେଟବଲ, ହକି, ଜୁଡୋ, ଜିମ୍ନାଷ୍ଟିକ, କୁସ୍ତି ଏବଂ ତୀରନ୍ଦାଜ ଆଦି ଶୃଙ୍ଖଳାରେ ଜିଲ୍ଲା ତଥା ରାଜ୍ୟସ୍ତରୀୟ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେଉଛି । ଆଜି କଳିଙ୍ଗ ଷ୍ଟାଡିୟମରେ ଆଥଲେଟିକ୍ସ ଓ ଭଲିବଲ ଲାଗି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅନ୍ୟାନ୍ୟ ସ୍ଥାନରେ ଏହି ଦୁଇ କ୍ରୀଡା ଶୃଙ୍ଖଳା ସହ କବାଡି ଓ ଫୁଟବଲ ଲାଗି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଗାମୀ ଦିନରେ ଜିଲ୍ଲା ସ୍ତରରେ ଚୟନ ପ୍ରତିଯୋଗିତା ଆରମ୍ଭ ହେବ  ।

ବିଶାଖାପାଟଣାଠାରେ ରଥଯାତ୍ରା ପର୍ବ ପାଳିତ

ବିଶାଖାପାଟଣା : ବିଶାଖାପାଟଣାର ଦଶପଲ୍ଲା ପାହାଡ଼ିଠାରେ ଥିବା ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି । ମନ୍ଦିର ପରିଚାଳନା କମିଟି, ଉତ୍କଳ ସାଂସ୍କୃତିକ ସମାଜ ଦ୍ୱାରା ଆୟୋଜିତ ଏହି ମହୋତ୍ସବକୁ କେନ୍ଦ୍ର କରି ଭକ୍ତମାନଙ୍କ ମଧ୍ୟରେ ବେଶ୍‍ ଉତ୍ସୁକତା ଓ ଉତ୍କଣ୍ଠା ପ୍ରକାଶ ପାଇଥିବା ପରିଲକ୍ଷିତ କରାଯାଇଥିଲା । କରୋନା ବାଧକତା ଦୃଷ୍ଟିରୁ ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ ବାସ୍ତବିକ ଢଙ୍ଗରେ ଘୋଷଯାତ୍ରା ଉତ୍ସବ ପାଳନ କରାଯାଉଥିବାରୁ ଉପସ୍ଥିତ ପ୍ରାୟ ୩ ହଜାର ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅହେତୁକ ଆନନ୍ଦ, ଉଲ୍ଲାସ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା । ପ୍ରଥମେ ପ୍ରଭୁ ସୁଦର୍ଶନ, ତା ପରେ ବଡ଼ ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ରା ଓ ସବା ଶେଷରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ପହଣ୍ଡି କରାଯାଇ ମନ୍ଦିର ସମ୍ମୁଖରେ ଦଣ୍ଡାୟମାନ ସୁନ୍ଦର ଓ ସୁସଜ୍ଜିତ ରଥ ଉପରକୁ ନିଆଯାଇଥିଲା ।

ପହଣ୍ଡି କାର୍ଯ୍ୟରେ ୱାଲ୍‍ଟିୟର ରେଳବାଇ ଡିଭିଜନ୍‍ର ଡି.ଆର୍‍.ଏମ୍‍ ଅନୁପ କୁମାର ଶତପଥୀ ଓ ଏ.ଡି.ଆର୍‍.ଏମ୍‍ ମନୋଜ କୁମାର ସାହୁ ସହଯୋଗ କରିଥିଲେ । ଉପସ୍ଥିତ ଭକ୍ତମାନଙ୍କ ଦ୍ୱାରା ଶଙ୍ଖ, ଘଣ୍ଟ, କରତାଳ, ମର୍ଦଳ, ଝାଞ୍ଜ ଓ ମୃଦଙ୍ଗର ଗହଗହ ନାଦ ତଥା ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ଗଗନ ପବନ ପ୍ରକମ୍ପିତ ହେବାର ଦୃଶ୍ୟ ଖୁବ୍‍ ମର୍ମସ୍ପର୍ଶୀ ଥିଲା । ଉତ୍ସବର ମୁଖ୍ୟ ଆକର୍ଷଣ ବ୍ରହ୍ମପୁରରୁ ଆସିଥିବା ଘଣ୍ଟବାଦକ ଟ୍ରୁପଙ୍କ ଦ୍ୱାରା ପରିବେଶିତ ହୃଦୟସ୍ପର୍ଶୀ ଘଣ୍ଟବାଦନ ଥିଲା । ଦଶପଲ୍ଲାର ପୂର୍ବତନ ରାଜା ଲାଲ୍‍ ସାହେବ ପ୍ରମୋଦ ଦେଓଭଞ୍ଜ ପାରମ୍ପରିକ ଛେରାପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ । ସନ୍ଧ୍ୟା ୫ଟା ସମୟରେ ରଥ ଟଣା ଆରମ୍ଭ ହୋଇଥିଲା ।

ଭକ୍ତମାନେ ରଥଟିକୁ ଟାଣି ଟାଣି ୫ କିଲୋମିଟର ଦୂରବର୍ତ୍ତୀ ‘ଲସନ୍ସ ବେ’ କଲୋନୀ ଠାରେ ଥିବା ମାଉସି ମା’ ମନ୍ଦିରକୁ ନେଇଥିଲେ । ସନ୍ଧ୍ୟା ୭ଟା ସୁଦ୍ଧା ଜୀଉମାନେ ଗୁଣ୍ଡିଚା ମନ୍ଦିରସ୍ଥିତ ସିଂହାସନରେ ବିରାଜମାନ ହୋଇଥିଲେ । ଆସନ୍ତା ୯ ତାରିଖ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଠାକୁରମାନେ ଗୁଣ୍ଡିଚା ମନ୍ଦିରରେ ଭକ୍ତମାନଙ୍କୁ ଦର୍ଶନ ଦେବେ ବୋଲି ମନ୍ଦିର ପରିଚାଳନା କମିଟିର ସଭାପତି ଜିତେନ୍ଦ୍ର କୁମାର ନାୟକ ପ୍ରକାଶ କରିଛନ୍ତି । ସମଗ୍ର ଆୟୋଜନକୁ ସୁଚାରୁ ରୂପେ ସମ୍ପାଦନା କରିବାରେ ମନ୍ଦିର ପରିଚାଳନା କମିଟିର ସଭାପତି ଜିତେନ୍ଦ୍ର କୁମାର ନାୟକ, ସମ୍ପାଦକ ବିମଳ ମହନ୍ତ, ସଦସ୍ୟ ବିଜୟ ମହାପାତ୍ର ଓ ରାଜେନ୍ଦ୍ର ପ୍ରସାଦ ସାହୁ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ଦୁଇ ଲକ୍ଷ କୋଟି ଟଙ୍କାର ବଜେଟ

ଭୁବନେଶ୍ବର: ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ୨ ଲକ୍ଷ କୋଟି ଟଙ୍କାର ଐତିହାସିକ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବିଗତ ୨୨ ବର୍ଷରେ ବଜେଟର ଆକାର ୨୭ ଗୁଣ ବୃଦ୍ଧି ପାଇଛି । ରାଜ୍ୟର ସାମଗ୍ରିକ ବିକାଶ, ଜନଜୀବନରେ ଗୁଣବତ୍ତା ଉପରେ ବଜେଟରେ ଦିଆଯାଇଛି ଗୁରୁତ୍ବ । ଚଳିତ ବଜେଟରେ ସାମଗ୍ରିକ ଭାବେ ସ୍ବାସ୍ଥ୍ୟ ବଜେଟ ପରିମାଣ ୩୮ ପ୍ରତିଶତ ବୃଦ୍ଧି କରାଯାଇଛି । ବଜେଟରେ ପ୍ରାଶାସନିକ ରାଜସ୍ବ ବ୍ୟୟ ବରାଦ  ୭୪ ହଜାର ୨୬୧ କୋଟି ଟଙ୍କା କରାଯାଇଛି । ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ପୁଞ୍ଜି ବ୍ୟୟ ଅଟକଳ ପରିମାଣ ୩୮, ୭୩୨ କୋଟି ଟଙ୍କା ରହିଛି । ବଜେଟରେ ରାଜସ୍ବ ଆୟ ପରିମାଣ ୧ ଲକ୍ଷ ୬୩ ହଜାର ୬୭ କୋଟି ଟଙ୍କାର ବ୍ୟବସ୍ଥା ରହିଛି । କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ ଭାବେ ୩୬, ୯୭୮ କୋଟି ଟଙ୍କା, ରାଜ୍ୟର ନିଜସ୍ବ ଟିକସ ଭାବେ ୪୬ ହଜାର କୋଟି, ନିଜସ୍ବ ଅଣଟିକସ ରାଜସ୍ବ ୪୮, ୨୦୦ଟଙ୍କା ଆୟ ଲକ୍ଷ୍ୟ ରହିଛି ।

ଜନସ୍ବାସ୍ଥ୍ୟ ସେବା ଲାଗି ୧୨, ୬୨୪ କୋଟି ଟଙ୍କା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଲାଗି ୨, ୬୬୪ କୋଟି ବରାଦ ହୋଇଛି । ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନ ଲାଗି ୨,୩୨୫ କୋଟି, ପରିବାର କଲ୍ୟାଣ ଯୋଜନା ଲାଗି କୋଟି, ଶିକ୍ଷା ଓ ଦକ୍ଷତା ବିକାଶ ଲାଗି ୨୭, ୩୨୪ କୋଟି, ମୋ ସ୍କୁଲ ଅଭିଯାନ ଲାଗି ୬୬୪ କୋଟି ଟଙ୍କା, ବିଦ୍ୟାଳୟ ରୂପାନ୍ତରଣ ଲାଗି ୧୦୦ କୋଟିର ବ୍ୟୟ ବରାଦ ହୋଇଛି । ଅନସୂଚିତ ଜାତି ଓ ଜନଜାତି ଲାଗି ଉଦ୍ଦିଷ୍ଟ ଆକାଂକ୍ଷା ଯୋଜନା ଲାଗି ୫୩୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ରାଜ୍ୟରେ ଧାର୍ମିକ ପର୍ଯ୍ୟଟନର ବିକାଶ ଲାଗି ୧୯୫୦ କୋଟି, ଅବଢ଼ା ଯୋଜନାରେ ୧,୩୨୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ପର୍ଯ୍ୟଟନର ବିକାଶ ଲାଗି ୮୩୦ କୋଟି ଟଙ୍କା ରହିଛି ।

ସଡ଼କ, ରେଳ, ବନ୍ଦର ଓ ସଂଯୋଗୀକରଣ ଲାଗି ୧୪, ୪୫୪ କୋଟି ଟଙ୍କାର ବ୍ୟୟ ଲକ୍ଷ୍ୟ ରହିଛି । ସେଥିରେ ବିଜୁ ସେତୁ ଯୋଜନା ଲାଗି ୧,୬୮୮ କୋଟି ରହିଛି । କ୍ରୀଡ଼ା ଓ ଯୁବସେବା କ୍ଷେତ୍ରରେ ୧, ୫୦୦ କୋଟି ଟଙ୍କାର ନିବେଶ ଯୋଜନା ରହିଛି । ଜଳଜୀବନ ମିଶନ ଲାଗି ୬ ହଜାର କୋଟି, ବସୁଧା ଯୋଜନା ଲାଗି ୧, ୮୫୦ କୋଟିର ବ୍ୟୟବରାଦ ହୋଇଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଲାଗି ୭୨୫୮ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ପିଏମଏଓ୍ବାଇ- ଗ୍ରାମୀଣ ଓ ବିଜୁ ପକ୍କାଘର ଯୋଜନା ଲାଗି ୫, ୯୦୬ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ଅର୍ଥମନ୍ତ୍ରୀ ।

କେତେ ଆୟ, କେତେ ବ୍ୟୟ ?

ବଜେଟରେ କେନ୍ଦ୍ରୀୟ ଅନୁଦାନରୁ ଆସିବ ୧୬.୩୯ ପ୍ରତିଶତ । ପୁଞ୍ଜିପ୍ରାପ୍ତି ହେବ ୧୮.୦୨ ପ୍ରତିଶତ । ନିଜସ୍ବ ଟିକସ ବାବଦକୁ ରାଜ୍ୟ ସଂଗ୍ରହ କରିବ ୨୩ ପ୍ରତିଶତ । ଅଣଟିକସରୁ ଆସିବ ୨୪.୧୦ ପ୍ରତିଶତ । କେନ୍ଦ୍ରୀୟ ଟିକସ ଅଂଶ ବାବଦକୁ ରାଜ୍ୟକୁ ମିଳିବ ୧୮.୪୯ ପ୍ରତିଶଥ । ସେହିପରି  ଯୋଜନା ବାବଦକୁ ଖର୍ଚ୍ଚ ହେବ ୫୦ ପ୍ରତିଶତ । ପ୍ରଶାସନିକ ବାବଦକୁ ଖର୍ଚ୍ଚ ହେବ ୪୪.୮୦ ପ୍ରତିଶତ । ରାଜ୍ୟରୁ ହସ୍ତାନ୍ତର ହେବ ୩.୬୦ ପ୍ରତିଶତ । ବିପର୍ଯ୍ୟୟ ପରିଚାଳନା ବାବଦରେ ଖର୍ଚ୍ଚ ହେବ ୧.୬୧ ପ୍ରତିଶତ ।

ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା, ସୁଇସାଇଡ ନୋଟ୍ ଜବତ

ଭୁବନେଶ୍ୱର:  ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ନୂଆ ମୋଡ଼ ଦେଖିବାକୁ ମିଳିଛି। ରୁଚିକାଙ୍କ ସୁଇସାଇଡ ନୋଟ୍ ଜବତ କରିଛି ପୋଲିସ । ୩ ଜଣ ସିନିୟର ତାଙ୍କୁ ନିର୍ଯାତନା ଦେଉଥିଲେ ବୋଲି ସୁଇସାଇଡ୍ ନୋଟରେ ଉଲ୍ଲେଖ ରହିଛି । ତେବେ ଯେଉଁ ୩ଜଣ ଛାତ୍ରୀଙ୍କ କଥା କହିଛନ୍ତି ସେମାନଙ୍କ ନାଁ ନେଇ ନାହାନ୍ତି ରୁଚିକା । ଏନେଇ ରୁଚିକାଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଛନ୍ତି । ସୁଇସାଇଡ ନୋଟକୁ ଜବତ କରି ପୋଲିସର ତନାଘନା ଆରମ୍ଭ କରିଛି । ଆଜି ଅପରାହ୍ନରେ ବିଜେବି ଛାତ୍ରୀ ନିବାସରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ଆସନ୍ତୁ ଜାଣିବା କ’ଣ ନିଜ ସୁଇସାଇଡ୍ ନୋଟରେ ଲେଖିଛନ୍ତି ରୁଚିକା….

‘ମୁଁ ଜୀବନରେ ବହୁତ ଥକି ଗଲିଣି… ମୋ ବାପା ବୋଉ ଏତେ କଷ୍ଟକରି ପାଠ ପଢାଇଲେ… ମୋ ପାଠପଢା ପାଇଁ ଆମ ଘର ଲୋକଙ୍କ ଚଳିବା କଷ୍ଟ… ହେଲେ ହଷ୍ଟେଲରେ ମୋତେ ସିନିୟର ବହୁତ ଟର୍ଚର କଲେ… ୩ ଜଣ ସିନିୟର ମୋତେ ମେଣ୍ଟାଲି କଷ୍ଟ ଦେଲେ… ଆଉ ସହି ପାରିଲିନି… କି ଘରେ ବି କହି ପାରିଲିନି… ମୋତେ ମୋ ବାପା-ବୋଉ ଅଜା-ଆଈ, ମାମୁ-ମାଇଁ, ମଉସା-ମାଉସୀ ସମସ୍ତେ ବହୁତ ଭଲ ପାଆନ୍ତି… ବହୁତ ଆଶା କରିଥିଲେ ମୁଁ କଲେକ୍ଟର ହେବି… ହେଲେ ମୋତେ ସିନିୟର ମେଣ୍ଟାଲି ଡ୍ରିପେସ୍ କଲେ… ବାପା ମାଆ ପଇସା ଖର୍ଚ୍ଚ କରି ମୋତେ ପାଠ ପଢିବାକୁ ଛାଡିଲେ… ହେଲେ ତାଙ୍କ ପଇସାର କିଛି ମୂଲ୍ୟ ନାହିଁ… କାରଣ ସିନିୟର ମୋତେ ବହୁତ ଡ୍ରିପେସ୍ କଲେ… ସମସ୍ତେ ଜାଣିଛନ୍ତି… ଆମ କଲେଜରେ ରାଗିଂ ହୁଏନି… କିନ୍ତୁ ସିନିୟର, ହଷ୍ଟଲରେ ମୋତେ ବଞ୍ଚେଇ ଦେଲେନି… ମୋ ବାପା ବୋଉଙ୍କ ଲୁହରେ ସେମାନ ଭାସି ଯିବେ… ଜମା ଆଗକୁ ବଢି ପାରିବେନି… ମୁଁ ଏ କଥା କାହାକୁ କହି ପାରିଲିନି… କେବଳ ୩ ଜଣ ସିନିୟରଙ୍କ ପାଇଁ ମୁଁ ଜୀବନ ଦେଉଛି… ସେମାନେ କେବଳ ମୋ ଉପରେ ରାଗ ରଖି ମୋତେ ଡ୍ରିପେସ୍ କଲେ… ମୋତେ ପାଠ ବି ପଢେଇ ଦେଲେନି… ମୋ ରୁମ ମେଟ୍ କୁ ବି ଏ କଥା ମୁଁ କହି ପାରିଲିନି… ଶେଷରେ ଜୀବନ ହାରୁଛି….’ ।

ବଜେଟରେ ମିଶନ ଶକ୍ତି ଲାଗି ୨ ହଜାର କୋଟି

ଭୁବନେଶ୍ବର: ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏଥିରେ ମିଶନ ଶକ୍ତି ପାଇଁ ୨୦୨୨-୨୩ ଆର୍ଥିକ ବଜେଟରେ ୨ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ବଜେଟ୍ ଉପସ୍ଥାପନ ବେଳେ ମନ୍ତ୍ରୀ କହିଛନ୍ତି, ‘ମହିଳା ସଶକ୍ତିକରଣ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଦେଖିଥିବା ସ୍ବପ୍ନ ପୂରଣ ହୋଇଛି । ମାତ୍ର ଦୁଇ ଦଶଦ୍ଧିରେ ମିଶନ ଶକ୍ତି ୬ ଲକ୍ଷରୁ ଅଧିକ ସ୍ବୟଂ ସହାୟକ ଗୋଷ୍ଠୀରେ ୭୦ ଲକ୍ଷ ମହିଳାଙ୍କୁ ଏକାଠି କରିପାରିଛି । ଲକ୍ଷ ଲକ୍ଷ ମହିଳାଙ୍କ ଯୋଗଦାନରେ ଗଠିତ ଏସଏଚଜିମାନଙ୍କ ପାଇଁ ସ୍ଥାନୀୟ ଜୀବିକା ଉପାର୍ଜନ ସୁଯୋଗ ସୁନିଶ୍ଚିତ ହୋଇପାରିଛି  । ମିଶନ ଶକ୍ତି ମହିଳାଙ୍କୁ ନୂଆ ପରିଚୟ ଦେଇପାରିଛି  । ଜନ୍ମଦାତ୍ରୀରୁ ଏବେ ମା’ମାନଙ୍କୁ ନିର୍ଣ୍ଣୟକାରୀ ଭାବେ ଗ୍ରହଣ କରାଗଲାଣି ।’

ବଜେଟରେ ମିଶନ ଶକ୍ତି ଲାଗି ୨ହଜାର କୋଟି ଟଙ୍କା ବ୍ୟୟବାରଦ ହୋଇଥିବା ବେଳେ ଜାତୀୟ ଗ୍ରାମୀଣ ମିଶନ ଲାଗି ୧ ହଜାର ୩୯ କୋଟିର ବ୍ୟୟବରାଦ ହୋଇଛି । ମିଶନ ଶକ୍ତିରେ ଆର୍ଥିକ ସହାୟତା ଲାଗି ୭୭୩ କୋଟି, ମହିଳା ଏସଏଚଜିର ଗୃହ ନିର୍ମାଣ ଲାଗି ୧୭୬ କୋଟି, ମମତା ଯୋଜନା ଲାଗି ୨୪୭ କୋଟି, ବିଜୁ ସୁରକ୍ଷା ଓ ଆଶୀର୍ବାଦ ଯୋଜନା ଲାଗି ୪୩ କୋଟି, ପିଲାଙ୍କୁ ୟୁନିଫର୍ମ ଲାଗି ୭୮ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।

ସେହିପରି ସକ୍ଷମ ଅଙ୍ଗନବାଡ଼ି, ପୋଷଣ 2.0 ଲାଗି ୨,୩୯୭ କୋଟି, ଆଇସିଡିଏସ ସହାୟତା ଲାଗି ୪୧୬ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ଅର୍ଥମନ୍ତ୍ରୀ ।

ସେହିପରି ବଜେଟରେ କୃଷି ଉପରେ ଗୁରୁତ୍ବ ଦିଆଯାଇଛି ।

ଟେଷ୍ଟ ଇତିହାସରେ ପ୍ରଥମ, ବ୍ରଡଙ୍କ ଗୋଟିଏ ଓଭରରୁ ୩୫ ରନ୍

ବର୍ମିଂହାମ: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଏଜବାଷ୍ଟନ ଟେଷ୍ଟ ମ୍ୟାଚର ପ୍ରଥମ ଇଂନିସ ଶେଷ ବେଳକୁ ବୁମରାହଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ତାଙ୍କର ଧୂଆଁଧାର ବ୍ୟାଟିଂ ବଳରେ ଭାରତ ୪୧୬ ରନ୍ କରିବାକୁ ସକ୍ଷମ ହୋଇଛି  ।  ଇଂଲଣ୍ଡ ବୋଲର ଷ୍ଟୁଆର୍ଟ ବ୍ରଡ ଆଉ ଏକ ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛନ୍ତି । ଟେଷ୍ଟ କ୍ରିକେଟ ଇତିହାସରେ ସବୁଠୁ ମହଙ୍ଗା ଓଭର ପକାଇଥିବା ବୋଲର ଭାବେ ରେକର୍ଡ କରିଛନ୍ତି ବ୍ରଡ । ଭାରତର ପ୍ରଥମ ଇନିଂସରେ ବ୍ରଡ ଗୋଟିଏ ଓଭରରେ ୩୫ ରନ୍ ଦେଇଛନ୍ତି  । ଏଥିରେ ୨୯ ରନ୍ ଭାରତର ଅଧିନାୟକ ଜଶପ୍ରୀତ ବୁମରାହଙ୍କ ବ୍ୟାଟରୁ ସଂଗ୍ରହ ହୋଇଥିଲା । ଏହି ଓଭରରେ ସେ ଦୁଇଟି ଛକା ଓ ୩ଟି ଚୌକା ମାରିଥିଲେ  । ବାକି ୬ରନ୍ ଅତିରିକ୍ତ ଖାତାକୁ ଯାଇଛି  ।

 

ଏହା ପୂର୍ବରୁ ଓଭରରେ ସବୁଠୁ ଅଧିକ ରନ୍ ଦେବାର ରେକର୍ଡ ତିନି ଜଣ ଖେଳାଳିଙ୍କ ନାଁରେ ଥିଲା  । ସେମାନେ ୨୮-୨୮ ରନ୍ ଲେଖାଏଁ ବ୍ୟୟ କରିଥିଲେ  । ସର୍ବ ପ୍ରଥମେ ଦକ୍ଷିଣ ଆଫ୍ରିକାର ରବିନ ପିଟରସନ ୨୦୦୩ରେ ୱେଷ୍ଟ ଇଣ୍ଡିଜ ବିପକ୍ଷ ଜୋହାନ୍ସବର୍ଗ ଟେଷ୍ଟ ମ୍ୟାଚରେ ଗୋଟିଏ ଓଭରରେ ୨୮ ରନ୍ ବ୍ୟୟ କରିଥିଲେ  । ପରେ ଆଣ୍ଡରସନ ୨୦୧୩ ଏବଂ ଜୋ ରୁଟ୍ ୨୦୨୦ରେ ୨୮ ରନ୍ ଗୋଟିଏ ଓଭରରେ ବ୍ୟୟ କରିଥିଲେ  । ତେବେ ବ୍ରଡ ପୂର୍ବରୁ ମଧ୍ୟ ଟି-୨୦ ବିଶ୍ୱକପରେ ଗୋଟିଏ ଓଭରରେ ୩୬ ରନ୍ ଖାଇ ଲଜ୍ଜାଜନକ ରେକର୍ଡ ନିଜ ନାଁରେ କରିଥିଲେ  । ଟି-୨୦ ବିଶ୍ୱକପରେ ଭାରତର ବାମହାତୀ ବ୍ୟାଟ୍ସମ୍ୟାନ ଯୁବରାଜ ସିଂହ ୬ଟି ବଲରେ ୬ଟି ଛକା ମାରି ବିଶ୍ୱ ରେକର୍ଡ କରିଥିଲେ  ।

ବିକାଶଶୀଳ ବଜେଟ, ଗରିବୀ ଆହୁରି ହ୍ରାସ କରିବ: ନବୀନ

ନନ୍ଦିଘୋଷ ବ୍ୟୁରୋ: ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟରେ ରାଜ୍ୟ ସରକାର ସବୁ ଦିଗକୁ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟର ବିକାଶ ରଥକୁ ଏ ବଜେଟ୍ ଆହୁରି ଆଗକୁ ନେବ । ଗରିବ ପରିବାର ଗୁଡିକର ଆୟ ବୃଦ୍ଧି ସହ କୃଷକ ପରିବାରର ଆର୍ଥିକ ସ୍ଥିତିକୁ ଆହୁରି ମଜବୁତ କରିବ  । ସବୁ ଦିଗକୁ ଫୋକସ୍ କରି ଏକ ସମତୁଲ ଓ ଗରିବ ଅନୁକୂଳ ବଜେଟ୍ ସରକାର ଆଣିଛନ୍ତି  । ରାଜ୍ୟ ବଜେଟକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

ନବୀନ ଦର୍ଶାଇଛନ୍ତି ଚଳିତ ବଜେଟରେ ପାଣ୍ଠି ବରାଦର ପରିମାଣ ୨ ଲକ୍ଷ କୋଟିକୁ ବଢିଛି । କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ ଖର୍ଚ୍ଚ ହେବ ୧ ଲକ୍ଷ କୋଟି  । ଏହା ସବୁ ଦୃଷ୍ଟିରୁ ଏକ ଐତିହାସିକ ବଜେଟ୍  । ବଜେଟରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା, ଉନ୍ନତମାନର ଶିକ୍ଷା, ସ୍କୁଲ ରୂପାନ୍ତରଣ, ମହିଳା ଶସକ୍ତିକରଣ, ଭିତ୍ତିଭୂମି ବିକାଶକୁ ଅଗ୍ରାଧିକାର ମିଳିଛି  । ଉନ୍ନତ ଜୀବନ ସହ ଜୀବିକା ଯୋଗାଣକୁ ମଧ୍ୟ ସରକାର ବଜେଟରେ ଫୋକସ୍ କରିଛନ୍ତି  । ରାଜ୍ୟର ଅଭିବୃଦ୍ଧି ହାରକୁ ଦୃତ ଗତିରେ ଆଗକୁ ନେବାକୁ ପୁଞ୍ଜି ବ୍ୟୟକୁ ସରକାର ୫୬ ପ୍ରତିଶତକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି  । ସେହିଭଳି ମିଶନ ଶକ୍ତି ପାଇଁ ୨ହଜାର କୋଟିର ସ୍ୱତନ୍ତ୍ର ବଜେଟ୍ ବରାଦ କରିଛନ୍ତି  । ଏହା ରାଜ୍ୟର ୭୦ଲକ୍ଷ୍ୟ ମହିଳାଙ୍କ ଆର୍ଥିକ ସ୍ୱାଧିନତାକୁ ଅଧିକ ସୁଦୃଢ କରିବ  । ଭବିଷ୍ୟତରେ କୌଣସି ଦୁର୍ବିପାକ ବେଳେ ଆର୍ଥିକ ମୁକାବିଲା ପାଇଁ ସରକାର ‘ବଜେଟ୍ ଷ୍ଟାବିଲାଇଜେସନ ଫଣ୍ଡ’ ଗଠନ କରିଛନ୍ତି  । ଯାହା  ସଙ୍କଟ ସମୟରେ ରାଜ୍ୟର ଆର୍ଥିକ ପରିଚାଳନାକୁ ଆହୁରି ସୁଦୃଢ କରିବ । ୫ ଟି ଓ ମୋ ସରକାର ଆଧାରରେ ବଜେଟ ପ୍ରସ୍ତୁତ ହୋଇଛି  । ଏ ବଜେଟ୍ ରାଜ୍ୟବାସୀଙ୍କ ଆଶା ଆକାଂଖ୍ୟାକୁ ନିଶ୍ଚୟ ପୂରଣ କରିବ ବୋଲି ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟା ରଖିଛନ୍ତି  ।

କୃଷି ବିଭାଗ ପାଇଁ ୨୧,୧୬୬ କୋଟିର ବ୍ୟୟବରାଦ, ଜାଣନ୍ତୁ କେଉଁ ଯୋଜନା ପାଇଁ କେତେ?

ନନ୍ଦିଘୋଷ ବ୍ୟୁରୋ: ଚଳିତ ବଜେଟରେ କୃଷି କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ । ଏଯାବତ ସର୍ବାଧିକ ୨୧,୧୬୬ କୋଟି ଟଙ୍କା ବ୍ୟୟବରାଦ କେବଳ କୃଷି ପାଇଁ ରଖାଯାଇଛି । ଓଡିଶା କୃଷି ବହୁଳ ରାଜ୍ୟ ହୋଇଥିବାରୁ ରାଜ୍ୟ ସରକାର ଫୋକସ୍ କରିଛନ୍ତି କୃଷି ଉପରେ । କୃଷିର ବିକାଶ ପାଇଁ ବୈଶୟିକ ପଦ୍ଧତିକୁ ଗୁରୁତ୍ୱ ଦିଆଯାଇଛି । ବଡ଼ ଜଳ ସେଚନ ପ୍ରକଳ୍ପ ପୁରା କରିବାକୁ ଲକ୍ଷ୍ୟ ରଖାଯାଇଛି । ଉଦ୍ୟାନ କୃଷିକୁ ୩୧୨ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି  । ଜଳ ସେଚନ ପ୍ରକଳ୍ପକୁ ୨୪୯୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

୨ ଲକ୍ଷ ୮୦ ହଜାର ଜମି ଜଳସେଚନ ଲକ୍ଷ୍ଯ ରଖାଯାଇଛି  । କାଳିଆ ଯୋଜନା ପାଇଁ ୧୮୭୪ କୋଟି  ବ୍ୟୟବରାଦ ରଖାଯାଇଛି । କାଳିଆ ଯୋଜନାରେ ଚାଷୀକୁ ୫୦ ହଜାର ଯାଏଁ ବିନା ସୁଧରେ ଋଣ ଦିଆଯିବାକୁ ବ୍ୟବସ୍ଥା କରାଯାଇଛି । ଚାଷୀଙ୍କ ଋଣ ପାଇଁ ୮୯ କୋଟି ବ୍ୟବସ୍ଥା କରାଯାଇଛି  । ଅଣଧାନ ଶସ୍ୟକ୍ରୟ ପାଇଁ ୧୦୦ କୋଟିର କର୍ପସ ପାଣ୍ଠି ରହିଛି ।ଭୂମିହୀନଙ୍କ ପାଇଁ ବଳିଆ ଯୋଜନାରେ ସହାୟତା ଦିଆଯାଉଛି । ରାଜ୍ୟରେ ୧୨ ହଜାର ୫୦୦ ଗଭୀର ନଳକୂପ ଖନନ ହେବ  । ୨ ପ୍ରତିଶତ ସୁଧରେ ୫୦ ହଜାରରୁ ୩ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବାକୁ ଯୋଜନା ରଖାଯାଇଛି । ପିଏମ କୃଷି ସିଞ୍ଚାଇ ଯୋଜନା ଅଧୀନ ପ୍ରକଳ୍ପ ପାଇଁ ୨୪୯୩ କୋଟି । ଅତିରିକ୍ତ ୨ ଲକ୍ଷ ୮୦ ହଜାର ହେକ୍ଟର ଜମିକୁ ଜଳ ସେଚନ ଲକ୍ଷ୍ୟ ରଖାଯାଇଛି  ।

ଓଡିଶା ବଜେଟ ୨୦୨୨-୨୩: କୃଷିକୁ ଗୁରୁତ୍ୱ, କାଳିଆ ଯୋଜନାରେ ଚାଷୀଙ୍କୁ ମିଳିବ ୫୦ ହଜାର ପର୍ଯ୍ୟନ୍ତ ଋଣ

ଭୁବନେଶ୍ୱର: ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଆଜି ବିଧାନସଭାରେ ବଜେଟ୍ ଉପସ୍ଥାପନ ହେଉଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ବଜେଟ୍ ଉପସ୍ଥାପନ କରୁଛନ୍ତି । ୨ଲକ୍ଷ କୋଟି ଟଙ୍କାର ଏହି ବଜେଟରେ କୃଷିକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ପ୍ରାରମ୍ଭିକ ବଜେଟ ଭାଷଣରେ ନିରଞ୍ଜନ ପୁଜାରୀ କହିଛନ୍ତି, ମହିଳାଙ୍କ ବିକାଶକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର  । ମିଶନ ଶକ୍ତି ଜରିଆରେ ମହିଳାଙ୍କ ବିକାଶକୁ ଗୁରୁତ୍ୱ ଦିଆଯାଇଛି । ରାଜ୍ୟ ସରକାରଙ୍କ ମୋ ସରକାର ଏବଂ ୫ଟି ଆଧାରରେ ସବୁ କ୍ଷେତ୍ରରେ ପରିବର୍ତ୍ତନ କରାଯାଉଛି  । କାଳିଆ ଯୋଜନା ଆଧାରରେ କୃଷକଙ୍କୁ ୫୦ ହଜାର ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ । କୃଷି ବଜେଟ ୨୧, ୧୬୬ କୋଟି  ରଖାଯାଇଛି ।

ବଜେଟ୍ ୨୦୨୨-୨୩କୁ ବିନ୍ଦୁରେ ଜାଣନ୍ତୁ

-ସ୍ୱାସ୍ଥ୍ୟ ପାଇଁ ୧୨୬୨୪ କୋଟି ଟଙ୍କା  ।

-ଉଦ୍ୟାନ କୃଷିକୁ ୩୧୨ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି  ।

-ଜଳ ସେଚନ ପ୍ରକଳ୍ପକୁ ୨୪୯୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି  ।

– BSKY ଯୋଜନାକୁ ୨୬୬୪ କୋଟି  ।

-୨ଲକ୍ଷ ୮୦ ହଜାର ଜମି ଜଳସେଚନ ଲକ୍ଷ୍ଯ  ।

-୨୨ ବର୍ଷରେ ୧୭ ଗୁଣ ବଡିଛି ବଜେଟ୍  ।

– ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନକୁ ୨୩୨୫ କୋଟି  ।

-କାଳିଆ ଯୋଜନାକୁ ୮୭୪ କୋଟି  ।

-କାଳିଆ ଯୋଜନାରେ ଚାଷୀକୁ ୫୦ ହଜାର ଯାଏଁ ଋଣ  ।

-କୁକୁଡା ଚାଷ ପାଇଁ ୧୦୨ କୋଟି  ।

-ଅଣଧାନ ଶସ୍ୟକ୍ରୟ ପାଇଁ ୧୦୦ କୋଟିର କର୍ପସ ପାଣ୍ଠି  ।

-ଶିକ୍ଷା ବିଭାଗ ପାଇଁ ୩୫୮୧ କୋଟି  ।

-ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ ୮୫୧ କୋଟି  ।

-ମୋ କଲେଜ ଅଭିଯାନ ପାଇଁ ୧୧ କୋଟି  ।

– ହାଇସ୍କୁଲ ରୂପାନ୍ତରଣ ପାଇଁ ୧୦୦ କୋଟି  ।

– ଅଙ୍ଗନବାଡି କେନ୍ଦ୍ର ପାଇଁ ୨୩୯୭ କୋଟି  ।

-ରାସ୍ତା ରକ୍ଷଣାବେକ୍ଷଣା ପାଇଁ ୨୯୭୦ କୋଟି  ।

-ପୂର୍ତ୍ତ ବିଭାଗ ପାଇଁ ୮୩୮୩ କୋଟି  ।

-ବିଜୁ ଏକ୍ସପ୍ରେସ ୱେକୁ ୩୦୦ କୋଟି  ।

-ସଡକ ଭିତ୍ତିଭୂମି ବିକାଶ ପାଇଁ ୧୪,୪୫୪ କୋଟି  ।

-ବିଜୁ ସେତୁ ଯୋଜନାକୁ  ୧୬୮୮ କୋଟି।

-୨୮୧ ସେତୁ ନିର୍ମାଣ ଲକ୍ଷ୍ୟ  ।

-ସହରାଞ୍ଚଳ ବାସଗୃହ ମିଶନକୁ ୪୦୦ କୋଟି  ।

-ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ୪୨୦ କୋଟି  ।

-ଛାତ୍ର ବୃତ୍ତି ପାଇଁ ୬୪୨ କୋଟି  ।

-୬୪ ଟି ନୂଆ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ଲକ୍ଷ୍ୟ ।

-ବିଜୁ ପକ୍କା ଘର ପାଇଁ ୫୯୦୬ କୋଟି  ।

-ମିଶନ ଶକ୍ତି ବିଭାଗକୁ ୨୦୦୦ କୋଟି  ।

-ପଶୁ ଚିକିତ୍ସା ପାଇଁ ୧୯ଟି ଭ୍ରାମ୍ୟବାଣ ୟୁନିଟ ପ୍ରତିଷ୍ଠା ଲକ୍ଷ୍ୟ  ।

-ବସୁଧା ଯୋଜନାକୁ ୧୮୫୦ କୋଟି ବ୍ୟୟବରାଦ ରଖାଯାଇଛି  ।

-ରାସ୍ତା ନଥିବା ଗାଁକୁ ରାସ୍ତା ପାଇଁ ୧୫୦ କୋଟି  ।

-ନୂଆ ସହର ବିକାଶ ପାଇଁ ୩୩୪ କୋଟି  ।

-ମୁଖ୍ୟମନ୍ତ୍ରୀ ସଡକ ଯୋଜନାକୁ ୭୭୪ କୋଟି  ।

-ଶିକ୍ଷା ଓ ଦକ୍ଷତା ବିକାଶ ଲାଗି ୨୭୩୨୪ କୋଟିର ବଜେଟ ବ୍ୟୟବରାଦ  ।