ଯବାନଙ୍କ ଠାରୁ ୧୦ ଲକ୍ଷ ଠକେଇ ଘଟଣା : ୪ ଠକଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ

କଟକ :  କଟକ ଷଷ୍ଠ ବାଟାଲିୟନ ଯବାନଙ୍କ ଠାରୁ ୧୦ ଲକ୍ଷ ଠକେଇ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ମଙ୍ଗଳାବାଗ ପୋଲିସ । ୪ ଠକଙ୍କ ନିକଟରୁ ୪ ଭରି ସୁନା ସହ ୨ ଲକ୍ଷ ଟଙ୍କା ଜବତ ହୋଇଛି । ସୂଚନା ଅନୁସାରେ, ଷଷ୍ଠ ବାଟାଲିୟନର ଯବାନ ମାନସ ବାରିକ ଲୋଭର ବଶବର୍ତ୍ତୀ ହୋଇ ଠକେଇର ଶିକାର ହୋଇଥିଲେ । ଦୁଇ ଲକ୍ଷ ଟଙ୍କା ଲାଭ ପାଇବା ଲୋଭରେ ୧୦ ଲକ୍ଷ ଟଙ୍କା ଠକାମୀର ଶିକାର ହୋଇଥିଲେ । ୧୦ ଲକ୍ଷ ପାଞ୍ଚ ଶହ ଟଙ୍କିଆ ଦେଲେ ଠକ ତାଙ୍କୁ ୧୦୦ ଓ ୨୦୦ ଟଙ୍କିଆ କରି ବାର ଲକ୍ଷ ଦେବ ବୋଲି କହିଥିଲେ ଠକ ।

ମାନସ ଓ ତାଙ୍କର ଜଣେ ସାଙ୍ଗକୁ ଏହି ଟଙ୍କା ଦେବା ପାଇଁ ମଙ୍ଗଳାବାଗ ଥାନା ଅଞ୍ଚଳର ଏକ ସ୍ଥାନକୁ ଡକାଇଥିଲେ । ପରେ ଦୁଇ ଦୁର୍ବୃତ୍ତ ଉଭୟ ପୋଲିସ କର୍ମଚାରୀଙ୍କ ଠାରୁ ଟଙ୍କା ବ୍ୟାଗ ନେଇ ଫେରାର ହୋଇଯାଇଥିଲେ । ଠକାମୀର ଶିକାର ହୋଇଥିବା ଜାଣିବା ପରେ ଦୁଇ ପୋଲିସ କର୍ମଚାରୀ ଏ ବାବଦରେ ଥାନା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି ।