spot_img
Home Blog Page 4072

ଛାତ୍ରଙ୍କୁ ରାଗିଂ ଓ ଅପହରଣ ଘଟଣା ମିଛ: ଡିସିପି

ଭୁବନେଶ୍ବର: ଘରୋଇ ମହାବିଦ୍ୟାଳୟରେ ଛାତ୍ରଙ୍କୁ ରାଗିଂ ଓ ଅପହରଣ ଘଟଣା ମିଛ । ଯୁକ୍ତଦୁଇ ଛାତ୍ର ହୃଦୟେଶ ପଣ୍ଡାଙ୍କୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ରାଗିଂ କରାଯାଇନଥିଲା କିମ୍ବା ସେ ଅପହୃତ ହୋଇନଥିଲେ । କମିସନରେଟ ପୋଲିସ ଏହା ସ୍ପଷ୍ଟ କରିଛି । ମହାବିଦ୍ୟାଳୟର ହଷ୍ଟେଲ ଫିସ୍ ବକେୟା ଥିବାରୁ ତାଙ୍କୁ ହଷ୍ଟେଲ ଖାଲି କରିବାକୁ କୁହାଯାଇଥିଲା । ଏହାପରେ ହୃଦୟେଶ ରାତିରେ ହଷ୍ଟେଲ ଛାଡ଼ି ନିକଟରେ ଥିବା ଏକ ହୋଟେଲରେ ରହିଥିଲେ ।

ହୋଟେଲରେ ରହିବା ପରେ ଘରକୁ ଫୋନ କରି ସବୁକଥା ଜଣାଇଥିଲେ ହୃଦୟେଶ । ତାଙ୍କ ବାପାମାଆ ହୋଟେଲକୁ ଆସି ହୃଦୟେଶକୁ ଭେଟିବା ସହ ମହାବିଦ୍ୟାଳୟକୁ ଯାଇ ହଷ୍ଟେଲ ମ୍ୟାନେଜରଙ୍କ ସହ ଯୁକ୍ତିତର୍କ କରିଥିଲେ । ଏହାପରେ ହୃଦୟେଶଙ୍କୁ ରାଗିଂ ଓ ଅପହରଣ ନେଇ ତାଙ୍କ ବାପା ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ସେପଟେ ପୋଲିସ ଏନେଇ ତଦନ୍ତ କରିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି । ଗୋଟିଏ ଦିନ ରହିବା ପରେ, ହୃଦୟେଶ ହୋଟେଲ ଛାଡ଼ି ତାଙ୍କ ବାପାଙ୍କ ସହ ଘରକୁ ଯାଇଥିଲେ । ଏ ସମସ୍ତ ଘଟଣାର ଦୃଶ୍ୟ ସିସିଟିଭିରେ ରହିଛି ବୋଲି ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

ପ୍ରଥମେ ବ୍ୟାଟିଂ କରିବ ପାକିସ୍ତାନ, ଟଜ ଜିତି ଭାରତର ବୋଲିଂ ନିଷ୍ପତ୍ତି

ଦୁବାଇ: ଟସ ଜିତି ଭାରତ ନେଲା ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ପାକିସ୍ତାନ  ।  ଦୁବାଇରେ ଦଙ୍ଗଲରେ  ସେକେଣ୍ଡ ଇଂନସିରେ  ଦମ ଦେଖାଇବ ଭାରତ । ମଇଦାନକୁ ଓହ୍ଲାଇବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦି ଭାରତ ପାକିସ୍ତାନ । ବିଶ୍ବକପ୍ ପରାଜୟର ବଦଲା ନେବା ପାଇଁ ପ୍ରସ୍ତୁତ ଟିମ୍ ଇଣ୍ଡିଆ । ୧୦୦ତମ ଟ୍ବେଣ୍ଟି ୨୦ ମ୍ୟାଚ୍ ଖେଳିବେ ବିରାଟ କୋହଲି । କ୍ୟାପ୍ଟେନ ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ପାକିସ୍ତାନ ସହିତ ଲଢିବ ଭାରତ ।

ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍ରା ଓ ପାକିସ୍ତାନର ଦ୍ରୁତ ବୋଲର ସାହିନ ଶାହା ଆଫ୍ରିଦି ମ୍ୟାଚ୍ ଖେଳିବେ ନାହିଁ । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ନଜର ରହିଛି । ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଫର୍ମକୁ ନେଇ ସଂଘର୍ଷ କରୁଥିବା କୋହଲିଙ୍କ ପାଇଁ ଏହି ମ୍ୟାଚ ବେଶ୍ ଗୁରୁତ୍ବପୂର୍ଣ୍ଣ । ପାକିସ୍ତାନ ବିପକ୍ଷରେ ବିରାଟଙ୍କ ପ୍ରଦର୍ଶନ ବହୁତ ଭଲ ରହିଛି । ପାକିସ୍ତାନ ବିପକ୍ଷରେ କୋହଲି ୭ଟି ଟ୍ବେଣ୍ଟି୨୦ ମ୍ୟାଚ ଖେଳି ୩ଟି ଅର୍ଦ୍ଧଶତକ କରିଛନ୍ତି ।

୧୪ ଥର ସଂଘର୍ଷରେ ଆଠ ଥର ଚମ୍ପିଆନ୍ ଭାରତ

ଦୁବାଇ: ବିଶ୍ବକପର ବଦଲା ନେବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ୧୪ ଥର ସଂଘର୍ଷରେ ଆଠ ଥର ଚମ୍ପିଆନ୍ ହୋଇଛି ଭାରତ । ଏପଟେ ୧୦୦ତମ ଟ୍ବେଣ୍ଟି ୨୦ ମ୍ୟାଚ୍ ଖେଳିବେ ବିରାଟ କୋହଲି । ଅନେକ ଦିନର ବ୍ୟବଧାନ ପରେ ବିରାଟଙ୍କ ପ୍ରଦର୍ଶନ ଦେଖିବାକୁ ପାଇବେ ଦର୍ଶକ । ସେପଟେ ଉଭୟ ଦଳରୁ ବାଦ ପଡିଛନ୍ତି ଆହତ ଭାରତର ଯଶପ୍ରିତ ବୁମରା ଓ ପାକିସ୍ତାନ ଦ୍ରୁତ ବୋଲର ସାହିନ୍ ଆଫ୍ରିଦି । ପାକିସ୍ତାନ ଟିମକୁ ଟକ୍କର ଦେବ ଭାରତୀୟ ଟିମର୍ ସୁପର ଇଲେଭେନ୍ ।

ପାକିସ୍ତାନ ବିପକ୍ଷରେ ୧୦୦ତମ ଟ୍ବେଣ୍ଟି ୨୦ ମ୍ୟାଚ୍ ଖେଳିବେ ବିରାଟ କୋହଲି । କ୍ୟାପ୍ଟେନ ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଭାରତ ଖେଳିବ ମ୍ୟାଚ । ଏସିଆ କପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏପର୍ଯ୍ୟନ୍ତ ୧୪ ଥର ସଂଘର୍ଷ ହୋଇଛି । ଏଥିରେ ଆଠ ଥର ଭାରତ ପାକିସ୍ତାନକୁ ପରାଜିତ କରିବାରେ ସକ୍ଷମ ହୋଇଛି । ପାକିସ୍ତାନ ଏପର୍ଯ୍ୟନ୍ତ ମାତ୍ର ୫ଟି ମ୍ୟାଚ୍ ଜିତିଛି । ଗତବର୍ଷ ଟି-୨୦ ବିଶ୍ବକପରେ ପ୍ରଥମ ଥର ପାଇଁ ପାକିସ୍ତାନ ଭାରତକୁ ପରାସ୍ତ କରିଥିଲା ।

୧୦ ବର୍ଷ ଜେଲଦଣ୍ଡ ଶୁଣି ଚମ୍ପଟ ମାରିଥିଲା ଅପରାଧି, ତେଲେଙ୍ଗାନାରୁ ଧରିଲା ପୋଲିସ

ଭୁବନେଶ୍ୱର: ୧୦ ବର୍ଷ ଜେଲଦଣ୍ଡ ଶୁଣି ଭୁବନେଶ୍ବର କୋର୍ଟରୁ ପୋଲିସକୁ ଧକା ମାରି ଚମ୍ପଟ ଘଟଣା । ଫେରାର କଏଦୀ ବିଜୟ ମାଣିଆ ଗିରଫ । ତେଲେଙ୍ଗାନା ସାଇବରାବାଦ ଥାନା କୁଣ୍ଡୁର୍ଗ ଅଂଚଳରୁ ଗିରଫ କଲା ବଡଗଡ଼ ଥାନା ପୋଲିସ। ସେଠାରେ ଏକ ପେପର ମିଲ ରେ କାମ କରୁଥିଲା ବିଜୟ । ଗତ ଜୁନ 25 ତାରିଖରେ ବିଜୟ କୋର୍ଟ ରୁ ଫେରାର ହୋଇଯାଇଥିଲା । ପୋଲିସ ସୂଚନା ଅନୁସାରେ 2019 ମସିହାରେ ବିଜୟ 100 କେଜି ଗଞ୍ଜେଇ ଚୋରା ଚାଲାଣ କରିବା ଅଭିଯୋଗରେ କଟକ ଅବକାରୀ ଦ୍ୱାରା ଗିରଫ ହୋଇଥିଲା ।

କୋର୍ଟଙ୍କ ରାୟ ଆସିବା ପରେ ପୋଲିସ କୁ ଚକମା ଦେଇ ଛୁ ମାରିଥିଲା । କୋର୍ଟରୁ ଖସିବା ପରେ ଅଟୋରେ ବରମୁଣ୍ଡା ଯାଇଥିଲା । ସେଠାରୁ ଶ୍ବଶୁର ଘର ଜଗତପୁର ଯାଇ ଲୁଚିବା ଥିଲା । ତା ପରେ ପୁରୀରୁ ଟ୍ରେନ ଯୋଗେ ତେଲେଙ୍ଗାନା ଯାଇ ପୂର୍ବରୁ କାମ କରୁଥିବା ପେପେର ମିଲରେ କାମ କରୁଥିଲା । ଟ୍ରାଞ୍ଜିଟ ରିମାଣ୍ଡରେ ଆଜି ଆଣିବା ପରେ କୋର୍ଟ ଚାଲାଣ କରିଛି ପୋଲିସ।

ଅକ୍ଟୋବରରେ କଂଗ୍ରେସର ନୂତନ ସଭାପତି: ୧୭ରେ ନିର୍ବାଚନ, ୧୯ରେ ରେଜଲ୍ଟ

ନୂଆଦିଲ୍ଲୀ: ଅକ୍ଟୋବରରେ ହେବ  କଂଗ୍ରେସ ସଭାପତି ନିର୍ବାଚନ ହେବ  ।  ଅକ୍ଟୋବର ୧୭ରେ ଅନୁଷ୍ଠିତ ହେବ ଇଲେକ୍ସନ । ଅକ୍ଟୋବର ୧୯ରେ ଆସିବ ଫଳାଫଳ । ସେହିପରି ସେପ୍ଟେମ୍ବର 24ରୁ 30 ନାମାଙ୍କନ ହେବ । ଆଜି ବସିଥିବା ସିଡବ୍ଲୁସି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଦଳର ଭେଟେରାନ ନେତା ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ପରେ ଏହି ବୈଠକ ବେଶ୍‌ ଗୁରୁତ୍ବବହନ କରୁଛି ।

ସେପଟେ ଆଜାଦଙ୍କ ଦଳରୁ ଇସ୍ତଫା ଏବଂ ଦଳୀୟ ନେତୃତ୍ବଙ୍କୁ ସମାଲୋଚନା ପରିପ୍ରେକ୍ଷୀରେ ଏହା ଗୁରୁତ୍ବପୂର୍ଣ୍ଣ । ଆଜାଦ ଦଳ ସହିତ ପାଞ୍ଚ ଦଶନ୍ଧିର ସମ୍ପର୍କ ଛିନ୍ନ କରି ଇସ୍ତଫା ଦେବା ସହ ରାହୁଲ ଗାନ୍ଧୀଙ୍କୁ ଦଳର ପରାମର୍ଶଦାତା ବ୍ୟବସ୍ଥା ଭାଙ୍ଗିବା ପାଇଁ ତୀବ୍ର ସମାଲୋଚନା କରିଥିଲେ । କପିଲ ସିବଲ ଏବଂ ଅଶ୍ବନୀ କୁମାରଙ୍କ ସମେତ ଅନେକ ହାଇ ପ୍ରୋଫାଇଲ ନେତାଙ୍କ ଇସ୍ତଫା ପରେ କଂଗ୍ରେସ ପାଇଁ ଏକ ବିରାଟ ଝଟକା ହୋଇଛି ।

ସେପଟେ ଗୁଲାମନବୀ ଆଜାଦଙ୍କ ଇସ୍ତଫା ଦେବା ପରେ ଜି ୨୩ ନେତାଙ୍କ ସହ ଏକ ବୈଠକ କରିଥିଲେ  । ବର୍ତ୍ତମାନ  କଂଗ୍ରେସ ନେତୃତ୍ୱକୁ ନେଇ ଅସନ୍ତୁଷ୍ଟ ଥିବା ବରିଷ୍ଠ ନେତାଙ୍କୁ ନେଇ ଜି ୨୩  । ଏହି ଗୋଷ୍ଠୀରେ ରହିଥିଲେ କଂଗ୍ରେସର ବରିଷ୍ଠ ନେତା ତଥା ସଦ୍ୟ ଦଳ ଛାଡିଥିବା ଗୁଲାମନବୀ ଆଜାଦ  । ଅନେତ ନେତା ଏବେ ମଧ୍ୟ କଂଗ୍ରେସରେ ରହିଥିବା ସ୍ୱତେ ଅସନ୍ତୁଷ୍ଟ ରହିଛନ୍ତି  । ତେଣୁ ଦଳର ଏପରି କଠିନ ସମୟରେ ନିର୍ବାଚନ ଅକ୍ଟୋବର ୧୭ରେ କରିବାକୁ ନିଷ୍ପତ୍ତି ନିଆଯାଇଛି  ।

ବୋହୂ ଦେଲା ଧାରଣା, ଫିନାଇଲ ପିଇ ଦେଲେ ଶାଶୂ

ବ୍ରହ୍ମପୁର: ବୋହୂର ଧାରଣା ଯୋଗୁଁ ଆତ୍ମହତ୍ୟା କଲେ ଶାଶୂ । ନିର୍ଯାତନା ଅଭିଯୋଗରେ ଶାଶୂଘର ଆଗରେ ବୋହୂ ଧାରଣା ଦେବା ପରେ ଫିନାଇଲ ପିଇ ଆତ୍ମହତ୍ୟା କରିଛନ୍ତି ଶାଶୂ । ଗଞ୍ଜାମ ଏନ୍ଏସି ମଧ୍ୟଖଣ୍ଡ ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗତକାଲି ବୋହୂ ତନ୍ମୟୀ ଯୌତୁକ ନିର୍ଯାତନା ଅଭିଯୋଗ ଆଣି ଶାଶୂଘର ଆଗରେ ଧାରଣା ଦେଇଥିଲେ।

 

୨୦୨୦ ଡିସେମ୍ବରରେ ତନ୍ମୟୀଙ୍କ ବିବାହ ହୋଇଥିଲା। ବିବାହର ୧୦ଦିନ ପରେ ସ୍ଵାମୀଙ୍କ ସହ କଳହ ପାଇଁ ବାପ ଘରକୁ ଚାଲି ଯାଇଥିଲେ ତନ୍ମୟୀ। ଶାଶୂ, ନଣନ୍ଦ ଓ ଶ୍ବଶୁର ବାରମ୍ବାର ନିର୍ଯାତନା ଦେଇଥିବା ତନ୍ମୟୀ ବ୍ରହ୍ମପୁର ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଯୌତୁକ ବାବଦରେ ନେଇଥିବା ୨୦ ଭରି ସୁନା ଓ ଦୁଇ ଲକ୍ଷ କୋଡିଏ ହଜାର ଟଙ୍କା ଫେରାଇ ଦେବାକୁ ସେ ଦାବି କରିଛନ୍ତି l

 

ଏନେଇ ମାମଲା କୋର୍ଟରେ ବିଚାରାଧୀନ ରହିଛି। ଗତକାଲି ତନ୍ମୟୀ ତାଙ୍କ ଆଈଙ୍କ ସହ ମିଶି ଶାଶୂଘର ଆଗରେ ଧାରଣା ଦେଇଥିଲେ। ଆଜି ଶାଶୂ ସୁଷମା ପଣ୍ଡା ଫିନାଇଲ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

 

 

୧୨ ସେକେଣ୍ଡରେ ଦୁର୍ନୀତିର ଦ୍ବୈତ୍ବ ଅଟ୍ଟାଳିକା ଧ୍ବଂସ

ନୋଏଡା: ୯ ବର୍ଷର ବିବାଦ ୧୨ ସେକଣ୍ଡରେ ଧ୍ବଂସ । ଧରାଶାୟୀ ହେଲା ନୋଏଡା ଟୁଇନ ଟାଓ୍ବାର । କଡ଼ା ନିରାପତ୍ତାରେ ଅପରାହ୍ଣ ସାଢେ ୨ଟାରେ ହୋଇଛି ବିସ୍ଫୋରଣ । ଚାରିଆଡେ ଧୂଆଁମୟ ପରିବେଶ ସୃଷ୍ଟି ହୋଇଛି  ।  ଲାଇଭ ଏକ୍ସପ୍ଲୋଜନର ଦୃଶ୍ୟ ଦେଖିବାକୁ ସାରା ଦେଶ କରିଥିଲା  ପ୍ରତୀକ୍ଷା ।

୯ ବର୍ଷ ଧରି ଟାଓ୍ବାରକୁ ନେଇ ଚାଲିଥିଲା ବିବାଦ  । ସୁପରଟେକ୍ ଦ୍ବାରା ନିର୍ମିତ ହୋଇଥିବା ଟାଓ୍ବାର ଧ୍ବଂସ ପାଇଁ ବ୍ୟବହାର ହୋଇଛି ୩,୭୦୦ କେଜିର ବିସ୍ଫୋରକ  । ସ୍ଥାନାନ୍ତରିତ ହୋଇଛନ୍ତି ୭ ହଜାର ଲୋକ  । ଭାଙ୍ଗିବା ଲାଗି ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ  । ସମ୍ପୂର୍ଣ୍ଣ ନିରାପଦ ଭାବେ ଟଳିଲା ଟାଓ୍ବାର  ।

ବିସ୍ଫୋରଣ ପୂର୍ବରୁ ଆଖପାଖ ଅଞ୍ଚଳକୁ ଖାଲି କରାଇ ଦିଆଯାଇଛି । ବିଲ୍ଡିଂ ପାଖରେ ରହୁଥିବା ପ୍ରାୟ ୭ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଆଜି ସକାଳୁ ବନ୍ଦ ରହିଛି ବିଦ୍ୟୁତ୍ ସରବହରାହ । ସୁରକ୍ଷା ଦୃଷ୍ଟିରୁ ନୋଏଡ଼ା-ଗ୍ରେଟର ନଏଡ଼ା ଏକ୍ସପ୍ରେସ ଓ୍ବେ ବନ୍ଦ ରଖାଯାଇଛି । ୨ଟା ୧୫ରୁ ୨ଟା ୪୫ଯାଏଁ ବନ୍ଦ ରହିବ ନୋଏଡ଼ା-ଗ୍ରେଟର ନଏଡ଼ା ଏକ୍ସପ୍ରେସ ଓ୍ବେ । ହେଲଥ ଏମର୍ଜେନ୍ସିକୁ ନଜରରେ ରଖି ଆଖପାଖର ତିନି ହସ୍ପିଟାଲକୁ ଆଲର୍ଟରେ ରଖାଯାଇଛି । ଟାଓ୍ବାରର ୫ଶହରୁ ୭ଶହ ମିଟର ପରିଧିକୁ ଏକ୍ସକ୍ଲୁଜନ ଜୋନ୍ ଘୋଷଣା କରାଯାଇଛି । ବ୍ଲାଷ୍ଟ ପରେ ଆଖପାଖ ସୋସାଇଟିକୁ ଯାଞ୍ଚ କରାଯିବ । ପିଲର, ଗ୍ୟାସ କନେକ୍ସନ, ଲିଫ୍ଟର ଯାଞ୍ଚ ହେବ ।

ଗହୀରମଥାରେ ଛଡା ହେଲେ ବର୍ଷର ପ୍ରଥମ କୁମ୍ଭୀର ଛୁଆ

କେନ୍ଦ୍ରାପଡା: ଆଜି ଗହୀରମଥାରେ  ଥିବା କଣ୍ଡରା ପାଟିଆ ନଦୀରେ ଛଡାଯାଇଛି ୩୬ଟି କୁମ୍ଭୀର  । କୃତ୍ରିମ ଉପାୟରେ ପ୍ରଜନନ ହୋଇଥିବା କୁମ୍ଭୀର ଛୁଆ ଗୁଡିକ ନଦୀରେ ଛଡା ଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ଆଜି ପ୍ରଥମ ଥର ଏହି କୁମ୍ଭୀର ଛୁଆ ଛଡ଼ା ଯାଇଥିବା ଜଣା ପଡ଼ିଛି ।

କୁମ୍ଭୀର ବସା ଓ ନଦୀ ପଠା ମାନଙ୍କରୁ ବନବିଭାଗ କୁମ୍ଭୀର ଅଣ୍ଡାକୁ ଉଦ୍ଧାର କରାଯାଇ କୃତ୍ରିମ ଉପାୟରେ ଛୁଆ ଫୁଟାଇ ହାଚେରୀରେ ରଖିଥାଏ । କୁତ୍ରିମ ଉପାୟରେ ପ୍ରଜନନ ହେଉଥିବା ଛୁଆ ମାନଙ୍କର ବୟସ ଯେତେବେଳେ ଦୁଇ ବର୍ଷରୁ ଉର୍ଦ୍ଧ୍ବ ହୋଇଯାଏ ଅଥବା ଛୁଆ ମାନଙ୍କର ଲମ୍ବ ୩ ଫୁଟରୁ ଅଧିକ ହୋଇଗଲେ ହାଚେରୀରୁ ନେଇ ନଦୀରେ ଛାଡି ଦିଆଯାଇଥାଏ ।

ଆଜି ଛଡା ଯାଇଥିବା କୁମ୍ଭୀର ଛୁଆ ଗୁଡିକ ୨୦୧୯-୨୦ ବର୍ଷର ହୋଇଥିବା ବେଳେ ଏହି କୁମ୍ଭୀର ଛୁଆଙ୍କ ମଧ୍ୟରୁ ୧୨ ଟି ଅଣ୍ଡିରା ଓ ୨୪ ଟି ମାଈ ଥିବା ବନ ବିଭାଗ ସୂଚନା ଦେଇଛି l

ବିସ୍ଫୋରଣ ତନଖି କରିବେ ଆଫ୍ରିକାର ବିଶେଷଜ୍ଞ, ଏହି ରାସ୍ତାରେ ଯାତାୟତ ବନ୍ଦ

ନୋଏଡା: ଅପରାହ୍ନ ସାଢେ ୨ଟାରେ ଧ୍ବସ୍ତବିଧ୍ବସ୍ତ ହେବ ଟ୍ବିନ ଟାୱାର  । ବଡ ବିସ୍ଫୋରଣ ପାଇଁ ବଡ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ  । ବିସ୍ଫୋରଣ ଲାଗି ୩,୭୦୦ କେଜି ବିସ୍ଫୋରକ ବ୍ୟବହାର ହେଉଛି । ଟାଓ୍ବାରର ସମସ୍ତ ପିଲରରେ ହୋଇଥିବା ଗର୍ତ୍ତ ସଂଖ୍ୟା ୩ ହଜାର ରହିଛି । ପ୍ରତି ୨ ମିଟରରେ ଗୋଟିଏ ଗୋଟିଏ ଗର୍ତ୍ତ କରାଯାଇଛି । ଟାଓ୍ବାରରେ ହୋଇଥିବା ହୋଲର ମୋଟ ଦୈର୍ଘ୍ୟ ୧୪ କିମି ହୋଇଥିବାବେଳେ ଟାଓ୍ବାରରେ ୨୦ ହଜାର ସର୍କିଟ ପ୍ରତିଷ୍ଠା କରାଯାଇଛି ।

ଧ୍ବଂସ ଲାଗି ଓ୍ବାଟରଫଲ୍ ଟେକନିକ ବ୍ୟବହାର ହୋଇଥିବା ତଥା ପିଲରରେ ହୋଲ୍ ଯୋଗୁ ଟାଓ୍ବାର ସିଧା ଧରାଶାୟୀ ହେବ । ଘଟଣାସ୍ଥଳରେ ଉପସ୍ଥିତ ରହିବେ ବ୍ଲାଷ୍ଟର ଓ ଆଫ୍ରିକାର ୩ ବିଶେଷଜ୍ଞ । ୧୦୦ ମିଟର ଦୂରରେ ରହିବେ ବ୍ଲାଷ୍ଟର, ବିଶେଷଜ୍ଞ ଓ ପଦାଧିକାରୀ । ୪୫୦ ମିଟର ଦୂରତା ଯାଏ ନୋ ଗୋ ଜୋନ ପ୍ରତିଷ୍ଠା ହୋଇଥିବାବେଳେ ବିସ୍ଫୋରଣ ପରେ ସୃଷ୍ଟି ହେବ ୩ ହଜାର ଟ୍ରକ ଧ୍ବଂସାବଶେଷ ।

୩୦ ମିଟର ଯାଏ ରହିବ ବିସ୍ଫୋରଣର ତୀବ୍ରତା । ଟାଓ୍ବାର ଧ୍ବଂସ ଲାଗି ୨୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏହାକୁ ବହନ କରିବ ସୁପରଟେକ ।

ଅପରାହ୍ଣ ୨ଟା ୧୫ରେ ନୋଏଡା ଏକ୍ସପ୍ରେସ ଓ୍ବେରେ ଯାତାୟତ  ବନ୍ଦ କରାଯିବ । ଅପରାହ୍ଣ ୩ଟାରେ ନୋଏଡା ଏକ୍ସପ୍ରେସ ଓ୍ବେ ଖୋଲିବ । ଅପରାହ୍ଣ ୪ଟାରେ ସିକ୍ୟୁରିଟି କ୍ଲିଅରାନ୍ସ ପରେ ବାସିନ୍ଦା ଘରକୁ ଫେରିବେ । ଅପରାହ୍ଣ ସାଢ଼େ ୪ଟାରେ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ଏଲିଭେଟର ଗୁଡ଼ିକ କାର୍ଯ୍ୟକ୍ଷମ କରାଯିବ । ଅପରାହ୍ଣ ୪ଟା ୪୦ରୁ ୫ଟା ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ଓ ଜଳଯୋଗାଣ ଆରମ୍ଭ କରାଯିବ ।

ବିହାର ବିଧାନସଭାରୁ ଆସିଲା ୧୦୦ ବର୍ଷର ନଥି, ତାମିଲନାଡୁରୁ ବି ଆସିବ

ଭୁବନେଶ୍ବର: ଦୀର୍ଘ ୧୦୦ ବର୍ଷ ପରେ ବିହାର ବିଧାନସଭାରୁ ଆସିଛି ପୁରୁଣା ନଥି  । ଗୁରୁତ୍ବପୂର୍ଣ୍ଣ ସଂଗ୍ରହଣରୁ ଅନେକ ଅନାଲୋଚିତ ପ୍ରସଙ୍ଗ ମିଳିବ  । ସେସବୁ ନିଶ୍ଚିତ ରୂପେ ଗବେଷକ ତଥା ଭବିଷ୍ୟତ ପିଢିକୁ ଦିଗଦର୍ଶନ ଦେବ ବୋଲି କହିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ  । ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାସଙ୍କ ଉଦ୍ୟମ ଯୋଗୁଁ ବିହାରରୁ ନଥିପତ୍ର ଆସି ଓଡିଶାରେ ପହଞ୍ଚିଛି  ।

୧୯୭୯ରେ ବିଧାନସଭା ଗ୍ରନ୍ଥାଗାରରେ କିଛି ତଥ୍ୟ ଖୋଜି ନ ପାଇବା ପରେ ନଥିପତ୍ର ସଂଗ୍ରହ କରିବାକୁ ପୂର୍ବତନ ବାଚସ୍ପତି ଶରତ କରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଶ୍ରୀରାମ ଦାସ  । ତତ୍କାଳୀନ ସଚିବ ଜଗଦୀଶ ପ୍ରସାଦ ଦାଶ ଏଥିପାଇଁ ରବି ନାରାୟଣ ମିଶ୍ରଙ୍କୁ ପାଟନା ପଠାଇ ମଧ୍ୟ କିଛି ସୁଫଳ ପାଇ ନଥିଲେ  । ଏହାପରେ ୨୦୨୧ରେ ପୁନଶ୍ଚ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭା ସଚିବ ଦାଶରଥୀ ଶତପଥୀ ଓ ଯୁଗ୍ମ ନିର୍ଦ୍ଦେଶକ ଶିବ ପ୍ରସାଦ ପଟ୍ଟନାୟକଙ୍କୁ ଏହି ଦାୟିତ୍ବ ଦେଇଥିଲେ  । ଏହାପରେ ବିହାର ବିଧାନସଭା ସହ ଯୋଗାଯୋଗ ଆରମ୍ଭ ହୋଇଥିଲା  ।

ଗବେଷଣା ଅଧିକାରୀ ଜୟକୃଷ୍ଣ ପ୍ରଧାନ ଓ ସ୍ବତନ୍ତ୍ର କାର୍ଯ୍ୟକାରୀ ଅଧିକାରୀ ପାଟନାରେ ରହି ବିହାର ବିଧାନସଭା ପରିଷଦରେ ଉପଲବ୍ଧ ବିବରଣୀ ସହ ବିଭିନ୍ନ ତଥ୍ୟ ସଂଗ୍ରହ କରି ଓଡିଶା ଫେରିଛନ୍ତି  ।

୧୯୨୨ ମସିହାରେ ବିହାର ଓଡିଶା ବ୍ୟବସ୍ଥାପକ ସଭାରେ ଉତ୍କଳଗୌରବ ମଧୂସୂଦନ ଦାସ ଓ ପରବର୍ତ୍ତୀ ସମୟରେ ଉତ୍କଳମଣି ଗୋପବନ୍ଧୁ, ବାଗ୍ମୀ ବିଶ୍ବନାଥ କର, ପଣ୍ଚିତ ନୀଳକଣ୍ଠ ଓ ପଣ୍ଡିତ ଗୋଦାବରୀଶ ପ୍ରମୁଖ ନେତୃବୃନ୍ଦଙ୍କ ଉପସ୍ଥାପିତ ତର୍କ ବିବରଣୀ ଓଡିଶା ବିଧାନସଭାକୁ ଆସିଛି ।

ସେପଟେ ତତ୍କାଳୀନ ମାଡ୍ରାସ ପ୍ରେସିଡେନ୍ସିରେ ସ୍ବର୍ଗତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ସମେତ ଅନ୍ୟ ନେତୃବୃନ୍ଦଙ୍କ ଦ୍ବାରା ଉପସ୍ଥାପିତ ଓଡିଶା ସମ୍ପର୍କିତ ତଥ୍ୟ ସଂଗ୍ରହ ପାଇଁ ତାମିଲନାଡୁ ବିଧାନସଭା ସହ ମଧ୍ୟ ଓଡିଶା ଯୋଗାଯୋଗ କରିଛି  । ଯାହା ଫଳରେ ତାମିଲନାଡୁରୁ ବିଭିନ୍ନ ତଥ୍ୟ ଓଡିଶା ବିଧାନସଭାକୁ ଆସିବା ସମ୍ଭାବନା ଉଜ୍ଜ୍ବଳ ହୋଇଛି  ।