ବଢୁଛି ରାଜସ୍ଥାନ ପାରା, କଂଗ୍ରେସ ହାଇକମାଣ୍ଡକୁ ଭେଟିଲେ ପାଇଲଟ୍

1 min read

ନୂଆଦିଲ୍ଲୀ: କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧିଙ୍କୁ ଭେଟିଲେ ସଚିନ ପାଇଲଟ । କହିଛନ୍ତି- ରାଜ୍ୟରେ କଂଗ୍ରେସକୁ ଶକ୍ତିଶାଳୀ କରିବା ଲାଗି ସାମୂହିକ ଉଦ୍ୟମ କରାଯିବ । ୨୦୨୩ରେ କଂଗ୍ରେସ ସରକାର ଲାଗି ଏବଠାରୁ ଯୋଜନା ପ୍ରସ୍ତୁତ କରାଯିବ । ତେବେ ମୁଖ୍ୟମନ୍ତ୍ରୀତ୍ବ ପ୍ରସଙ୍ଗରେ ସାମ୍ବାଦିକଙ୍କ ପ୍ରଶ୍ନକୁ ଏଡ଼ାଇଯାଇଥିଲେ ସଚିନ । ସେପଟେ ଏଆଇସିସି ସଭାପତି ରେସ୍ରୁ ଅଶୋକ ଗେହଲଟ ହୋଇଛନ୍ତି ଆଉଟ । କେବଳ ଏତିକି ନୁହେଁ ଅନ୍ତରୀଣ ସଭାନେତ୍ରୀ ସୋନିଆ ଗାନ୍ଧିଙ୍କ ନିକଟରେ କ୍ଷମା ମାଗିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ।

ରାଜ୍ୟରେ ଘଟିଥିବା ଦଳୀୟ ବିଶୃଙ୍ଖଳା ଲାଗି ଗେହଲଟଙ୍କ ଉପରେ କ୍ଷୁବ୍ଧ ଥିଲେ ହାଇକମାଣ୍ଡ । ଦିନେ ଦୁଇଦିନ ମଧ୍ୟରେ ଗେହଲଟ ପ୍ରସଙ୍ଗରେ ହାଇକମାଣ୍ଡ ନିଷ୍ପତ୍ତି ନେବେ । ଗେହଲଟ ଯଦି ସଭାପତି ହୁଅନ୍ତି ଏବଂ ତାଙ୍କ ସ୍ଥାନରେ ସଚିନ ପାଇଲଟଙ୍କୁ ଯଦି ମୁଖ୍ୟମନ୍ତ୍ରୀ କରାଯାଏ ତେବେ ଇସ୍ତଫା ଦେବାକୁ ଧମକ ଦେଇଥିଲେ ୯୦ରୁ ଅଧିକ ବିଧାୟକ । ତେଣେ ଏଆଇସିସି ସଭାପତି ରେସରେ ସାମିଲ ହୋଇଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ । ସେ ପ୍ରାର୍ଥିପତ୍ର ଭରିବା ଲାଗି ୧୦ ସେଟ୍ ନାମାଙ୍କନ ଫର୍ମ ନେଇଛନ୍ତି ।

ଦିଗବିଜୟ ଓ ଶଶୀ ଥରୁର ଭରିବେ ନାମାଙ୍କନ । ଶଶୀ କହିଛନ୍ତି- ଦିଗବିଜୟଙ୍କ ପ୍ରାର୍ଥିତ୍ବକୁ ସେ ସ୍ବାଗତ କରୁଛନ୍ତି ଏବଂ ସେମାନଙ୍କ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ଲଢେଇ ହେବ । ସେହିପରି ଦିଗବିଜୟ କହିଛନ୍ତି- ଉଭୟ ଶଶୀ ଓ ସେ ଗାନ୍ଧି-ନେହରୁ ଆଦର୍ଶରେ ଅନୁପ୍ରାଣୀତ । ତେଣେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ରାଜ୍ଯପାଳ କେଶରୀନାଥ ତ୍ରିପାଠୀ ବି ନାମାଙ୍କନ ପତ୍ର କରିଛନ୍ତି ସଂଗ୍ରହ ।