କେନ୍ଦୁଝର: ଲାଞ୍ଚନେଇ ଧରାପଡ଼ିଲେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଏଜୁକେସନ ଅଫିସର ଅଭୟ କୁମାର ବେହେରା । ୨୦୧୫ ବ୍ୟାଚର ୩୩ ଜଣ ଶିକ୍ଷକଙ୍କ ବକେୟା ଦରମା ଦେବା ପାଇଁ ୯୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ବିଇଓ । ୬୦ ହଜାର ଟଙ୍କାରେ ଡିଲ୍ ଫାଇନାଲ ହୋଇଥିଲା । ଜଣେ ସହକାରୀ ଶିକ୍ଷକଙ୍କଠାରୁ ପ୍ରଥମ କିସ୍ତିରେ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ । ଏହା ସହ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ । ଘଟଗାଁ ବିଇଓ କାର୍ଯ୍ୟାଳୟ ସମେତ ଯାଜପୁର୍ ଟାଉନ୍ ଏବଂ ବିଂଝାରପୁରରେ ଏକକାଳୀନ ଚଢାଉ ଜାରି ରଖିଛି ଭିଜିଲାନ୍ସ | ବାଲେଶ୍ବର ଏସପିଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ଡିଏସପି ଏସକେ ସାମନ୍ତରାୟଙ୍କ ନେତୃତ୍ୱରେ ତିନିଜଣ ଇନସ୍ପେକ୍ଟରଙ୍କ ସହିତ ମିଳିତ ଚଢ଼ାଉ ଚାଲିଛି । ବାଲେଶ୍ୱର ଭିଜିଲାନ୍ସରେ ମାମଲା ରୁଜୁ ହୋଇଛି ।
ଚମକିଲେ ଓଡ଼ିଆ ପୁଅ, ଅଣ୍ଡର-୧୯ କ୍ରିକେଟ ଟିମରେ ରାୟଗଡ଼ାର ମାନସ ଖରା
ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁରର ପୁଅ, ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବା ପାଇଁ ମନୋନୀତ ହୋଇଛନ୍ତି । ଭାରତୀୟ ଜୁନିଅର ଟିମରେ ସାମିଲ ହୋଇଛନ୍ତି ରାୟଗଡ଼ା ଜିଲ୍ଲା କାଶୀପୁର ପଞ୍ଚାଲି ଗାଁ’ର ମାନସ ଖରା । ଶ୍ରୀଲଙ୍କା ସହିତ ହେବାକୁ ଥିବା ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ପାଇଁ ମାନସଙ୍କୁ ହାଇଦ୍ରାବାଦ୍ କ୍ରିକେଟ୍ ଆସୋସିଏସନ ଚୟନ କରିଛି । ମାନସ ଏବେ ହାଇଦ୍ରାବାଦରେ ରହି ଅଭ୍ୟାସ କରୁଛନ୍ତି ।
୧୫ ଅକ୍ଟୋବରରୁ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଆରମ୍ଭ ହେବ । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍ । ଭାରତୀୟ ଜୁନିଅର ଟିମରେ ସ୍ଥାନ ପାଇଥିବାରୁ ମାନସ ଖୁସି ପ୍ରକାଶ କରିଛନ୍ତି । ଏହି ସଫଳତାର ଶ୍ରେୟ ସେ ତାଙ୍କ ପରିବାରକୁ ଦେଇଛନ୍ତି ।
ଆସିଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ, ୧ ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ
ଭୁବନେଶ୍ୱର: ଆସିଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ । ବନ୍ୟା ଭାଙ୍ଗି ଦେଇଛି ଚାଷୀଙ୍କ ମେରୁଦଣ୍ଡ । ଚଳିତ ବନ୍ୟାରେ ୧ ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି । ବନ୍ୟା ଓ ବର୍ଷାରେ ୨୪ଟି ଜିଲ୍ଲାର ଚାଷୀ ପ୍ରଭାବିତ ହୋଇଛନ୍ତି । ୧୦ଟି ଜିଲ୍ଲାର ଚାଷୀଙ୍କର ଅଧିକ କ୍ଷୟକ୍ଷତି ହୋଇଛି । ବନ୍ୟା ଓ ପ୍ରବଳ ବର୍ଷାରେ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ଅଧିକ ଚାଷଜମିରେ ଫସଲ ନଷ୍ଟ ହୋଇଛି ରିପୋର୍ଟରେ ଦର୍ଶାଯାଇଛି । ଜଗତସିଂହପୁରରେ ସର୍ବାଧିକ ୨ ହଜାର ୪୨୦ ହେକ୍ଟର ଚାଷଜମିରେ ଫସଲ କ୍ଷତି ହୋଇଛି । ଗତକାଲି କୃଷିମନ୍ତ୍ରୀ ଚାଷୀଙ୍କ କ୍ଷୟକ୍ଷତି ନେଇ ସମୀକ୍ଷା କରିଥିଲେ ।
ଫସାଇଲା ଦୁଇ ବର୍ଷ ତଳର ବିବାଦୀୟ ଟୁଇଟ୍, ପୁଣି ବନ୍ଧା ହେଲେ କେଆରକେ
ନୂଆଦିଲ୍ଲୀ: ଫସାଇଲା ଦୁଇ ବର୍ଷ ତଳର ବିବାଦୀୟ ଟୁଇଟ୍ । ପୁଣି ବନ୍ଧା ହେଲେ ହିନ୍ଦୀ ଫିଲ୍ମ ଅଭିନେତା କେଆରକେ । ୨୦୨୦ରେ କରିଥିବା ଏକ ଟୁଇଟକୁ ନେଇ କେଆରକେଙ୍କୁ ଏୟାରପୋର୍ଟରୁ ଗିରଫ କରିଛି ମୁମ୍ବାଇର ମଲାଡ ପୋଲିସ । ସୋସିଆଲ ମିଡିଆରେ ଧର୍ମକୁ ନେଇ ବିବାଦୀୟ ବୟାନ ରଖିଥିଲେ କେଆରକେ । ୨୦୨୦ରେ ଏ ନେଇ ଯୁବ ସେନା ସଦସ୍ୟ ରାହୁଲ କନାଲ କେଆରକେଙ୍କ ନାଁରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ତାଙ୍କ ନାମରେ ଲୁକଆଉଟ ନୋଟିସ ଜାରି କରିଥିଲା ।
ଏହାଛଡ଼ା ଟ୍ବିଟରେ ଦିବଂଗତ ଅଭିନେତା ଋଷି କାପୁର ଓ ଇରଫାନ ଖାନଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ରଖିଥିଲେ । ଏୟାରପୋର୍ଟରେ କେଆରକେଙ୍କୁ ପଚରାଉଚରା ପରେ ଗିରଫ କରାଯାଇଛି । କିଛି ସମୟ ପରେ ତାଙ୍କୁ ବୋରିବଲି କୋର୍ଟରେ ହାଜର କରାଯିବ । ପୂର୍ବରୁ ମଧ୍ୟ ବିବାଦୀୟ ଟ୍ବିଟକୁ ନେଇ ଗିରଫ ହୋଇଛନ୍ତି କେଆରକେ । ସଲମାନ ଖାନ ଓ ମନୋଜ ବାଜପେୟୀଙ୍କ ନାମରେ ଅପମାନଜନକ ବୟାନ ରଖିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା ।
ଭୁଆଶୁଣି ଡମ୍ପିଂୟାର୍ଡ ପ୍ରସଙ୍ଗରେ ଆଜି ଲୋକସେବା ଭବନରେ ବସିବ ଉଚ୍ଚସ୍ତରୀୟ ବୈଠକ
ଭୁବନେଶ୍ୱର: ଭୁଆଶୁଣି ଡମ୍ପିଂୟାର୍ଡ ବିବାଦ ପ୍ରସଙ୍ଗରେ ଆଜି ହେବ ଚୂଡାନ୍ତ ନିଷ୍ପତ୍ତି । ବିବାଦର ସମାଧାନ ପାଇଁ ଆଜି ଲୋକସେବା ଭବନରେ ବସିବ ଉଚ୍ଚସ୍ତରୀୟ ବୈଠକ । ଆୟୋଜିତ ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ, ସଚିବ, ବିଏମସି ମେୟର ଓ କମିଶନରଙ୍କ ସମେତ ଉପସ୍ଥିତ ରହିବେ ଦାରୁଠେଙ୍ଗ ପଞ୍ଚାୟତର ପ୍ରତିନିଧି । ଏହି ଉଚ୍ଚସ୍ତରୀୟ ବୈଠକରେ ସାମିଲ ହେବେ ଜଟଣୀ ବିଧାୟକ ସୁର ରାଉତରାୟ ଓ ଦାରୁଠେଙ୍ଗ ସରପଞ୍ଚ ତପନ ଚକ୍ରବର୍ତ୍ତୀ ।
୩ ସପ୍ତାହରୁ ଅଧିକ ଦିନ ଧରି ଅଚଳ ପଡ଼ିଛି ଭୁଆଶୁଣି ଡମ୍ପିଂୟାର୍ଡ । ବିବାଦର ସମାଧାନ ହେଲେ ସୁଧୁରିବ ସ୍ମାର୍ଟସିଟିର ପରିମଳ ବ୍ୟବସ୍ଥା । ଦିନକ ପରେ ବିଏମସି ପାଳିବ ସ୍ୱାୟତ୍ତ ଶାସନ ଦିବସ । ଆଜି ସମସ୍ୟାର ସମାଧାନ ନେଇ ଉଭୟ ପକ୍ଷ ଆଶାବାଦୀ ଅଛନ୍ତି ବୋଲି କୁହାଯାଉଛି । ଆଲୋଚନା ମାଧ୍ୟମରେ ସମସ୍ୟାର ସ୍ଥାୟୀ ସମାଧନ ପାଇଁ ବିଭାଗୀୟ ମନ୍ତ୍ରୀ ଉଷା ଦେବୀଙ୍କୁ ଭେଟିଥିଲେ ଦାରୁଠେଙ୍ଗ ସରପଞ୍ଚ ଓ ଜଟଣୀ ବିଧାୟକ ।
ମାଛ ଧରିବାକୁ ଯାଇ ସମୁଦ୍ରରେ ଭାସିଗଲେ ୨ ମତ୍ସ୍ୟଜୀବୀ, ଜଣେ ମୃତ
ଧାମରା: ମାଛ ଧରିବାକୁ ଯାଇ ସମୁଦ୍ରରେ ଭାସିଗଲେ ୨ ମତ୍ସ୍ୟଜୀବୀ । ଜଣେ ମୃତ, ଅନ୍ୟଜଣେ ଗୁରୁତର ଭାବେ ମେଡିକାଲରେ ଭର୍ତ୍ତି । ଧାମରା ନିକଟ କରଞ୍ଜମାଳ ପଞ୍ଚାୟତର ୨ ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ଉଚ୍ଚ ଜୁଆର ମାଡରେ ଭାସିଯାଇଛନ୍ତି । ସେମାନଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀ ଉଦ୍ଧାର କରିଥିଲେ ମଧ୍ୟ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତକାଲି ସନ୍ଧ୍ୟାରେ ସମୁଦ୍ରକୁ ମାଛ ମାରିବାକୁ ଧାନକୁଟାର ଲକ୍ଷ୍ମୀଧର ଦାସ ଓ ପ୍ରଶାନ୍ତ ଦାସ ଯାଇଥିଲେ । ସେ ନିକଟସ୍ଥ ବଙ୍ଗୋପସାଗରକୂଳଠାରୁ କିଛି ଦୂରରେ ବେଢ଼ ଜାଲ ମାରିଥିଲେ ।
ସମୁଦ୍ର ଅଶାନ୍ତ ଥିବା ସମୟରେ ଏହି ୨ ଜଣ ଜାଲ ଉଠାଇବାକୁ ଯାଇଥିବା ବେଳେ ଅଚାନକ ସମୁଦ୍ରରେ ଉଚ୍ଚ ଜୁଆରରେ ଲକ୍ଷ୍ମୀଧର ଦାସ ଭାସି ଯାଇଥିଲେ । ଲକ୍ଷ୍ମୀଧର ଭାସି ଯାଉଥିବା ଦେଖି ପ୍ରଶାନ୍ତ ସଙ୍ଗେସଙ୍ଗେ ଏକ ଦଉଡି ଫିଙ୍ଗି ଦେଇ ସେହି ଦଉଡିକୁ ଧରିବାକୁ କହିଥିଲେ। ମାତ୍ର ସମୁଦ୍ରର ଅଶାନ୍ତ ଢେଉରେ ଲକ୍ଷ୍ମୀଧର ଭାସି ଯାଇଥିଲେ । ଧାମରା ଅଗ୍ନିଶମ ବାହିନୀ ପହଞ୍ଚିଥିଲେ ବି ଅଶାନ୍ତ ସମୁଦ୍ର ଯୋଗୁ ପାଣିକୁ ଯାଇନଥିଲେ । ପରେ ସ୍ଥାନୀୟ ଲୋକ ଲକ୍ଷ୍ମୀଧରଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ସେପଟେ ପାଣିରେ ବୁଡି ଶ୍ୱାସ ରୁଦ୍ଧ ହୋଇଥିବା ପ୍ରଶାନ୍ତଙ୍କୁ ଚିକିତ୍ସା କରିବା ପାଇଁ ବଇଁଚା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

