spot_img
Home Blog Page 3111

ଇଣ୍ଟରଲକିଂରେ ତ୍ରୁଟିରୁ ଦୁର୍ଘଟଣା ଘଟିଛି: ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟିରୁ ଦୁର୍ଘଟଣା ଘଟିଥିବା କହିଛନ୍ତି ରେଳମନ୍ତ୍ରୀ ।

ସେ କହିଛନ୍ତି, ‘ପଏଣ୍ଟ ମେସିନ ଓ ଇଣ୍ଟରଲକିଂ ସମସ୍ୟା ପାଇଁ ତିନିଟି ଟ୍ରେନ ଦୁର୍ଘଟଣା ହୋଇଥିଲା ।  ଇଲେକ୍ଟ୍ରୋନିକ ଇଣ୍ଟରଲକିଂ ସିଷ୍ଟମ ଯୋଗେ ଟ୍ରେନର ଟ୍ରାକ୍ ମ୍ୟାନେଜ କରାଯାଇଥାଏ । ଦୁର୍ଘଟଣାର ତଦନ୍ତ ଶେଷ ହୋଇଥିବା ବେଳେ ରେଲଓ୍ବେ ସେଫ୍ଟି କମିଶନର ରିପୋର୍ଟ ଦାଖଲ କରିବେ । ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।’

ସେପଟେ ଦୁର୍ଘଟଣାସ୍ଥଳରେ ପୁନରୁଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି । ବିଦ୍ୟୁତ୍ ସରବରାହ ସ୍ବାଭାବିକ କରିବା ସହ ଟ୍ରାକ କ୍ଲିୟର ହୋଇସାରିଛି । ବୁଧବାର ସକାଳ ସୁଦ୍ଧା ଟ୍ରାକରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହେବ ବୋଲି ରେଳମନ୍ତ୍ରୀ ସୂଚନା ଦେଇଛନ୍ତି ।

LHB କୋଚ୍ ପାଇଁ ବଞ୍ଚିଗଲା ଅନେକ ଜୀବନ, ନହେଲେ ଅଧିକ ହୋଇଥାନ୍ତା ମୃତକଙ୍କ ସଂଖ୍ୟା

ଭୁବନେଶ୍ବର: ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ଆସିବାରେ ଲାଗିଛି । ଜଣାପଡିଛି, କରମଣ୍ଡଳରେ ଜର୍ମାନୀ ନିର୍ମିତ LHB କୋଚ ଲାଗିଥିଲା । ଯେଉଁଥି ପାଇଁ ମୃତାହତଙ୍କ ସଂଖ୍ୟା ଏତିକି ହୋଇଛି । LHB କୋଚ ବଦଳରେ ପାରମ୍ପରିକ ବଗି ଲାଗିଥିଲେ ମୃତକଙ୍କ ସଂଖ୍ୟା ଆହୁରି ବହୁତ ଅଧିକ ହୋଇଥାନ୍ତି ।

ରେଲଓ୍ବେକୁ ନେଇ ଜ୍ଞାନ ରଖୁଥିବା ଭାଷ୍କରଙ୍କ ଅନୁସାରେ, ଯଦି କରମଣ୍ଡଳ ଏକ୍ସପ୍ରେସରେ ଜର୍ମାନୀ ନିର୍ମିତ LHB କୋଚ ଲାଗି ନଥାନ୍ତି, ତେବେ ମୃତ୍ୟୁ ସଂଖ୍ୟା ବହୁତ ଅଧିକ ହୋଇଥାନ୍ତା । ତାଙ୍କ ମତରେ LHB କୋଚ ବହୁତ ହାଲକା ଓ ଏହାକୁ ଘଣ୍ଟାପ୍ରତି ୧୬୦ କିମି ବେଗରେ ଚଲାଇ ହୁଏ । ଏଥିରେ ଡିସ୍ ବ୍ରେକ୍ ଓ ଆଣ୍ଟି କ୍ଲାଇମ୍ବିଂ ପରି ଫିଚର୍ସ ରହିଛି । ଏହି କାରଣରୁ ଦୁର୍ଘଟଣା ହେଲେ ମୃତାହାତ ସଂଖ୍ୟା କମ ରହିଥାଏ । ଅନ୍ୟପକ୍ଷରେ ପାରମ୍ପରିକ ଇଣ୍ଟିଗ୍ରାଲ ଫ୍ୟାକ୍ଟ୍ରି କୋଚରେ ଏସବୁ ଫଚର୍ସ ନଥାଏ ।

ତାଙ୍କ ମତରେ LHB କୋଚରେ ଅନ୍ୟ କୋଚ ତୁଳନାରେ ଝରକା ବଡ଼ ରହିଥାଏ । ଯାହା ସୁରକ୍ଷା ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ।

ଟ୍ରେନ ଦୁର୍ଘଟଣାକୁ ନେଇ ମୋଦିଙ୍କ ସହ ଫୋନରେ କଥା ହେଲେ ନବୀନ, ଜଣାଇଲେ ବର୍ତ୍ତମାନର ସ୍ଥିତି

ଭୁବନେଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଲେ ମୁଖ୍ୟମନ୍ତ୍ରୀ । କହିଲେ- ପ୍ରତିଟି ଜୀବନ ବଞ୍ଚାଇବାକୁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି । ଆହତଙ୍କ ଚିକିତ୍ସାରେ ଡାକ୍ତର, ଡାକ୍ତରୀ ଛାତ୍ର ଓ ଅନ୍ୟମାନେ ଦିନରାତି ଏକ କରି ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶା ସରକାରଙ୍କ ତ୍ବରିତ ଉଦ୍ଧାର କାର୍ଯ୍ୟକୁ ପୁଣି ଥରେ ପ୍ରଶଂସା କରିଛନ୍ତି ।

ଆଜି ଫୋନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବାହାନଗା ଟ୍ରେନ ଦୁର୍ଘଟଣା ନେଇ ଆଲୋଚନା କରିବା ସହ ସ୍ଥିତି ସମ୍ପର୍କରେ ଅବଗତ କରିଥିଲେ । ଏହାସହ ଆହତଙ୍କ ଚାଲିଥିବା ଚିକିତ୍ସା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ, ‘ଆହତଙ୍କ ଜୀବନ ବଞ୍ଚାଇବାକୁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି । ଡାକ୍ତରୀ ଟିମ୍, ଡାକ୍ତରୀ ଛାତ୍ରଛାତ୍ରୀ ଆହତଙ୍କ ଚିକିତ୍ସାରେ ଲାଗିଛନ୍ତି । ସେହିପରି ଡାକ୍ତର, ଡାକ୍ତରୀ ଛାତ୍ର ଓ ସାଧାରଣ ଲୋକ ବଡ଼ ସଂଖ୍ୟାରେ ଆଗକୁ ଆସି ଆହତଙ୍କ ପାଇଁ ରକ୍ତଦାନ କରୁଛନ୍ତି ।’

ଆଗକୁ ନବୀନ କହିଛନ୍ତି, ‘ଉଦ୍ଧାର କାର୍ଯ୍ୟ ଆରମ୍ଭ ଠାରୁ ଆହତଙ୍କୁ ହସ୍ପିଟାଲ ନେବା, ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କରିବା ଓ ସମସ୍ତଙ୍କ ଜୀବନ ବଞ୍ଚାଇବା ପାଇଁ ରାଜ୍ୟ ସରକାର ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ନୀତିରେ କାମ କରୁଛନ୍ତି ।

ବର୍ତ୍ତମାନ ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଅବଗତ କରାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୧୧୭୫ ଆହତ ଭର୍ତ୍ତି ହୋଇଥିଲେ । ଏମାନଙ୍କ ମଧ୍ୟରୁ ୭୯୩ ଜଣଙ୍କୁ ଡିସଚାର୍ଜ କରାଯାଇଛି । ଅଧିକାଂଶ ଆହତଙ୍କ ସ୍ବାସ୍ଥାବସ୍ଥା ସ୍ଥିର ରହିଛି । ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲରେ ବର୍ତ୍ତମାନ ୩୮୨ ଯାତ୍ରୀଙ୍କ ଚିକିତ୍ସା ଚାଲିଛି ।’

ସଙ୍କଟ ସମୟରେ ରାଜ୍ୟ ସରକାର ଯେଭଳି ପଦକ୍ଷେପ ନେଲେ ଓ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କଲେ ସେଥିପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଦୁର୍ଘଟଣା ପରେ ସାଧାରଣ ଲୋକେ ଉଦ୍ଧାର କାର୍ଯ୍ୟରେ ଯେମିତି ସହଯୋଗ କରିଥିଲେ ସେଥିପାଇଁ ରାଜ୍ୟବାସୀଙ୍କ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା: ମୃତକଙ୍କ ପରିବାରକୁ ୫ ଲକ୍ଷ, ଗୁରୁତର ଆହତଙ୍କୁ ୧ ଲକ୍ଷ ଟଙ୍କା

ଭୁବନେଶ୍ବର: ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପାଇଁ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କାର କ୍ଷତିପୂରଣ । ସେହିପରି, ଗୁରୁତର ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି । ଏହାସହ ସମସ୍ତ ଆହତଙ୍କ ଚିକିତ୍ସା ମାଗଣାରେ କରାଯିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଦୁର୍ଘଟଣାରେ ମୃତାହତ ଓଡ଼ିଶାର ଲୋକଙ୍କ ପାଇଁ ଏହି ସହାୟତା ରାଶି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହା ପ୍ରଦାନ କରାଯିବ । ଏହାସହ ମୃତକଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଶୁକ୍ରବାର ରାତିରେ ଘଟିଥିବା ଭୟଙ୍କର ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଛି । ଏବେବି ଅନେକ ଲୋକ ସଂକଟାପନ୍ନ ଅଛନ୍ତି । ରାଜ୍ୟ ବିଭିନ୍ନ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ୧୧ଶହ ୭୫ ଆହତଙ୍କ ଚିକିତ୍ସା ଚାଲିଛି । ଏଯାଏଁ ୭୯୩ରୁ ଅଧିକ ଆହତଙ୍କୁ ଡିସଚାର୍ଜ କରାଯାଇଛି । ସମସ୍ତଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର ।

କରମଣ୍ଡଳ ଦୁର୍ଘଟଣା: ଉଦ୍ଧାର କାର୍ଯ୍ୟ ଶେଷ, ଚାଲିଛି ପୁନରୁଦ୍ଧାର କାମ

ବାହାନଗା: କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ବେଳେ ଚାଲିଛି ପୁନରୁଦ୍ଧାର କାର୍ଯ୍ୟ । ରେଳ ଲାଇନରୁ ୨୧ଟି ବଗିକୁ ହଟାଯାଇଛି । ବିଦ୍ୟୁତ୍ ଖୁଣ୍ଟି ସହ ଲାଇନ୍ ମରାମତି କାର୍ଯ୍ୟ ଚାଲିଛି । ଟ୍ରେନ୍ ଲାଇନକୁ ଖାଲି କରାଯାଉଥିବା ବେଳେ, ଟ୍ରେନ୍ ଚଳାଚଳ ସ୍ବାଭାବିକ କରିବାକୁ ପ୍ରୟାସ ଜାରି ରହିଛି ।

ପୁନରୁଦ୍ଧାର କାର୍ଯ୍ୟରେ ଆଉ ୩ ଓ୍ବାଗନକୁ ନିୟୋଜିତ କରାଯିବ । ହଜାରେ ଶ୍ରମିକ କାମରେ ଲାଗିଛନ୍ତି । ପୁନରୁଦ୍ଧାର କାମରେ ନିୟୋଜିତ ଅଛନ୍ତି ୭ ପୋକଲିନ୍ । ୨ଟି ଦୁର୍ଘଟଣା ରିଲିଫ୍ ଟ୍ରେନ୍ ଘଟଣା ସ୍ଥଳରେ କାମରେ ଲାଗିଛନ୍ତି । ଗୋଟିଏ ୧୪୦ ଟନର ରେଲୱେ କ୍ରେନ୍ ଓ ୪ଟି ରୋଡ୍ କ୍ରେନ୍ କାମରେ ଲାଗିଛନ୍ତି । ଶୀଘ୍ର ପୁନରୁଦ୍ଧାର କାମ ସରିବାକୁ ରେଳ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି ।

ଦକ୍ଷୀଣ ପୂର୍ବ ରେଳବାଇ ପକ୍ଷରୁ ବାଲେଶ୍ବର-ହାୱଡ଼ା ଓ ଭଦ୍ରକ-ଚେନ୍ନାଇ ସ୍ବତନ୍ତ୍ର ଟ୍ରେନ୍ ଗଡ଼ିବ । ଭୟଙ୍କର ରେଳ ଦୁର୍ଘଟଣାରେ ଗଲାଣି ୨୮୮ ଜଣଙ୍କ ଜୀବନ । ଏବେବି ଅନେକ ଲୋକ ସଂକଟାପନ୍ନ ଅଛନ୍ତି । ରାଜ୍ୟ ବିଭିନ୍ନ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ୧୧ଶହ ୭୫ ଆହତଙ୍କ ଚିକିତ୍ସା ଚାଲିଛି । ଏଯାଏଁ ୭୯୩ରୁ ଅଧିକ ଆହତଙ୍କୁ ଡିସଚାର୍ଜ କରାଯାଇଛି । ସମସ୍ତଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର ।

ଆହତମାନେ ବାଲେଶ୍ବର, ସୋର, ଯାଜପୁର ଓ ଭଦ୍ରକ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଗୁରୁତରଙ୍କୁ ଏସସିବି ସ୍ଥାନାନ୍ତର କରାଯାଇଛି । ଆହତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ସେପଟେ ୧୬୦ ମୃତଦେହ ବାଲେଶ୍ବରରୁ ଭୁବନେଶ୍ବର ଅଣାଯାଇ ବିଭିନ୍ନ ଶବଗାରରେ ରଖାଯାଇଛି ।  ଶବ ଚିହ୍ନଟ ହେଲା ପରେ ଗନ୍ତବ୍ୟ ସ୍ଥଳକୁ ସମ୍ମାନର ସହ ପଠାଯିବ । ମେଡିକାଲ ଆଇନ ଅନୁସାରେ ମୃତଦେହ ଚିହ୍ନଟ ବ୍ୟବସ୍ଥା କରାଯିବ । ବର୍ତ୍ତମାନ ଶବଗୁଡିକୁ ଡିସପୋଜ କରିବା ମୁଖ୍ୟ ଚାଲେଞ୍ଜ ହେବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ଗତକାଲି ରେଳ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାଲେଶ୍ବର ଜିଲ୍ଲା ହସ୍ପିଟାଲ ଯାଇ ସେଠାରେ ଆହତଙ୍କ ସହ ସ୍ବାସ୍ଥ୍ୟାବସ୍ଥା ନେଇ ଆଲୋଚନା କରିଥିଲେ । କମ୍ ସମୟ ଭିତରେ ରାଜ୍ୟ ସରକାରଙ୍କୁ ରେସ୍କ୍ୟୁ ମିଶନ ପାଇଁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ ପ୍ରଧାନମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗତକାଲି ଘଟଣାସ୍ଥଳରେ ଅନୁଧ୍ୟାନ କରିବା ସହ ଆହତଙ୍କୁ ଭେଟି ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ଲୋକଙ୍କ ଜୀବନକୁ ସୁରକ୍ଷିତ ରଖିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଦେବସ୍ନାନ ପୂର୍ଣ୍ଣିମା: ସ୍ନାନବେଦୀରେ ତିନି ଠାକୁର, ବଡ଼ଦାଣ୍ଡରେ ଆଧ୍ୟାତ୍ମିକ ପରିବେଶ

ପୁରୀ: ଆଜି ଶ୍ରୀଜିଉଙ୍କ ଦେବସ୍ନାନ ପୂର୍ଣ୍ଣିମା । ସ୍ନାନବେଦୀରେ ୧୦୮ ଗଡୁ ସୁବାସିତ ଜଳରେ ସ୍ନାନ କରିବା ପରେ ଦୁର୍ଲ୍ଲଭ ହାତୀବେଶରେ ଦର୍ଶନ ଦେବେ ମହାପ୍ରଭୁ । ଏଥିପାଇଁ ଶ୍ରୀକ୍ଷେତ୍ରରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ ।

ପ୍ରଥମେ ବଡ଼ ଠାକୁର ଶ୍ରୀବଳଭଦ୍ର ପହଣ୍ଡିରେ ଆସିଥିଲେ । ଏହାପରେ କାଳିଆ ସାଆଁନ୍ତ ଟାହିଆ ଝୁଲାଇ ଝୁଲାଇ ଶ୍ରୀମନ୍ଦିରରୁ ବାହାରି ଆସିଥିଲେ । ଗୋଟି ପହଣ୍ଡିରେ ଆସିବା ବେଳେ ରହି ରହି ଭକ୍ତଙ୍କ ଆଡ଼କୁ ଚାହିଁ ଦେଉଥିଲେ ମହାପ୍ରଭୁ । ଏହାପରେ ପହଣ୍ଡିରେ ଆସିଥିଲେ ଦେବୀ ସୁଭଦ୍ରା । ପରେ ପ୍ରଭୁ ମଦନମୋହନ ସ୍ନାନବେଦୀକୁ ବିଜେ କରିଥିଲେ ।

ମହାପ୍ରଭୁଙ୍କ ଏହି ଦିବ୍ୟ ସ୍ନାନଯାତ୍ରା ଦେଖିବାକୁ ଶ୍ରୀକ୍ଷେତ୍ରରେ ଲାଗିଛି ଭକ୍ତଙ୍କ ଗହଳି । ଲିଳା କରିବାକୁ ଶ୍ରୀଜିଉ ଶ୍ରୀମନ୍ଦିରରୁ ବାହାରି ଆସିଥିବା ବେଳେ ବଡ଼ଦାଣ୍ଡରେ ଲାଗିଛି ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ।

ଏପଟେ ଭକ୍ତ ଓ ଭଗବାନଙ୍କ ମିଳନ ଶ୍ରୀକ୍ଷେତ୍ରରେ ସୃଷ୍ଟି କରିଛି ଆଧ୍ୟାତ୍ମିକ ପରିବେଶ । କିଏ ସଂକୀର୍ତ୍ତନ କରୁଛି ତ କିଏ ବଂଶୀ ବଜାଇ ଶ୍ରୀଜିଉଙ୍କୁ ନିଜର ପ୍ରଣତି ଜଣାଉଛି । ବଡ଼ଦାଣ୍ଡରେ ହାତ ଟେକି ଦେଇ ଶ୍ରଦ୍ଧାଳୁ ଦେଉଛନ୍ତି ଭକ୍ତିର ପ୍ରଣତି । ଢୋଲ, ମୃଦଙ୍ଗ, ଘଣ୍ଟ, ଝାଞ୍ଜ, ଖଞ୍ଜଣିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ । ନାଚଗୀତରେ ଉଛୁଳୁଛି ବଡ଼ଦାଣ୍ଡ ।

ଭୋର ସାଢ଼େ ୩ଟାରେ ମଙ୍ଗଳାର୍ପଣ ହୋଇଥିବା ବେଳେ ୪ଟାରୁ ୬ଟା ମଧ୍ୟରେ ଡୋର ଲାଗି ପୁଷ୍ପାଞ୍ଜଳି ପରେ ପହଣ୍ଡି ଆରମ୍ଭ ହୋଇଥିଲା । ସ୍ନାନବେଦୀରେ ଦୈନନ୍ଦିନ ନୀତିକାନ୍ତି ଚାଲିଛି । ୧୨ଟା ୧୫ରୁ ୧୨ଟା ୪୫ ଛେରା ପହଁରା କରାଯିବ । ୧୨ଟା ୪୫ରୁ ୨ଟା ୩୦ରେ ହେବ ହାତୀବେଶ । ଦୁର୍ଲଭ ହାତୀବେଶରେ ସଜ୍ଜିତ ହୋଇ ସ୍ନାନ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ସନ୍ଧ୍ୟା ୬ଟାରୁ ରାତି ସାଢେ ୯ଟା ସାହାଣ ମେଲା ଦର୍ଶନ, ରାତି ୧୦ଟାରେ ପୁଷ୍ପାଞ୍ଜଳି ଓ ଡୋର ଲାଗି ହୋଇ ୧୦ଟାରୁ ଗୋଟାଏ ମଧ୍ୟରେ ବାହୁଡ଼ା ପହଣ୍ଡି ହେବ । ରାତି ସାଢେ ଗୋଟାଏ ସୁଦ୍ଧା ସ୍ନାନ ନିତୀ ଓ ରାହୁ ରେଖା ମଇଲମ କରାଯିବାକୁ ସ୍ଥିର ହୋଇଛି । ଏନେଇ ପ୍ରଶାସନିକ ସ୍ତରରେ ସମସ୍ଥ ବ୍ୟବସ୍ଥା ହୋଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହାତୀବେଶକୁ ଶୃଙ୍ଖଳିତ କରିବା ନେଇ ନୀତି ଚୂଡାନ୍ତ ହୋଇଛି ।

ବାହାନଗା ଆକାଶରେ କଳାହାଣ୍ଡିଆ ମେଘ: ରାସ୍କ୍ୟୁ ଅପରେସନ ବାଧାପ୍ରାପ୍ତ ହେବା ଆଶଙ୍କା

ବାହାନଗା: ବାଲେଶ୍ବର ଜିଲ୍ଲା ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ସାରା ଦେଶକୁ ସ୍ତବ୍ଧ କରି ଦେଇଥିବା ବେଳେ ଏବେ ନୀଳ ଆକାଶରୁ ଘୋଟି ଆସିଛି ଆଉ ଏକ ବିପଦ । ବାହାନଗା ଆକାଶକୁ ଆଚ୍ଛାଦିତ କରିଛି କଳାହାଣ୍ଡିଆ ମେଘ । ଘଣ୍ଟା ପ୍ରତି ପ୍ରାୟ ୫୦ କିମି ବେଗର ବହୁଛି ପବନ । ଘଡଘଡି ବିଜୁଳି ସଞ୍ଚାର କରୁଛି ଭୟ । ଏହା ଭିତରେ ରାସ୍କ୍ୟୁ ଅପରେସନ ବାଧାପ୍ରାପ୍ତ ହେବାର ଆଶଙ୍କା ସୃଷ୍ଟି କରିଛି ।

ପବନ ଯୋଗୁଁ ରେସ୍କ୍ୟୁ ଅପରେଶନ କିଛି ପରିମାଣରେ ବାଧାପ୍ରାପ୍ତ ହେବାରେ ଲାଗିଛି । ବର୍ଷା ହୋଇ ନଥିଲେ ବି ଯଦି ବର୍ଷା ହୁଏ, ତେବେ ସ୍ଥିତି ଆହୁରି ଗମ୍ଭୀର ହେବାର ଆଶଙ୍କା ଦେଖା ଦେଇଛି । ବିଶେଷ କରି ମଣିଷ ଦ୍ବାରା ଚାଲିଥିବା ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ଓଡ଼ିଶା ସରକାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, ସ୍ଥାନୀୟ ଲୋକଙ୍କୁ ଜଣାଇଲେ ଧନ୍ୟବାଦ

ବାଲେଶ୍ବର: ବାଲେଶ୍ବର ବାହାନଗାରେ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବା ପରେ ଓଡ଼ିଶା ସରକାରଙ୍କ ରେସ୍କ୍ୟୁ ଅପରେସନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା । ଖୁବ କମ୍ ସମୟ ଭିତରେ ରାଜ୍ୟ ସରକାର ଯେପରି ତତ୍ପରତା ଦେଖାଇଲେ ତାହାକୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଲେ । ଏହାସହ ବାଲେଶ୍ବରର ସ୍ଥାନୀୟ ଲୋକ, ବିଶେଷ କରି ଯୁବବର୍ଗ ରାତିସାରା ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରକ୍ତଦାନ ପାଇଁ ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ବେଶ ପ୍ରଶଂସନୀୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । । ଖୁବ କମ୍ ସମୟ ଭିତରେ ରାଜ୍ୟ ସରକାର ରେସ୍କ୍ୟୁ ମିଶନ କରିଥିବାରୁ ଧନ୍ୟବାଦର ପାତ୍ର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଆଗକୁ ସେ କହିଛନ୍ତି, ‘ଏଭଳି ଘଟଣା ଆମ ସମସ୍ତଙ୍କ ପାଇଁ ଦୁଃଖଦ । ଏବେ ସହାନୁଭୂତି ଦେଖାଇବାର ସମୟ । ଘଟଣାର ତଦନ୍ତ ହେବ । ଯିଏ ବି ଏହି ଦୁର୍ଘଟଣା ପାଇଁ ଦୋଷୀ, ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’

ବାହାନଗାରେ ପହଞ୍ଚିବା ପରେ ରେଳ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ । ସେଠାରେ ତାଙ୍କୁ ସ୍ଥିତି ବିଷୟରେ ସୂଚନା ଦେଇଥିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସମ୍ପୂର୍ଣ୍ଣ ସ୍ଥିତିର ସମୀକ୍ଷା କରିଥିଲେ ମୋଦି । କେମିତି ଦୁର୍ଘଟଣା ଘଟିଲା, ସେ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ରେଳମନ୍ତ୍ରୀ । ସେଠାରୁ ବାଲେଶ୍ବର ଜିଲ୍ଲା ହସ୍ପିଟାଲ ଯାଇ ଆହତଙ୍କ କଥା ହୋଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ।

କରମଣ୍ଡଳ ଦୁର୍ଘଟଣା: ଏସି ବଗି ବଞ୍ଚାଇ ଦେଲା ଲକ୍ଷ୍ମଣଙ୍କ ଜୀବନ, ଶବ ଗଦାରେ ବାପାକୁ ଖୋଜୁଥିଲା ପୁଅ

ବାଲେଶ୍ବର: ବାଲେଶ୍ବର ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ପରେ ପଦାକୁ ଆସୁଛି ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର । ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇ ମୃତ୍ୟୁମୁଖରୁ ଫେରି ଆସିଛନ୍ତି ମୟୂରଭଞ୍ଜ ଜିଲ୍ଲା ଗୋସେଇଁ ଗାଁର ଲକ୍ଷ୍ମଣ ବାରିକ । ସେ ଚେନ୍ନାଇ ଯାଉଥିଲେ । ଜେନେରାଲ ଟିକେଟ କରିଥିଲେ । ହେଲେ ଠିକ ସମୟରେ ଟ୍ରେନ ଧରି ନପାରିବାରୁ ଏସି ବଗିରେ ଚଢ଼ି ଯାଇଥିଲେ । ଏଥିପାଇଁ ଆଜି ତାଙ୍କ ଜୀବନ ବଞ୍ଚି ଯାଇଛି । ଏପଟେ ଦୁର୍ଘଟଣା ଖବର ଶୁଣି ବାପାଙ୍କୁ ଖୋଜିବାକୁ ବାହାରି ପଡ଼ିଥିଲେ ଲକ୍ଷ୍ମଣଙ୍କ ପୁଅ । ଦୁର୍ଘଟଣା ସ୍ଥଳରେ ପହଞ୍ଚି କୁଢ଼ କୁଢ଼ ଶବ ଭିତରୁ ବାପାଙ୍କୁ ଖୋଜି ନିରାଶ ହୋଇଥିଲେ ।

ଲକ୍ଷ୍ମଣ କୁହନ୍ତି, ‘ମୁଁ ଜେନେରାଲ ଟିକେଟ୍ କାଟିଥିଲି । ଷ୍ଟେସନରେ ପହଞ୍ଚିବା ବେଳକୁ ଟ୍ରେନ ଛାଡି ଦେଇଥିଲା । ଏଥିପାଇଁ ତରତର ହୋଇ ଏସି ବଗିରେ ଚଢ଼ି ଯାଇଥିଲେ । ଯେଉଁ ଜେନେରାଲ ବଗିଟି ଅଧିକ କ୍ଷତିଗ୍ରସ୍ତ ହୋଇଛି, ସେହି ବଗିରେ ମୋର ଟିକେଟ ଥିଲା । କିଛି ସମୟ ପରେ ଟ୍ରେନଟି ଲାଇନଚ୍ୟୁତ ହୋଇ ଯାଇଥିଲା । ଆଖି ଆଗରେ ଚାଲି ଯାଇଥିଲା ଶହ ଶହ ଲୋକଙ୍କ ଜୀବନ । ହେଲେ, ଭାଗ୍ୟ ବଳରେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲି । ଦୁର୍ଘଟଣାରେ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଛାତିରେ ମାଡ଼ ହୋଇ ଯନ୍ତ୍ରଣ ହେଉଥିଲା । ଏହାରି ଭିତରେ ମୋବାଇଲଟି ପକେଟରୁ କେଉଁଠି ପଡ଼ି ଯାଇଥିଲା । ପରିବାର ଲୋକ ଓ ଅନ୍ୟ କାହା ସହ ସମ୍ପର୍କ କରିପାରି ନଥିଲି । ଦୁର୍ଘଟଣା ସ୍ଥଳରୁ ବାହାରି ବସରେ ଭୁବନେଶ୍ବର ପଳାଇ ଆସିଥିଲି । ସେଠାରୁ ମେଡିକାଲ ଯାଇଥିଲି ।

କୁଢ଼ କୁଢ଼ ଶବରୁ ପୁଅ ଖୋଜୁଥିଲା ବାପାଙ୍କୁ

ଦୁର୍ଘଟଣା ଖବର ପାଇ ଲକ୍ଷ୍ମଣଙ୍କ ପରିବାର ଲୋକେ ଆଶଙ୍କାରେ ପଡ଼ି ଯାଇଥିଲେ । ଲକ୍ଷ୍ମଣଙ୍କ ମୋବାଇଲ ଲାଗୁ ନଥିବାରୁ ମନରେ ବିଭିନ୍ନ ଶଙ୍କା ପ୍ରକାଶ ପାଇଥିଲା । ଏହାରି ଭିତରେ ପୁଅ ବାପାଙ୍କୁ ଖୋଜିବାକୁ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ । ସେଠାରେ ପହଞ୍ଚିବା ପରର ଦୃଶ୍ୟ ବର୍ଣ୍ଣନା ଥିଲା ଅତ୍ୟନ୍ତ ହୃଦୟ ବିଦାରକ ।

ସେ କହିଛନ୍ତି, ‘ଦୁର୍ଘଟଣା ସ୍ଥଳରେ ପହଞ୍ଚିବା ପରେ ଯେଉଁ ଆଡେ ଦେଖିଥିଲି କେବଳ ଶବ ହିଁ ଶବ ପଡ଼ିଥିଲା । କାହାର ହାତ ନଥିଲା ତ କାହାର ଗୋଡ । ଆଉ କାହାର ମୁଣ୍ଡ ବିକୃତ ହୋଇ ଯାଇଥିଲା । ଏ ଦୃଶ୍ୟ ଛାତି ଫଟାଇ ଦେବା ଭଳି ଲାଗୁଥିଲା । ଲୋକଙ୍କ ଆର୍ତ୍ତ ଚିତ୍କାର କାନ ପଠାଇ ଦେଉଥିଲା । ଏହାରି ଭିତରେ ବାପାଙ୍କୁ ଖୋଜିବା ଆରମ୍ଭ କରିଥିଲି । ଗୋଟିଏ ମୃତଦେହ ଦେଖି ନିରାଶ ହେବା ପରେ ଅନ୍ୟ ମୃତଦେହ ପାଖକୁ ଦୌଡ଼ି ଯାଉଥିଲି । ହେଲେ କୁଢ଼ କୁଢ଼ ମୃତଦେହ ଭିତରୁ ବାପାଙ୍କୁ କେଉଁଠି ପାଇ ନଥିଲି । ବାପା ବଞ୍ଚିଥିବା ନେଇ କିଛିଟା ଆଶା ସଞ୍ଚାର ହୋଇଥିଲା । ଏହାପରେ ସୋର ଓ ଭଦ୍ରକର ଆଖପାଖ ମେଡିକାଲରେ ଖୋଜାଖୋଜି କରିଥିଲେ ମଧ୍ୟ ବାପାଙ୍କୁ ପାଇ ନଥିଲି । ବାପା କ୍ୟାପିଟାଲ ହସ୍ପିଟାଲରେ ଥିବା ଖବର ଆସିଥିଲା । ଆଉ ବିଳମ୍ବ ନକରି କ୍ୟାପିଟାଲ ହସ୍ପିଟାଲକୁ ଚାଲି ଆସିଥିଲି ।’

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା: ଗୋଟିଏ ପରିବାର ୩ ଭାଇଙ୍କ ମୃତ୍ୟୁ

ପଶ୍ଚିମବଙ୍ଗ: ବାଲେଶ୍ବର ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୯ ଶହ ଜଣ ଆହତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ଦୁର୍ଘଟଣାରେ ପଶ୍ଚିମବଙ୍ଗରୁ ଆସିଛି ଏକ ଦୁଃଖଦ ଖବର । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଭାଇଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳୁଛି ।

ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପରଗଣାରୁ ଆସିଛି ଦୁଃଖଦ ଖବର । ୨ ତାରିଖର କାଳ ରାତିରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ ସମ୍ପର୍କୀୟ ଭାଇ ବୋଲି ଜଣାପଡିଛି । ମୃତକମାନେ ହେଲେ ହରନ ଗାୟେନ, ନିଶିକାନ୍ତ ଗାୟେନ ଏବଂ ଦିବାକର ଗାୟେନ । ଏମାନେ ସମସ୍ତେ ଦିନ ମଜୁରିଆ । ଧାନ ଚାଷ ପାଇଁ ମଜୁରୀ ଲାଗିବାକୁ ଆନ୍ଧ୍ରପ୍ରଦେଶ ଯାଉଥିଲେ ।

ଏହାବାଦ ଚରନେଖଲି ଗାଁର ଦୁଇ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ବିକାଶ ହଲଦାର ଏବଂ ସଞ୍ଜୟ ହଲଦାର । ଏମାନେ ଶୁକ୍ରବାର ଘରୁ ବାହାରିଥିଲେ । ଏହି ଟ୍ରେନ ଦୁର୍ଘଟଣାରେ ପଶ୍ଚିମବଙ୍ଗର ବସନ୍ତୀ ଓ ଗୋସାବା ଅଞ୍ଚଳର ଏକାଧିକ ଲୋକ ଆହତ ହୋଇଛନ୍ତି । ଏହି ଅଞ୍ଚଳର ଶହେ ରୁ ଅଧିକ ଲୋକ ଯାତ୍ରା କରୁଥିବା ବେଳେ ଦୁର୍ଘଟଣାରେ ଆହତ ହୋଇଥିବା କୁହାଯାଉଛି ।