ବାଲୋଚିସ୍ତାନରେ ଚାଇନିଜ୍ ଇଞ୍ଜିନିୟରଙ୍କ ଗାଡ଼ି ଉପରେ ବିଏଲଏର ଘାତକ ଆକ୍ରମଣ, ୧୩ ଜଣଙ୍କ ମୃତ୍ୟୁ

ଇସଲାମାବାଦ: ପାକିସ୍ତାନର ବାଲୁଚିସ୍ତାନରେ ଚାଇନିଜ୍ ଇଞ୍ଜିନିୟରଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା । କୁହାଯାଉଛି ଯେ ମୃତକଙ୍କ ମଧ୍ୟରେ ୪ ଚାଇନିଜ୍ ନାଗରିକ ଥିବାବେଳେ ୯ଜଣ ପାକିସ୍ତାନୀ ସୈନିକ ଅଛନ୍ତି ।  ତେବେ ଏହି ଆକ୍ରମଣରେ ନିଜକୁ ଦାୟୀ କରିଛି ବଲୁଚ ଲିବ୍ରେଶନ ଆର୍ମି (ବିଏଲଏ) । ଏହି ଘଟଣା ବାଲୋଚିସ୍ତାନର ଗ୍ୱାଦରର ଫକିର ବ୍ରୀଜ ଉପରେ ଘଟିଛି । ୭ ଟି ଗାଡ଼ିର କନଭଏ ଚାଇନିଜ୍ ଇଞ୍ଜିନିୟରଙ୍କୁ ନେଇ ଏକ କନଷ୍ଟ୍ରକ୍ସନ ସାଇଟକୁ ଯାଉଥିଲା । ଏହି ସମୟରେ କନଭଏକୁ ଚାରିପଟୁ ଘେରିଯାଇ ଆକ୍ରମଣକାରୀ ଆତର୍କିତ ଗୁଳିମାଡ଼ କରିଥିଲେ ଏବଂ ବୋମା ମଧ୍ୟ ଫୋପାଡ଼ିଥିଲେ ।

ଏହି ଘଟଣା ପରେ ଗ୍ୱାଦରକୁ ସମ୍ପୂର୍ଣ୍ଣ ଭାବେ ଆଲର୍ଟରେ ରଖାଯାଇଛି । ଏଥିସହିତ ସହରକୁ ଯିବା ଆସିବା ଉପରେ କଟକଣା ଲଗାଇ ଦିଆଯାଇଛି । ପାକିସ୍ତାନୀ ମିଡିଆ ରିପୋର୍ଟସ ମୁତାବକ ଘଟଣା ପରେ ସୁରକ୍ଷାକର୍ମୀ ଏବଂ ବିଚ୍ଛିନ୍ନତାବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଯାଇଛି । ଏହି ଗୁଳିବିନିମୟରେ ଦୁଇ ବିଚ୍ଛିନ୍ନତାବାଦୀଙ୍କର ମୃତ୍ୟୁ ହୋଇଯାଇଛି । ସେହିପରି ଅନ୍ୟମାନେ ପଳାୟନ କରିବାରେ ସଫଳ ହୋଇଛନ୍ତି । ପାକିସ୍ତାନ ଆର୍ମୀ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରି ଦେଇଛି ଏବଂ ଅପରେସନ ଜାରି ରହିଛି । ସେହିପରି ପାକିସ୍ତାନରେ ସ୍ଥିତ ଚାଇନିଜ୍ ଦୂତାବାସ ବଲୁଚିସ୍ତାନ ଏବଂ ସିନ୍ଧରେ ରହୁଥିବା ନିଜ ନାଗରିକଙ୍କୁ ଏକ ଆଡଭାଇଜରୀ ଜାରି କରିଛି । ଆଗାମୀ ଆଦେଶ ସୁଦ୍ଧା ନିଜ ନିଜ ଘରେ ରହିବାକୁ ଚାଇନିଜ୍ ନାଗରିକଙ୍କୁ ଆଦେଶ ଦେଇଛି ଚୀନ୍ ଦୂତାବାସ ।