୪ ମାସ ପରେ ଲଦାଖ ସୀମାରେ ହେବ ଆଲୋଚନା, ସେନା ପ୍ରତ୍ୟାହାର ପାଇଁ ଭାରତ ଦେବ ପ୍ରସ୍ତାବ

1 min read

ନୂଆଦିଲ୍ଲୀ: ତୁଟିବ କି ସୀମା ବିବାଦ । LACକୁ ଫେରିବ କି ସ୍ବାଭାବିକ ସ୍ଥିତି । ଆଜି ଭାରତ ଓ ଚୀନ ମଧ୍ୟରେ ହେବ କମାଣ୍ଡରସ୍ତରୀୟ ଆଲୋଚନା । LAC ବିବାଦର ସମାଧାନ ପାଇଁ ୧୯ତମ ଦ୍ବିପାକ୍ଷିକ କୋର କମାଣ୍ଡରସ୍ତରୀୟ ବୈଠକ ବସିବାକୁ ଯାଉଛି । ଲଦାଖର ଚୁସୁଲ-ମୋଲ୍ଡ ବଡର୍ରରେ ଉଭୟ ଦେଶ ମଧ୍ୟରେ କଥାବାର୍ତ୍ତା ହେବ । ଲେଫ୍ଟନାଣ୍ଟ ଜେନେରାଲ ରସିମ ବାଲି ଭାରତୀୟ ପ୍ରତିନିଧି ଦଳର ନେତୃତ୍ବ ନେବେ ।

ତାଙ୍କ ସହ ବୈଦେଶିକ ମନ୍ତ୍ରାଳୟ ଓ ଆଇଟିବିପିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ । ୪ ମାସ ପରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ବୈଠକ ବସିବାକୁ ଯାଉଛି । ଏଥିରେ ପୂର୍ବ ଲଦାଖର ଡେପସାଙ୍ଗ ଓ ଡେମଚୋପ ଅଞ୍ଚଳରୁ ସେନା ପ୍ରତ୍ୟାହାର ପାଇଁ ଚୀନକୁ ଭାରତ ପ୍ରସ୍ତାବ ଦେବ । ତେବେ ପୂର୍ବର ଏକାଧିକ ବୈଠକରେ ଭାରତର ଏହି ଦାବିକୁ ଚୀନ ଖଣ୍ଡନ କରିଆସୁଛି ।

ତେବେ ଆଜିର ବୈଠକ ପରେ କଣ ନିଷ୍କର୍ସ ବାହାରିବ, ତା’ଉପରେ ସମସ୍ତଙ୍କ ନଜର ରହିଛି । ସେହିପରି ବୈଠକରେ ଦୁଇ ଦେଶ ମଧ୍ୟରେ ଶାନ୍ତି ବଜାୟ ରଖିବା ସହ ଦ୍ବିପାକ୍ଷିକ ସମ୍ପର୍କ ସୁଧାରିବାକୁ ପ୍ରୟାସ କରାଯିବ । ସୀମା ସ୍ଥିତି ନେଇ ବି ଆଲୋଚନା ହେବ । ୪ ବର୍ଷ ହେବ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଲାଗି ରହିଛି । ୨୦୨୦ ଜୁନରେ ଗଲୱାନ ଘାଟିରେ ଦୁଇ ଦେଶର ସୈନ୍ୟ ମୁହାଁମୁହିଁ ହୋଇଥିଲେ । ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଅନେକ ଚୀନ ସୈନ୍ୟ ନିହତ ହୋଇଥିଲେ । ଏହା ପରଠୁ ଉଭୟ ଦେଶ ଭିତରେ ଦ୍ବିପାକ୍ଷିକ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା । ଲଦାଖରେ ଏବେ ବି ଉଭୟ ଦେଶ ୫୦ ହଜାରରୁ ଅଧିକ ସୈନ୍ୟ ଓ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ମୁତୟନ କରିଛନ୍ତି ।