ଯଦି ସପିଂ ପାଇଁ କ୍ରେଡିଟ୍ ଓ ଡେବିଟ୍ କାର୍ଡ୍ ବ୍ୟବହାର କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ

ନୂଆଦିଲ୍ଲୀ: ଅନଲାଇନ୍ ସପିଂ ବଢିବା ସହିତ ପ୍ରି ପେଡ୍ ମଧ୍ୟ ବଢିଛି । ଡେବିଟ୍ ଓ କ୍ରେଡିଟ୍ କାର୍ଡ୍ ଦ୍ୱାରା ପେମେଣ୍ଟ ଅଧିକରୁ ଅଧିକ ହେଉଛି । ଅନଲାଇନ୍ ସପିଂ ସମୟରେ ଆପଣ ଯେତେବେଳେ ପେମେଣ୍ଟ କରନ୍ତି ସେତେବେଳେ ଦେଖିଥିବେ ଯେ, କିଛି ୱେବସାଇଟ୍ ଓ ଆପ୍ କାର୍ଡ୍ ଡିଟେଲ୍ ସେଭ୍ କରିବା ବିକଳ୍ପ ଦେଇଥାନ୍ତି । ଆପଣ ଯେତେବେଳେ କାର୍ଡ୍ ଡିଟେଲ୍ ସେଭ୍ କରନ୍ତି ସେତେବେଳେ ଦ୍ୱିତୀୟ ଥର ସପିଂ କରିବା ବେଳେ ଆପଣଙ୍କୁ ଆଉଥରେ କାର୍ଡ୍ ଡିଟେଲ ଏଣ୍ଟ୍ରି କରିବାକୁ ପଡିନଥାଏ । ଏହା ସପିଂକୁ ସୁବିଧାଜନକ କରିଥାଏ କିନ୍ତୁ ଏଥିରେ ଠକେଇର ଆଶଙ୍କା ବଢିଯାଇଥାଏ । ତେଣୁ ଏହାକୁ ଅସୁରକ୍ଷିତ ବୋଲି କୁହାଯାଇଥାଏ । କାର୍ଡର ସୁରକ୍ଷା ପାଇଁ ଅକ୍ଟୋବର ମାସରୁ ନୂଆ ବ୍ୟବସ୍ଥା କରାଯାଉଛି । ଆପଣ ଚାହିଁଲେ ଆପଣଙ୍କ କାର୍ଡର ଡିଟେଲ ୱେବସାଇଟରେ ସେଭ୍ ହେବ ନାହିଁ । ରିଜର୍ଭ ବ୍ୟାଙ୍କ ଏଥିପାଇଁ ଟୋକେନନାଇଜେସନ୍  ବ୍ୟବସ୍ଥା କରୁଛି ।

ସପିଂ କେମିତି ହେବ ସୁରକ୍ଷିତ ?

ଅଧିକ ସୁରକ୍ଷା ପାଇଁ ଏଥର ଅସଲ କାର୍ଡ୍ ସ୍ଥାନରେ କାର୍ଡର ଟୋକେନ୍ ସେଭ୍ ହେବ । କାର୍ଡର ଅସଲି ତଥ୍ୟକୁ ମାର୍ଚାଣ୍ଟ୍ ସହିତ ସେୟାର କରାଯିବ ନାହିଁ । ଫଳରେ କାର୍ଡ୍ ସୁରକ୍ଷିତ ରହିବ । ଅନଲାଇନ୍ ୱେବସାଇଟରେ ଚେକ୍ ଆଉଟ୍ କାଳରେ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡର ବିକଳ୍ପ ବାଛନ୍ତୁ ଓ ସିଭିଭି ଦିଅନ୍ତୁ । ସେଠାରେ ‘ସେକ୍ୟୁର ୟୋର କାର୍ଡ’ କିମ୍ବା ସେଭ୍ ୟୋର କାର୍ଡ୍ ଲେଖା ଦେଖିବାକୁ ମିଳିବ । ପାଖରେ ଥିବା ଚେକ୍ ବକ୍ସରେ ଟିକ୍ କରନ୍ତୁ । ଆପଣଙ୍କ ମୋବାଇଲକୁ ଆସିଥିବା ଓଟିପିକୁ ପକାନ୍ତୁ ।ଏହାପରେ ଆପଣଙ୍କ କାର୍ଡ୍ ଡିଟେଲ ୱେବସାଇଟ୍ କିମ୍ବା ଆପରେ ସୁରକ୍ଷିତ ରହିବ ।

ଡାଟା କେମିତି ରହିବ ସୁରକ୍ଷିତ ?

କାର୍ଡର ଅସଲ ଡାଟା,ଟୋକେନ ଓ ଅନ୍ୟ ତଥ୍ୟ ବ୍ୟାଙ୍କ କିମ୍ବା କାର୍ଡ୍ ନେଟୱର୍କ ପାଖରେ ଏନକ୍ରିପ୍ଟେଡ୍ ମୋଡରେ ସୁରକ୍ଷିତ ରହିବ । ସପିଂ ସାଇଟର ୱେବ ପେଜରେ କେବଳ କାର୍ଡର ଅନ୍ତିମ ୪ ନମ୍ବର ଦୃଷ୍ୟମାନ ହେବ । ଯାହାକୁ ଦେଖି ଆପଣ ନିଜ କାର୍ଡକୁ ଚିହ୍ନିକରି ବ୍ୟବହାର କରିପାରିବେ । ଏକରୁ ଅଧିକ କାର୍ଡ୍ ବ୍ୟବହାର କରୁଥିଲେ ଅନ୍ତିମ ୪ ନମ୍ବର ଦେଖି କାର୍ଡକୁ ଚିହ୍ନନ୍ତୁ ।

ସମସ୍ତଙ୍କ ପାଇଁ କାର୍ଡ୍ ଟୋକେନ୍ ଜରୁରୀ କି ?

ଆପଣ ନିଜ କାର୍ଡ୍ ଟୋକେନନାଇଜେସନ୍ ନକରିବାର ବିକଳ୍ପ ମଧ୍ୟ ବାଛି ପାରିବେ । ଏହା ଗ୍ରାହକଙ୍କ ସହମତିରେ କରାଯିବ । ଯଦି ଆପଣ ସହମତି ଦେଉ ନାହାନ୍ତି ତେବେ ତେବେ ସପିଂ ସାଇଟରେ ଯଦି ଆପଣଙ୍କ କାର୍ଡ୍ ଡିଟେଲ ଅଛି ତେବେ ତାକୁ ଅକ୍ଟୋବର ଆରମ୍ଭ ପୂର୍ବରୁ ହଟାଇ ଦିଆଯିବ । ସେତେବେଳେ ପ୍ରତିଥର ପେମେଣ୍ଟ୍ ପାଇଁ ଆପଣଙ୍କୁ କାର୍ଡର ପୁରା ବିବରଣୀ ଦେବାକୁ ପଡି଼ବ । ଟୋକେନାଇଜେସନ୍ ଆପଣଙ୍କୁ ପ୍ରତିଥର କାର୍ଡ୍ ଡିଟେଲ ଏଣ୍ଟ୍ରି କରିବାରୁ ବଂଟାଇବ ।

ଟୋକନ୍ ପାଇଁ କିଛି ଚାର୍ଜ୍ ଦେବାକୁ ପଡିବ କି ?

ଏହି ସେବାର ଫାଇଦା ଉଠାଇବା ପାଇଁ ଆପଣଙ୍କୁ କିଛି ମଧ୍ୟ ଚାର୍ଜେସ୍ ଦେବାକୁ ପଡିବ ନାହିଁ ।  ଯେହେତୁ ପ୍ରତି ୱେବସାଇଟରେ କାର୍ଡ୍ ଅଲଗା ଅଲଗା ଭାବେ ସେକ୍ୟୁର ହେବ ତେଣୁ ଏଥିପାଇଁ ବ୍ୟାଙ୍କ ଆପଣଙ୍କୁ ଅଲଗା ପୋର୍ଟାଲ ମଧ୍ୟ ଦେବ । ଏହି ପୋର୍ଟାଲ ଜରିଆରେ ଆପଣ କାର୍ଡର ଟୋକେନାଇଜେସନ୍ ଦେଖିପାରିବେ ଓ ହଟାଇ ପାରିବେ ।କାର୍ଡ୍ ହଜିଗଲେ କିମ୍ବା ଅପଗ୍ରେଡ୍ ହେଲେ ଆପଣଙ୍କୁ ନୂଆ କରି ଟୋକେନାଇଜେସନ୍ କରିବାକୁ ପଡିବ ।

ସାଧାରଣ ଦୋକାନରେ ମଧ୍ୟ କ’ଣ ଟୋକେନାଇଜେସନ୍ ହେବ ?

ଫିଜିକାଲି ଯଦି ଆପଣ କୌଣସି ଦୋକାନକୁ ଯାଇ ପିଓଏସ୍ ମେସିନ୍ ଦ୍ୱାରା କାର୍ଡ୍ ସ୍ୱାପ୍ କରୁଛନ୍ତି ତେବେ ସେଥିପାଇଁ ଟୋକେନାଇଜେସନର ଆବଶ୍ୟକତା ପଡ଼ିବ ନାହିଁ । ଏହା କେବଳ ଅନଲାଇନ୍ ଦେଣ ନେଣ ପାଇଁ ପ୍ରଜୁଜ୍ୟ ।