spot_img
Home Blog Page 4080

ଆଜିଠୁ ଭିଜିବ ସାରା ଓଡ଼ିଶା, ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ଆଜିଠୁ ଭିଜିବ ସାରା ଓଡ଼ିଶା । ଆଜି ଲଘୁଚାପରେ ପରିଣତ ହେବ ଉତ୍ତର ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ । ପ୍ରଭାବରେ ୪ରୁ ୫ଦିନ ଯାଏ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷକରି ଉପକୂଳ ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ହାଲକରୁ ମଧ୍ୟମଧରଣର ବର୍ଷା ହେବ । ଏଥିପାଇଁ ୧୭ଜିଲ୍ଲାକୁ ୟେଲୋ ଓ ୫ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର ।

ଆସନ୍ତାକାଲି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ୬ ତାରିଖରୁ ବର୍ଷାର ପରିମାଣ ବଢି ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି । ଏହି ସମୟରେ କେତେକ ସ୍ଥାନରେ ବିଜୁଳି ଘଡ଼ିଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଜିଠୁ ଓଜେଇଇ, ଓଡ଼ିଶା ସମେତ ୪ଟି ରାଜ୍ୟରେ ୬୫ଟି ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା OJEE । ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ପରୀକ୍ଷା । ଏଥିପାଇଁ ଓଡ଼ିଶା ସମେତ ୪ଟି ରାଜ୍ୟରେ ହୋଇଛି ୬୫ଟି ପରୀକ୍ଷା କେନ୍ଦ୍ର । ରାଜ୍ୟର ୩୦ଟି ଜିଲା ଛଡ଼ା ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡରେ ପରୀକ୍ଷା କେନ୍ଦ୍ର ହୋଇଛି । ୧୩ଟି ବିଭାଗରେ ଅଛନ୍ତି ମୋଟ ୫୭ ହଜାର ୯୧୮ ପରୀକ୍ଷାର୍ଥୀ । ଏଥର ମଧ୍ୟ କୋଭିଡ କଟକଣା ଭିତରେ ପରୀକ୍ଷା ହେଉଛି । ଦିନକୁ ୩ଟି ସିଟିଂରେ ପରୀକ୍ଷା ହେବ । ସକାଳ ୯ଟାରୁ ୧୧ଟା ପ୍ରଥମ ସିଟିଂ, ୧୨ଟା ୩୦ ରୁ ୨ଟା ୩୦ ଦ୍ୱିତୀୟ ସିଟିଂ ଓ ଅପରାହ୍ନ ୪ରୁ ୬ଟା ପର୍ଯ୍ୟନ୍ତ ହେବ ତୃତୀୟ ସିଟିଂ ପରୀକ୍ଷା ।

କମ୍ପ୍ୟୁଟର ଆଧାରିତ ପରୀକ୍ଷା ଯୋଗୁ ପରୀକ୍ଷାର୍ଥୀଙ୍କୁ ଦେଢ଼ ଘଣ୍ଟା ଆଗରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କମ୍ପ୍ୟୁଟର ମୋଡ଼ରେ ପରୀକ୍ଷା ହେଉଛି । ପରୀକ୍ଷା କେନ୍ଦ୍ରରେ ମାସ୍କ ବାଧ୍ୟତାମୂଳକ କରାଯାଇଥିବାବେଳେ ହ୍ୟାଣ୍ଡ ସାନିଟାଇଜେସନ, ସାମାଜିକ ଦୂରତା ରକ୍ଷା କରିବା ଓ ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂ ଉପରେ ଗୁରୁତ୍ୱ ଦେଇଛି ଓଜେଇଇ । ଏଥର  ସର୍ବାଧିକ ଲାଟେରାଲ ଏଣ୍ଟ୍ରି ବିଟେକରେ ୨୦ ହଜାର ୧୬୮ ଜଣ ପରୀକ୍ଷାର୍ଥୀ ରହିଥିବାବେଳେ ବି.ଫାର୍ମାରେ ୧୨ ହଜାର ୨୨୯ ଜଣ, MBAରେ ୧୦ ହଜାର ୬୭୪ ଜଣ ଆବେଦନ କରିଛନ୍ତି । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ OJEE  ପରୀକ୍ଷା ଅନୁଷ୍ଠିତ ହେବ ।

ଆଜି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ଏକନାଥ ସିନ୍ଦେ, ବିଧାନସଭାରେ ହେବେ ଆସ୍ଥା ଭୋଟରେ ସମ୍ମୁଖୀନ

ମୁମ୍ବାଇ: ଆଜି ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆଜି ଆସ୍ଥା ଭୋଟରେ ସମ୍ମୁଖୀନ ହେବେ ସିନ୍ଦେ । ଏବେ ୩୯ ବିଦ୍ରୋହୀ ଶିବସେନା ବିଧାୟକଙ୍କ ସମେତ ୫୦ ବିଧାୟକ ସିନ୍ଦେ କ୍ୟାମ୍ପରେ ଅଛନ୍ତି । ବିଜେପି ମଧ୍ୟ ସିନ୍ଦେ ସରକାରଙ୍କ ଅଂଶୀଦାର ରହିଛି । ତେଣୁ ସଂଖ୍ୟା ସିନ୍ଦେ –ବିଜେପି ପାଖରେ ରହିଛି । ଯଦି କିଛି ଆଇନଗତ ସମସ୍ୟା ନ ଉପୁଜେ, ତେବେ ଏକନାଥ ସିନ୍ଦେ ଆସ୍ଥା ଭୋଟରେ ବିଜୟୀ ହେବା ନିଶ୍ଚିତ ।

ଗତକାଲି ବାଚସ୍ପତି ନିର୍ବାଚନରେ ମଧ୍ୟ ଏହାର ଆଭାସ ଦେଖିବାକୁ ମିଳିଛି । ବିଜେପି ଓ  ଶିବସେନାର ସିନ୍ଦେ ଗୋଷ୍ଠୀର ମିଳିତ ପ୍ରାର୍ଥୀ ରାହୁଲ ନାର୍ଭେକର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ରାହୁଲଙ୍କୁ ୧୬୪ଟି ଭୋଟ୍ ମିଳିଥିଲା ବେଳେ ମହାବିକାଶ ଅଘାଡିର ସାଲଭୀ ପାଇଥିଲେ ୧୦୭ଟି ଭୋଟ୍ । ଏଣୁ ସଂଖ୍ୟା ଦୃଷ୍ଟିରେ ସିନ୍ଦେ ଢେର ଆଗରେ ଅଛନ୍ତି । ସେପଟେ ବିଧାନସଭା ଅଧିବେଶନ ଓ ବାଚସ୍ପତି ନିର୍ବାଚନ ପ୍ରକ୍ରିୟାକୁ ବିରୋଧ କରିଛନ୍ତି ଶିବସେନାର ଉଦ୍ଧବ ଗୋଷ୍ଠୀ ଓ କଂଗ୍ରେସ । ସିନ୍ଦେ ଗୋଷ୍ଠୀର ବିଧାୟକମାନେ ବାଚସ୍ପଚି ନିର୍ବାଚନରେ ଭାଗ ନେବା ସଂପୂର୍ଣ୍ଣ ଅସାମ୍ବିଧାନିକ ବୋଲି ଟିମ୍ ଉଦ୍ଧବ ପକ୍ଷରୁ କୁହାଯାଇଛି । କଂଗ୍ରେସ ରାଜ୍ୟପାଳଙ୍କ ଭୂମିକାକୁ ନେଇ ପ୍ରଶ୍ନ କରିଛି ।

ଭୁବନେଶ୍ବର ବରମୁଣ୍ଡାରେ ଜଳିଗଲା ବସ୍, କାଚ ଭାଙ୍ଗି ଯାତ୍ରୀଙ୍କୁ କରାଗଲା ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡାରେ ଜଳିଗଲା ବସ୍ । ଭାରସାମ୍ୟ ହରାଇ ବ୍ରିଜର ବାଡ଼ରେ ପିଟି ହେବା ପରେ ଗାଡ଼ିରେ ଲାଗିଲା ନିଆଁ । କାଚ ଭାଙ୍ଗି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଦୁର୍ଘଟଣାରେ ୪ ଜଣ ଆହତ ହୋଇଛି । ବସରେ ନିଆଁ ଲାଗିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଦମକଳ ବାହିନୀ । ୩ଟି ଦମକଳ ଗାଡି ନିଆଁକୁ ଆୟତ୍ତ କରିଥିଲା ।

ସୂଚନା ଅନୁସାରେ ଲଳିତା ନାମକ ଘରୋଇ ବସ୍ ଫୁଲବାଣୀରୁ ଭୁବନେଶ୍ୱର ଆସୁଥିବା ବେଳେ ଭାରସାମ୍ୟ ହରାଇ ବରମୁଣ୍ଡା ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା । ପରେ ବସରେ ନିଆଁ ଲାଗିଯାଇଥିଲା । ତେବେ ଏବେବି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

 

ଆଡ଼ପ ମଣ୍ଡପରେ ଚାଲିଛି ନିତ୍ୟାରାସ, ସୋମବାର ବନକଲାଗି ନୀତି

ପୁରୀ: ଆଡ଼ପ ମଣ୍ଡପରେ ଚାଲିଛି ମହାପ୍ରଭୁଙ୍କ ନିତ୍ୟାରାସ । ଆସନ୍ତାକାଲି ସୋମବାର ଆଷାଢ ଶୁକ୍ଳ ପଞ୍ଚମୀ ତିଥିରେ ଅନୁଷ୍ଠିତ ହେବ ବନକଲାଗି ନୀତି । ଦ୍ୱିତୀୟ ଭୋଗମଣ୍ଡପ ପରେ ଶ୍ରୀଜୀଉଙ୍କ ଏହି ଗୁପ୍ତ ନୀତି ହେବାକୁ ଥିବାରୁ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ । ସେପଟେ ଆଜି ଆଡପ ଅବଢା ବାହାରିଥିବାବେଳେ ଶ୍ରଦ୍ଧାଳୁମାନ ଅବଢା ପାଇବା ସହ ମହାପ୍ରଭୁଙ୍କୁ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଛନ୍ତି । ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜି ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ବ୍ୟାରିକେଡରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ ।

ଜନ୍ମବେଦିରେ ମହାପ୍ରଭୁ । ଆଡପ ବିଜେ ପରେ ଏବେ ଜନ୍ମବେଦିରେ ପୂଜା ପାଉଛନ୍ତି ଚତୁର୍ଦ୍ଧା ମୂରତି । ଆଜି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଦର୍ଶନ ମିଳିବା ସହ ବାହାରିଛି ଆଡ଼ପ ଅବଢା । ସକାଳୁ ଦ୍ୱାରଫିଟା ନିତୀ ସମ୍ପନ୍ନ ପରେ ଭିତର ଶୋଧ, ମଙ୍ଗଳ ଆଳତୀ , ମଇଲମ, ଅବକାଶ ନୀତି କରାଯାଇ ଦୈନଦିନ ନୀତିକାନ୍ତି ଚାଲିଛି । ଆଡ଼ପ ମଣ୍ଡପରେ ଦର୍ଶନର ବିଶେଷ ମହତ୍ୱ ରହିଛି ।

ଗତ ଦୁଇବର୍ଷ ଧରି ଭକ୍ତ ଏହି ଦର୍ଶନରୁ ବଞ୍ଚିତ ଥିଲେ । ଦୀର୍ଘ ଦିନର ବ୍ୟବଧାନ ପରେ ମହାପ୍ରଭୁ ଜନ୍ମବେଦୀକୁ ବିଜେ କରିଛନ୍ତି  । ଏଥ ସହିତ ଗୁଣ୍ଡିଚା ମନ୍ଦିରରେ ମଧ୍ୟ ଆଡ଼ପ ଅବଢା ବାହାରିଛି  । ଭକ୍ତ ଆଡପ ଅବଢା ପାଇ କୃତାର୍ଥ ହୋଇଛନ୍ତି  । ଜୟ ଜଗନ୍ନାଥ ଧ୍ୱନୀରେ କମ୍ପୁଛି ଶ୍ରୀକ୍ଷେତ୍ର  ।  ଏଥର ଅଧିକ ଭକ୍ତଙ୍କ ସମାଗମ ହେବା ଆଶଙ୍କା ଥିବାରୁ ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ ।

ରୁଚିକାକୁ ନ୍ୟାୟ ଦାବିରେ ଗାଁରେ କ୍ୟାଣ୍ଡେଲ ଶୋଭାଯାତ୍ରା

କଟକ: ମେଧାବି ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ତାଙ୍କ ଜନ୍ମମାଟି କଖଡିରେ କ୍ୟାଣ୍ଡେଲ ଶୋଭାଯାତ୍ରା । ରୁଚିକା ସହ ପଢୁଥିବା ଛାତ୍ରଛାତ୍ରୀମାନେ ନିଜ ସାଙ୍ଗକୁ ଉଚିତ ନ୍ୟାୟ ମିଳିବା ସହ ତାର ଅମର ଆତ୍ମାର ସଦ୍ଗତି ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ । ସେହିଭଳି ସେହି କଖଡି ଗ୍ରାମର ଯୁବକମାନେ ମଧ୍ୟ ରୁଚିକାଙ୍କୁ ନ୍ୟାୟ ପାଇଁ କ୍ୟାଣ୍ଡେଲ ରାଲି କରିବା ସହ ସାରା ଓଡିଶାର ଛାତ୍ରଛାତ୍ରୀମାନେ ରୁଚିକାଙ୍କୁ ନ୍ୟାୟ ପାଇଁ ନିଜର ସ୍ବର ଉଠାଇବା ପାଇଁ ଅନୁରୋଧ କରିଛନ୍ତି ।

ସେପଟେ ହଷ୍ଟେଲ ସୁପରିଟେଣ୍ଡେଟ, ଓ୍ବାର୍ଡେନ, ଆସିଷ୍ଟାଣ୍ଟ ଓ୍ବାର୍ଡେନ, ଫ୍ଲୋର ଇନଚାର୍ଜ ଓ ହଷ୍ଟେଲର ମୋଟ୍ ୧୩୪ ସିନିୟର ଛାତ୍ରୀଙ୍କୁ ପଚରାଉଚରା କରିବ ପୋଲିସ୍ । ଧାରା ୧୬୧ରେ ରୁମମେଟ ଏବଂ ଓ୍ବାଡେନଙ୍କ ବୟାନ ରେକର୍ଡ କରିଛି ପୋଲିସ୍ ।  ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠା ଯାଇଛି ରୁଚିକାଙ୍କ ସୁଇସାଇଡ ନୋଟ୍ । ଆତ୍ମହତ୍ୟାର ପୂର୍ବ ରାତିରେ ପ୍ରାୟ ୨ଟା ଯାଏ ରୁମମେଟଙ୍କ ସହିତ ମିଶି ପାଠ ପଢିଥିଲେ ରୁଚିକା । ଶୋଇବା ପୂର୍ବରୁ ରୁମ୍ମେଟକୁ କହିଥିଲେ, ସେ କିଛି ଗୁରୁତ୍ବପୂର୍ଣ୍ଣ କଥା କହିବାକୁ ଚାହୁଁଛନ୍ତି । ହେଲେ କିଛି ନକହି ଶୋଇ ପଡିଥିଲେ।

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲା: ୧୧ ଘଣ୍ଟାର ମାରାଥନ ପଚରାଉଚୁରା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାକୁ ନେଇ ପୋଲିସର ତନାଘନା ଜାରି ରହିଛି  । ଆଜି ୧୧ ଘଣ୍ଟାର ମାରାଥନ ପଚରାଉଚୁରା ପରେ କ୍ୟାମ୍ପସରୁ ବାହାରିଛି ପୋଲିସ । ରାତି ୯ ଟା ରେ ହଷ୍ଟେଲ ରୁ ବାହାରିଲା ପୋଲିସ । ୬୨ ଜଣଙ୍କୁ ପଚରାଉଚୁରା କରିବା ସହ ପୋଲିସ ବୟାନ ରେକର୍ଡ଼ କରିଛି । ୬୨ ଜଣକ ମଧ୍ୟରେ ଅଛନ୍ତି ରୁମମେଟ, ସିନିୟର ଛାତ୍ରୀ, ସୁପରିଟେଣ୍ଡଣ୍ଟ , ୱାଡେନ, ଆସିଷ୍ଟାଣ୍ଟ ୱାଡେନ ଓ ଫ୍ଲୋର ଇନ ଚାର୍ଜ । ବାକି ସମସ୍ତଙ୍କୁ କାଲି ପୋଲିସ ପଚରା ଉଚୁରା କରିବ  । ହଷ୍ଟେଲରେ ୧୩୪ ଜଣ ସିନିୟର ଛାତ୍ରୀ ଅଛନ୍ତି । ଆଜିର ବୟାନର ରିପୋର୍ଟକୁ ନେଇ ଅନାଲିସିସ କରିବ ପୋଲିସ । ରୁଚିକା ୩ ଜଣ ସିନିୟର ଛାତ୍ରୀ ତାଙ୍କୁ ରେଗିଂ କରୁଥିବା ନେଇ ସୁସାଇଡ଼ ନୋଟରେ ଉଲ୍ଲେଖ କରିଥିଲେ ।

ସୂଚନାଯୋଗ୍ୟ, ଗତକାଲି ଅପରାହ୍ନରେ ଛାତ୍ରୀ ନିବାସରୁ ରୁଚିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏଥିସହିତ ଏକ ସୁଇସାଇଡ ନୋଟ ମଧ୍ୟ ପୋଲିସ ଜବତ କରିଥିଲା । ଏହି ସୁଇସାଇଡ ନୋଟରେ ତାଙ୍କୁ ତିନିଜଣ ସିନିୟର ନିର୍ଯାତନା ଦେଉଥିବା ସେ ଉଲ୍ଲେଖ କରିଥିଲେ  । ତେବେ କେଉଁ ତିନିଜଣ ସିନିୟରଙ୍କ ପାଇଁ ଅତିଷ୍ଟ ହୋଇ ରୁଚିକା ଆତ୍ମହତ୍ୟା କଲେ ସେମାନଙ୍କୁ ପୋଲିସ ଏବେ ଖୋଜୁଛି  । ପରିବାର ଲୋକେ ମଧ୍ୟ ନ୍ୟାୟ ପାଇଁ ଦାବି କରିଛନ୍ତି  ।

କଡକନାଥ ଚାଷରୁ ଚେରମୂଳି ଚିକିତ୍ସା କରି ଚର୍ଚ୍ଚାରେ ମାହି

ରାଞ୍ଚି: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମଏସ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ବହୁ ସମୟରୁ ଅବସର ନେଇ ସାରିଲେଣି । କିନ୍ତୁ ଧୋନିଙ୍କ ଲୋକପ୍ରିୟତା ଏବେ ବି ପୂର୍ବଭଳି ରହିଛି ।  ନିଜ ଦେଶୀ ଷ୍ଟାଇଲ ଲାଇଫ ଷ୍ଚାଇଲ ପାଇଁ ଏବେ ଚର୍ଚ୍ଚାରେ ଧୋନୀ ।

୪୦ ବର୍ଷୀୟ ଧୋନି ଆଣ୍ଠୁ ଯନ୍ତ୍ରଣାରୁ ମୁକ୍ତି ପାଇଁ ଦେଶୀ ଉପାୟରେ ଚିକିତ୍ସା କରୁଛନ୍ତି  । ରାଞ୍ଚି ଠୁ ପାଖାପାଖି ୮୦କିଲୋମିଟର ଦୂର ଲାପୁଙ୍ଗର ଗଲଗଲି ଧାମରେ ଥିବା ଜଣେ ବୈଦ୍ୟଙ୍କ ପରାମର୍ଶରେ ଚିକିତ୍ସା କରୁଛନ୍ତି ଧୋନି  । ଜଙ୍ଗଲୀ ଜଡିବୁଟି ସାହାଯ୍ୟରେ ପାରମ୍ପାରିକ ଉପାୟରେ ଧୋନିଙ୍କ ଚାଲିଛି ଉପଚାର । ଖାସ କଥା ହେଉଛି ଏଠାରେ ବୈଦ୍ୟ ଚିକିତ୍ସା ପାଇଁ ମାତ୍ର ୪୦ଟଙ୍କା ନେଇଥାନ୍ତି  । କେବଳ ଧୋନି ନୁହେଁ ତାଙ୍କ ବାପା ମା ବି ଏହି ବୈଦ୍ୟଙ୍କ ପରାମର୍ଶରେ ଚିକିତ୍ସା କରିଥାନ୍ତି ।

କେବଳ ଚିକିତ୍ସା ନୁହେଁ ଅର୍ଗାନିକ ଚାଷ କରି ସେ ଚର୍ଚ୍ଚାରେ  । କଡକନାଥ କୁକୁଡା ପାଳୁଛନ୍ତି ଧୋନି  । ଏହି ଫାର୍ମରୁ ଧୋନି ଲକ୍ଷଲକ୍ଷ ଟଙ୍କା ରୋଜଗାର କରିଥାନ୍ତି । ଗୋଟିଏ କୁକୁଡାର ଦାମ ୨୦୦ ରୁ ୩୦୦ ଟଙ୍କା ଥିବାବେଳେ ଏଥିରେ କୋଲେଷ୍ଟ୍ରଲର ମାତ୍ରା କମ ରହିଛି  । ଯେଉଁଥିପାଇଁ ଗ୍ରାହକ କଡକନାଥ କିଣିବାକୁ ବେଶ ପସନ୍ଦ କରୁଛନ୍ତି ।

ଧୋନିଙ୍କ ନେତୃତ୍ବରେ ୪ ଥର ଆଇପିଏଲ ଟ୍ରଫି ହାତେଇଛି ଚେନ୍ନାଇ ସୁପର କିଙ୍ଗସ । ଏଥିପାଇଁ ଅବସର ପରେ ବି ଆଇପିଏଲରେ ଖେଳିବା ଜାରି ରଖିଛନ୍ତି ଧୋନି  । ୧୫ ଅଗଷ୍ଟ ୨୦୨୦ ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଗ୍ରହଣ କରିଥିଲେ ମହେନ୍ଦ୍ର ସିଂ ଧୋନି ।

କରୋନାରୁ ଆରୋଗ୍ୟ ହେଲେ ରୋହିତ, ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ନେବେ ନେତୃତ୍ୱ

ନନ୍ଦିଘୋଷ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର । ହିଟମ୍ୟାନ ରୋହିତ ଶର୍ମା କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ଲଗାତାର ତାଙ୍କର ତିନୋଟି ରିପୋର୍ଟ ନେଗେଟିଭ ଆସିଛି । ୭ ଜୁଲାଇରୁ ଆରମ୍ଭ ହେବାକୁ ଥିବା ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଭାରତର ନେତୃତ୍ୱ ନେବେ ରୋହିତ । ସୂଚନାଥାଉକି ରୋହିତ ବର୍ମିଂହମ ଟେଷ୍ଟ ମ୍ୟାଚ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ । ଏହି କାରଣରୁ ସେ ମ୍ୟାଚରୁ ବାଦ ପଡିଥିଲେ । ତାଙ୍କ ସ୍ଥାନରେ ବୋଲର ଜଶପ୍ରୀତ ବୁମରାହ ଦଳ ନେତୃତ୍ୱ ନେଉଛନ୍ତି ।

ରୋହିତଙ୍କ ଅନୁପସ୍ଥିତିରେ ଭାରତୀୟ ଇନଂସର ପ୍ରାରମ୍ଭିକ ଦାୟିତ୍ୱ ଚେତେଶ୍ୱର ପୂଜାରା ତୁଲାଉଛନ୍ତି । ରୋହିତ ଶର୍ମା ଏବେ ସମ୍ପୂର୍ଣ୍ଣ ଫିଟ ହୋଇ କ୍ୱାରେଣ୍ଟାଇନରୁ ବାହାରକୁ ଆସିଛନ୍ତି । ଏବେ ତାଙ୍କୁ କରୋନା ପ୍ରୋଟୋକଲ ଆଧାରରେ ଲଙ୍ଗସର ପରୀକ୍ଷା କରାଇବାକୁ ପଡିବ । ଏହି ପରୀକ୍ଷା ପରେ ସେ ଟିମ ସହ ଯୋଡିହେବେ । କରୋନାରୁ ରୋହିତ ସୁସ୍ଥ ହେବା ଖବର ଶୁଣିବା ପରେ ଫ୍ୟାନ୍ସମାନେ ଖୁସିବ୍ୟକ୍ତ କରିଛନ୍ତି । ସେମାନେ ଯଥାଶୀଘ୍ର ରୋହିତଙ୍କୁ କ୍ରୀଜରେ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି  ।

କୌଣସି ଘଟଣାରେ ମିଡିଆ ଟ୍ରାଏଲ ନ୍ୟାୟିକ ବ୍ୟବସ୍ଥା ଉପରେ ପ୍ରଭାବ ପକାଉଛି: ଜଷ୍ଟିସ ପାରଦିୱାଲା

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ପ୍ରବକ୍ତା ନୁପୁର ଶର୍ମାଙ୍କ ଆବେଦନ ଉପରେ ଶୁଣାଣି କରିଥିବା ସୁପ୍ରିମକୋର୍ଟର ବିଚାରପତି ଜେବି ପାରଦିୱାଲା ତାଙ୍କ ସମାଲୋଚକଙ୍କୁ କଡା ଜବାବ ଦେଇଛନ୍ତି  । ସେ କହିଛନ୍ତି ଯେତବେଳେ କୌଣସି ମାମାଲାକୁ ନେଇ ବିଚାରପତିଙ୍କ ଉପରେ ବ୍ୟକ୍ତିଗତ ଆକ୍ରମଣ କରାଯାଏ ତେବେ ତାହା ନ୍ୟାୟିକ ବ୍ୟବସ୍ଥା ଉପରେ ଭୟଙ୍କର ପ୍ରଭାବ ପକାଇଥାଏ । ଏହି କାରଣରୁ ବିଚାରପତିମାନଙ୍କୁ ଚିନ୍ତା କରିବାକୁ ପଡେ ଯେ ଗଣମାଧ୍ୟମ କଣ ଭାବିବ ଯେତବେଳେ କି ନ୍ୟାୟ କଣ ଭାବୁଛି ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ  । ପାରଦିୱାଲା କହିଛନ୍ତି ଭାରତରେ ସାମାଜିକ ଗଣମାଧ୍ୟମ ପୂର୍ଣ୍ଣ ନ୍ୟାୟିକ ଏବଂ ସାମ୍ବିଧାନିକ ପ୍ରସଙ୍ଗର ରାଜୀତିକରଣ କରିଥାଏ  ।

ସେ କହିଛନ୍ତି ସାମାଜିକ ଗଣମାଧ୍ୟମ ଅର୍ଦ୍ଧ ସତ ଏବଂ ଅର୍ଦ୍ଧ ତତ୍ୟ ଦେଖାଉଛି । ଭାରତୀୟ ଗଣତନ୍ତ୍ରରେ ନିୟମ ଆଇନରେ ସ୍ୱତନ୍ତ୍ର ସ୍ଥାନ ରହିଛି । ସାମାଜିକ ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଯିବା ଦରକାର । ସମ୍ବେଦନଶୀଳ ମାମଲା ଉପରେ ଖାସ କରି ସାମାଜିକ ଗଣମାଧ୍ୟମରେ ତଥ୍ୟ ଦିଆଯିବା ଉପରେ ଅଙ୍କୁଶ ଲାଗିବା ଦରକାର । ସଂସଦ ଏହା ଉପରେ ବିଚାର କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ଆଗକୁ କହିଛନ୍ତି ଆମେ କୌଣସି ଲୋକଙ୍କ ରାୟ ଅନୁସାରେ ମାମଲାର ଶୁଣାଣି କରୁନାହୁଁ, ଭାରତୀୟ ଆଇନ ଅନୁଯାୟୀ କରୁ  । କିଛି ରାୟ ଲୋକମାନଙ୍କ ବିରୋଧରେ ମଧ୍ୟ ଦେବାକୁ ପଡିଥାଏ । ଭାରତୀୟ ଦଣ୍ଡ ସଂହିତା ଆଧାରରେ ପ୍ରତ୍ୟେକ ମାମଲାର ଶୁଣାଣି କରିବାକୁ ପଡିଥାଏ  । ତେଣୁ କୌଣସି ରାୟକୁ ନେଇ ଜଷ୍ଟିସଙ୍କ ଉପରେ ବ୍ୟକ୍ତିଗତ ଆକ୍ରମଣ କରାଯିବା ଦୁର୍ଭାଗ୍ୟପୂର୍ଣ୍ଣ  ।

ନ୍ୟାୟପାଳିକାର ନିଷ୍ପତ୍ତି ଉପରେ ସାଧାରଣ ଲୋକଙ୍କ ମନ୍ତବ୍ୟର ପ୍ରଭାବ ନପଡିବା ଆବଶ୍ୟକ । ସୂଚନାଥାଉକି ପ୍ରଫେଟ ମହମ୍ମଦଙ୍କ ଉପରେ କଥିତ ଟିପ୍ପଣୀକୁ ନେଇ ନୁପୁର ଶର୍ମାଙ୍କୁ ଶୁକ୍ରବାର ଶୁଣାଣି ସମୟରେ ସୁପ୍ରମକୋର୍ଟ ଭର୍ସନା କରିଥିଲେ  । ଅଲଗା ଅଲଗା ରାଜ୍ୟରେ ରୁଜୁ ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟରେ ନୁପୁର ଶର୍ମା ଆବେଦନ କରିଥିଲେ । କୋର୍ଟ ତାଙ୍କୁ ଭର୍ସନା କରି କହିଥିଲେ ଗଣମାଧ୍ୟମ ମାଧ୍ୟମରେ ନିଜର ଆପତ୍ତିଜନକ ଟିପ୍ପଣୀ ପାଇଁ ସମସ୍ତ ଦେଶବାସୀଙ୍କୁ କ୍ଷମା ମାଗ । କେବଳ ନୁପୁରଙ୍କ ପାଇଁ ଦେଶରେ ହିଂସା ଏବଂ ହତ୍ୟା ଘଟଣା ଘଟୁଛି । ସୁପ୍ରିମକୋର୍ଟରେ ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜେବି ପାରଦିୱାଲଙ୍କ ଅବକାଶକାଳୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ  ।