ବିଶ୍ୱକପ୍ ନେଇ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗଙ୍କ ଭବିଷ୍ୟବାଣୀ, ସେମିଫାଇନାଲ ଖେଳିବେ ଏହି ଚାରି ଦଳ

ନୂଆଦିଲ୍ଲୀ: ବିଶ୍ୱକପ୍ ସେମିଫାଇନାଲକୁ ନେଇ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ ବଡ଼ ଭବିଷ୍ୟବାଣୀ କରିଛନ୍ତି । ଦିନିକିଆ ବିଶ୍ୱକପ୍ ସେମିଫାଇନାଲ୍ କେଉଁ ଦଳ ଖେଳିବେ ସେନେଇ ଭବିଷ୍ୟବାଣୀ କରିଛନ୍ତି ସେହୱାଗ । ଆସନ୍ତା ଅକ୍ଟୋବରରୁ ବିଶ୍ୱକପ୍ ୨୦୨୩ର ଆରମ୍ଭ ହେବାକୁ ଯାଉଛି । ଚଳିତ ଥର ବିଶ୍ୱକପର ଆୟୋଜନ ଭାରତରେ ହେଉଛି ଏହି କାରଣୁ ସମସ୍ତଙ୍କ ନଜର ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ଉପରେ ରହିବ । ଭାରତର ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ  ସହ ରହିଛି । ତେବେ ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ ବଡ଼ ପ୍ରତିକ୍ରିୟା ଦେଇଛନ୍ତି । ସେହୱାଗ ସେମିଫାଇନାଲକୁ ନେଇ ଭବିଷ୍ୟବାଣୀ କରିଛନ୍ତି ।

ସେ ୪ଟି ଦଳର ନାଁ କହିଛନ୍ତି ଯିଏକି ଫାଇନାଲ ଖେଳିବାର ସବୁଠୁ ଅଧିକ ଦାବିଦାର । ବିଶ୍ୱକପ୍ କୁ ନେଇ ସେହୱାଗ କହିଛନ୍ତି ତାଙ୍କ ମୁତାବକ ଭାରତ, ପାକିସ୍ତାନ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଦଳ ସେମିଫାଇନାଲରେ ପହଞ୍ଚି ପାରନ୍ତି । କ୍ରିକେଟ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ସେହୱାଗ କହିଛନ୍ତି, ଯଦି ମୁଁ ସେମିଫାଇନାଲର ଚାରୋଟି ଦଳର ନାଁ ନିଏ ତେବେ ସେଥିରେ ଭାରତ, ପାକିସ୍ତାନ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ରହିବେ । ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଦଳ ନିଶ୍ଚିତ ଭାବେ ସେମିଫାଇନାଲକୁ ଯିବେ । ଏହି ଦୁଇ ଦଳର ଖେଳିବାର ପ୍ରକ୍ରିୟା ପ୍ରଭାବଶାଳୀ ରହିଛି । ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଦଳ ବହୁତ ଉତ୍ତମଧରଣର ଖେଳ ଖେଳୁଛନ୍ତି ।

ଏହି କାରଣରୁ ଏହି ଦୁଇ ଦଳ ସେମିଫାଇନାଲ୍ ଖେଳିବା ନିଶ୍ଚିତ ଏହା ଏହି ଦୁଇ ଦଳ ବ୍ୟତୀତ ଭାରତ ଓ ପାକିସ୍ତାନ ମଧ୍ୟ ସେମିଫାଇନାଲ୍ ଖେଳିବାର ଅଧିକ ଆଶଙ୍କା ରହିଛି । ବିଶ୍ୱକପର ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଏହି ମୁକାବିଲାରେ ଇଂଲଣ୍ଡକୁ କଡ଼ା ଟକ୍କର ମିଳିପାରେ । ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଏହି ମୁକାବିଲାରେ ନ୍ୟୁଜିଲାଣ୍ଡ ପାଇଁ ମଧ୍ୟ ବିଜୟ ସହଜ ହେବନାହିଁ । ବିଶ୍ୱକପ୍ ୨୦୨୩ର ପ୍ରଥମ ସେମିଫାଇନାଲ ମ୍ୟାଚ୍ ୧୫ ନଭେମ୍ବରରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ ।

ସେହିପରି ଦ୍ୱିତୀୟ ସେମିଫାଇନାଲ୍ ୧୬ ନଭେମ୍ବରରେ କୋଲକାତାର ଇଡେନ ଗାର୍ଡେନ୍ସରେ ଆୟୋଜିତ ହେବ । ଏହାପରେ ଫାଇନାଲ୍ ମ୍ୟାଚ୍ ୧୯ ନଭେମ୍ବରରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆୟୋଜିତ ହେବ । ତେବେ ଯେହେତୁ ଚଳିତ ବର୍ଷ ବିଶ୍ୱକପ୍ ଭାରତରେ ଆୟୋଜିତ ହେଉଛି ଟିମ୍ ଇଣ୍ଡିଆ ବିଶ୍ୱକପ୍ ଜିତିବା ନେଇ ଭାରତୀୟମାନେ ଆଶାପୋଷଣ କରିଛନ୍ତି । ଭାରତ ଶେଷ ଥର ପାଇଁ ୨୦୧୧ରେ ଦିନିକିଆ ବିଶ୍ୱକପ୍ ଜିତିଥିଲା । ସେଥର ମଧ୍ୟ ବିଶ୍ୱକପ୍ ଭାରତରେ ଆୟୋଜିତ ହୋଇଥିଲା । ଦଳର ନେତୃତ୍ୱ ନେଇଥିଲେ ମହେନ୍ଦ୍ର ସିଂହ ଧୋନି ।