ଏଲଏସିରେ ୬୮ ହଜାର ଯବାନ ମୁତୟନ କଲା ଭାରତ, ୯୦ ଟ୍ୟାଙ୍କ କରାଗଲା ଏୟାରଲିଫ୍ଟ

1 min read

ନୂଆଦିଲ୍ଲୀ: ଗଲୱାନ ଭଳି ସଂଘର୍ଷରୁ ବର୍ତ୍ତିବା ପାଇଁ ଏଲଏସିରେ ଭାରତ ଜୋରଦାର ପ୍ରସ୍ତୁତି କରିଛି । ଲଦ୍ଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ୬୮ ହଜାର ଯବାନଙ୍କୁ ମୁତୟନ କରିଛି ଭାରତ । ଏହା ବ୍ୟତୀତ ବାୟୁସେନାର ସହାୟତାରେ ପ୍ରାୟ ୯୦ ଟ୍ୟାଙ୍କ ଏବଂ ୱିପନ ସିଷ୍ଟମକୁ ମଧ୍ୟ ଲଦ୍ଦାଖ ପହଞ୍ଚାଯାଇଛି । ସୁଖୋଇ Su-30 MKI ଏବଂ ଜାଗୁଆର ଭଳି ବିମାନ ସହାୟତାରେ ଶତ୍ରୁଙ୍କ ଏକତ୍ରିତ ଉପରେ ୨୪ ଘଣ୍ଟା ନଜର ମଧ୍ୟ ରଖାଯାଉଛି । ଯଦି କେଉଁଠି ଚାଇନା ସୈନିକ ଏକତ୍ରିତ ହୋଇ କୌଣସି କାର୍ଯ୍ୟକଲାପ କରନ୍ତି ତେବେ ତୁରନ୍ତ ଭାରତୀୟ ସେନା ପକ୍ଷରୁ ଜବାବ ଦେବା ପାଇଁ ପ୍ରସ୍ତୁତି ହୋଇଛି ।

ଉଲ୍ଲେଖଯୋଗ୍ୟ, ଲଦ୍ଦାଖର ଗଲୱାନ ଘାଟିରେ ୧୫ ଜୁନ ୨୦୨୦ରେ ଚାଇନିଜ୍ ସୈନିକଙ୍କ ସହ ଭାରତୀୟ ଯବାନଙ୍କ ସଂଘର୍ଷ ହୋଇଥିଲା । ଏଥିରେ ପ୍ରାୟ ୨୦ ଜଣ ଯବାନ ଶହୀଦ ହୋଇଯାଇଥିଲେ । ପ୍ରତିରକ୍ଷା ବିଭାଗର ଜଣେ ସୂତ୍ରଙ୍କ କହିବା ମୁତାବକ, ଭାରତୀୟ ଏୟାରଫୋର୍ସର ପରିବହନ ଯାହଜଗୁଡ଼ିକ ଏକ ସ୍ୱତନ୍ତ୍ର ଅଭିଯାନ ଆଧାରରେ ଏଲଏସି ସହ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ତୁରନ୍ତ ନିୟୋଜନ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ରକୁ ବହୁତ କମ୍ ସମୟ ମଧ୍ୟରେ ପହଞ୍ଚାଯାଇଥିଲା । ପରିବହନ କାର୍ଯ୍ୟରେ ସି-୧୩୦ଜେ ସୁପର ହରକ୍ୟୁଲେସ ଏବଂ ସି-୧୭ ଗ୍ଲୋବମାଷ୍ଟର ବିମାନ ସାମିଲ ଥିଲେ ।

ମୋଟ ୯ହଜାର ଟନର ଓଜନ ପରିବହନ କରାଯାଇଥିଲା । ବାୟୁସେନା ଯୁଦ୍ଧ ବିମାନର ଅନେକ ସ୍କ୍ୱାଡ୍ରନକୁ ପ୍ରସ୍ତୁତ ରଖିଛି । ତେବେ ଗଲୱାନ ସଂଘର୍ଷ ପରେ ଆକାଶମାର୍ଗରେ ପେଟ୍ରୋଲିଂ ପାଇଁ ରାଫେଲ ଏବଂ ମିଗ୍-୨୯ ବିମାନ ସହିତ ବଡ଼ ସଂଖ୍ୟାରେ ଯୁଦ୍ଧ ବିମାନଗୁଡ଼ିକୁ ମୁତୟନ କରାଯାଇଥିଲା । ଚୀନର ସେନା ଅନେକ ଏପରି ଅଞ୍ଚଳରେ ନିଜ ସୈନିକଙ୍କୁ ମୁତୟନ କରିଛି ଯାହାକି ଭାରତର ଅଟେ । ଏହାହିଁ ଗଲୱାନ ଭଲି ବିବାଦର ମୂଳ କାରଣ ଅଟେ । ଭାରତ ମଧ୍ୟ ଏହି ଅଞ୍ଚଳଗୁଡ଼ିକରେ ପେଟ୍ରୋଲିଂ କରିଥାଏ ।

ଦୁଇ ଦେଶର ସେନା ମୁତୟନ ରହିବା ସହ ପ୍ରସ୍ତୁତ ମଧ୍ୟ ରହିଥାନ୍ତି । ଉଲ୍ଲେଯୋଗ୍ୟ, ଏଲଏସିରେ ଶାନ୍ତି ପ୍ରତିଷ୍ଠା ପାଇଁ ଆସନ୍ତାକାଲି ଭାରତ ଓ ଚୀନ ମଧ୍ୟରେ ହେବ କମାଣ୍ଡରସ୍ତରୀୟ ଆଲୋଚନା । LAC ବିବାଦର ସମାଧାନ ପାଇଁ ୧୯ତମ ଦ୍ବିପାକ୍ଷିକ କୋର କମାଣ୍ଡରସ୍ତରୀୟ ବୈଠକ ବସିବାକୁ ଯାଉଛି । ଲଦାଖର ଚୁସୁଲ-ମୋଲ୍ଡ ବଡର୍ରରେ ଉଭୟ ଦେଶ ମଧ୍ୟରେ କଥାବାର୍ତ୍ତା ହେବ । ଲେଫ୍ଟନାଣ୍ଟ ଜେନେରାଲ ରସିମ ବାଲି ଭାରତୀୟ ପ୍ରତିନିଧି ଦଳର ନେତୃତ୍ବ ନେବେ ।