spot_img
Home Blog Page 4083

ଆସ୍ଥା ଭୋଟରେ ବାଜି ମାରିଲେ ନୀତୀଶ କୁମାର, ୧୬୪ ବିଧାୟକ ଦେଲେ ସମର୍ଥନ

ପାଟଣା: ଫ୍ଲୋର ଟେଷ୍ଟରେ ବାଜି ମାରିଲେ ନୀତୀଶ କୁମାର। ଆଜି ବିହାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର ଆସ୍ଥା ଭୋଟରେ ବିଜୟ ଲାଭ କରିଛନ୍ତି। ନୀତୀଶ କୁମାରଙ୍କ ନେତୃତ୍ଵାଧୀନ ଜେଡିୟୁ-ଆରଜେଡି ମହାମେଣ୍ଟ ସରକାର ବିଧାନସଭାରେ ଆସ୍ଥା ଭୋଟ୍ ଜିତିଛି। ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ନୀତୀଶ କୁମାରଙ୍କ ସରକାରକୁ ୧୬୪  ଜଣ ବିଧାୟକ ସମର୍ଥନ କରିଥିବା ବେଳେ ସଂଖ୍ୟାଗରିଷ୍ଠତା ପ୍ରାମାଣ କରିଥିଲେ ନୀତିଶ। ନିକଟରେ ସେ ବିଜେପି ହାତ ଛାଡ଼ି ରାଷ୍ଟ୍ରୀୟ ଜନତା ଦଳ ସହ ସରକାର ଗଠନ କରିଥିଲେ। ଏବଂ ଅଷ୍ଟମ ଥର ପାଇଁ ସେ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ।

ବିଧାନସଭାରେ ଆସ୍ଥା ଭୋଟ୍ ଉପ ସ୍ଥାପନ କରି ନୀତୀଶ କୁମାର କାହିଁକି ବିଜେପି ସହ ସମ୍ପର୍କ ଭାଙ୍ଗିଛନ୍ତି ସେ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଥିଲେ। ନରେନ୍ଦ୍ର ମୋଦୀଙ୍କ ନାମ ନ ନେଇ ସେ କେନ୍ଦ୍ର ସରକାର ଏବଂ ବିଜେପିର କେନ୍ଦ୍ରୀୟ ନେତୃତ୍ୱକୁ ଟାର୍ଗେଟ କରିଥିଲେ। ବିଜେପିର ବର୍ତ୍ତମାନର କେନ୍ଦ୍ରୀୟ ନେତୃତ୍ୱକୁ ସମାଲୋଚନା କରି ଅଟଳ ବିହାରୀ ବାଜପେୟୀ, ଏଲ.କେ ଆଡଭାନୀ ଏବଂ ମୁରଲୀ ମନୋହର ଯୋଶୀଙ୍କ ପ୍ରଶଂସା କରିଥିଲେ ନୀତୀଶ। ତେବେ ନୀତୀଶଙ୍କ ଅଭିଭାଷଣ ବେଳେ ବିଜେପି ବିଧାୟକମାନେ ଏହାକୁ ବିରୋଧ କରି ଅନେକ ହୋ ହାଲ୍ଲା କରିଥିଲେ ଓ ପରେ କକ୍ଷ ତ୍ୟାଗ କରିଥିଲେ।

ଏହାପୂର୍ବରୁ ତେଜସ୍ୱୀ ଯାଦବ ମଧ୍ୟ ତାଙ୍କ ସମ୍ବୋଧନରେ ବିଜେପିକୁ ଟାର୍ଗେଟ କରି କହିଥିଲେ ଯେ ଯେଉଁଠାରେ ବିଜେପି କ୍ଷମତାରେ ନାହିଁ ସେଇଠି ସିବିଆଇ, ଇଡି ଏବଂ ଆଇଟିକୁ ଅସ୍ତ୍ର ଭାବେ ବ୍ୟବହାର କରାଯାଏ।  ଆଜି କନଫିଡେନ୍ସ ମୋସନରେ ହୋଇଥିବା ବିତର୍କରେ ଆରଜେଡି ମୁଖ୍ୟ ତେଜସ୍ୱୀ ଯାଦବ ଭାଗ ନେଇ ନୂଆ ପାର୍ଟନରସିପ ଏକ ଐତିହାସିକ ସାବ୍ୟସ୍ତ ହେବ ବୋଲି କହିଥିଲେ। ଏହି ଇନିଂସ କେବେ ଶେଷ ହେବନି। ଏହା ଐତିହାସିକ ହେବ।  ଆମ ଯୋଡ଼ି ଲମ୍ବା ସମୟ ଧରି କାଏମ ରହିବ ବୋଲି କହିଥିଲେ ତେଜସ୍ୱୀ।

ସ୍ୱାମୀକୁ ହତ୍ୟା କରି ପ୍ରେମିକ ସହ ପଳାଇଲେ ସ୍ତ୍ରୀ !

କେନ୍ଦ୍ରାପଡ଼ା: ଶ୍ମଶାନରେ ଜଳୁଛି ସ୍ୱାମୀଙ୍କ ଜୁଈ । କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ । ବାପାଙ୍କୁ ହରାଇ କାନ୍ଦୁଛନ୍ତି ପୁଅ ଝିଅ । ହେଲେ ପିଲା ଛୁଆଙ୍କ ସହିତ ସମ୍ପର୍କ ଛିନ୍ନ କରି ପ୍ରେମିକ ହାତ ଧରି ପଳାଇଗଲେ ସ୍ତ୍ରୀ । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଭାମଣ୍ଡ ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି ।

ସୂଚନା ଅନୁସାରେ, ଭାମଣ୍ଡ ଗାଁର ରଙ୍ଗାଧର ଦାସ ଜଣେ ପୂଜକ । ସ୍ତ୍ରୀ ଓ ପିଲା ଛୁଆଙ୍କୁ ନେଇ ଚାଲୁଥିଲା ପରିବାର । ହେଲେ ରଙ୍ଗାଧରଙ୍କ ପତ୍ନୀଙ୍କ ସହ ସେହି ଗାଁର ଅସିତ ଶତପଥିଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ରଙ୍ଗାଧରଙ୍କ ଅନୁପସ୍ଥିତିରେ ବାରମ୍ବାର ଘରକୁ ଆସୁଥିଲେ ଅସିତ୍ । ମା’ର ଏଭଳି ଅନୈତିକ ସମ୍ପର୍କକୁ ପୁଅ ଓ ଝିଅ ଜାଣିବା ପରେ ପ୍ରତିବାଦ କରିଥିଲେ । ଯେଉଁଥିପାଇଁ ମା’ ଓ ପ୍ରେମିକ ମିଶି ସେମାନଙ୍କୁ ମାଡ଼ ମାରିବା ସହ ବାପା ରଙ୍ଗାଧରଙ୍କୁ ମାରିଦେବା ପାଇଁ ଧମକ ଦେଇ ଆସୁଥିଲେ । ଗତ ୧୭ ତାରିଖ ଦିନ ରଙ୍ଗାଧର ମନ୍ଦିରକୁ ପୂଜା କରିବାକୁ ଯାଇଥିବା ବେଳେ ପତ୍ନୀ ତାଙ୍କ ସହ ଝଗଡ଼ା କରୁଥିବା ଲୋକେ ଦେଖିବାକୁ ପାଇଥିଲେ । ଏହା ପରେ ରଙ୍ଗାଧରଙ୍କ ଖୋଜଖବର ମିଳିନଥିଲା । ଏନେଇ ରଙ୍ଗାଧରଙ୍କ ଭାଇ ଗଙ୍ଗାଧର ରାଜକନିକା ଥାନାରେ ଅଭିଯୋଗ କରିଥିଲେ । ଆଉ ଏହାର ୫ ଦିନ ପରେ ଗାଁ ନିକଟସ୍ଥ ଜୋର ନିକଟରୁ କ୍ଷତାକ୍ତ ମୃତ ଦେହକୁ ଉଦ୍ଧାର କରିଥିଲା ପୋଲିସ ।

ସବୁଠୁ ବଡ଼କଥା, ଗୋଟିଏ ପଟେ ମଶାଣିରେ ସ୍ୱାମୀର ଚିତା ଲିଭିନଥିବା ବେଳେ ସ୍ତ୍ରୀ ୪ ପିଲାଙ୍କୁ ଛାଡି ପ୍ରେମିକର ହାତଧରି ପଳାଇଥିଲା। ଘଟଣାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୋଲିସ ତଦନ୍ତକୁ ଜୋରଦାର କରିବ ବୋଲି କହିଛନ୍ତି ରାଜକନିକା ଆଇଆଇସି।

ମିଟିଂ ବେଳେ ହସିଦେଲେ ବୋଲି ଜେଇଙ୍କୁ କାରଣ ଦର୍ଶାଅ ନୋଟିସ !

ବାଲେଶ୍ୱର: ହସିଦେଲେ ବୋଲି କାରଣ ଦର୍ଶାଅ ନୋଟିସ। ପ୍ରତିବାଦରେ ଧାରଣାରେ ବସିଲେ ଜେଇ। ବାଲିଆପାଳ ବ୍ଲକ୍‌ର କାର୍ଯ୍ୟରତ ଜେଇ ମିହିର ପଣ୍ଡାଙ୍କୁ ଡ଼ିଆରଡ଼ିଏର ପିଡି କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିବାରୁ ଆଜି ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ସେ ଧାରଣାରେ ବସିଛନ୍ତି। କୌଣସି କାରଣ ନଥାଇ କାରଣ ଦର୍ଶାଅ ନୋଟିସ୍‌ କାହିଁକି ଜାରି କରାଗଲା ବୋଲି କହିଛନ୍ତି ଜେଇ ମିହିର।

ସୂଚନା ମୁତାବକ ବନ୍ୟା ପରିସ୍ଥିତିକୁ ନେଇ ବୈଠକ ଚାଲିଥିବାବେଳେ, ଖାଇବା ମିଲ୍‌କୁ ନେଇ ଆଲୋଚନା ହେଉଥିଲା। ଏହି ସମୟରେ ଜେଇ ମିହିର ପଣ୍ଡା ହସି ଦେଇଥିଲେ । ଏହି କାରଣକୁ ନେଇ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ମିଛରେ ସେ ନିଶାସକ୍ତ ହୋଇ ବୈଠକକୁ ଆସିଥିବା ଦର୍ଶାଇ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିବା ଅଭିଯୋଗ କରିଛନ୍ତି ମିହିର।

ସେପଟେ ବନ୍ୟା ଭଳି ଜରୁରୀକାଳୀନ ପରିସ୍ଥିତିରେ ଜେଇ ମିହିର ପଣ୍ଡା ସରକାରୀ କାର୍ଯ୍ୟରେ ଅବହେଳା ଓ ଦାୟିତ୍ୱହୀନ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୁଦ୍ଧରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିବା ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି। ଧାରଣାରେ ବସିବାର ଘଣ୍ଟାକ ପରେ ମିହିର ଅଫିସ୍‌ ଛାଡ଼ି ପଳାଇ ଯାଇଥିଲେ ।

ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ଘଟଣା, ଥାନାରେ ହାଜର ହେଲେନି ସୌମ୍ୟଜିତ୍

ଭୁବନେଶ୍ୱର: ରାଜଧାନୀରେ ସଫ୍ଟଓୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟା ଘଟଣା ।  ଆଜି ଥାନାରେ ହାଜର ହୋଇନାହାଁନ୍ତି ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ୍ ।ତେବେ ସୌମ୍ୟଙ୍କ ମାନସିକ ସ୍ଥିତି ଠିକ ନାହିଁ । ତେଣୁ ଥାନାରେ ହାଜର ହୋଇନାହାନ୍ତି, ଓକିଲଙ୍କ ଜରିଆରେ ଆଉ କିଛି ସମୟ ମାଗିଥିବା ସୂଚନା ମିଳିଛି। ସୌମ୍ୟଙ୍କ ପରିବାର ପୋଲିସ ସହ ଯୋଗାଯୋଗରେ ଅଛନ୍ତି ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି।

ତେବେ ଘଟଣା ପରଦିନ ସୌମ୍ୟଜିତ୍‌ଙ୍କୁ ଥାନାରେ ପଚରାଉଚରା ହୋଇଥିଲା। ସେତବେଳେ ଶ୍ଵେତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରାଯାଇଥିଲା। ପରେ ତାଙ୍କ ପରିବାର ଅଲଗା ଅଭିଯୋଗ ଆଣିଥିଲେ। ସେହି ଅନୁସାରେ ତଦନ୍ତ କରାଯାଉଛି। କମିଶନରେଟ ପୋଲିସ ଘଟଣା ଉପରେ ନଜର ରଖିଛି। ଯଦି ଶ୍ଵେତାଙ୍କ ପରିବାର ନିକଟରେ କିଛି ପ୍ରମାଣ ଅଛି, ତେବେ ସେମାନେ ଦିଅନ୍ତୁ । ଯିଏ ବି ଦୋଷୀ ପ୍ରମାଣିତ ହେବ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି ।

ସେପଟେ ଆସିଛି ଶ୍ଵେତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ଏହା ଏକ ଆତ୍ମହତ୍ୟା ଘଟଣା । ଶ୍ଵାସରୁଦ୍ଧ ହୋଇ ଶ୍ବେତାଙ୍କ ମୃତ୍ୟୁ ହୋଇଛି। ବେକ ବ୍ୟତୀତ ଶରୀରର ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନ ନାହିଁ ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି । ବ୍ୟବଛେଦ ରିପୋର୍ଟ ପ୍ରସ୍ତୁତ ହୋଇଛି ଏବଂ ତଦନ୍ତକାରୀ ପୋଲିସକୁ ଦିଆଯିବ । ଫର୍ମାଟ ହୋଇଥିବା ଶ୍ଵେତାଙ୍କ ଫୋନ ରିଟ୍ରାଇଭ ହୋଇଛି । କଲରେକର୍ଡ, ଭିଡିଓ, ଫଟୋ ପୋଲିସ ହାତରେ ଲାଗିଛି।

ଚିକିତ୍ସା ବାହାନାରେ ସ୍ୱାମୀ ବିକିଦେଲା ସ୍ତ୍ରୀ କିଡନୀ

ମାଲକାନଗିରି: ସ୍ୱାମୀ ବିକିଦେଲା ସ୍ତ୍ରୀ କିଡନୀ । ମାଲକାନଗିରି ଟାଉନଥାନା ଅଞ୍ଚଳରୁ ଆସିଛି ଏପରି ସଂଗୀନ ଅଭିଯୋଗ। ଚିକିତ୍ସା ବାହାନାରେ ଡାକ୍ତରଖାନା ନେଇ ସ୍ୱାମୀ କିଡନୀ ବିକ୍ରି କରିଦେଇଥିବା ଅଭିଯୋଗ କରିଛନ୍ତି ପତ୍ନୀ।

ଅଭିଯୋଗ ଅନୁସାରେ ୧୨ବର୍ଷ ତଳେ କୋତାମେଟା ଗାଁର ପ୍ରଶାନ୍ତ କୁଣ୍ଡୁ ରଞ୍ଜିତା କୁଣ୍ଡୁଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇଟି ସନ୍ତାନ ରହିଛନ୍ତି । ତେବେ ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗିରହିଥିଲା । ୨୦୧୮ ମସିହାରେ ଚିକିତ୍ସା କରିବାକୁ କହି ରଞ୍ଜିତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନା ନେଇଥିଲେ ପ୍ରଶାନ୍ତ। ଡାକ୍ତରଖାନାରୁ ଫେରିବା ପରେ ସେ ବାପଘରେ ରହିଆସୁଥିଲେ। ପରେ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ଡାକ୍ତରଖାନାରେ ଦେଖାଇବା ପରେ ତାଙ୍କର ଏକ କିଡନୀ ନଥିବା ଜଣାପଡ଼ିଥିଲା । ଯୋଜନା ମୁତାବକ MV 38 ଗାଁର ଜଣେ ବ୍ୟକ୍ତିଙ୍କୁ ସ୍ୱାମୀ ପ୍ରଶାନ୍ତ କିଡନୀ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ୨ ମହିଳାଙ୍କର ମୃତ୍ୟୁ

ମାଲକାନଗିରି: ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ୨ ମହିଳାଙ୍କର ମୃତ୍ୟୁ । ମାଲକାନଗିରି ଥାନା ପାଣ୍ଡ୍ରିପାଣି ଗାଁରେ ଘଟିଛି ଏହି ଅଘଟଣ । ସୂଚନା ମୁତାବକ ବଜ୍ରପାତରେ ୨ ଜଣ ମହିଳା ଚାଷୀଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ବାଉଁଶଗୁଡା ଗାଁର ଦଇମତି ଖିଲ ଓ ରାଉଳିଗୁଡ଼ା ଗାଁର ଦୀପା ପାଞ୍ଜି । ତେବେ ଅନ୍ୟ ୩ଜଣଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟଜଣେ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ଅଛନ୍ତି ।

୨ ବର୍ଷ ପରେ ଜମିବ ଗଣେଶ ପୂଜା, ଶତାଧିକ ଲୋକଙ୍କୁ ନେଇ ଭୁବନେଶ୍ବରରେ ହେବ ପୂଜାର୍ଚ୍ଚନା

ଭୁବନେଶ୍ୱର: ଏଥର ରାଜଧାନୀରେ ଜମିବ ଗଣେଶ ପୂଜା । ଶତାଧିକ ଲୋକଙ୍କୁ ନେଇ ରାଜଧାନୀରେ ହେଇପାରିବ ଗଣେଶ ପୂଜା । ପରଦା ଆଢ଼ୁଆଳରେ ନୁହେଁ ଭକ୍ତ କରିବେ ସିଧାସଳଖ ଦର୍ଶନ । ତେବେ କୋଭିଡ୍ କଟକଣା ଉଠିଛି କିନ୍ତୁ ମୁହଁରେ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ଅନୁରୋଧ କଲେ BMC କମିଶନର । ମୂର୍ତ୍ତୀ ବିସର୍ଜନ ପାଇଁ ରାଜଧାନୀର କୁଆଖାଇ ଓ ଦୟାନଦୀ କୂଳରେ ହୋଇଛି ୨ଟି ଅସ୍ଥାୟୀ ପୋଖରୀ । ସେଥିରେ ଭୁବନେଶ୍ୱରର ସମସ୍ତ ମୂର୍ତ୍ତି ବିସର୍ଜନ କରିବାକୁ କମିଶନର ଅପିଲ କରିଛନ୍ତି । ଚଳିତ ବର୍ଷ ରାଜଧାନୀରେ ୫୦ରୁ ଅଧିକ ମଣ୍ଡପରେ ପୂଜା ପାଇବେ ଗଣେଶ । ପୂଜାରେ ବ୍ୟବହାର ହେଉଥିବା ସମସ୍ତ ସାମଗ୍ରୀକୁ ଅସ୍ଥାୟୀ ପୋଖରୀରେ ପକାଇବାକୁ ଅନୁରୋଧ କରିଛନ୍ତି କମିଶନର ବିଜୟ ଅମୃତା କୁଲାଙ୍ଗେ ।

ଟ୍ୟାକ୍ସ ଚୋରି ମାମଲାରେ ଅନିଲ ଅମ୍ବାନୀଙ୍କୁ ଆୟକର ବିଭାଗର ନୋଟିସ୍

ମୁମ୍ବାଇ: ଟ୍ୟାକ୍ସ ଚୋରି ମାମଲାରେ ଅନିଲ ଅମ୍ବାନୀଙ୍କୁ ଆୟକର ବିଭାଗର ନୋଟିସ୍ । ବ୍ଲାକ ମନି ଆକ୍ଟରେ ରିଲାଏନ୍ସ ଗ୍ରୁପର ପୂର୍ବତନ ଚେୟାରମ୍ୟାନ ଅନିଲ ଅମ୍ବାନୀଙ୍କୁ ନୋଟିସ କରିଛି ଆୟକର ବିଭାଗ । ସ୍ୱିସ ବ୍ୟାଙ୍କରେ ୮୧୪ କୋଟି ଟଙ୍କା ଜମା ରଖିଥିବା ଜଣାପଡ଼ିବା ପରେ ଅନିଲ ଅମ୍ବାନୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ୪୨୦ କୋଟି ଟ୍ୟାକ୍ସ ଚୋରି ଅଭିଯୋଗରେ ଅନିଲଙ୍କୁ ଜରିମାନା ସହ ୧୦ ବର୍ଷ ଜେଲ ଦଣ୍ଡ ହୋଇପାରେ । ଟ୍ୟାକ୍ସ ଫାଙ୍କିବା ପାଇଁ ସେ ଜାଣିଶୁଣି ବିଦେଶରେ ଥିବା ଅର୍ଥ ସମ୍ପର୍କରେ ଲୁଚାଇଥିଲେ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି ।

ହଷ୍ଟେଲରେ ସୁଜି ଖାଇ ୪୦ ଛାତ୍ରୀ ଅସୁସ୍ଥ, ଡାକ୍ତରଖାନାରେ ଚାଲିଛି ଚିକିତ୍ସା

କେନ୍ଦୁଝର: ହଷ୍ଟେଲରେ ସୁଜି ଖାଇ ୪୦ ଛାତ୍ରୀ ଅସୁସ୍ଥ । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ରାଇସୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସର ୪୦ ଛାତ୍ରୀ ଅସୁସ୍ଥ ହେବାରୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ସନ୍ଧ୍ୟାରେ କିଛି ଛାତ୍ରୀଙ୍କର ମୁଣ୍ଡ ବୁଲାଇବା ସହିତ ଝାଡା ବାନ୍ତି ହୋଇଥିଲା । ଛାତ୍ରୀଙ୍କ କହିବା ଆନୁସାରେ, ସନ୍ଧ୍ୟାରେ ସେମାନେ ସୁଜି ଖାଇଥିଲେ । ଏହା ପରେ ସେମାନେ ଅସୁସ୍ଥ ଅନୁଭବ କରିଥିଲେ । ହଷ୍ଟେଲରେ ୧୦୦ ଛାତ୍ରୀ ରହୁଥିବା ବେଳେ ୪୦ ଛାତ୍ରୀ ଅସୁସ୍ଥ ହୋଇଛନ୍ତି  । ତେବେ ଖାଦ୍ୟ କିମ୍ବା ପାଣି ଯୋଗୁଁ ଏପରି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ ଛାତ୍ରୀମାନଙ୍କର ଚିକିତ୍ସା ଚାଲିଛି ଓ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।

ବଢ଼ିଲା ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ, ଆଉ ୬ ମାସ କାର୍ଯ୍ୟକାଳ ବୃଦ୍ଧି ପାଇଁ କେନ୍ଦ୍ରର ଅନୁମୋଦନ

ଭୁବନେଶ୍ୱର: ବଢ଼ିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । ଆଉ ୬ ମାସ କାର୍ଯ୍ୟକାଳ ବୃଦ୍ଧି ପାଇଁ କେନ୍ଦ୍ରର ଅନୁମୋଦନ । ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବକୁ କେନ୍ଦ୍ରରୁ ଅନୁମୋଦନ ମିଳିଛି । ଯାହା ଫଳରେ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୧ରୁ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ୨୮ ଫେବ୍ରୁଆରୀ ୨୦୨୩ ପର୍ଯ୍ୟନ୍ତ ନିଜ ପଦରେ ରହିବେ ସୁରେଶ । ପୂର୍ବରୁ ମଧ୍ୟ ସୁରେଶ ମହାପାତ୍ରଙ୍କର ୬ ମାସ କାର୍ଯ୍ୟକାଳ ବଢ଼ିଥିଲା । ୨୦୨୨ ଫେବ୍ରୁଆରୀରେ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା । କିନ୍ତୁ ପ୍ରଥମ ଦଫାରେ ୬ ମାସ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା ।