ଗାଡି ମାଲିକଙ୍କୁ ଆଶ୍ବସ୍ତି, ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ବଦଳିଲା ଡେଡ୍ ଲାଇନ

1 min read

ଭୁବନେଶ୍ବର: ବଦଳିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ଡେଡ୍‌ ଲାଇନ । ୨୦୧୯ ଏପ୍ରିଲ ପହିଲା ପୂର୍ବରୁ ରେଜିଷ୍ଟ୍ରେସନ ହୋଇଥିବା ଗାଡିର ନମ୍ବର ପ୍ଲେଟ ଗୁଡିକରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନମ୍ବର ଲଗାଇବା ବାଧ୍ୟତାମୂଳକ ।

ଅନଲାଇନ୍ ସ୍ଲଟ ବୁକିଂରେ ସମସ୍ୟା ସୃଷ୍ଟି ହେବାରୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ବା STAଙ୍କ ପକ୍ଷରୁ ନିଆଯାଇଛି ଏହି ପଦକ୍ଷେପ । ଫଳରେ ପୂର୍ବ ନିର୍ଦ୍ଧାରିତ ସମୟ ପାଇଁ ପଞ୍ଜିକୃତ ହୋଇଥିବା ଗାଡି ମାଲିକଙ୍କୁ ଆଗାମୀ ଅକ୍ଟୋବର ପହିଲାରୁ ହେବାକୁ ଥିବା ଚେକିଂ ଓ ଧରପଗଡର  ସମ୍ମୁଖୀନ ହେବାକୁ ପଡିବ ନାହିଁ । ଓଡିଶାରେ ପଞ୍ଜିକୃତ ହୋଇଥିବା ଗାଡି ନମ୍ବରର ଶେଷ ନମ୍ବର ୧ କିମ୍ବା ୨ ହୋଇଥିଲେ ସେମାନଙ୍କୁ ହାଇ ସିକ୍ୟୁରିଟି ନମ୍ବର ଲଗାଇବା ପାଇଁ ଅଗଷ୍ଟ ୩୧ତାରିଖ ଶେଷ ତାରିଖ ଧାର୍ଯ୍ୟ ହୋଇଥିଲା । ପରିବର୍ତ୍ତିତ ନିୟମ ପ୍ରକାରେ ଏହି ସମୟ ସୀମାକୁ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ସେହିଭଳି ଯେଉଁ ଗାଡିର ଶେଷ ନମ୍ବର ୩ ଓ ୪ ରହିଛି ତାହାକୁ ମଧ୍ୟ ସେପ୍ଟେମ୍ବର ୩୦ତାରିଖ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି । ଯେଉଁ ଗାଡିର ଶେଷ ନମ୍ବର ୫ ଏବଂ ୬ ରହିଛି ସେହି ଗାଡିକୁ ଅକ୍ଟୋବର ୩୧ତାରିଖ, ୭ ଓ ୮ ଶେଷ ନମ୍ବର ଥିବା ଗାଡିକୁ ୩୦ନଭେମ୍ବର ଓ ୯ ଏବଂ ୦ ଶେଷ ନମ୍ବର ଥିବା ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ପାଇଁ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି ।