spot_img
Home Blog Page 3129

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏବର୍ଷ ଜନଜାତିଙ୍କ ବିକାଶ ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ୨୨୩ କୋଟି

ଭୁବନେଶ୍ୱର: ସ୍ୱତନ୍ତ୍ର ବିକାଶ ପରିଷଦରେ ସାମିଲ ହେଲା ଆଉ ୧୪ ଜିଲ୍ଲା । ଆଦିବାସୀଙ୍କ କଳା, ସଂସ୍କୃତିର ସୁରକ୍ଷା ଓ ସଂରକ୍ଷଣ ନେଇ ସ୍ୱତନ୍ତ୍ର ବିକାଶ ପରିଷଦର ପରିସୀମା ୨୩ ଜିଲ୍ଲାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଆଜି ଭୁବନେଶ୍ୱରରେ ସ୍ୱତନ୍ତ୍ର ବିକାଶ ପରିଷଦର ବର୍ଣ୍ଣାଢ୍ୟ ଉତ୍ସବରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୮ରେ ପ୍ରଥମ ଥର ପାଇଁ ଅଭିନବ ଭାବେ ଆଦିବାସୀ ବହୁଳ ଜିଲ୍ଲାରେ ଆଦିବାସୀ ଭାଷା, ନୃତ୍ୟ, ସଂଗୀତ ଓ କଳାକାରଙ୍କୁ ବିଶ୍ୱ ଦରବାରରେ ପରିଚିତ କରିବା ପାଇଁ ୯ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିଲେ ସ୍ୱତନ୍ତ୍ର ବିକାଶ ପରିଷଦ । ପୂର୍ବରୁ ୯ଟି ଜିଲ୍ଲାରେ ସ୍ବତନ୍ତ୍ର ବିକାଶ ପରିଷଦ କାର୍ଯ୍ୟ କରୁଥିବା ବେଳେ ଏବେ ଆଉ ୧୪ଟି ଜିଲ୍ଲାକୁ ଏସଡିସିରେ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେଗୁଡିକ ହେଲା ବାଲେଶ୍ବର, ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ନୟାଗଡ଼, ଢେଙ୍କାନାଳ, ଅନୁଗୁଳ, ଯାଜପୁର, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ବୌଦ୍ଧ ଓ ଗଂଜାମ । ମୋଟ ୨୩ ଜିଲ୍ଲାର ଆଦିବାସୀଙ୍କ ବିକାଶ ପାଇଁ ସରକାର ଆଙ୍କିଛନ୍ତି ନକ୍ସା । ଏନେଇ ମୁଖ୍ୟମନ୍ତ୍ରୀ ନିଜେ ଆଜି ସ୍ବତନ୍ତ୍ର ବିକାଶ ପରିଷଦ ବୈଠକରେ ବଡ଼ ଘୋଷଣା କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି କି ଓଡ଼ିଶା ହେଉଛି ଜଗନ୍ନାଥଙ୍କ ଦେଶ । ଜଗନ୍ନାଥ ସଂସ୍କୃତି ସହ ଜନଜାତିର ସଂପୃକ୍ତି ରହିଛି । ବିକାଶର ପରିଭାଷାରେ କଳା ଓ ସଂସ୍କୃତିର ଭୂମିକା ସ୍ୱତନ୍ତ୍ର । ୨୦୧୮ରୁ ୯ଟି ଜିଲ୍ଲାରେ ସ୍ୱତନ୍ତ୍ର ବିକାଶ ପରିଷଦ କାମ କରୁଥିଲା । ଏବେ ଆଉ ୧୪ ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦରେ ସାମିଲ ହେଲେ । ଆଦିବାସୀଙ୍କ ବିକାଶ ପାଇଁ ୨୨୩ କୋଟି ଖର୍ଚ୍ଚ କରିବେ ରାଜ୍ୟ ସରକାର । ୨୦୨୩-୨୪ରେ ୨୨୩ କୋଟି ଖର୍ଚ୍ଚ କରିବେ ସରକାର । ଏହା ଦ୍ୱାରା ୮୦ ଲକ୍ଷରୁ ଅଧିକ ଜନଜାତି ଉପକୃତ ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଡେଲାଙ୍ଗ ଘୋରଡିଆ ଗ୍ରାମ୍ୟ ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ଘୋରଡିଆ ଗ୍ରାମ୍ୟ ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । ଘଟଣା ସ୍ଥଳରେ ଡେଲାଙ୍ଗ ପୋଲିସ ଓ ଡେଲାଙ୍ଗ ଅଗ୍ନିଶମ ବିଭାଗର ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । ନିଆଁରେ କାର୍ଯ୍ୟାଳୟର ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିଶମ ବାହିନୀ ଦ୍ୱାରା ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଥିବା ବେଳେ ଗ୍ରାମ୍ୟ ବ୍ୟାଙ୍କର ଅଧିକାରୀ ପୋଲିସ ଉପସ୍ଥିତିରେ କ୍ଷୟକ୍ଷତି ଯାଞ୍ଚ କରୁଛନ୍ତି ।

ସୁଗମ ହେବ ଧବଳେଶ୍ୱର ପୀଠକୁ ଯାତ୍ରା, ଏଣିକି ସ୍ଥଳପଥ ଦେଇ ପୀଠରେ ପହଞ୍ଚି ପାରିବେ ଭକ୍ତ

କଟକ: ସୁଗମ ହେବ ବାବା ଧବଳେଶ୍ୱରଙ୍କ ପୀଠକୁ ଯାତ୍ରା । ଦୂର ହେବ ଝୁଲାପୋଲର ଭୟ । ନଦୀରେ ନୁହଁ, ଏଣିକି ସିଧାସଳଖ ସ୍ଥଳପଥ ଦେଇ ପୀଠରେ ପହଞ୍ଚି ପାରିବେ ଭକ୍ତ । ମହାନଦୀ ଛାତି ଉପରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ସେତୁକାର୍ଯ୍ୟ । ଆଠଗଡ଼ର ପ୍ରସିଦ୍ଧ ଶୈବପୀଠକୁ ଯିବାକୁ ଏକ ମାତ୍ର ମାଧ୍ୟମ ଥିଲା ଡଙ୍ଗା । ପରେ ରଜ୍ୟ ସରକାରଙ୍କ ପକ୍ଷରୁ ୨୦୦୬ ମସିହାରେ ନିର୍ମାଣ ହୋଇଥିଲା ଝୁଲାପୋଲ । ଗୁଜରାଟର ମୋର୍ବି ଝୁଲାପୋଲ ଅଘଟଣ ପରେ ଏହି ଝୁଲାପୋଲର ମରାମତି ପାଇଁ ପ୍ରଶାସନ ପକ୍ଷରୁ ଏହାକୁ ବନ୍ଦ ରଖାଯାଇଛି । ଫଳରେ ଚଳିତ ବର୍ଷ ଜାନୁଆରୀ ୧୧ ତାରିଖଠାରୁ ମଞ୍ଚେଶ୍ବର ଘାଟ ପାଖ ମହାନଦୀ ମଝିରେ ମୋରମ ଦ୍ୱାରା ନିର୍ମାଣ ହେଇଥିବା ଅସ୍ଥାୟୀ ରାସ୍ତା ହିଁ ଯାତାୟତର ମାଧ୍ୟମ ପାଲଟିଛି । ତେବେ ଖୁବ୍ ଶୀଘ୍ର ବାବା ଧବଳେଶ୍ବର ପୀଠକୁ ସଂଯୋଗ କରିବାକୁ ଯାଉଛି ସ୍ଥାୟୀ କଂକ୍ରିଟ ସେତୁ ।

ରାଜ୍ୟ ସରକାରଙ୍କ ବିଜୁ ସେତୁ ଯୋଜନାରେ ସେତୁ କାର୍ଯ୍ୟ ଜାରି ରହିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାଜଲକ୍ଷ୍ମୀ କନଷ୍ଟ୍ରକସନକୁ କାର୍ଯ୍ୟ ହସ୍ତାନ୍ତର କରାଯାଇଛି । ୨୨ କୋଟି ୨୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ସେତୁ କାମ ଚାଲିଛି । ଦୁଇ ପାଖର ଅପ୍ରୋଜ୍ ରୋଡ୍ କାମ ପ୍ରାୟ ଶେଷ ହୋଇସାରିଥିବା କହିଛନ୍ତି ଉପଜିଲ୍ଲାପାଳ । ସେତୁର କାର୍ଯ୍ୟ ଶେଷ ହେଲେ ଧବଳେଶ୍ବରଙ୍କ ପୀଠକୁ ଅଧିକରୁ ଅଧିକ ଶ୍ରଦ୍ଧାଳୁ ଆଗମନ କରିପାରିବେ ।

ମାଟ୍ରିକ୍ ଟପର ହେଲେ ଏସିଡ୍ ପୀଡିତା

ଚଣ୍ଡିଗଡ଼: କୁନି ଝିଅଟି ହୋଇଥିଲେ । ବୟସ ଥିଲା ମାତ୍ର ୩ ବର୍ଷ । ଦୁନିଆ ଜାଣିନଥିବା ଏହି ବୟସରେ ତାଙ୍କ ଉପରେ ହୋଇଥିଲା ଏସିଡ୍ ମାଡ଼ । କୁନି ଝିଅକୁ ଦେଖି ସହି ପାରୁନଥିଲେ ପଡ଼ିଶା ଘରର ଲୋକେ । ଆଉ ଦିନେ ଅଚାନକ ଏହି ଝିଅ ଉପରେ ଏସିଡ୍ ମାଡ଼ କରିଥିଲେ । ଏସିଡ୍ ଆକ୍ରମଣ ଯୋଗୁଁ ଝିଅଟିର ଦୁଇ ଆଖି ଚାଲିଯାଇଥିଲା । ମୁହଁ ନଷ୍ଟ ହୋଇଯାଇଥିଲା । ହେଲେ ପରିବାର ଲୋକେ ହାରିନଥିଲେ ।

ଏହି କୁନି ଝିଅକୁ ଏବେ ୧୫ ବର୍ଷ । ନିକଟରେ ପ୍ରକାଶ ପାଇଥିବା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳରେ ଏହି ଝିଅ ୯୫.୨୦ ପ୍ରତିଶତ ନମ୍ବର ରଖିଛନ୍ତି । ଏବଂ ନିଜ ସ୍କୁଲରେ ଟପ୍ପର ହୋଇଛନ୍ତି । ୨୦୧୧ ମସିହାରେ ହରିଆଣାର ହିସାରରେ ରହୁଥିବା ୩ ବର୍ଷୀୟ କାଫି ହୋଲି ଖେଳିବାକୁ ଘର ବାହାରକୁ ଯାଇଥିଲେ । କିନ୍ତୁ ରଙ୍ଗ ବଦଳରେ କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଏସିଡ୍ ମାଡ଼ କରିଥିଲେ । ଆଉ ତାଙ୍କ ମୁହଁ ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିବା ବେଳେ ଆଖିର ଆଲୋକ ମଧ୍ୟ ଚାଲିଯାଇଥିଲା । ପରେ କାଫିଙ୍କୁ ଦିଲ୍ଲୀ ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।

ସପ୍ତାହେ ଧରି ଚିକିତ୍ସା ଚାଲିବା ପରେ ଡାକ୍ତର କହିଥିଲେ ଯେ କାଫି ସାରା ଜୀବନ ଅନ୍ଧକାରରେ ବିତାଇବେ । ଝିଅକୁ ନ୍ୟାୟ ଦେବା ପାଇଁ ବାପା ହିସାର ଜିଲ୍ଲା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । କୋର୍ଟ ଆକ୍ରମଣକାରୀଙ୍କୁ ଦୁଇବର୍ଷର ଜେଲ ଦଣ୍ଡାଦେଶ ମଧ୍ୟ ଶୁଣାଇଥିଲେ । ଆଖି ହରାଇବା ପରେ କାଫିଙ୍କୁ ଚଣ୍ଡିଗଡ଼ର ଦୃଷ୍ଟିବାଧିତ ଶିକ୍ଷାନୁଷ୍ଠାନର ପାଠ ପଢ଼ାଇଥିଲେ ବାପା-ମାଆ । ଆଉ ଏବେ ସିବିଏସଇ ଦଶମ ଶ୍ରେଣୀରେ ସେ ୯୫ ପ୍ରତିଶତରୁ ଅଧିକ ମାର୍କ ରଖି ନିଜ ସ୍କୁଲରେ ଟପ୍ପର ହୋଇଛନ୍ତି । ଆଗକୁ ଆଇଏଏସ ଅଫିସର ହେବାକୁ ଲକ୍ଷ୍ୟ ରଖିଛନ୍ତି କାଫି ।

ଧୁମଧାମରେ ହେଲା ପାଲଲହଡ଼ା ବିଧାୟକଙ୍କ ବିବାହ ଉତ୍ସବ, ମୁକେଶ ପାଲଙ୍କ ବିବାହ ଭୋଜିରେ ଯୋଗଦେଲେ 5T ସଚିବ

ପାଲଲହଡ଼ା: ବିଧାୟକଙ୍କ ବିବାହ ଭୋଜିରେ ଯୋଗ ଦେଇ ନବ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଲେ 5T ସଚିବ ଭି.କେ ପାଣ୍ଡିଆନ । ପାଲଲହଡ଼ା ବିଧାୟକ ମୁକେଶ ପାଲଙ୍କ ବିବାହ ଭୋଜିରେ 5T ସଚିବ ଭି.କେ ପାଣ୍ଡିଆନ ଯୋଗଦେଇ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନିମନ୍ତ୍ରଣ ରକ୍ଷା କରି 5T ସଚିବ ଭି.କେ ପାଣ୍ଡିଆନ ବିଧାୟକ ମୁକେଶ ପାଲଙ୍କ ପାଲଲହଡ଼ାସ୍ଥିତ ବାଲିପଶି ଗାଁରେ ଆୟୋଜିତ ଭୋଜିରେ ଯୋଗ ଦେଇଥିଲେ । ଭୋଜିରେ ବହୁ ବିଧାୟକ, ପ୍ରଶାସନିକ ଅଧିକାରୀ ଓ ଜିଲ୍ଲାର ବହୁ ଲୋକପ୍ରତିନିଧିଙ୍କୁ ଦେଖିବାକୁ ମିଳିଥିଲା । ଗତ ୧୨ ତାରିଖରେ ଅନୁଗୁଳ ବଣିଆ ବାହାଲର ମଧୁସୂଦନ ପଟ୍ଟନାୟକଙ୍କ କନ୍ୟା ଅବଲିଶା ପଟ୍ଟନାୟକଙ୍କ ସହ ପାଲଲହଡ଼ା ବିଧାୟକ ମୁକେଶ ପାଲଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ଅନୁଗୁଳର ଏକ ତାରକା ହୋଟେଲରେ ଆୟୋଜନ ହୋଇଥିଲା ବିବାହ ଉତ୍ସବ ।

 

ସମ୍ବଲପୁର ଚନ୍ଦନିମାଲ ଓ ବଡ଼ବାହାଲ ଜଙ୍ଗଲରେ ନିଜ ଗୁଳିରେ ଶିକାରୀ ମୃତ

ସମ୍ବଲପୁର: ନିଜ ବନ୍ଧୁକରେ ନିଜକୁ ଗୁଳି । ଗୁଳି ଫୁଟି ଶିକାରୀ ମୃତ । ସମ୍ବଲପୁର ଜିଲ୍ଲା କତରାବଗାଁ ଥାନା ଚନ୍ଦନିମାଲ ଓ ବଡ଼ବାହାଲ ଜଙ୍ଗଲ ମଝିର ଘଟଣା । ମୃତକ ହେଲେ ବଡ଼ବାହାଳ ଗାଁର କୁମର ଛତ୍ରିଆ । କୁମରଙ୍କ ସମେତ ୭ ଜଣ ବାରହା ଶିକାର ପାଇଁ ଜଙ୍ଗଲକୁ ଯାଇଥିଲେ । ହଠାତ ବାଇକ ଶବ୍ଦ ଶୁଣି ଘଟଣାସ୍ଥଳରୁ ସମସ୍ତେ ଫେରାର ହେବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ କୁମରଙ୍କ ବନ୍ଧୁକରୁ ଗୁଳିଫୁଟି ନିଜ ଦେହରେ ବାଜିଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବାବେଳେ ପୋଲିସ ମୃତଦେହ ଉଦ୍ଧାର କରିଛି । ଘଟଣାସ୍ଥଳରୁ ଦୁଇ ବନ୍ଧୁକ ଜବତ କରିବା ସହ ୬ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।

କର୍ଣ୍ଣାଟକ ଡିଜିପି ପ୍ରବୀଣ ସୁଦ୍‌ ହେବେ ସିବିଆଇ ନିର୍ଦ୍ଦେଶକ, ଆସନ୍ତା ୨୫ରୁ ଦୁଇବର୍ଷ ପାଇଁ ନେବେ ଦାୟିତ୍ୱ

ନୂଆଦିଲ୍ଲୀ: ସିବିଆଇର ଟପ୍ ପୋଷ୍ଟରେ କର୍ଣ୍ଣାଟକ ଡିଜିପି । ସିବିଆଇ ନିର୍ଦ୍ଦେଶକ ହେଲେ କର୍ଣ୍ଣାଟକ ଡିଜିପି ପ୍ରବୀଣ ସୁଦ୍‌ । ଆସନ୍ତା ଦୁଇ ବର୍ଷ ପାଇଁ କାର୍ଯ୍ୟଭାର ସମ୍ଭାଳିବେ ପ୍ରବୀଣ ସୁଦ୍‌ । କର୍ଣ୍ଣାଟକ ନିର୍ବାଚନ ବେଳେ ଚର୍ଚ୍ଚାରେ ଥିଲେ ପ୍ରବୀଣ । ଏବେ ସିବିଆଇ ନିର୍ଦ୍ଦେଶକ ଥିବା ସୁବୋଧ କୁମାର ଜୈଶଓ୍ୱାଲ ଆସନ୍ତା ୨୫ ତାରିଖରେ ଅବସର ନେବେ । ତାପରେ ଦାୟିତ୍ୱ ନେବେ ପ୍ରବୀଣ ସୁଦ୍‌ । କର୍ଣ୍ଣାଟକ ନିର୍ବାଚନ ବେଳେ ବେଶ୍ ଚର୍ଚ୍ଚାରେ ଥିଲେ ପୋଲିସ ଡିଜି ପ୍ରବୀଣ ସୁଦ୍‌ । କଂଗ୍ରେସ ନେତା ଡିକେ ଶିବକୁମାର ଆଣିଥିଲେ ବଡ଼ ଅଭିଯୋଗ  । ବିଜେପି ନେତାଙ୍କୁ ସୁହେଇଲା ଭଳି କାମ କରୁଥିଲେ ପୋଲିସ ଡିଜି  । ବିଜେପି ନେତାଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରିଥିଲେ ।

କେବଳ କଂଗ୍ରେସ ନେତାଙ୍କ ବିରୋଧରେ ରୁଜୁ କରୁଥିଲେ ମାମଲା । ବିନା କାରଣରେ ପ୍ରବୀଣ ବିରୋଧୀ କଂଗ୍ରେସକୁ ଅଯଥାରେ ହଇରାଣ କରୁଥିବା ଅଭିଯୋଗ ହୋଇଥିଲା । ଏଭଳି ଚର୍ଚ୍ଚା ଭିତରେ ପ୍ରବୀଣ ସୁଦ୍ ସିବିଆଇ ମୁଖ୍ୟ ହେବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ପ୍ରକାଶ ପାଇଲା ସିଆଇଏସସିଇ ଦଶମ ଓ ଦ୍ୱାଦଶ ପରୀକ୍ଷାଫଳ, http://cisce.org ୱେବସାଇଟରେ ରେଜଲ୍ଟ ଉପଲବ୍ଧ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ICSE ଦଶମ ଓ ISC ଦ୍ବାଦଶ ପରୀକ୍ଷା ଫଳ । ICSE ଦଶମରେ ପାସ୍ ହାର ରହିଛି ୯୮.୯୪% । ସେହିପରି ISC ଦ୍ବାଦଶରେ ପାସ୍ ରହିଛି ୯୬.୯୩% । ଦଶମ ଓ ଦ୍ବାଦଶରେ ପରୀକ୍ଷା ଦେଇଥିଲେ ତିନି ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ । ଦ୍ବାଦଶରେ ରିୟା ଅଗ୍ରଓ୍ବାଲ ୯୯.୭୫ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଛନ୍ତି । ସେହିପରି ଦଶମରେ ଋଷିଲ କୁମାର ୯୯.୮ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଛନ୍ତି । ଦଶମରେ ୯୯.୮ ପ୍ରତିଶତ ମାର୍କ ରଖି ଅନନ୍ୟା କାର୍ତ୍ତିକ ରହିଛନ୍ତି ଦ୍ବିତୀୟ ସ୍ଥାନରେ । ସେହିପରି ୯୮.୮ ପ୍ରତିଶତ ମାର୍କ ରଖି ଶ୍ରେୟା ଉପାଧ୍ୟାୟ ରହିଛନ୍ତି ତୃତୀୟ ସ୍ଥାନରେ । ଦ୍ବାଦଶରେ ୯୯.୭୫ ପ୍ରତିଶତ ମାର୍କ ରଖି ଇପସିତା ଭଟ୍ଟାଚାର୍ଯ୍ୟ ରହିଛନ୍ତି ଦ୍ବିତୀୟ ସ୍ଥାନରେ । ସେହିପରି ୯୯.୭୫ ପ୍ରତିଶତ ମାର୍କ ରଖି ମହମ୍ମଦ ଆରିଆନ ତାରିକ ତୃତୀୟ ସ୍ଥାନରେ ରହିଛନ୍ତି ।

ଦଶମ ଶ୍ରେଣୀରେ ୯ ଛାତ୍ରଛାତ୍ରୀ ରଖିଛନ୍ତି ରାଙ୍କ-୧ ପୋଜିସନ୍ । ସେମାନଙ୍କ ମଧ୍ୟରେ ରହିଛନ୍ତି ତିନି ଛାତ୍ରୀ । ଦ୍ବାଦଶରେ ପରୀକ୍ଷା ଦେଇଥିଲେ ୯୮ ହଜାର ୫୦୫ ଛାତ୍ରଛାତ୍ରୀ । ଦଶମରେ ପରୀକ୍ଷା ଦେଇଥିଲେ ୨ ଲକ୍ଷ ୩୭ ହଜାର ୬୩୧ ଛାତ୍ରଛାତ୍ରୀ । ଆଜି ପ୍ରକାଶ ପାଇଥିବା ICSE ଦଶମ ରେଜଲ୍ଟରେ ପ୍ରିୟଙ୍କା ପରାସର ଓ ବିଷ୍ଣୁ ପ୍ରସାଦ ଶତପଥୀ ଓଡ଼ିଶା ଟପ୍ପର ହୋଇଛନ୍ତି । ଉଭୟେ ୯୯.୪୦% ମାର୍କ ରଖି ମିଳିତ ଭାବେ ଟପ୍ପର ହୋଇଛନ୍ତି। ସେହିପରି ସଞ୍ଜନା ପଲେଇ, ପ୍ରତିକା ମିଶ୍ର, ପ୍ରେମା ମଞ୍ଜରୀ, ଆୟଷ ନନ୍ଦ ୯୯.୨୦% ମାର୍କ ରଖିଥିବା ବେଳେ ଅନୁଷ୍କା ମିତ୍ତଲ, ଓଜଲ ଆକାଶ, ଓକାର ମହାପାତ୍ର ଓ ଅମରେନ୍ଦ୍ର ସ୍ୱାଇଁ ୯୯.୦ ପ୍ରତିଶତ ମାର୍କ ରଖି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି । ସେହିପରି ISC ଦ୍ୱାଦଶ ପରୀକ୍ଷାରେ ଦିଶା ଗୋଏଲ ଓଡ଼ିଶା ଟପ୍ପର ହୋଇଛନ୍ତି । ସେ ୯୮.୨୬ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଥିବା ବେଳେ ସ୍ତୁତିଲେଖା ପଟ୍ଟନାୟକ ୯୮ %, ସୁଦୀପ ଅଧିକାରୀ ଓ ଶ୍ରୀୟା ଦତ୍ତ ୯୭.୫ ପ୍ରତିଶତ ମାର୍କ ରଖିଛନ୍ତି ।

ଆଜି ହୋଇ ନପାରେ କର୍ଣ୍ଣାଟକ ସିଏମ ପ୍ରାର୍ଥୀ ଘୋଷଣା, ଶିବକୁମାର କହିଲେ ଦଳ ପାଇଁ ଅନେକଥର ତ୍ୟାଗ କରିଛି….

ବେଙ୍ଗାଲୁରୁ: ଆଜି ହୋଇ ନପାରେ କର୍ଣ୍ଣାଟକ ସିଏମ ପ୍ରାର୍ଥୀ ଘୋଷଣା । ଆସନ୍ତାକାଲି ହାଇକମାଣ୍ଡ ନାଁ ଘୋଷଣା କରିବେ ବୋଲି ସୂଚନା ମିଳିଛି । ଦୁଇ ହେଭିଓ୍ବେଟ ଡି.କେ. ଶିବକୁମାର ଓ ସିଦ୍ଧରମୈୟାଙ୍କ ମଧ୍ୟରୁ କାହାକୁ ମୁଖ୍ୟମନ୍ତ୍ରୀ କରାଯିବ ସେନେଇ ଚାଲିଛି କଳ୍ପନାଜଳ୍ନନା । ମୁଖ୍ୟମନ୍ତ୍ରୀ ଚୟନ ପ୍ରସଙ୍ଗରେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ସହ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ କଥା ହୋଇଥିବା ସୂଚନା ମିଳିଛି । ଗତକାଲି ଏନେଇ ଦଳର ନେତାଙ୍କ ଏକ ବୈଠକ ବସିଥିଲା । ସେପଟେ ଆଜି ଏଆଇସିସି ସଭାପତି ମଲ୍ଲିକାର୍ଜୁନଙ୍କ ଘରେ କଂଗ୍ରେସ ବିଧାୟକମାନେ ସମବେତ ହେଉଥିବା ଦେଖାଯାଇଛି ।

ସେମାନଙ୍କ ମଧ୍ୟରେ ଅଛନ୍ତି ସିଦ୍ଧରମୈୟା । ସିଦ୍ଧରମୈୟା ବି ଏକ ରୁଦ୍ଧଦ୍ବାର ବୈଠକ କରିଥିବା ସୂଚନା ମିଳିଛି । ଅଜି ସନ୍ଧ୍ୟା ୬ଟାରେ ବେଙ୍ଗାଳୁରୁର ସାଙ୍ଗ୍ରି-ଲା-ହୋଟେଲରେ କଂଗ୍ରେସ ବିଧାୟକଙ୍କ ବୈଠକ ବସିବ ବୋଲି ସୂଚନା ମିଳିଛି । ଏହି ବୈଠକରେ ଏକ ପ୍ରସ୍ତାବ ଗୃହୀତ ହେବା ପରେ ତାହାକୁ କଂଗ୍ରେସ ସଭାପତିଙ୍କ ନିକଟକୁ ପଠାଯିବ । ତେଣେ ସିଦ୍ଧରମୈୟଙ୍କ ସପକ୍ଷରେ ସମର୍ଥକମାନେ ପୋଷ୍ଟର ମାରିଛନ୍ତି । ସେମାନେ ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି ବୋଲି ସୂଚନା ମିଳିଛି । ପରିବାର ସହ ବେଙ୍ଗାଳୁରୁଠାରୁ ୧୨୦କିମି ଦୂର ଶ୍ରୀ କାଦାସିଦ୍ଧେଶ୍ବରୀ ମନ୍ଦିର ପରିଦର୍ଶନ କରିଛନ୍ତି ଶିବକୁମାର । ସେପଟେ ସିଏମ ରେସରେ ସାମିଲ ହୋଇଛନ୍ତି ୨ ନେତା । ସେମାନେ ହେଉଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ବର ଓ ଏଚ.କେ ପାଟିଲ ।

ଶ୍ରୀ କାଦାସିଦ୍ଧେଶ୍ବରୀ ମନ୍ଦିର ପରିଦର୍ଶନ ସମୟରେ ଡିକେ ଶିବକୁମାର କହିଛନ୍ତି, ଲୋକମାନେ କହୁଛନ୍ତି ଯେ ସିଦ୍ଧରମେୟାଙ୍କ ସହ ମୋର ମତଭେଦ ଅଛି । ହେଲେ ସ୍ପଷ୍ଟ କରିବାକୁ ଚାହେଁ ଆମ ଭିତରେ ସେମିତି କିଛି ବି ନାହିଁ । ଅନେକଥର ମୁଁ ଦଳ ପାଇଁ ତ୍ୟାଗ କରିଛି ଏବଂ ସିଦ୍ଧରମେୟାଙ୍କ ସହ ଛିଡ଼ା ହୋଇଛି । ସୁଦ୍ଧରମେୟାଙ୍କୁ ସବୁବେଳେ ସହଯୋଗ କରିଆସିଛି ବୋଲି ସେ କହିଛନ୍ତି ।

ଭୁବନେଶ୍ୱରରେ ଝାରସୁଗୁଡାର ନବନିର୍ବାଚିତ ବିଧାୟିକା ଦୀପାଳି ଦାସ, ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନେବେ ଆଶୀର୍ବାଦ

ଭୁବନେଶ୍ୱର: ଜିତିବା ପରେ ପ୍ରଥମ ଥର ପାଇଁ ଭୁବନେଶ୍ୱର ଆସିଲେ ଝାରସୁଗୁଡା ବିଧାୟିକା ଦୀପାଳି ଦାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ଭୁବନେଶ୍ୱର ଆସିଛନ୍ତି । ଭୁବନେଶ୍ୱରରେ ପହଞ୍ଚିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ”ଏ ବିଜୟ ଝାରସୁଗୁଡା ବାସିଙ୍କ ବିଜୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୟ, ବିକାଶର ବିଜୟ, ନବ ଦାସଙ୍କ ବିଜୟ । ଆଜି ଭୁବନେଶ୍ୱରରେ ପହଞ୍ଚିଲି । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବି । ସମସ୍ତଙ୍କୁ ଭେଟି ଆଶୀର୍ବାଦ ନେବା ପାଇଁ ଆସିଛି । ସମସ୍ତେ ବହୁତ ପରିଶ୍ରମ କରିଛନ୍ତି । ସମସ୍ତଙ୍କୁ ଭେଟି ଆଶୀର୍ବାଦ ନେବି । ବାପାଙ୍କ ସ୍ୱପ୍ନ ଥିଲା ଝାରସୁଗୁଡାର ନୂତନ ନିର୍ମାଣ । ଗତକାଲି ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯାହା ସ୍ବପ୍ନ ମୋ ବାପା ନବ ଦାସ ଦେଖିଥିଲେ ତାହା ପୂରଣ ହେବ ।

ଏବଂ ସେଥିପାଇଁ ମୁଖ୍ୟମନ୍ତ୍ରୀ ହାତ ବଢ଼ାଇଛନ୍ତି । ହାର୍ଟ ହସ୍ପିଟାଲ, କ୍ୟାନସର ହସ୍ପିଟାଲ, ଓଭରବ୍ରିଜ, ଡାୟୋଗନିଶିଷ ସେଣ୍ଟର ସବୁ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ପୂରଣ କରିବି । ମୋ ସୌଭାଗ୍ୟ ଓ ଗର୍ବ ଯେ ମୁଖ୍ୟମନ୍ତ୍ରୀ ମତେ ନିଜ ଝିଅ ଭାବେ ଦେଖୁଛନ୍ତି । ବାପା ଆଉ ନାହାନ୍ତି ସତ ହେଲେ ମୁଖ୍ୟମନ୍ତ୍ରୀଙ୍କ ହାତ ମୋ ମୁଣ୍ଡରେ ଅଛି । ତେଣୁ କିଏ କଣ କହିଲେ ମତେ କିଛି ଫରକ ପଡ଼ିବନି । ଜନତାଙ୍କ ଆଶୀର୍ବାଦ ଓ ବିଶ୍ୱାସ ମୋ ଉପରେ ଅଛି । ବାପା ବଞ୍ଚିଥିଲେ ବହୁତ ଖୁସି ହୋଇଥାନ୍ତେ । ତାଙ୍କ ସହ ଷ୍ଟେଜରେ ଭାଷଣ ଦେଇଛି ।” ପ୍ରକାଶଥାଉକି, ଗତକାଲି ଝାରସୁଗୁଡ଼ା ଉପନିର୍ବାଚ ଫଳ ପ୍ରକାଶ ପାଇଥିଲା । ଏଥିରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୪୮ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ ।