ମିଳିଲା ମୃତ ଜିଲ୍ଲାପରିଷଦଙ୍କ ମୋବାଇଲ୍, ଖୋଲିବ କି ଆତ୍ମହତ୍ୟା ରହସ୍ୟ ?

ଭୁବନେଶ୍ୱର: ମୋବାଇଲ ଖୋଲିବ କି ଧର୍ମେନ୍ଦ୍ରଙ୍କ ମୃତ୍ୟୁ ରହସ୍ୟ । ସନ୍ଧାନୀ କୁକୁର ମୋବାଇଲ ଖୋଜି ପାଇବା ପରେ ଉଠିଛି ଏହି ପ୍ରଶ୍ନ । ଗତକାଲି ପୁରୀ ଜିଲ୍ଲା ୧୧ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ପରେ ମୋବାଇଲ ଗାଏବ ହୋଇଯାଇଥିଲା । ଯାହାକୁ ଆଜି ବହୁତ ଖୋଜାଖୋଜି ପରେ ସନ୍ଧାନୀ କୁକୁରର ସାହାଯ୍ୟ ନିଆଯାଇଥିଲା । ଧର୍ମେନ୍ଦ୍ର ଘର ନିକଟରେ ଏକ ଖାଲି ଜାଗାରୁ ତାଙ୍କର ଦୁଇଟି ମୋବାଇଲ ମିଳିଛି ।

ଗତରାତି ୨ଟା ୪୩ରୁ ମୋବାଇଲ ସୁଇଚଅଫ ଥିଲା । ଗତ କାଲି ରାତି ୨ଟା ୪୮ ମିନିଟରେ ଧର୍ମେନ୍ଦ୍ର ସାହୁ ଶିଶୁପାଳଗଡ ଲକ୍ଷ୍ମୀବିହାର ବାସଭବନ ସମ୍ମୁଖରେ ବେକରେ ରଶି ଲଗାଇ ଝୁଲିପଡିଥିବା ଶ୍ବଶୁର କହିଛନ୍ତି । ଝୁଲିବା ପୂର୍ବର ସିସିଟିଭି ଭିଡିଓ ମଧ୍ୟ ରହିଛି । ତେବେ ମଦ ଏବଂ ଟଙ୍କା ଆତ୍ମହତ୍ୟାର କାରଣ ବୋଲି ଶ୍ବଶୁର ବଂଶୀଧର ସ୍ବାଇଁ କହିଛନ୍ତି । ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପ୍ରମାଣ ସଂଗ୍ରହ କରିବା ବେଳେ ପାଖ ଫୁଲକୁଣ୍ଡରୁ ଏକ ୫ଶହ ଟଙ୍କିଆ ବଣ୍ଡଲ ମିଳିଛି ।

ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର କେଉଁଠି ଥିଲେ ? କାହା କାହା ସହ ସେ ଶେଷ ଥର ପାଇଁ କଥା ହୋଇଥିଲେ ? କିଛି ମାନସିକ ଚାପ ଥିଲା କି ? ପରିବାରରେ କାହିଁକି ଗଣ୍ଡଗୋଳ ହେଉଥିଲା ? ସୋସିଆଲ ମିଡିଆ ପୋଷ୍ଟର ସତ କଣ ? ଏସବୁକୁ ନେଇ ପରିବାର ଲୋକଙ୍କୁ ପଚରାଉଚରା କରାଯାଇଛି । ଘରେ ଲାଗିଥିବା ସିସିଟିଭି ଫୁଟେଜକୁ ଜବତ କରିବା ସହ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି କମିଶନରେଟ ପୋଲିସ ।