ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଶୁଭାଶିଷ ତାଳପତ୍ର

କଟକ :  ଆଜି ଓଡ଼ିଶା ହାଇକୋର୍ଟର ୩୩ ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ ଶୁଭାଶିଷ ତାଳପତ୍ର । ହାଇକୋର୍ଟର ପରିସରରେ ଆୟୋଜିତ ଶପଥ ପାଠ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଶପଥ ପାଠ କରାଇଛନ୍ତି । ଜଷ୍ଟିସ ତାଳପତ୍ର ଏବେ ବରିଷ୍ଠ ବିଚାରପତି ଭାବେ ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟରତ ଅଛନ୍ତି ।

ସୁପ୍ରିମକୋର୍ଟଙ୍କ କଲେଜିୟମ ସୁପାରିଶ ଅନୁସାରେ ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି କରିଥିଲେ ରାଷ୍ଟ୍ରପତି । ଏନେଇ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପୂର୍ବରୁ ପ୍ରକାଶ ପାଇଥିଲା । ୨୦୨୨ ଜୁନ ୧୦ରୁ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟରେ ବିଚାରପତି ଅଛନ୍ତି । ପୂର୍ବରୁ ତ୍ରିପୁରା ହାଇକୋର୍ଟରୁ ଜଷ୍ଟିସ ଶୁଭାଶିଷ ତାଳପତ୍ର ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇ ଆସିଛନ୍ତି ।

ଜଷ୍ଟିସ ଶୁଭାଶିଷ ତାଳପତ୍ର ୧୯୬୧ ଅକ୍ଟୋବର ୪ରେ ତ୍ରିପୁରାର ଉଦୟପୁର ଠାରେ ଜନ୍ମଗ୍ରହଣ କରିଥିଲେ । ୨୦୧୧ ନଭେମ୍ବର ୧୫ରେ ସେ ଗୌହାଟୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ । ୨୦୧୩ ସେପ୍ଟେମ୍ବର ୧୩ରେ ତ୍ରିପୁରା ନୂତନ ହାଇକୋର୍ଟ ପ୍ରତିଷ୍ଠା ହେବା ପରେ ତ୍ରିପୁରା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ଶପଥ ନେଇଥିଲେ ।

୨୦୧୮ ନଭେମ୍ବର ୨ରୁ ୧୩ ତାରିଖ ଓ ୨୦୧୯ ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସେ ତ୍ରିପୁରା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ । ଏହାପରେ ୨୦୨୨ ଜୁନ ୧୦ ତାରିଖରୁ ସେ ଓଡ଼ିଶା ହାଇକୋର୍ଟର ବିଚାରପତି ଅଛନ୍ତି । ସୋମବାର ଦିନ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ଼କ୍ଟର ଜଷ୍ଟିସ ଏସ ମୁରଲୀଧର ଅବସର ନେଇଥିବା ବେଳେ ଆଜି ଜଷ୍ଟିସ ଶୁଭାଶିଷ ତାଳପତ୍ର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ।