spot_img
Home Blog Page 3112

ରାଉରକେଲା ସହରର ଟିସିଆଇ ଛକ ନିକଟରେ ଜଳିଗଲା ମୋ ବସ୍

ରାଉରକେଲା: ରାଉରକେଲା ସହରର ଟିସିଆଇ ଛକ ନିକଟରେ ଜଳିଗଲା ମୋ ବସ୍ । ନିଆଁ ଲାଗିବାର ସଠିକ୍ କାରଣ ଜଣା ପଡିନଥିବା ବେଳେ ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଛନ୍ତି । ବସ୍‌ରେ କେହି ଯାତ୍ରୀ ନଥିଲେ । ହଠାତ୍ ବସରୁ ଧୂଆଁ ବାହାରିବାରୁ ରାସ୍ତାକଡ଼ରେ ବସଟିକୁ ଠିଆ କରି ଓହ୍ଲାଇପଡ଼ିଥିଲେ ଡ୍ରାଇଭର ଓ ହେଲପର । ଅଗ୍ନିକାଣ୍ଡରେ ବସ୍ ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ କେହି ଆହତ ହୋଇନାହାନ୍ତି ।

ଆସନ୍ତାକାଲି ଭୁବନେଶ୍ୱରରେ ଶୂନ୍ୟ ଛାୟା ଦିବସ

ଭୁବନେଶ୍ୱର: ବର୍ଷରେ ଦୁଇ ଥର ସୂର୍ଯ୍ୟ ଆମ ମୁଣ୍ଡ ଉପରେ ରହେ ଏବଂ ଆମର ଛାଇ ଦୃଶ୍ୟମାନ ହୋଇନଥାଏ । ଯାହାକୁ ଜ୍ୟୋର୍ତିବିଜ୍ଞାନୀମାନେ ଶୂନ୍ୟ ଛାୟା ଦିବସ ବା ଜିରୋ ସ୍ୟାଡୋ ଦିବସ ବୋଲି କହିଥାନ୍ତି । ଏହି ଦିବସ କେବଳ ମକର କ୍ରାନ୍ତି ଓ କର୍କଟ କ୍ରାନ୍ତି ଭିତରେ ଥିବା ଅଞ୍ଚଳରେ ହିଁ ଘଟିଥାଏ । ଏଣୁ କନ୍ୟାକୁମାରୀ ଠାରୁ ଭାରତର ମଧ୍ୟଭାଗରେ ଥିବା କର୍କଟ କ୍ରାନ୍ତି ମଧ୍ୟରେ ଥିବା ସବୁ ଅଞ୍ଚଳରେ ଏପ୍ରିଲରୁ ଜୁନ୍ ଓ ଜୁନରୁ ଅଗଷ୍ଟ ମାସ ମଧ୍ୟରେ ବର୍ଷକୁ ଦୁଇ ଥର ଶୂନ୍ୟ ଛାୟା ଘଟିଥାଏ ।

ଚଳିତ ବର୍ଷ ଏହି ଦିବସ ଆସନ୍ତାକାଲି ଭୁବନେଶ୍ବର ସହରରେ ଓ ୨୨ ତାରିଖ ମଧ୍ୟାହ୍ନ ୧୧ଟା ୪୩ ମିନିଟ ସମୟରେ କଟକ, ୨୮ ତାରିଖରେ ବୁର୍ଲା ଓ ୨୯ ତାରିଖରେ ବାରିପଦାରେ ଶୂନ୍ୟ ଛାୟା ଦୃଶ୍ୟମାନ ହେବ । ଏହି ଦୃଶ୍ୟ ଦେଖିବା ପାଇଁ ସର୍ବସାଧାରଣଙ୍କ ପାଇଁ ଭୁବନେଶ୍ବର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମ ଠାରେ ମେ ୨୧ ତାରିଖରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ବରରେ ଅପରାଧ ଓ ଆଇନଶୃଙ୍ଖଳା ନିୟନ୍ତ୍ରଣ ଚିନ୍ତା, ଆକାଶମାର୍ଗରୁ ନଜର ରଖିବ କମିଶନରେଟ ପୋଲିସ

ଭୁବନେଶ୍ୱର: ରାଜଧାନୀରେ ଅପରାଧ ଓ ଅପରାଧୀଙ୍କ ଉପରେ ନଜର ରଖିବ ଡ୍ରୋନ୍ । ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଡ୍ରୋନ୍ ପାଟ୍ରୋଲିଂ । ଆକାଶ ମାର୍ଗରୁ ଅପରାଧ ଉପରେ ନଜର ରଖିବ କମିଶନରେଟ ପୋଲିସ । ସହରର ପ୍ରତିଟି ଘଟଣା ଓ ଦୁର୍ଘଟଣା ଉପରେ ଏହି ସିଧାସଳଖ ରହିବ ନଜର । ଏନେଇ ପ୍ରାଥମିକ ଭାବେ ଡ୍ରୋନ୍ ପାଟ୍ରୋଲିଂର ଟ୍ରାଏଲ ରନ୍ କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ଭୁବନେଶ୍ୱରରେ ହେଉଥିବା ରାଲି, ଧାରଣା, ଅବା ବିକ୍ଷୋଭ ସମୟରେ ସାମୁହିକ ଭାବେ ଏକାଠି ହେଉଥିବା ବିଶୃଙ୍ଖଳାକାରୀଙ୍କ ଉପରେ ଏହା ନଜର ରଖିବ ।

ସେହିଭଳି ବଡ଼ ବଡ଼ କାର୍ଯ୍ୟକ୍ରମ, ଭିଭିଆଇପିଙ୍କ ଗସ୍ତ ସମୟରେ ମଧ୍ୟ ଏହା ନଜର ରଖିବ । ୫ କିଲୋମିଟର ପରିଧି ପର୍ଯ୍ୟନ୍ତ କ୍ୟାମେରା ସରଭିଲାନ୍ସ ସହ ୫୦୦ ମିଟର ଉଚ୍ଚରେ ଉଡ଼ି ଗତିବିଧିର ଭିଡିଓ ରେକର୍ଡ କରିପାରିବ । ପ୍ରାଥମିକ ଭାବେ ଏହି ଡ୍ରୋନ୍ ସଫଳ ହେଲେ ଆଗାମୀ ଦିନରେ ଏହାକୁ କାର୍ଯ୍ୟକାରୀ କରାଯିବ । ପୂର୍ବରୁ ରାଜଧାନୀର ଟ୍ରାଫିକ ନିୟନ୍ତ୍ରଣ କରିବା ଓ ଅମାନିଆ ଗାଡି ଚାଳକଙ୍କ ଉପରେ ନଜର ରଖିବା ପାଇଁ ଡ୍ରୋନ୍ ଉଡ଼ିଥିଲା ।

ପଶ୍ଚିମବଙ୍ଗ ବାଣ ବିସ୍ଫୋରଣ ଘଟଣା: ଭୋଗରାଇ କମର୍ଦ୍ଦା ଥାନା ଅଞ୍ଚଳରେ CID ରେଡ୍

ଜଳେଶ୍ୱର: ପଶ୍ଚିମବଙ୍ଗ ବାଣ ବିସ୍ଫୋରଣ ଘଟଣା । ଭୋଗରାଇ କମର୍ଦ୍ଦା ଥାନା ଅଞ୍ଚଳରେ CID ରେଡ୍‌ । ଜଣଙ୍କୁ ଉଠାଇ ନେଲା CID । ଏଗ୍ରା ଥାନା ସାହାଡ଼ା ପଞ୍ଚାୟତ ଖୁଦକୁଲ ଗାଁରେ ୧୬ ତାରିଖରେ ବାରୁଦ କାରଖାନାରେ ବାଣ ବିସ୍ଫୋରଣ ଘଟି ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା । ଗତକାଲି କଟକରେ ବାରୁଦ କାରଖାନାର ମୁଖ୍ୟ ଭାନୁ ବାଗଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି କମର୍ଦ୍ଦା ଥାନା ଅଞ୍ଚଳର ମହାଗବ ଗାଁର ଭାନୁବାଗଙ୍କ ସମ୍ପର୍କୀୟ ଘରେ ପଚାରଉଚରା କରିବା ସହିତ ଜଣକୁ ଉଠାଇ ଆଣିଛି ସିଆଇଡି ଟିମ୍ ।

ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ପୁରୀ: ଆଜି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ସକାଳୁ ସକାଳୁ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି।  ଗତକାଲି ସାବିତ୍ରୀ ଅମାବାସ୍ୟାରେ ଅନେକ ବିଶେଷ ନୀତି ହୋଇଥିବାରୁ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଶେଷ ହୋଇ ରାତ୍ର ପହୁଡ଼ ନୀତି ଭୋର ୪ଟା୩୦ରେ ହୋଇଥିଲା । ଯାହା ଫଳରେ ଆଜି ଦ୍ୱାରଫିଟା ନୀତି ସକାଳ ୬ଟା ୨୬ରେ ହୋଇଛି । ମଙ୍ଗଳ ଆଳତି ନୀତି ଶେଷ ହୋଇଛି । ବହୁ ଭକ୍ତ ସିଂହଦ୍ୱାର ନିକଟରେ ସମାଗମ ହୋଇଥିବା ହେତୁ ପୋଲିସ ପ୍ରଶାସନ ପକ୍ଷରୁ ଭିଡ଼ ନିୟନ୍ତ୍ରଣ ନେଇ ବ୍ୟବସ୍ଥା କରାଯାଇଛି । ଦର୍ଶନ ପାଇଁ ସ୍ୱତନ୍ତ୍ର ମାନବ ଶୃଙ୍ଖଳା ପ୍ରସ୍ତୁତ କରାଯାଇଛି । ପୁରୀ ଏସପିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଭକ୍ତଙ୍କ ଦର୍ଶନ ନେଇ ବ୍ୟବସ୍ଥା କରାଯାଉଥିବା ଦେଖିବାକୁ ମିଳିଛି ।

ଆଜି ଛତିଶା ନିଯୋଗ ବୈଠକ, ଅଧ୍ୟକ୍ଷତା କରିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ଆଜି ବସିବ ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସରେ ବୈଠକ ଅନୁଷ୍ଠିତ ହେବ । ଏଥିରେ ରୁକ୍କୁଣୀ ହରଣ ଏକାଦଶୀଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଶୃଙ୍ଖଳିତ ନୀତିକାନ୍ତି ନେଇ ନୀତି ନିର୍ଘଣ୍ଟ ସମ୍ପର୍କରେ ଆଲୋଚନା କରାଯିବ । କୌଣସି ନୀତିରେ ଯେପରି ବିଳମ୍ବ ନହେବ ସେଥିପ୍ରତି ଗୁରୁତ୍ବ ଦିଆଯିବ । ବୈଠକରେ ନିଯୋଗର ସମସ୍ତ ସଦସ୍ୟ ଉପସ୍ଥିତ ରହିବାକୁ ଥିବାବେଳେ ସ୍ନାନ ପୂର୍ଣ୍ଣିମାରେ ଜଳଲାଗି ସହ ହାତୀ ବେଶକୁ ବେଶ ଶୃଙ୍ଖଳିତ କିଭଳି କରାଯାଇପାରିବ ସେନେଇ ମଧ୍ୟ ଆଲୋଚନା କରାଯିବ । ଏଥିସହ ଅନବସର ନୀତି, ଶ୍ରୀଗୁଣ୍ଡିଚା ଯାତ୍ରା ସହିତ ଅନ୍ୟାନ୍ୟ ଦିଗକୁ ନଜର ରଖି ସମନ୍ବୟ ଭିତ୍ତିରେ କାର୍ଯ୍ୟ କରିବାକୁ ଆଲୋଚନା କରାଯିବ ।

ସେପଟେ ଘୋଷଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥ ନିର୍ମାଣ । ରଥ ନିର୍ମାଣରେ ବ୍ୟସ୍ତ ମହାରଣା, ଭୋଇ, ରୂପକାର ଓ ଅନ୍ୟାନ୍ୟ ସେବାୟତ । ଏବେ ତିନି ରଥର ଚକ ଏବଂ ଅଖ ନିର୍ମାଣ ସରି ୧୪ ନାହାକା ନିର୍ମାଣ ଜାରି ରହିଛି । ତିନି ରଥର ୫ ଦଣ୍ଡା ନିର୍ମାଣ ପାଇଁ ରଥ ଖଳାକୁ ଦଣ୍ଡା କାଠ ଭୋଇ ସେବାୟତଙ୍କ ଦ୍ବାରା ଯୋଗାଇ ଦିଆଯାଇଥିବା ବେଳେ ଦଣ୍ଡା ହଣା କାର୍ଯ୍ୟ ଜାରି ରହିଛି ।

କିଛି ଦିନ ପର୍ଯ୍ୟନ୍ତ ରାଜ୍ୟରେ ରହିବ ଗ୍ରୀଷ୍ମ ପ୍ରବାହ, ଉପକୂଳରେ ସକ୍ରିୟ କାଳବୈଶାଖୀ

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମପ୍ରବାହ ଭିତରେ ରାଜ୍ୟବାସୀଙ୍କ ପାଇଁ ଆସିଲା ଆଶ୍ବସ୍ତିକର ଖବର । ସକ୍ରିୟ ହେଉଛି ମୌସୁମୀ ବାୟୁ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଣ୍ଡାମାନ ଦିଗରେ ଗତି କରୁଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ପାଗ ଅନୁକୂଳ ଥିବାରୁ ଆସନ୍ତା ୨ରୁ୩ ଦିନ ପର୍ଯ୍ୟନ୍ତ ଏହା ସମାନ ଦିଗରେ ଗତି କରି ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର ଅଧିକାଂଶ ଅଂଶ ଛୁଇଁବାର ସମ୍ଭାବନା ରହିଛି । ସେପଟେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ । ଏହା ପ୍ରଭାବରେ ଅଧିକାଂଶ ସ୍ଥାନରେ ପାରଦ ୪୨ ଡିଗ୍ରୀ ଉପରେ ରହିବ ।

ଅନ୍ୟପଟେ ଉପକୂଳ ଓଡ଼ିଶାରେ କାଳବୈଶାଖୀ ସକ୍ରିୟ ରହିଛି । ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ହେଉଛି । ଦିନରେ ଖରା ସହିତ ଅପରାହ୍ନରେ ପ୍ରବଳ ବର୍ଷା ହେଉଛି । ଏହି ସମୟରେ ଘଣ୍ଟାପ୍ରତି ୫୦ ରୁ ୬୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି ।

 

ଓଡ଼ିଶାରେ କେମିତି ଅଛି ମହାନଦୀ, ଆଜିଠୁ ଟ୍ରିବ୍ୟୁନାଲଙ୍କ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ

ସମ୍ବଲପୁର: ଓଡ଼ିଶାରେ କେମିତି ଅଛି ମହାନଦୀ । ଛତିଶଗଡ଼ର ବେଆଇନ ନିର୍ମାଣ ଫଳରେ କେତେ ପ୍ରଭାବିତ ହୋଇଛି ଓଡ଼ିଶା । ଆଜିଠୁ ଏହାର ତଦାରଖ କରିବେ ଟ୍ରିବ୍ୟୁନାଲ । ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ପାଇଁ ଓଡ଼ିଶା ଆସିଛନ୍ତି ଟିମ୍ । ୨୩ ତାରିଖ ପର୍ଯ୍ୟନ୍ତ ହୀରାକୁଦ ଡ୍ୟାମ୍ ଓ ମହାନଦୀ ଆୟାକଟ୍ ଅଞ୍ଚଳ ବୁଲି ଦେଖିବେ । ଗତକାଲି ଟ୍ରିବ୍ୟୁନାଲ ସମ୍ବଲପୁରରେ ପହଞ୍ଚିବା ପରେ ସ୍ୱାଗତ କରିଥିଲେ ଜିଲ୍ଲାପାଳ ଓ ଏସପି । ଟିମରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏ.ଏମ୍.ଖାନଓ୍ବାଲିକର, ବିଚାରପତି ଡକ୍ଟର ରାଜିବ ରଞ୍ଜନ, ବିଚାରପତି ଇନ୍ଦ୍ରମିତ୍ କୌର ରହିଛନ୍ତି ।

ଆଜି ପ୍ରଥମ ଦିନରେ ହୀରାକୁଦ ପରିଦର୍ଶନ କରିବେ ଟ୍ରିବ୍ୟୁନାଲ । ୨୪ ତାରିଖରେ ଟ୍ରିବ୍ୟୁନାଲ ଭୁବନେଶ୍ବର ଆସିବେ । ୨୫ତାରିଖରେ ବିଶ୍ରାମ ପରେ ୨୬ରୁ ୨୮ ପର୍ଯ୍ୟନ୍ତ କଟକ ନରାଜ, ମୁଣ୍ଡଳୀ, ଅଂଶୁପା ଓ ଚିଲିକା ହ୍ରଦ ବୁଲି ଦେଖିବା କାର୍ଯ୍ୟକ୍ରମ ରହିଛି । ସେପଟେ ଛତିଶଗଡ଼ ଯୋଗୁ ଓଡ଼ିଶା ଭୋଗୁଥିବା ସମସ୍ୟାର ଦୃଷ୍ଟି ଆକର୍ଷଣ ପାଇଁ ସତ୍ୟାଗ୍ରହ କରିବ ମହାନଦୀ ବଞ୍ଚାଅ ଅଭିଯାନ । ଝାରସୁଗୁଡ଼ାରେ ମହାନଦୀର ଉପନଦୀ କେଲୋ ନଦୀ ନିକଟରେ ସତ୍ୟାଗ୍ରହ କରାଯିବ ବୋଲି ସୂଚନା ଦେଇଛନ୍ତି ମହାନଦୀ ବଞ୍ଚାଅ ଅଭିଯାନର ଆବାହକ ସୁଦର୍ଶନ ଦାସ । ଟ୍ରିବ୍ୟୁନାଲକୁ ୫ବର୍ଷ ବିତିଥିଲେ ବି ଏହାରି ମଧ୍ୟରେ କୌଣସି ପଦକ୍ଷେପ କି ଅନ୍ତରୀଣ ନିର୍ଦ୍ଦେଶ ମଧ୍ୟ ଦିଆଗଲାନି । ତଳମୁଣ୍ଡରେ ଯେତିକି ପାଣି ରହିବା କଥା ରହୁନାହିଁ । ଫଳରେ ପିଇବା ପାଣି ସହିତ ଜଳସେଚନ ଓ ଜୈବ ବିବିଧିତା ପ୍ରଭାବିତ ହୋଇଛି । ଅଣମୌସୁମୀ ସମୟରେ ତଳମୁଣ୍ଡ ଶୁଖିଲା ପଡ଼ୁଛି  । ଏହି ପ୍ରସଙ୍ଗରେ ଟ୍ରିବ୍ୟୁନାଲର ଦୃଷ୍ଟି ଆକର୍ଷଣ କରାଯିବ ।

ଆଜିଠୁ କର୍ଣ୍ଣାଟକରେ କଂଗ୍ରେସ ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଧରମୈୟା

ବେଙ୍ଗାଲୁରୁ: ଆଜିଠୁ କର୍ଣ୍ଣାଟକରେ କଂଗ୍ରେସ ସରକାର । ଶପଥ ସମାରୋହ ପାଇଁ ଭବ୍ୟ ଆୟୋଜନ । କାନ୍ତିରାଭା ଷ୍ଟାଡିୟମରେ ଆୟୋଜିତ ହୋଇଛି ମେଗା ଇଭେଣ୍ଟ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଧରମୈୟା ଏବଂ ଡେପୁଟି ସିଏମ ଭାବେ ଶପଥ ନେବେ ଡି କେ ଶିବକୁମାର । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସହ ଅଧା ମନ୍ତ୍ରିମଣ୍ଡଳ ଶପଥ ନେଇପାରେ ବୋଲି ଚର୍ଚ୍ଚା ହେଉଛି । ଶପଥ ସମାରୋହରୁ ବିରୋଧୀ ଏକତା ବାର୍ତ୍ତା । ସମାନ ବିଚାରଧାରା ରଖୁଥିବା ଦଳକୁ କଂଗ୍ରେସ ନିମନ୍ତ୍ରଣ କରିଛି। ଉତ୍ସବରେ ସାମିଲ ହେବେ ଛତିଶଗଡ଼, ରାଜସ୍ଥାନ ଓ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସମେତ ତାମିଲନାଡୁ, ବିହାର ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ । ଆରଜେଡିର ତେଜସ୍ୱୀ ଯାଦବ, ଏନସିପି ସୁପ୍ରିମୋ ଶରଦ ପାୱାର, ପିଡିପି ମୁଖ୍ୟ ମେହବୁବା ମୁଫତି, ସିପିଆଇର ଡି ରାଜା, ସିପିଏମର ସୀତାରାମ ୟେଚୁରୀ ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମଧ୍ୟ ନିମନ୍ତ୍ରଣ କରିଛି କଂଗ୍ରେସ ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିମନ୍ତ୍ରଣ କରାଯାଇଥିଲେ ବି ଦଳର ସାଂସଦ କାକୋଳି ଘୋଷଙ୍କୁ ପ୍ରତିନିଧି କରି ପଠାଇବ ଟିଏମସି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଓ ବିଏସପି ସୁପ୍ରିମୋ ମାୟାବତୀଙ୍କୁ କଂଗ୍ରେସ ଶପଥ ସମାରୋହକୁ ନିମନ୍ତ୍ରଣ କରାଯାଇନଥିବା ଜଣାପଡ଼ିଛି । ଷ୍ଟାଡିୟମରେ ୨୫ ହଜାର ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା ରହିଛି  । ସୁରକ୍ଷା ବ୍ୟବସ୍ଥା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ।

ଦ୍ୱିତୀୟ ଦିନରେ କଳାହାଣ୍ଡି ସମୀକ୍ଷା, ପିପଲନଲା ଜଳସେଚନ ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କଲେ 5T ସଚିବ

କଳାହାଣ୍ଡି: ଦ୍ୱିତୀୟ ଦିନରେ କଳାହାଣ୍ଡି ସମୀକ୍ଷା । ସକାଳୁ ସକାଳୁ ବିକାଶର ଅନୁଧ୍ୟାନ କରୁଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଭବାନୀପାଟଣା ପିପଲନଲା ଜଳସେଚନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ଏହି ପ୍ରକଳ୍ପ ଦ୍ବାରା ପିପଲନଲା, କଳାହାଣ୍ଡି, ଲାଞ୍ଜିଗଡ଼, ଭଟ୍ଟାଙ୍ଗପଦର ଅଞ୍ଚଳର ଚାଷୀ ଉପକୃତ ହେବେ । ପରେ ଭଟ୍ଟାଙ୍ଗପଦର ଏଚଏସ ଗ୍ରାଉଣ୍ଡରେ ପହଞ୍ଚି ଛାତ୍ରଛାତ୍ରୀ ଓ ଏସଏଚଜି ମାଆମାନଙ୍କ ସହିତ ଆଲୋଚନା କରି ସମସ୍ୟା ସମ୍ପର୍କରେ ଅବଗତ ହୋଇଛନ୍ତି । ଭଟ୍ଟାଙ୍ଗପଦରରୁ ଭବାନୀପାଟଣା ପର୍ଯ୍ୟନ୍ତ ରାସ୍ତାକୁ ଉନ୍ନତିକରଣ କରାଯିବ । ଏହାସହ ରାବଣଦୋର ଜଳପ୍ରପାତର ମଧ୍ୟ ବିକାଶ କରାଯିବ । ପର୍ଯ୍ୟଟକଙ୍କ ପାଇଁ ନୂଆ ଡେଷ୍ଟିନେସନ ସାଜିବ । ଏହାସହ ରାସ୍ତାର ମଧ୍ୟ ସଂପ୍ରସାରଣ କରାଯିବା ସହ ଖୁବଶୀଘ୍ର ଡିପିଆର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି 5T ସଚିବ । ବର୍ଷକ ମଧ୍ୟରେ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେଠାରେ ପ୍ରସ୍ତାବିତ ଯୁକ୍ତ ତିନି ଡିଗ୍ରୀ ମହାବିଦ୍ୟାଳୟ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବେ।

ଏହା ପରେ ମା’ ମାଣିକେଶ୍ବରୀ ମନ୍ଦିର ଯାଇ ମାଆଙ୍କୁ ଦର୍ଶନ କରିବା ସହ ମନ୍ଦିରର ଉନ୍ନତିକରଣ ପାଇଁ ସେବାୟତ ଓ ଲୋକଙ୍କ ସହ ଆଲୋଚନା କରିବେ । ଏହାପରେ କଲମପୁର ମିନି ଷ୍ଟାଡିୟମ, ମଙ୍ଗଳପୁର ବ୍ୟାରେଜ ନିକଟରେ ଇନ୍ଦ୍ରାବତୀ ପାର୍କ ଓ ମିଉଜିୟମ ପରିଦର୍ଶନ କରିବେ । ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲ କାର୍ଯ୍ୟର ତଦାରଖ କରିବେ 5T ସଚିବ । ଆମପାଣି ବୁଢ଼ାରଜା ମନ୍ଦିର, ଡୋକ୍ରିଚଞ୍ଚରା ଏବଂ ଗୁଡ଼ହାଣ୍ଡିର ବିକାଶ ନେଇ ଲୋକଙ୍କ ସହିତ ଆଲୋଚନା କରିବେ । ସେଠାରୁ ଧର୍ମଗଡ଼ ଯାଇ ମାଆ ଭଣ୍ଡାରଘରଣୀ ମନ୍ଦିରର ଉନ୍ନତିକରଣ ପାଇଁ ଆଲୋଚନା କରିବେ । ଧର୍ମଗଡ଼ ଯଶୋଦା ଆଶ୍ରମରେ ଅନ୍ତେବାସୀଙ୍କ ସହିତ କିଛି ସମୟ ବିତାଇବେ ଭିକେ ପାଣ୍ଡିଆନ । ପରେ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ, ଧର୍ମଗଡ଼ ପଞ୍ଚାୟତ କଲେଜ, ବିଜୁ କଲ୍ୟାଣ ମଣ୍ଡପ ପରିଦର୍ଶନ କରି ସାଧାରଣ ଲୋକ ଓ ଏସଏଚଜି ସଦସ୍ୟାଙ୍କ ସହ ଆଲୋଚନା କରିବେ ।