ଉତ୍କଳମଣିଙ୍କ ଜନ୍ମପୀଠର ହେଉଛି ନବକଳେବର

ପୁରୀ: ଦ୍ରୁତ ଗତିରେ ଆଗେଇ ଚାଲିଛି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋର ବିକାଶ କାମ । ଚଳିବର୍ଷ ଡିସେମ୍ବର ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏନେଇ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶରେ କାର୍ଯ୍ୟର ଅଗ୍ରଗତି ନେଇ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୁଦନ ପାଢୀ । ଉତ୍କଳମଣିଙ୍କ ଷଠୀଘର ଥିବା ପୈତୃକ ଗୃହର ସଂରକ୍ଷଣ ଓ ସଂଗ୍ରହାଳୟ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଘର ପାଖରେ ଥିବା ପୁଷ୍କରିଣୀର ବିକାଶ କରାଯାଇଛି ।

ସେହିପରି ଶିବ ମନ୍ଦିର ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହୋଇଛି । ରାସ୍ତା ପାର୍ଶ୍ବ ସୁବିଧା କେନ୍ଦ୍ର, ଫୁଡକୋର୍ଟ ଏବଂ ସୂଚନା କେନ୍ଦ୍ରର କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ । ପୈତୃକ ବାସସ୍ଥାନରେ ସ୍ଥାପନ କରାଯିବାକୁ ଥିବା ୧୫ ଫୁଟ ଉଚ୍ଚତାର ପ୍ରତିମୂର୍ତ୍ତି ଓ ଏହାର ପ୍ଲାଟଫର୍ମ କାର୍ଯ୍ୟ ଜାରି ରହିଛି । ସୁଆଣ୍ଡୋ ଗ୍ରାମ ରାସ୍ତାର ବିକାଶ ଓ ଗ୍ରାମରେ ଭୂତଳ ବିଦ୍ୟୁତ ଯୋଗାଣ କାର୍ଯ୍ୟ କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ସୁଆଣ୍ଡୋକୁ ଆର୍ଷଣୀୟ, ଐତିହାସିକ ଓ ସାଂସ୍କୃତିକ ସ୍ଥାନରେ ପରିଣତ କରାଯାଉଛି । ଏଥିପାଇଁ ୨୫.୨୫ କୋଟି ଟଙ୍କା ବିନିଯୋଗ କରାଯିବ । ଏଥିପାଇଁ ଓଡ଼ିଶା ଖଣି ନିଗମ ଆର୍ଥିକ ସହାୟତ ଯୋଗାଉଛନ୍ତି ।