ରାଗରୁଷା ଭୁଲିଲେ, ତୃପ୍ତି ବାବୁଙ୍କ ପାଖକୁ ଫେରିଲେ..

ନନ୍ଦିଘୋଷ ବ୍ୟୁରୋ: ଭାଙ୍ଗିଲା ମାନ ଅଭିମାନ । ରାଗରୁଷା ଭୁଲି ସ୍ବାମୀଙ୍କ ପାଖକୁ ଫେରିଲେ ପତ୍ନୀ । ଏକାଠି ହେଲେ ଓଲିଉଡ ଅଭିନେତା ବାବୁସାନ୍ ଓ ପତ୍ନୀ ତୃପ୍ତି ଶତପଥୀ । ଅସୁସ୍ଥ ସ୍ବାମୀଙ୍କୁ ଡାକ୍ତରଖାନାରୁ ନେଇ ଘରକୁ ଫେରିଛନ୍ତି ତୃପ୍ତି । ଦୀର୍ଘଦିନ ପରେ ଉଭୟ ଏକାଠି ହୋଇ ଫେରିଛନ୍ତି ଘରକୁ । ଗତ କିଛିଦିନ ତଳେ ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ବାବୁସାନ ।

ଆଜି ସେ ଡିସଚର୍ଜା ହେବାବେଳେ ପତ୍ନୀ ତୃପ୍ତି ତାଙ୍କୁ ଡାକ୍ତରଖାନାରୁ ଆଣିବା ସହିତ ବାବୁଙ୍କ ସହିତ ଘରକୁ ଯାଇଛନ୍ତି । ଏଥିରୁ ଉଭୟଙ୍କ ମଧ୍ୟରେ ଥିବା ବିବାଦ ଓ ମନୋମାଳିନ୍ୟରେ ଯବନିକା ପଡ଼ିଥିବା ଅନୁମାନ କରାଯାଉଛି । ସେପଟେ ଘଟଣାରେ ପ୍ରତ୍ରିକ୍ରିୟା ରଖିଛନ୍ତି ବାବୁସାନଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର । ସେ କହିଛନ୍ତି ବାବୁସାନ ଓ ତୃପ୍ତିଙ୍କ ସବୁକିଛି ଠିକଠାକ ଅଛି । ଦମନ ସିନେମାନର ପ୍ରମୋସନ ପାଇଁ ବାବୁସାନ ଲଦାଖ ଯାଇଥିଲେ ।

ସେଠାରେ ବାଇକରେ ଯାତ୍ରା କରିବାବେଳେ ଅକ୍ସିଜେନ ଅଭାବରୁ ଅସୁସ୍ଥ ହୋଇପଡ଼ିଥିଲେ । ସେଠାରେ ତାଙ୍କର ଚିକିତ୍ସା ପରେ ଭୁବନେଶ୍ବର ଫେରିଥିଲେ । ମାତ୍ର ପୁଣି ଅସୁସ୍ଥ ଅନୁଭବ କରିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ନିଜେ ପତ୍ନୀ ତୃପ୍ତି ହିଁ ବାବୁସାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ତାଙ୍କର ସମସ୍ତ ଯତ୍ନ ନେଉଥିଲେ । ଉଭୟ ପୂର୍ବ ବିବାଦ ଭୁଲି ଏବେ ହସଖୁସିରେ ଥିବା କହିଛନ୍ତି ରବି ମିଶ୍ର ।