ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ନବରାତ୍ରିରେ ମିଳିବ ସ୍ପେଶାଲ ଖାଦ୍ୟ

ନୂଆଦିଲ୍ଲୀ: ଆରମ୍ଭ ହୋଇଗଲାଣି ପାର୍ବଣ ଋତୁ  । ଛୁଟି କାଟିବାକୁ ବୁକିଂ ବି କରିସାରିଲେଣି ଯାତ୍ରୀ  । ତେବେ ଆପଣ ଯଦି ରେଳରେ ଯାତ୍ରା କରୁଛନ୍ତି ଆପଣଙ୍କ ପାଇଁ ଖୁସି ଖବର  । ନବରାତ୍ରରେ ଯାତ୍ରୀଙ୍କୁ ସ୍ପେଶାଲ ସେବା ଯୋଗାଇବ ରେଳବାଇ  । ଯାତ୍ରୀଙ୍କୁ ସ୍ବତନ୍ତ୍ର ଖାଦ୍ୟ ପରଷିବା ପାଇଁ ଘୋଷଣା କରିଛି ରେଳ ମନ୍ତ୍ରଣାଳୟ  । ସେପ୍ଟେମ୍ବର ୨୬ରୁ ଅକ୍ଟୋବର ୫ ପର୍ଯ୍ୟନ୍ତ ଟ୍ରେନରେ ମିଳିବ ସ୍ବତନ୍ତ୍ର ଖାଦ୍ୟ  ।

ଆଗାମୀ ୧୦ ଦିନ ବ୍ରତଧାରୀଙ୍କ ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନେଇଛି ରେଳବାଇ  । ଯଦି ଆପଣ ଏହି ସମୟରେ ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ଫୁଡ୍‌ ଅନ୍‌ ଟ୍ରାକ୍‌ ଆପ୍‌ରୁ ଆପଣ ଖାଦ୍ୟ ଅର୍ଡର କରିପାରିବେ  । ନଚେତ୍‌ ଇକ୍ୟାଟରିଂ.ଆଇଆରସିଟିସି.କୋ.ଇନ୍‌ ଅଥବା ୧୩୨୩ ନମ୍ବରରେ ଫୋନ୍‌ କରି ବ୍ରତଧାରୀ ମାନେ ସ୍ବତନ୍ତ୍ର ସୁବିଧା ପାଇପାରିବେ  ।

ସ୍ବତନ୍ତ୍ର ଖାଦ୍ୟ ମେନ୍ୟୁ ପୂର୍ବରୁ ନବରାତ୍ର ପାଇଁ ଆଇଆରସିଟିସି ଭାରତ ଗୌରବ ଟୁରିଷ୍ଟ ଟ୍ରେନ ସେବା ଆରମ୍ଭ କରିଛି  । ଏହି ସ୍ବତନ୍ତ୍ର ଟ୍ରେନରେ ପ୍ୟାଣ୍ଟ୍ରି କାର, ଆଧୁନିକ ବ୍ୟବସ୍ଥା, ସିକ୍ୟୁରିଟି ଗାର୍ଡ ସହ ରହିଛି ସିସିଟିଭି କ୍ୟାମେରା  । ସେପ୍ଟେମ୍ବର ୩୦ ରୁ ଦିଲ୍ଲୀରୁ କଟରା ଅଭିମୁଖେ ଯାତ୍ରା ଆରମ୍ଭ କରିବ ଏହି ସ୍ବତନ୍ତ୍ର ଟ୍ରେନ  ।

ଦିଲ୍ଲୀରୁ ଯାତ୍ରା ଆରମ୍ଭ କରି ପର୍ଯ୍ୟଟକ ଗାଜିଆବାଦ, ମିରଟ, ମୁଜ୍ଜାଫରନଗର, ଶାହରଣପୁର, ଅମ୍ବାଲା, ସିରହିନ୍ଦ, ଲୁଧିଆନା ଯାତ୍ରା କରିପାରିବେ  ।

ସେହିପରି ପାର୍ବଣ ଋତୁ ଆରମ୍ଭ ହୋଇଯାଇ ଥିବାବେଳେ ନବରାତ୍ରି ପାଳୁଛି ଭାରତ  । ଖାସ୍‌କରି ଉତ୍ତର ଭାରତରେ ରାମଲୀଳା ଓ ରାମାୟଣ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି  । ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ବିହାର ଓ ମଧ୍ୟପ୍ରଦେଶରେ ଦୁର୍ଗାପୂଜା ସାଙ୍ଗକୁ ନବରାତ୍ର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ରାବଣର ପ୍ରତିମୂର୍ତ୍ତି ପୋଡି ବିଜୟା ଦଶମୀ ପାଳିବାକୁ ପ୍ରସ୍ତୁତ ହେଲାଣି ଭାରତ  ।