ମଣିପୁର ମହାବିତର୍କ : ବିରୋଧୀଙ୍କ ପକ୍ଷରୁ ତର୍କ ଆରମ୍ଭ କରି ବର୍ଷିଲେ କଂଗ୍ରେସ ସାଂସଦ ଗୌରବ ଗୋଗୋଇ

ନୂଆଦିଲ୍ଲୀ :  ମଣିପୁର ମହାବିତର୍କ । ଲୋକସଭାରେ ଏନଡିଏ ଭର୍ସେସ ଇଣ୍ଡିଆ । ଗୃହରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଚାଲିଛି । ବିରୋଧୀଙ୍କ ପକ୍ଷରୁ ପ୍ରଥମେ କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଚର୍ଚ୍ଚା ଆରମ୍ଭ କରି ମଣିପୁରରେ ସରକାରଙ୍କ ଅବହେଳାକୁ ନେଇ ବର୍ଷିଛନ୍ତି । ମଣିପୁର ପ୍ରସଙ୍ଗରେ କାହିଁକି ପ୍ରଧାନମନ୍ତ୍ରୀ ମୁହଁ ଖୋଲୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଗୋଗୋଇ ।

ମଣିପୁରରେ ଚାଲିଛି ଅନ୍ତହିନ ହିଂସା । ଯଦି ମଣିପୁର ଜଳୁଛି ତାହେଲେ ଭାରତ ଜଳୁଛି । ମଣିପୁର ବର୍ବରୋଚିତ ଭାଇରାଲ ଭିଡିଓ ଦେଖି ଦେଶ ସ୍ତବ୍ଧ । ମଣିପୁର ପ୍ରସଙ୍ଗ ଜାତୀୟ ସୁରକ୍ଷା ପ୍ରତି ପ୍ରଶ୍ନଚିହ୍ନ ସୃଷ୍ଟି କରିଛି । କାହିଁକି ମଣିପୁର ସିଏମଙ୍କୁ ହଟାଯାଇନାହିଁ ବୋଲି ଲୋକସଭାରେ ପ୍ରଶ୍ନ କରିଛି କଂଗ୍ରେସ ? ଭାବମୂର୍ତ୍ତି ବଞ୍ଚାଇବାକୁ କେନ୍ଦ୍ର ଚେଷ୍ଟା କରୁଛି । ଇଣ୍ଡିଆ ଟିମ୍ ମଣିପୁର ପୀଡ଼ିତାଙ୍କୁ ଭେଟି ସମବେଦନା ଜଣାଇଛନ୍ତି ।

ମଣିପୁରରେ ବିଜେପି ସରକାର ଫେଲ ହୋଇଛନ୍ତି । ମଣିପୁର ସରକାର ବଞ୍ଚାଇବାକୁ ଯାଇ ପ୍ରଧାନମନ୍ତ୍ରୀ ଚୁପ୍ । ଏବେସୁଦ୍ଧା ମଣିପୁର ହିଂସାରେ ୧୫୦ଜଣ ପ୍ରାଣ ହରାଇଛନ୍ତି । ୫ହଜାର ଘର ପୋଡ଼ିଛି । ରିଲିଫ କ୍ୟାମ୍ପରେ ୬୦ହଜାର ଲୋକ ରହିଛନ୍ତି । ୬ହଜାର ୫ଶହ ଏଫଆଇଆର ଦାଏର ହୋଇଛି । କାହିଁକି ମଣିପୁର ମୁଖ୍ୟମନ୍ତ୍ରୀ ଶାନ୍ତି ପ୍ରତିଷ୍ଠା ପାଇଁ ଆବଶ୍ୟକ ପଦକ୍ଷେପ ନେଲେନି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ସାଂସଦ ଗୌରବ ଗୋଗୋଇ ।