spot_img
Home Blog Page 4079

ଭାରତ ବିରୋଧରେ ପାକିସ୍ତାନର ମେଗାପ୍ଲାନ, ଏଲଓସି ନିକଟରେ ପ୍ରତିଷ୍ଠା କଲାଣି ଟେରର କ୍ୟାମ୍ପ

ଜମ୍ମୁ: ଭାରତ ପାକ୍ ସୀମା ବା ଏଲଓସି ନିକଟରେ ଭାରତ ବିରୋଧରେ ପାକିସ୍ତାନର ମେଗାପ୍ଲାନ । ନିଜ ଦେଶରେ ଥିବା ଅନେକ ଆତଙ୍କବାଦ ଶିବିର ଓ ଲଞ୍ଚ ପ୍ୟାଡଗୁଡିକୁ ଏଲଓସି ନିକଟକୁ ପଠାଇବାରେ ଲାଗିଛି ପାକିସ୍ତାନ । ସୀମାରୁ ଅଳ୍ପ କିଛି ଦୂରରେ ଏହି କ୍ୟାମ୍ପ ଓ ଲଞ୍ଚ ପ୍ୟାଡ ପ୍ରତିଷ୍ଠା କରାଯାଇଛି ବୋଲି ଗୁଇନ୍ଦା ସୂତ୍ରରୁ ପ୍ରକାଶ । ଭାରତ ଭିତରକୁ ଅନୁପ୍ରବେଶ ବଢ଼ାଇବା ଲକ୍ଷ୍ୟରେ ପାକିସ୍ତାନ ଏହି ଯୋଜନା କରିଛି ।

ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତଏବା, ଜୈସ-ଏ-ମହମ୍ମଦ ଓ ହିଜବୁଲ ମୁଜାହିଦ୍ଦିନ ସଂଗଠନର ବିଭିନ୍ନ ଶିବିର ଏଲଓସିରେ ପ୍ରତିଷ୍ଠା ହୋଇଥିବା ସୂଚନା ମିଳିଛି । ଗୁଇନ୍ଦା ସୂତ୍ରରୁ କୁହାଯାଇଛି ଭାରତରେ ପ୍ରବେଶ କରିବା ଲାଗି ବହୁ ଏଣ୍ଟ୍ରି ପଏଣ୍ଟ ତିଆରି କରାଯାଇଛି । ଅନୁପ୍ରବେଶ କରିବାକୁ ଥିବା ଆତଙ୍କବାଦୀଙ୍କ ମଧ୍ୟରେ ରହିଛନ୍ତି ଆଇଏସଆଇ ତାଲିମପ୍ରାପ୍ତ ଆତଙ୍କବାଦୀ । ଏପରିକି ଭାରତ ଭିତରେ ପାକିସ୍ତାନ ୩୦୦ରୁ ଅଧିକ କ୍ଷୁଦ୍ର ଅସ୍ତ୍ରଶସ୍ତ୍ର ଡ୍ରୋନ ଜରିଆରେ ଶ୍ରୀନଗର ଆଖପାଖରେ ପକାଇଥିବା ସୂଚନା ମିଳିଛି। ବର୍ତ୍ତମାନ ଶ୍ରୀନଗରରେ ଲସକର ଓ ଜୈସର ୫୦ ବିଦେଶୀ ଆତଙ୍କବାଦୀ ପ୍ରବେଶ କରିସାରିଥିବା କୁହାଯାଇଛି ।

ଆଜି ଅବସର ନେବେ ଜଷ୍ଟିସ ଏନଭି ରମଣା, ନୂଆ ସିଜେଆଇ ଭାବେ ଦାୟିତ୍ୱ ନେବେ ଜଷ୍ଟିସ ଉଦୟ ଉମେଶ ଲଳିତ

ନୂଆଦିଲ୍ଲୀ: ଆଜି ଅବସର ନେବେ ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଜଷ୍ଟିସ ଏନଭି ରମଣା । ଦେଶରେ ପ୍ରଗତିଶୀଳ ଆଇନ ବ୍ୟବସ୍ଥା କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ମତାମତ ଦେବା ସହ ସଂସ୍କାରମୂଳକ ପଦକ୍ଷେପ ନେଇ ଚର୍ଚ୍ଚାରେ ଅଛନ୍ତି ରମଣା। ଗତକାଲି ଗୁଜରାଟ ଗଣଦୁଷ୍କର୍ମ ପୀଡ଼ିତା ବିଲକିସ ବାନୋଙ୍କ ଦୋଷୀଙ୍କୁ ମୁକ୍ତି ଓ ପେଗାସସ୍ ମାମଲାର ଶୁଣାଣି କରିଥିଲେ ରମଣା । ବିଲକିସଙ୍କ ଦୋଷୀଙ୍କ ମୁକ୍ତିକୁ ବିରୋଧ କରି ଦାଏର ପିଟିସନର ଶୁଣାଣି କରି କୋର୍ଟ ଉଭୟ କେନ୍ଦ୍ର ଓ ଗୁଜରାଟ ସରକାରଙ୍କୁ ନୋଟିସ ଜାରି କରିଥିଲେ ।

ଜଷ୍ଟିସ ରମଣାଙ୍କ ଅବସର ପରେ ଆସନ୍ତା କାଲି ଦେଶର ୪୯ତମ ସିଜେଆଇ ଭାବେ ଦାୟିତ୍ୱ ନେବେ ଜଷ୍ଟିସ ଉଦୟ ଉମେଶ ଲଳିତ । ସମ୍ବିଧାନର ଧାରା ୧୨୪ର ଉପଧାରା ୨ ଅନୁସାରେ ଜଷ୍ଟିସ ଲଳିତଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଥିଲେ । ପୂର୍ବରୁ ଜଷ୍ଟିସ ଲଳିତଙ୍କ ନାମକୁ ସୁପାରିସ କରିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମଣା । ଗତ ୨୦୧୪ରେ ଜଷ୍ଟିସ ଲଳିତ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ଜଷ୍ଟିସ ଲଳିତ ହେଉଛନ୍ତି ଦଶର ଦ୍ୱିତୀୟ ସିଜେଆଇ ଯିଏ କି ସିଧାସଳଖ ବାର୍‌ରୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୧୯୫୭ରେ ଜନ୍ମିତ ଜଷ୍ଟିସ ଲଳିତ ବରିଷ୍ଠ ଆଇନଜୀବୀ ସୋଲି ଜେ. ସୋରାବଜୀଙ୍କ ଚାମ୍ବରରେ କାର୍ଯ୍ୟ କରି ଅଭିଜ୍ଞତା ହାସଲ କରିଥିଲେ ।

ନବନିଯୁକ୍ତ ଅଣଶିକ୍ଷକ କର୍ମଚାରୀଙ୍କୁ ନବୀନଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର: ସବୁସ୍ତରରେ ବିକାଶକୁ ଫୋକସ କର । ନବନିଯୁକ୍ତ ଅଣଶିକ୍ଷକ କର୍ମଚାରୀଙ୍କୁ ଏହି ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାର୍ଗଦର୍ଶକ କାର୍ଯ୍ୟକ୍ରମରେ ନବନିଯୁକ୍ତ କଲେଜ କର୍ମଚାରୀଙ୍କୁ ସ୍ବାଗତ କରିବା ସହିତ ସଂକଳ୍ପର ସହିତ କାମ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଲୋକସେବା ଭବନର କନଭେସନ୍ ହଲରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ନୂତନ ଭାବେ ନିଯୁକ୍ତି ପାଇଥିବା ୩୩୪ ଅଣଶିକ୍ଷକ କର୍ମଚାରୀ ତଥା ୨୯୧ଜଣ ବିଜ୍ଞାନଗାର ସହାୟକ, ୨୫ଜଣ କନିଷ୍ଠ ପାଠାଗାର ଆଧିକାରୀ, ୧୮ଜଣ ଶାରୀରିକ ଶିକ୍ଷା ପ୍ରଶିକ୍ଷକ ସାମିଲ ହୋଇଥିଲେ ।

ଉଚ୍ଚ ଶିକ୍ଷା ବିଭାଗରେ ଛାତ୍ରଛାତ୍ରୀଙ୍କୁ ପାଠପଢା ସହିତ ବୌଦ୍ଧିକ ଜ୍ଞାନ, ଶାରୀରିକ ଶିକ୍ଷାକୁ ସମାନ୍ତରାଳ କରିବା ପାଇଁ ପଦକ୍ଷେପ ନିଆଯାଇଛି । ମହାବିଦ୍ୟାଳୟରେ ଶାରୀରିକ ଶିକ୍ଷା ପ୍ରଶିକ୍ଷକ ପଲାଙ୍କୁ ଶିକ୍ଷା ପ୍ରଦାନ କରି ରାଜ୍ୟ ତଥା ଜାତୀୟସ୍ତରରେ କୀଡାବିତ୍ ସୃଷ୍ଟି କରିବାରେ ସହାୟକ ହେବେ । ତେବେ ନୂତନ ଭାବେ ନିଯୁକ୍ତି ପାଇଥିବା ଏହି ଅଣଶିକ୍ଷକ କର୍ମଚାରୀଙ୍କୁ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ନିଯୁକ୍ତି ଦିଆଯିବ ।

ପୂର୍ବରୁ ସରକାରୀ ଓ ଅନୁପ୍ରାପ୍ତ ମହାବିଦ୍ୟାଳୟରେ ଶିକ୍ଷକ ଓ ଛାତ୍ର ଅନୁପାତକୁ ସମାନ କରିବା ପାଇଁ ପ୍ରଫେସର, ଆସୋସିଏଟ୍ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର, ଜୁନିୟର ଲେକଚରଙ୍କୁ ନିଯୁକ୍ତି ଦିଆଯାଇଛି । ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଭିତ୍ତିଭୂମିଙ୍କୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି । ଏହି ମାର୍ଗଦର୍ଶକ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ୍ ପୂଜାରୀ ସାମିଲ ହୋଇ ରାଜ୍ୟ ସରକାରଙ୍କୁ ପଦକ୍ଷେପକୁ ସ୍ବାଗତ କରିଛନ୍ତି ।

ନରେନ୍ଦ୍ର ପ୍ରସାଦ ଦାସଙ୍କୁ ବାଲ୍‌ ସାହିତ୍ୟ ପୁରସ୍କାର, ଗାଳ୍ପିକ ଦିଲ୍ଲୀପ ବେହେରାଙ୍କୁ ମିଳିବ ‘ଯୁବ ପୁରସ୍କାର’

ନନ୍ଦିଗୋଷ ବ୍ୟୁରୋ ଘୋଷଣା ହୋଇଛି ଚଳିତବର୍ଷ କେନ୍ଦ୍ର ଏକାଡେମୀ ପୁରସ୍କାର । ବ‌ାଲ୍‌ ସାହିତ୍ୟ ପୁରସ୍କାର ଏବଂ ଯୁବ ସାହିତ୍ୟ ପୁରସ୍କାର ପାଇଁ ଘୋଷଣା ହୋଇଛି ନାଁ । ବିଶିଷ୍ଟ ଶିଶୁ ସାହିତ୍ୟିକ ଡକ୍ଟର ନରେନ୍ଦ୍ର ପ୍ରସାଦ ଦାସଙ୍କୁ ବ‌ାଲ୍‌ ସାହିତ୍ୟ ପୁରସ୍କାର ମିଳୁଥିବା ବେଳେ ଗାଳ୍ପିକ ଦିଲ୍ଲୀପ ବେହେରାଙ୍କୁ ମିଳିବ ‘ଯୁବ ପୁରସ୍କାର’ ।

କେନ୍ଦ୍ର ସାହିତ୍ୟ ଏକାଡେମୀର କାର୍ଯ୍ୟକାରିଣୀ ପରିଷଦ ବୈଠକରେ ଦୁଇ ଜଣଙ୍କ ନାଁ ଘୋଷଣା କରାଯାଇଛି । ନରେନ୍ଦ୍ର ପ୍ରସାଦ ଦାସ ‘କୋଳାହଳ ନା ହଳାହଳ’ ପୁସ୍ତକ ପାଇଁ ବାଲ୍‌ ସାହିତ୍ୟ ପୁରସ୍କାର ପାଇବେ । ସେହିପରି ଓଡ଼ିଆ ଗଳ୍ପ ସଂକଳନ ‘ଲଣ୍ଠନ’ ପାଇଁ ଯୁବ ପୁରସ୍କାର ପାଇବେ ଗାଳ୍ପିକ ଦିଲ୍ଲୀପ ବେହେରା ।

ହାତୀମୃତ୍ୟୁ ରୋକିବାକୁ ଗଠନ ହେବ ଯୁଗ୍ମ ଟାସ୍କଫୋର୍ସ

ଭୁବନେଶ୍ୱର: ରାଜ୍ୟରେ ହାତୀମୃତ୍ୟୁ ରୋକିବାକୁ ଗଠନ ହେବ ଯୁଗ୍ମ ଟାସ୍କଫୋର୍ସ । ପୋଲିସ ଓ ବନ ବିଭାଗକୁ ନେଇ ଗଠନ ହେବ ଟାସ୍କଫୋର୍ସ । ଏହା ମାଧ୍ୟମରେ ବନ୍ୟାପ୍ରାଣୀ ସମ୍ପର୍କିତ ସମସ୍ତ ମାମଲାର ତଦନ୍ତ କରାଯିବ । ଏନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ପୋଲିସ ଡିଜି । ଅନ୍ତଃରାଜ୍ୟ ବନ୍ୟଜନ୍ତୁ ବେଆଇନ ଚାଲାଣ ଉପରେ ମଧ୍ୟ ଟାସ୍କଫୋର୍ସ ନଜର ରଖିବ ।

ସୂଚନା ମୁତାବକ ଟାସ୍କଫୋର୍ସ ମୁଖ୍ୟ ବନ୍ୟ ସଂରକ୍ଷକ ଓ ପିସିସିଏଫଙ୍କ ତତ୍ତ୍ବାବଧାନରେ କାମ କରିବ । ଅନ୍ୟପଟେ କେନ୍ଦୁଝର ଯୋଡ଼ା ରେଞ୍ଜ ଅଞ୍ଚଳରେ ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ ଘଟଣାରେ ଆସନ୍ତା ୨୬ତାରିଖରେ ସବିଶେଷ ତଥ୍ୟ ରଖିବେ ଆଡଭୋକେଟ ଜେନେରାଲ୍ ।

ବେଆଇନ ଗର୍ଭପାତ କରୁଥିଲେ, କୋର୍ଟ ଡାକ୍ତରାଣୀଙ୍କୁ ଜେଲ୍ ପଠାଇଲେ

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ବେଆଇନ ଗର୍ଭପାତ ଓ ଲିଙ୍ଗ ନିରୁପଣ । ଡାକ୍ତରାଣୀଙ୍କୁ ଦଣ୍ଡାଦେଶ ଦେଲେ ଭୁବନେଶ୍ବର ଜେଏମଏଫସି କୋର୍ଟ । ଦୋଷୀ ସାବ୍ୟସ୍ତ ପରେ ଡାକ୍ତରାଣୀ ନବନୀତା ପାଢୀଙ୍କୁ ଅଢେଇ ବର୍ଷ ଦଣ୍ଡାଦେଶ ପ୍ରଦାନ କରିଛନ୍ତି କୋର୍ଟ । ଏହା ସହିତ ୯ହଜାର ଟଙ୍କା ଜୋରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ମାମଲାରେ 7ଜଣ ସାକ୍ଷୀ ଓ 14 ଦସ୍ତାବିଜ ପ୍ରମାଣ ଆଧାରରେ ରାୟ ଶୁଣାଇଛନ୍ତି କୋର୍ଟ । 2019 ମସିହାରେ ଜୟଦେବ ବିହାରରେ ଥିବା ଏକ କ୍ଲିନିକରେ ବେଆଇନ ଗର୍ଭପାତ ଓ ଲିଙ୍ଗ ନିରୁପଣ ହେଉଥିବା ଜଣାପଡ଼ିଥିଲା । ଚଢାଉ କରି କ୍ଲିନିକକୁ ସିଲ୍ କରିଥିଲା ପ୍ରଶାସନ । ଗୁରୁବାର ଏହି ମାମଲାକୁ ନେଇ କୋର୍ଟ ରାୟ ଶୁଣାଇଛନ୍ତି  ।

ଭୁବନେଶ୍ବରରେ ପୁଣି ଯୁବତୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ..

ଭୁବନେଶ୍ୱର: ଭୁବନେଶ୍ବର ଖାରବେଳନଗର ଅଞ୍ଚଳରେ ଆଉ ଏକ ଆତ୍ମହତ୍ୟା । ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବତୀ । ମିଳିଥିବା ସୂଚନା ମୁତାବକ ଯୁବତୀ ଜଣଙ୍କ ନାଁ ସସ୍ମିତା ବାରିକ । ସସ୍ମିତା ସହୀଦନଗର ଅଞ୍ଚଳରେ ଏକ ପ୍ରାଇଭେଟ କଂପାନୀରେ କାମ କରନ୍ତି । ଗତ କାଲି ଅଫିସରୁ ବିଳମ୍ବରେ ଆସିବେ ବୋଲି ଘରେ କହିଥିଲେ ।

କମ୍ପାନୀରୁ କାର୍ଯ୍ୟ ସାରି ରାତି 8ଟାରେ ଘରେ ସସ୍ମିତା ପହଞ୍ଚିଥିବା କହିଛନ୍ତି ତାଙ୍କ ବାପା । ସେ କାହିଁକି ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ସେପଟେ ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି ପୋଲିସ ।

ନନ୍ଦିଘୋଷ ଟିଭି ହାତରେ ଶ୍ୱେତାଙ୍କ ଡାଏରୀ, ସମ୍ପର୍କ ପାଇଁ ଲୋଡିଛନ୍ତି ଈଶ୍ୱରଙ୍କ ଆଶୀର୍ବାଦ..

ନନ୍ଦିଘୋଷ ବ୍ୟୁରୋ: ନନ୍ଦିଘୋଷ ଟିଭି ହାତରେ ଲାଗିଛି ସଫ୍ଟଓ୍ବେର ଇଂଜିନିୟର ଶ୍ବେତାଙ୍କ ଡାଏରୀର କିଛି ଫର୍ଦ୍ଦ । ଯେଉଁ ଡାଏରୀରେ ଶ୍ୱେତା ନିଜେ ଲେଖୁଥିଲେ ଜୀବନର କିଛି ଅକୁହା କଥା  । ଘଟିଯାଇଥିବା କିଛି ଅନେକ ଘଟଣା  ।  ଏଥିରେ ସେ ସୌମ୍ୟଜିତଙ୍କ ସହ ନିବିଡ଼ ସଂପର୍କ ନେଇ ଲେଖିଛନ୍ତି। ସୌମ୍ୟ ତାଙ୍କୁ ସ୍ତ୍ରୀ ରୂପେ ଗ୍ରହଣ କରୁଥିବା ସେ ଲେଖିଛନ୍ତି। ତାଙ୍କ ପ୍ରତି ଓ ତାଙ୍କ ପରିବାର ପ୍ରତି ସୌମ୍ୟଙ୍କ ସମ୍ମାନ ବଢିଯାଇଛି । ତାଙ୍କ ସମ୍ପର୍କକୁ ଆଶୀର୍ବାଦ କରିବା ସହ ବଞ୍ଚାଇ ରଖିବାକୁ ସେ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।

ଶ୍ୱତା ଲେଖିଛନ୍ତି ଯେ, ପୂର୍ବଠାରୁ ତାଙ୍କ ସମ୍ପର୍କ କେମିତି ଆହୁରି ମଜଭୁତ ହେବ ସେନେଇ ଭଗବାନଙ୍କ ଆଶୀର୍ବାଦ ଲୋଡିଛନ୍ତି। ଦିନକୁ ଦିନ ସୌମ୍ୟଜିତ ମହାପାତ୍ର ତାଙ୍କୁ ପୂର୍ବଠାରୁ ଅଧିକ ଭଲ ପାଉଛନ୍ତି। ତାଙ୍କ ମଧ୍ୟରେ ଥିବା ସବୁ ଭୁଲ ବୁଝାମଣା ଦୂର କରିବା ପାଇଁ ସେ ବାରମ୍ବାର ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି। ଡାଏରୀରୁ ଶ୍ବେତା ସୌମିଜିତଙ୍କୁ କେତେ ଭଲ ପାଉଥିଲେ ସେନେଇ ସ୍ପଷ୍ଟ ହୋଇଛି।

ସେପଟେ ଭୁବନେଶ୍ବର ଡିସିପିଙ୍କୁ ଭେଟିଛନ୍ତି ଶ୍ଵେତାଙ୍କ ପରିବାର। ତୁରନ୍ତ ସୌମ୍ୟଙ୍କୁ ଗିରଫ ଦାବି କରିବା ସହ ଡିସିପିଙ୍କ ନିକଟରେ ଆଉ କିଛି ପ୍ରମାଣ ଦାଖଲ କରିଛନ୍ତି। ଏଥିସହ ସାଙ୍ଗମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି । ଅନ୍ୟପଟେ ଶ୍ୱେତାଙ୍କ ଭାଇ ଏବଂ ଶ୍ୱେତାଙ୍କ ସାଙ୍ଗର ଏକ ଅଡିଓ ବାର୍ତ୍ତାଳପ ଭାଇରାଲ ହେଉଛି  । ଯେଉଁଥିରେ ଶ୍ୱେତାଙ୍କ ଭାଇ ଓ ଶ୍ୱେତାଙ୍କ ବନ୍ଧୁଙ୍କ ମଧ୍ୟରେ ଦୀର୍ଘ ସମୟର ବାର୍ତ୍ତାଳପ ରହିଛି  ।  ଶ୍ୱେତା ଓ ସୌମ୍ୟଜିତଙ୍କ ପ୍ରେମ ସମ୍ପର୍କକୁ ନେଇ ଉଭୟେ କଥା ହୋଇଥିବା ଜଣା ପଡ଼ିଛି  ।

ବର୍ଷକର ଚାଷ ଧୋଇଦେଲା ଧନୁଆଁ- କୁଶଭଦ୍ରା..

ନନ୍ଦିଘୋଷ ବ୍ୟୁରୋ:  ଦୁଃଖ ଦେଇଛି ଧନୁଆଁ ଓ କୁଶଭଦ୍ରା  । ଅଣ୍ଟା ସଳଖି ଛିଡ଼ା ହେବା ବେଳେ ଭାଙ୍ଗିଦେଇଛି ଚାଷୀଙ୍କ ମେରୁଦଣ୍ଡ  । ବନ୍ୟାରେ ଛାରଖାର ହୋଇଛି ଘରଦ୍ବାର, ଉଜୁଡ଼ିଯାଇଛି ଚାଷ ଜମି । ଏବେବି ପାଣି ଘେରରେ ପୁରୀ ଜିଲ୍ଲାର ଅନେକ ଗାଁ । ଜମିରେ ଲହଡ଼ି ଭାଙ୍ଗୁଛି ବନ୍ୟାଜଳ । ନିମାପଡ଼ା ଓ ଗୋପ ବ୍ଲକରେ ପ୍ରାୟ ୧୨ ହଜାର ଚାଷ ଜମି ଜଳମଗ୍ନ ହୋଇଛି  । ଚାଷୀ ପରିବାରର ବର୍ଷକର ଫସଲ ଉଜୁଡ଼ି ଯାଇଛି  । କାରଣ ଧାନ ଗଛ ଓ ପନିପରିବା ଗଛ ସବୁ ବନ୍ୟା ପାଣିରେ ସଢିଗଲାଣି ।

ହ୍ରଦର ଭ୍ରମ ସୃଷ୍ଟି କରୁଛି ବନ୍ୟାଜଳ । ଜଳମଗ୍ନ ହୋଇ ରହିଛି ଜମି । ୯ଦିନ ବିତିଲାଣି, ତଥାପି କମୁନି ବନ୍ୟାପାଣି । ପୁରୀ ଜିଲ୍ଲାର ଅନେକ ଗାଁ ଏବେବି ପାଣି ଘେରରେ ରହିଛି । ବିଶେଷ କରି ପ୍ରଭାବିତ ହୋଇଛି ନିମାପଡ଼ା ଓ ଗୋପ ବ୍ଲକ୍ । ପାଣି ବୁଡ଼ି ରହିଛି ଚାଷୀର ବର୍ଷକର ପରିଶ୍ରମ । ଆଉ ଛାତିଏ ପାଣିରୁ ସ୍ବପ୍ନ ସାଉଁଟୁଛି ଚଷାପୁଅ । ସବୁକିଛି ଉୁଜୁଡ଼ି ଯାଇଛି । ଧାନ, ଛତୁ, ଅଣଧାନ ସବୁ ଛାରଖାର ହୋଇଯାଇଛି । ଧାନ ଗଛ ସଢିଯାଇଥିବା ବେଳେ ପନିପରିବା ଓ ରବି ଫସଲ ନଷ୍ଟ ହୋଇଛି ।

ନିମାପଡ଼ା ବ୍ଲକର ପ୍ରାୟ ୭ ହଜାର ୫୦୧ ହେକ୍ଟର ଓ ଗୋପ ବ୍ଲକର ୪ ହଜାର ୭୦ ହେକ୍ଟର ଜମିରେ ଚାଷ ଉଜୁଡ଼ି ଯାଇଛି । କୃଷି ବିଭାଗ, ଉଦ୍ୟାନ ବିଭାଗ ଓ ରାଜସ୍ୱ ବିଭାଗର ଅଧିକାରୀ ବନ୍ୟା ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ କରୁଛନ୍ତି । ସେପଟେ ପାଣି ସମ୍ପୂର୍ଣ୍ଣ ଛାଡିବା ପରେ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ଜଳତାଣ୍ଡବରେ ଭାଙ୍ଗି ଯାଇଛି ଚାଷୀର ସ୍ବପ୍ନ । ତେଣୁ ସଠିକ କ୍ଷୟକ୍ଷତି ଆକଳନ କରି ତୁରନ୍ତ ସହାୟତା ପାଇଁ ଦାବି କରିଛନ୍ତି ଚାଷୀକୂଳ  ।

 

ଘୁଞ୍ଚିଲା ସମାଜସେବୀ ତିସ୍ତା ସେତଲଭାଡଙ୍କ ଜାମିନ ଶୁଣାଣି

ନୂଆଦିଲ୍ଲୀ: ଘୁଞ୍ଚିଲା ସମାଜସେବୀ ତିସ୍ତା ସେତଲଭାଡଙ୍କ ଜାମିନ ଶୁଣାଣି । ଗୁଜରାଟ ସରକାର ଉତ୍ତର ଦାଖଲ ଲାଗି ଆଉ କିଛି ଦିନ ମାଗିବା ପରେ ସୁପ୍ରିମକୋର୍ଟ ଜାମିନ ଆବେଦନର ଶୁଣାଣି ଘୁଞ୍ଚାଇଛନ୍ତି । ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ସମାଜସେବୀ ତିସ୍ତାଙ୍କୁ ଗିରଫ କରାଯାଇଥିଲା । ଗୁଜରାଟ ସରକାରଙ୍କ ପକ୍ଷରୁ ଲଢୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସମାଜସେବୀ ତିସ୍ତାଙ୍କ ଜାମିନ ଆବେଦନ ସମ୍ପର୍କରେ ଉତ୍ତର ରଖିବା ଲାଗି ଆଉ ୨ ଦିନ ସମୟ ମାଗିବା ପରେ ତିସ୍ତାଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚାଇ ଦିଆଯାଇଛି ।

ମିଳିଥିବା ସୂଚନା ମୁତାବକ ଆସନ୍ତା ଅଗଷ୍ଟ ୩୦ ତାରିଖରେ ମାମଲାର ଶୁଣାଣି ହେବ । ପୂର୍ବରୁ ସେତଲଭାଡଙ୍କ ଜାମିନ ମାମଲାରେ ଗୁଜରାଟ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ୨୦୦୨ ଗୁଜରାଟ ଦଙ୍ଗା ଘଟଣାରେ ନିରୀହ ଲୋକଙ୍କୁ ଫସାଇବା ଲାଗି ତିସ୍ତା ଉଦ୍ୟମ କରୁଥିବା ଅଭିଯୋଗରେ ଗତ ଜୁନରେ ତିସ୍ତାଙ୍କୁ ଗିରଫ କରିଥିଲା ଅହମ୍ମଦାବାଦ ପୋଲିସ । ତିସ୍ତା ବର୍ତ୍ତମାନ ସାବରମତୀ କେନ୍ଦ୍ରୀୟ ଜେଲରେ ଅଛନ୍ତି ।