spot_img
Home Blog Page 3130

ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଖରା ବର୍ଷାର ଲୁଚକାଳି ଖେଳ

ଭୁବନେଶ୍ୱର: ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଖରା ବର୍ଷାର ଲୁଚକାଳି ଖେଳ । ଉପାନ୍ତରୁ ଉପକୂଳ ସବୁଠି ଏଭଳି ପାଗ ଜାରି ରହିବ । ପଶ୍ଚିମ ଓଡ଼ିଶାରେ ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବ । ବାକି ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ସବୁ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଜି ଘଡଘଡି ବିଜୁଳି ସହ ବର୍ଷା ଏବଂ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ଥିବାରୁ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ୧୩ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ଉପକୂଳ ଆଭ୍ୟନ୍ତରୀଣ ଓଡ଼ିଶାର ୭ଟି ଜିଲ୍ଲାକୁ ସତର୍କ କରାଇଛି ପାଣିପାଗ କେନ୍ଦ୍ର । ଆସନ୍ତାକାଲି ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ନେଇ କୋରାପୁଟ, ମାଲକାନଗିରି, ରାୟଗଡା, ନବରଙ୍ଗପୁର, ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ବଜ୍ରପାତ ବର୍ଷା ନେଇ ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ନୂଆପଡା, ବଲାଙ୍ଗିର, ବୌଦ୍ଧ, ଅନୁଗୁଳ, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।

୩୦ ତାରିଖରେ ଦକ୍ଷିଣ ଓଡ଼ିଶାର ୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ୩୧ ତାରିଖରେ ୧୦ ଜିଲ୍ଲା, ୧ ତାରିଖରେ ୬ଟି ଜିଲ୍ଲାକୁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ବର୍ଷା ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ ଏବଂ ଝଟକା ପବନ ୬୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ । କାଳବୈଶାଖୀ ବର୍ଷା ଜାରି ରହିଲେ ମଧ୍ୟ ମଧ୍ୟାହ୍ନ ସମୟରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ତାତି ଏବଂ ଗୁଳୁଗୁଳି ଅନୁଭୁତ ହେବ । ତେଲେଙ୍କାନା ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବଂ ହିମାଳୟ ଠାରୁ ପଶ୍ଚିମ ବଙ୍ଗ, ସିକିମ୍, ଆଭ୍ୟନ୍ତରୀଣ ଓଡ଼ିଶା ମଧ୍ୟଦେଇ ଗାଙ୍ଗେୟ ଉପତ୍ୟକା ପର୍ଯ୍ୟନ୍ତ ଲମ୍ବିଥିବା ଟ୍ରପ୍ଲାଇନ୍ ପ୍ରଭାବରେ ରାଜ୍ୟରେ ଏଭଳି ପାଗ ଜାରି ରହିଛି । କାଳବୈଶାଖୀ ସମୟରେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

ରାଜ୍ୟାଭିଷେକ ପୂରା ହୋଇଛି, ଅହଙ୍କାରୀ ରାଜା ରାସ୍ତାରେ ଲୋକଙ୍କ ସ୍ୱରକୁ ଚାପି ଦେଉଛି: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ରବିବାର ନୂଆ ସଂସଦ ଭବନର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସଂସଦ ଭବନର ଉଦଘାଟନ ପରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ କଡ଼ା ସମାଲୋଚନା କରିଛନ୍ତି । ରାହୁଲ ଏକ ଟ୍ୱିଟ କରି ଜନ୍ତର ମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ସ୍ୱର ଉଠାଇଛନ୍ତି । କୁସ୍ତିଯୋଦ୍ଧାମାନଙ୍କୁ ପୋଲିସ ଘୋଷାଡ଼ି ନେଉଥିବା ବେଳର ଏକ ଭିଡିଓ ପୋଷ୍ଟ କରି ରାହୁଲ ଲେଖିଛନ୍ତି, “ରାଜ୍ୟାଭିଷେକ ସମ୍ପନ୍ନ ହୋଇଛି, ଅହଙ୍କାରୀ ରାଜା ରାସ୍ତାରେ ଜନସାଧାରଣଙ୍କ ସ୍ୱରକୁ ଚାପି ଦେଉଛି ।”

ସୂଚନାଯୋଗ୍ୟ, ନୂଆ ସଂସଦ ଭବନର ଉଦଘାଟନକୁ ନେଇ ବିରୋଧୀ ଏବଂ ବିଜେପି ସରକାରଙ୍କ ମଧ୍ୟରେ ଗତ କିଛି ଦିନ ହେବ ବିବାଦ ଲାଗି ରହିଛି । ବିରୋଧୀ ଚାହୁଁଥିଲେ ଯେ ସଂସଦ ଭବନର ଉଦଘାଟନ ପ୍ରଧାନମନ୍ତ୍ରୀ ମୋଦୀ ନକରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କରନ୍ତୁ ବୋଲି । ଏହି କାରଣରୁ ୧୯ ବିରୋଧୀ ଦଳ ମିଳିତ ବୟାନ ଜାରି କରି ନୂଆ ସଂସଦ ଭବନର ଉଦଘାଟନ ସମାରୋହରେ ସାମିଲ ହୋଇନଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧି ନିଜ ଟ୍ୱିଟରେ ଜନ୍ତର ମନ୍ତରରରେ ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ବିକ୍ଷୋଭ କରୁଥିବା ମହିଳା କୁସ୍ତିଯୋଦ୍ଧାଙ୍କ ଏକ ଛୋଟ ଭିଡିଓ କ୍ଲିପ ମଧ୍ୟ ସେୟାର କରିଛନ୍ତି । କ୍ଲିପରେ ରାହୁଲ ଗାନ୍ଧି ମହିଳା କୁସ୍ତିଯୋଦ୍ଧାଙ୍କ ଗିରଫଦାରୀକୁ ଭୁଲ୍ ଦର୍ଶାଇ କହିଛନ୍ତି ଝିଅ ବଞ୍ଚାଅ ଏବଂ ଝିଅ ପଢାଅ ନୂଆ ନାରା ଅଟେ, କିନ୍ତୁ ଝିଅଙ୍କୁ କାହାଠାରୁ ବଞ୍ଚାଇବ, ବିଜେପିଠୁ ବଞ୍ଚାଅ ।

ସେହିପରି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଟ୍ୱିଟ କରି ଲେଖିଛନ୍ତି, ଖେଳାଳିଙ୍କ ଛାତିରେ ଲାଗିଥିବା ମେଡାଲ ଆମ ଦେଶର ଗର୍ବ ଆଉ ଗୌରବ । ସେହି ମେଡାଲ ଏବଂ ଖେଳାଳିଙ୍କ ପରିଶ୍ରମ ଦ୍ୱାରା ଦେଶର ମାନ ବଢ଼ିଥାଏ । ବିଜେପି ସରକାରର ଅହଙ୍କାର ଏତେ ବଢ଼ିଯାଇଛି ଯେ ସରକାର ଆମ ମହିଳା ଖେଳାଳିଙ୍କ ସ୍ୱରକୁ ନିର୍ମମ ଭାବେ ବୁଟ୍ ତଳେ ଚାପି ଦେଉଛନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ଭୁଲ୍ ଅଟେ, ସାରା ଦେଶ ସରକାରଙ୍କ ଅହଙ୍କାର ଏବଂ ଏହି ଅନ୍ୟାୟକୁ ଦେଖୁଛି । ପ୍ରକାଶ ଥାଉକି, ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ୨୩ ଏପ୍ରିଲରୁ ଜନ୍ତର ମନ୍ତରରେ ଧାରଣା ଦେଉଥିବା କୁସ୍ତିଯୋଦ୍ଧା ନୂଆ ସଂସଦ ଭବନ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ପଦଯାତ୍ରା ଘୋଷଣା କରିଥିଲେ ।

କୁସ୍ତିଯୋଦ୍ଧା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ମୁତାବକ ସାଢେ ୧୧ ଟା ସମୟରେ ନୂଆ ସଂସଦ ଭବନ ଅଭିମୁଖେ ବାହାରିଥିଲେ । ହେଲେ ଦିଲ୍ଲୀ ପୋଲିସ କୁସ୍ତିଯୋଦ୍ଧାଙ୍କୁ ଅଟକାଇବା ପାଇଁ ବ୍ୟାରିକେଡିଂ କରିଥିଲା । ଏହାପରେ କୁସ୍ତିଯୋଦ୍ଧାମାନେ ରାସ୍ତାରେ ଧାରଣା ଦେଇଥିଲେ । ହେଲେ ଦିଲ୍ଲୀ ପୋଲିସ ସେମାନଙ୍କୁ ସେଠାରୁ ଘଉଡ଼ାଇଥିଲା । ଅନେକ କୁସ୍ତିଯୋଦ୍ଧାଙ୍କୁ ହେପାଜତକୁ ନେଇଥିଲା ପୋଲିସ । କୁସ୍ତିଯୋଦ୍ଧା ଏବଂ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା ।

IPL 2023: ଟାଇଟଲ୍ ପାଇଁ ଆଜି ଗୁଜରାଟ-ଚେନ୍ନାଇ ମହାମୁକାବିଲା, ଯଦି ବର୍ଷା ହୁଏ ତେବେ କଣ ରହିଛି ବିକଳ୍ପ

ଅହମ୍ମଦାବାଦ: ଆଇପିଏଲ-୨୦୨୩ର ଫାଇନାଲ୍ ମୁକାବିଲା ଆଜି ସନ୍ଧ୍ୟା ୭ ଟା ୩୦ରୁ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ । ଉତ୍ସାହର ସହ ଫ୍ୟାନ୍ସମାନେ ମ୍ୟାଚ୍ ସମୟକୁ ଅପେକ୍ଷା କରିଛନ୍ତି । ତେବେ ଫାଇନାଲ୍ ମ୍ୟାଚ୍ ଉପରେ ବର୍ଷାର ସଙ୍କଟ ଦେଖା ଦେଇଛି । ଯଦି ବର୍ଷା ହୁଏ ତେବେ ଆଜିର ଫାଇନାଲ୍ ମ୍ୟାଚ୍ ଧୋଇଯିବ । ବର୍ତ୍ତମାନ ଅହମ୍ମଦାବାଦର ଆଖପାଖ ଅଞ୍ଚଳରେ ବର୍ଷା ଲାଗି ରହିଛି । ପାଣିପାଗ ବିଭାଗ ଦୁଇଦିନ ପର୍ଯ୍ୟନ୍ତ ବର୍ଷା ଆଲର୍ଟ ଜାରି କରିଛି । ଏପରି ସ୍ଥିତିରେ ଅହମ୍ମଦାବାଦରେ ମଧ୍ୟ ବର୍ଷା ଆଶଙ୍କା ରହିଛି ।

ତେବେ ଯଦି ମ୍ୟାଚ୍ ସମୟରେ ବର୍ଷା ହୁଏ ତେବେ କିପରି ବିଜେତା ଘୋଷିତ ହେବେ ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଥିବ ନିଶ୍ଚୟ । ଚଳିତଥର ଫାଇନାଲ୍ ମ୍ୟାଚ୍ ପାଇଁ କୌଣସି ରିଜର୍ଭ ଡେ ରଖାଯାଇନାହିଁ । ଆଜି ହିଁ ନିଷ୍ପତ୍ତି ହେବ କିଏ ବିଜେତା । ଯଦି ବର୍ଷା ଲାଗି ରହେ ତେବେ ଅପେକ୍ଷା କରାଯିବ ବର୍ଷା ଛାଡିବାକୁ ଯାହାଫଳରେ ପୂର୍ଣ୍ଣ ଓଭର ମ୍ୟାଚ୍ ଖେଳ କରାଯାଇପାରିବ । ଯଦି ସମୟସୀମା ମଧ୍ୟରେ ବର୍ଷା ନଛାଡେ ତେବେ କମ୍ ଓଭର ମଧ୍ୟରେ ମ୍ୟାଚ୍ କରାଯିବ ନଚେତ୍ ମ୍ୟାଚର ନିଷ୍ପତ୍ତି ସୁପର ଓଭର ଜରିଆରେ କରାଯିବ । ଏହାରି ମଧ୍ୟରେ ଆଇପିଏଲ ଚେୟାରମ୍ୟାନ୍ ଅରୁଣ ଧୁମଲଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ଧୁମଲ କହିଛନ୍ତି ଫାଇନାଲ ପାଇଁ କୌଣସି ରିଜର୍ଭ ଡେ ରଖାଯାଇ ନାହିଁ, କିନ୍ତୁ ଆମେ ବର୍ଷା ହେବା ସ୍ଥିତିରେ ମଧ୍ୟ ଶେଷ ପର୍ଯ୍ୟନ୍ତ ମ୍ୟାଚ୍ ଆରମ୍ଭ କରିବାକୁ ଅପେକ୍ଷା କରିବୁ । ଆବଶ୍ୟକ ପଡ଼ିଲେ ସୁପର ଓଭର ଜରିଆରେ ରେଜଲ୍ଟ ବାହାର କରାଯିବ । ବର୍ତ୍ତମାନ ଅହମ୍ମଦାବାଦର ଆକାଶରେ ବାଦଲ ଛାଇ ରହିଛି । ପାଣିପାଗ ବିଭାଗର ଅନୁମାନ ଅନୁଯାୟୀ ଆଜି ଅହମ୍ମଦାବାଦରେ ବର୍ଷା ହେବାର ସ୍ଥିତି ନାହିଁ । ଝିପି ଜିପି ବର୍ଷା ହୋଇପାରେ କିନ୍ତୁ ଆଖପାଖ ଅଞ୍ଚଳରେ ହେଉଥିବା ବର୍ଷାକୁ ଦୃଷ୍ଟିରେ ରଖି ଏଠାରେ ବର୍ଷା ନହେବ ବୋଲି କିଛି କହିହେବ ନାହିଁ ।

୨ ଭାଇଙ୍କୁ ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ହାଣିଲେ

ଖୋର୍ଦ୍ଧା: ଖୋର୍ଦ୍ଧା ରାଜସୁନାଖଳା ସାନକୁମାରୀ ଛକରେ ହତ୍ୟାକାଣ୍ଡ । ୨ ଭାଇଙ୍କୁ ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ହାଣିଲେ କିଛି ଯୁବକ । ସାନଭାଇ ବିପିନ ଓରଫ ପଞ୍ଚାନନ ରାଉତଙ୍କ ମୃତ୍ୟୁ ହୋଇଥିବା ବେଳେ ବଡ଼ଭାଇ ବିକ୍ରମ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି  । ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସୂଚନା ଅନୁସାରେ ସାନକୁମାରୀ ଛକରେ କିଛି ଦୁର୍ବୃତ୍ତ ହଠାତ୍ ୨ ଭାଇଙ୍କୁ ଆକ୍ରମଣ କରିଥିଲେ । ରକ୍ତ ଜୁଡୁବୁଡ଼ୁ ଅବସ୍ଥା ସାନ ଭାଇ ବିପିନ ପଡ଼ିଥିବା ବେଳେ ଲୋକ ବାଙ୍କୋଇ ଫାଣ୍ଡିରେ ସୂଚନା ଦେଇଥିଲେ । ପୋଲିସ ବିପିନଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ସେପଟେ ଗୁରୁତର ଅବସ୍ଥାରେ ବଡ଼ଭାଇ ବିକ୍ରମକୁ ରାଜସୁନାଖଳା ମେଡିକାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣକାରୀ ଯୁବକ ଫେରାର ଥିବା ବେଳେ ବୋଲଗଡ଼ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଚିରଞ୍ଜୀବ ବିଶ୍ବାଳଙ୍କୁ କାରଣ ଦର୍ଶାଅ ନୋଟିସ, ଦଳ ବିରୋଧୀ ମନ୍ତବ୍ୟ ଦେଇଥିବାରୁ ଜବାବ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: କଂଗ୍ରେସର ଦୁଇ ବରିଷ୍ଠ ନେତା ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ବାଳଙ୍କୁ କାରଣ ଦର୍ଶାଅ ନୋଟିସ । ଜାନକୀ–ବସନ୍ତ ଯୋଡ଼ି ଶୀର୍ଷକ ଆଲୋଚନାଚକ୍ର ପାଇଁ ନୋଟିସ ହୋଇଛି । ତେବେ କାରଣ ଦର୍ଶାଅ ନୋଟିସ ପାଇନାହିଁ ବୋଲି କହିଛନ୍ତି ଚିରଞ୍ଜୀବ ବିଶ୍ବାଳ । ନୋଟିସ ପାଇଲେ ଉତ୍ତର ରଖିବେ ବୋଲି କହିଛନ୍ତି ଚିରଞ୍ଜୀବ । ୨୦୨୪ ନିର୍ବାଚନରେ ୧୪୭ ନିର୍ବାଚନୀମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଦେଇପାରିବନି ବୋଲି କହିଥିଲେ ଚିରଞ୍ଜୀବ । ୯ରୁ ୯୦ ମିଶନକୁ ନେଇ ମଧ୍ୟ ଉଠାଇଥିଲେ ପ୍ରଶ୍ନ ।

ସେହିପରି ପୂର୍ବରୁ ମୋକିମଙ୍କୁ ଏଆଇସିସି ପକ୍ଷରୁ ଦୁଇ ଥର ନୋଟିସ ଜାରି ହୋଇଥିଲା । ମୋକିମଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନୋଟିସ ହୋଇଥିଲା । ତେବେ ଯାହା ଅଭିଯୋଗ ଆସିଥିଲା, ତାହା ଏଆଇସିସିକୁ ପଠାଯାଇଛି ବୋଲି ପିସିସି ସଭାପତି କହିଛନ୍ତି । ଏ ପ୍ରସଙ୍ଗରେ ଏଆଇସିସି ଯାହା ନିଷ୍ପତ୍ତି ନେବ । ଯେଉଁମାନେ ଦଳ ବିରୋଧୀ କାର୍ଯ୍ୟ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।

ଉତ୍ତର ଭାରତରେ ମୃଦୁ ଭୂକମ୍ପ ଝଟକା, ଥରିଲା କାଶ୍ମୀରରୁ ଦିଲ୍ଲୀ

ନୂଆଦିଲ୍ଲୀ: ଉତ୍ତର ଭାରତରେ ମୃଦୁ ଭୂକମ୍ପ ଝଟକା । ଭୂକମ୍ପ ଝଟକାରେ ଥରିଲା କାଶ୍ମୀରରୁ ଦିଲ୍ଲୀ । ଆଫଗାନିସ୍ତାନରେ ଏହାର କେନ୍ଦ୍ରସ୍ଥଳ ରହିଥିବା ବେଳେ ରିକ୍ଟର ସ୍କେଲରେ ତୀବ୍ରତା ୫.୨ ଥିବା ସୂଚନା ଦେଇଛି ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜୀ । ଜାମ୍ମୁ-କାଶ୍ମୀରର ଶ୍ରୀନଗର, ପୁଞ୍ଚ ଏବଂ ପଞ୍ଜାବ, ହରିଆଣା, ଚଣ୍ଡିଗଡ଼ରେ ମୃଦୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଦୁଇ ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା ।

ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍‌ ବୈଠକ । ପୂର୍ବାହ୍ନ ୧୦ଟା ୪୫ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିବ । ଆସନ୍ତାକାଲି ବିଜେଡିର ପଞ୍ଚମ ପାଳି ସରକାରକୁ ୪ ବର୍ଷ ପୂରୁଛି । ୨୦୧୯ ମେ’ ୨୯ ତାରିଖରେ ଲଗାତାର ପଞ୍ଚମ ଥର ପାଇଁ ନବୀନ ପଟ୍ଟନାୟକ ସରକାର ଗଠନ କରିଥିଲେ । ସରକାର ଗଠନର ପ୍ରଥମ ଦିନରେ ବସିଥିଲା କ୍ୟାବିନେଟ୍‌ ବୈଠକ । ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଥିଲା ।

ରେସଲରଙ୍କ ଉପରେ ଦିଲ୍ଲୀ ପୋଲିସର ଜୁଲମ, ମାର୍ଚ୍ଚ ବେଳେ କୁସ୍ତିଯୋଦ୍ଧାଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧାଙ୍କୁ ଉଠାଇନେଲା ଦିଲ୍ଲୀ ପୋଲିସ । ନୂଆ ସଂସଦ ଭବନ ଅଭିମୁଖେ ମାର୍ଚ୍ଚ ବେଳେ କୁସ୍ତିଯୋଦ୍ଧାଙ୍କୁ ପୋଲିସ ହେପାଜତକୁ ନେଇଛି । ଭିନେଶ ଫୋଗଟ, ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକଙ୍କୁ ପୋଲିସ ହେପାଜତକୁ ନେବା ପରେ ସେମାନେ ରାସ୍ତା ଉପରେ ବସି ବିକ୍ଷୋଭ କରିଛନ୍ତି । ମହିଳା ମହାପଞ୍ଚାୟତରେ ସାମିଲ ହେବାକୁ ଆସୁଥିବା ସମସ୍ତ ନେତାଙ୍କୁ ପୋଲିସ ଉଠାଇ ନେଇଛି ବୋଲି ଭିଡିଓ ପୋଷ୍ଟ କରି କହିଛନ୍ତି ଭିନେଶ ଫୋଗଟ । ଆଜି ରେସଲରଙ୍କ ମହିଳା ମହାପଞ୍ଚାୟତ ପାଇଁ ଦିଲ୍ଲୀ ସୀମାରେ କଡ଼ା ଚେକିଂ, ବ୍ୟାରିକେଡ ସାଙ୍ଗକୁ ଜନପଥରେ କଣ୍ଟା ପୋତିଛି ପୋଲିସ । ରେସଲରଙ୍କ ମହିଳା ସମ୍ମାନ ପଞ୍ଚାୟତ ପାଇଁ ହାଇଆଲର୍ଟରେ ଦିଲ୍ଲୀ ପୋଲିସ । ଗୋଟେ ପଟେ ନୂଆ ପାର୍ଲାମେଣ୍ଟ ହାଉସର ଉଦଘାଟନ ଆଉ ଗୋଟେ ପଟେ ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ଧାରଣାରେ ବସିଥିବା ରେସଲରଙ୍କ ପକ୍ଷରୁ ଆଜି ଆୟୋଜିତ ହେଉଛି ମହାପଞ୍ଚାୟତ ।

ଜନ୍ତରମନ୍ତରରେ ମାସେ ଧରି ଧାରଣାରେ ବସିଥିବା କୁସ୍ତିଯୋଦ୍ଧା ନୂଆ ସଂସଦ ଭବନ ଯାଏଁ ମାର୍ଚ୍ଚ କରୁଥିବା ବେଳେ କେତେଜଣ କୁସ୍ତିଯୋଦ୍ଧାଙ୍କୁ ପୋଲିସ ଉଠାଇ ନେଇଛି । କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଖାପ ପଞ୍ଚାୟତ ଓ କୃଷକ ସଂଗଠନ ସଦସ୍ୟ ଦିଲ୍ଲୀରେ ପହଞ୍ଚିଛନ୍ତି । ସିଂଘୁ ବର୍ଡର, ଟିକିରି ବର୍ଡର, ଗାଜିପୁର ବର୍ଡରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ସବୁଗାଡ଼ିର ଚେକିଂ କରାଯାଉଛି । ଗାଜିପୁର ସୀମାରେ ୧୪୪ ଧାରା ଲାଗୁ କରାଯାଇଛି । ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି । ପଞ୍ଜାବ, ହରିଆଣାରୁ ବିଭିନ୍ନ କୃଷକ ସଂଗଠନର ସଦସ୍ୟ ଦିଲ୍ଲୀ ସୀମାରେ ପହଞ୍ଚିଥିବା ବେଳେ ପୋଲିସ ଫୋର୍ସ ସହ ଯବାନ ମଧ୍ୟ ମୁତୟନ ହୋଇଛନ୍ତି । ସଂସଦ ଭବନ ଆଡକୁ ଯାଉଥିବା ସବୁରାସ୍ତାରେ କଡ଼ା ବ୍ୟାରିକେଡିଂ ସହ ଡ୍ରୋନ ଓ ସିସିଟିଭି ଯୋଗେ ନଜର ରଖିଛି ପୋଲିସ । ସେପଟେ ଆଜିର ମହାପଞ୍ଚାୟତରେ ସାମିଲ ହେବାକୁ ଯାଉଥିବା ଚାଷୀଙ୍କୁ ପୋଲିସ ନ ଅଟକାଇବାକୁ ଚେତାବନୀ ଦେଇଛନ୍ତି ଚାଷୀନେତା ରାକେଶ ଟିକାଏତ । ଅନ୍ୟପଟେ ପୋଲିସ ଚେକିଂ ଯୋଗୁ ଦିଲ୍ଳୀ ସୀମାରେ ଟ୍ରାଫିକ ସମସ୍ୟା ଦେଖାଯାଇଛି ।

ଦେଶର ଗଣତନ୍ତ୍ରର ହତ୍ୟା, ସମ୍ବିଧାନର ଅପମାନ କରିଛି ବିଜେପି

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦଘାଟନ ପରେ ଦେଶରେ ଗଣତନ୍ତ୍ରର ହତ୍ୟା କରାଯାଇଛି ବୋଲି କହିଛନ୍ତି ବିରୋଧୀ । ବିରୋଧୀଙ୍କ ଅନୁପସ୍ଥିତି ଓ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ବିନା ନୂଆ ସଂସଦ ଭବନର ଉଦଘାଟନ ଅସମ୍ପୂର୍ଣ୍ଣ ବୋଲି ବିରୋଧୀ କହିଛନ୍ତି । ନୂଆ ପାର୍ଲାମେଣ୍ଟ ହାଉସର ଉଦଘାଟନକୁ କେନ୍ଦ୍ରର ଏକଛତ୍ରବାଦ ବୋଲି କହିଛି ଜେଡିୟୁ । ଦେଶର କଳଙ୍କିତ ଇତିହାସ ଲେଖୁଛି ବିଜେପି ବୋଲି ଜେଡିୟୁ ଏମଏଲସି ନୀରଜ କୁମାର କହିଛନ୍ତି । ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପର ଫଟୋ ସହ କଫିନ ଫଟୋ ଅଫିସିଆଲ ଟୁଇଟର ପେଜରେ ପୋଷ୍ଟ କରି ବିଜେପିକୁ ଟାର୍ଗେଟ କରିଛି ଆରଜେଡି ।

ବିରୋଧୀଙ୍କ ବିନା ପାର୍ଲାମେଣ୍ଟ ଭବନ ଉଦଘାଟନୀ ଅଧୁରା ବୋଲି କହିଛି ଏନସିପି । ଦେଶର ସମ୍ବିଧାନ, ଲୋକତନ୍ତ୍ରକୁ ସମ୍ମାନ କରୁନି ବିଜେପି । ନୂଆ ସଂସଦ ଭବନ ଉଦଘାଟନୀରେ ବିରୋଧୀଙ୍କୁ ସାମିଲ କରାନଯିବା ଓ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାନଯିବାକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ଏନସିପି ନେତ୍ରୀ ସୁପ୍ରିୟା ସୁଲେ ।

ନବନିଯୁକ୍ତ ଓଏଏସ ଅଫିସରଙ୍କୁ 5T ସଚିବଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର: ନବନିଯୁକ୍ତ ଓଏଏସ ଅଫିସରଙ୍କୁ 5T ସଚିବ ଭି.କେ ପାଣ୍ଡିଆନଙ୍କ ଗୁରୁମନ୍ତ୍ର । ଗାନ୍ଧିଜୀଙ୍କ ଟାଲିସମାନ ଫର୍ମୁଲାରେ କାମ କରିବାକୁ ଦେଲେ ଗୁରୁମନ୍ତ୍ର । ବାପୁଙ୍କ ଟାଲିସମାନ ମୁଖ୍ୟମନ୍ତ୍ରୀଙ୍କ ଗାଇଡିଂ ପ୍ରିନ୍ସିପଲ । ତାହା ଆମର ବି ପଥ ପ୍ରଦର୍ଶକ ବୋଲି ଭି.କେ ପାଣ୍ଡିଆନ କହିଛନ୍ତି । ଗାନ୍ଧିଜୀଙ୍କ ଟାଲିସମାନ କହେ, ସମାଜର ଶେଷ ମଣିଷ ପାଖରେ ସୁବିଧା ପହଞ୍ଚିବା ଦରକାର । ଯେହେତୁ ଆମେ ସମସ୍ତେ ଜନସେବା କରୁଛେ, ତେଣୁ ଆମ ନିର୍ଣ୍ଣୟ ଗରିବ ଲୋକଙ୍କ ଜୀବନକୁ ଉନ୍ନତ କରିପାରିବ । ଜଣେ ଗିରବ ଲୋକ କଥା ଭାବିବା ଏବଂ ତା’ର ସହାୟତା ପାଇଁ କାମ କରିବାକୁ ସେ ଆହ୍ବାନ ଦେଇଛନ୍ତି । ଆମେ ଏମିତି କିଛି କାମ କରିବା ଯାହାର ଫଳ ଜଣେ ଗରିବ ଲୋକ ପାଖରେ ପହଞ୍ଚି ପାରିବ ବୋଲି କହିଛନ୍ତି ଭି.କେ ପାଣ୍ଡିଆନ । ଏହାସହ ସବୁ ନବନିଯୁକ୍ତ ଓଏଏସ ଅଫିସରଙ୍କୁ ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି ।